ଅଣରାଜନୈତିକ ପ୍ରଧାନମନ୍ତ୍ରୀ

ଜିତେନ୍ଦ୍ର କୁମାର ନାୟକ

‘ସଙ୍କଟର ସରକାର ନ ହୋଇ ସମସ୍ୟାର ସମାଧାନ ବାଟ ବାହାର କରିବା ଭଳି ହେବ ତାଙ୍କ ସରକାର’। କଦାପି ଇରାକ୍‌ ଭୂଖଣ୍ଡକୁ ଅନ୍ୟ ରାଷ୍ଟ୍ରଗୁଡ଼ିକର ଯୁଦ୍ଧକ୍ଷେତ୍ର କରିବାକୁ ଦିଆଯିବ ନାହିଁ।’ ନିକଟରେ ଇରାକ୍‌ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା କହିଛନ୍ତି ମୁସ୍ତାଫା ଅଲ୍‌-କାଧିମି। ଏକଦା ପୂର୍ବତନ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ଚରମ ବିରୋଧୀ ଥିବା ମୁସ୍ତାଫା ଯେତେବେଳେ ଇରାକର ପ୍ରଧାନମନ୍ତ୍ରୀ ହେବା ବିଷୟ ରାଷ୍ଟ୍ର ହୋଇଗଲା ସେତେବେଳେ ସମସ୍ତେ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କଲେ। ଜଣେ ଖବରଦାତା ତଥା ଇରାକୀ ଜାତୀୟ ଗୋଇନ୍ଦା ସେବାର ନିର୍ଦ୍ଦେଶକ ରହିଆସିଥିବା ବ୍ୟକ୍ତିଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇ ଦିଆଯିବା ନିଶ୍ଚିତ ଭାବେ ଉତ୍ସୁକତା ସୃଷ୍ଟି କଲା ଭଳି ଖବର ପାଲଟିଛି।
ଅକ୍ଟୋବର ୨୦୧୮ରୁ ମେ’ ୨୦୨୦ ଯାଏ ଅଦେଲ ଅବଦୁଲ ମହଦିଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଅରାଜକତା ଚରମସୀମାରେ ପହଞ୍ଚିଥିଲା। ପ୍ରତିବାଦକାରୀ ତାଙ୍କ ଶାସନକୁ ଘୋର ବିରୋଧ କରିବାରୁ ସେନା ଶହ ଶହ ଆନ୍ଦୋଳନକାରୀଙ୍କୁ ହତ୍ୟା କରିଥିଲା। ଏହାର ପରଣତି ସ୍ବରୂପ ଅଦେଲଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ଏହା ପରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଖୋଜା ପଡ଼ିଲା। ଏହି ପଦବୀ ପାଇଁ ଥିବା ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମୁସ୍ତାଫାଙ୍କ ପଲା ଭାରି ପଡ଼ିଲା। ଅଦନାନ୍‌ ଅଲ୍‌-ଜୁର୍ଫି ସରକାର ଚଳାଇବା ଲାଗି ଯଥେଷ୍ଟ ସମର୍ଥନ ପାଇବାରୁ ବଞ୍ଚିତ ହେବା ପରେ ରାଷ୍ଟ୍ରପତି ବରହାମ୍‌ ସଲିହ ୯ ମେ’ରେ ମୁସ୍ତାଫାଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ମନୋନୀତ କରିଥିଲେ। ସଦ୍ଦାମ ହୁସେନ୍‌ଙ୍କ ଯୁଗର ଅବସାନ ପରେ ମଧ୍ୟ ଇରାକର ଶାସନ ବ୍ୟବସ୍ଥା ଜନହିତକର ସରକାର ଦେଇପାରିନାହିଁ। ଏଭଳି ସମୟରେ ମୁସ୍ତାଫାଙ୍କ ଦାୟିତ୍ୱ ଗ୍ରହଣ ଓ ଦେଶରେ ଖୁବ୍‌ଶୀଘ୍ର ନିର୍ବାଚନ କରିବା ଲାଗି ଦେଇଥିବା ପ୍ରତିଶ୍ରୁତି ଇରାକ୍‌କୁ ଏକ ନୂଆ ଦିଗ ଦେଖାଇବ ବୋଲି ସମୀକ୍ଷକମାନେ ଆଶା ବ୍ୟକ୍ତ କରୁଛନ୍ତି। ତେବେ ପାଶ୍ଚାତ୍ୟରେ ରହି ଅଭିଜ୍ଞତା ଅର୍ଜନ କରିଥିବା ମୁସ୍ତାଫା ଶିୟା, ସୁନ୍ନି ଓ କୁର୍ଦ୍ଦଙ୍କ ମଧ୍ୟରେ ରାଜନୈତିକ ସମତୁଲତା ରକ୍ଷା କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି।
ଇରାକ ରାଜଧାନୀ ବାଗ୍‌ଦାଦରେ ୧୯୬୭ରେ ମୁସ୍ତାଫା ଜନ୍ମ ଗ୍ରହଣ କରିଥିଲେ। ଅଲ୍‌-ତୁରଥ୍‌ ବିଶ୍ୱବିଦ୍ୟାଳୟରୁ ସେ ଆଇନରେ ଡିଗ୍ରୀ ଅର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ଜଣେ ନାମକରା ସାମ୍ବାଦିକ ପାଲଟିଯାଇଥିଲେ। ତେବେ ସଦ୍ଦାମ ହୁସେନଙ୍କ ସରକାରର ଅତ୍ୟାଚାର ଦେଖି ସେ ଅତିଷ୍ଠ ହୋଇପଡ଼ିଥିଲେ। ସେଥିପାଇଁ ସେ ୧୯୮୫ରେ ଇରାକ୍‌ ଛାଡ଼ି ଇରାନ୍‌ ପଳାଇଯାଇଥିଲେ। ସେଠାରୁ ଜର୍ମାନୀ ଓ ପରେ ବ୍ରିଟେନ୍‌ ଯାଇ ସେଠାରେ ନାଗରିକତ୍ୱ ଗ୍ରହଣ କରିଥିଲେ। ୨୦୦୩ରେ ଇରାକ୍‌ ଉପରେ ଆମେରିକା ଆକ୍ରମଣ କରିବାରୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହି ସମୟରେ ସେ ଇରାକୀ ମିଡିଆ ନେଟ୍‌ଓ୍ବର୍କ ଗଢ଼ି ତାହାର ସହପ୍ରତିଷ୍ଠାତା ପାଲଟିଥିଲେ। ଏଥିସହିତ ଇରାକୀ ମେମୋରି ଫାଉଣ୍ଡେଶନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ୱ ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ସଦ୍ଦାମ ହୁସେନଙ୍କ ବାଥ୍‌ ଶାସନ ସମୟରେ ଦେଖାଦେଇଥିବା ଅପରାଧର ଦଲିଲ ପ୍ରସ୍ତୁତ ଉଦ୍ଦେଶ୍ୟରେ ଇରାକୀ ମେମୋରି ଫାଉଣ୍ଡେଶନ ଗଢ଼ାଯାଇଥିଲା। ମୁସ୍ତାଫା ୨୦୧୦ରୁ ୩ ବର୍ଷ ପର୍ଯ୍ୟନ୍ତ ଇରାକ୍‌ର ନ୍ୟୁଜ୍‌ ଉଇକ୍‌ ପତ୍ରିକାର ଏଡିଟର-ଇନ୍‌-ଚିଫ୍‌ ଥିବା ବେଳେ ବହୁ ପ୍ରଗତିଶୀଳ ଲେଖା ପ୍ରକାଶ କରି ପାଶ୍ଚାତ୍ୟର ଦୃଷ୍ଟି ଆକର୍ଷଣ କରିଥିଲେ। ଆମେରିକାଭିତ୍ତିକ ଅଲ୍‌-ମନିଟର ଓ୍ବେବସାଇଟ୍‌ର ଇରାକୀ ସେକ୍ସନର ସମ୍ପାଦକ ରହିଥିବା ବେଳେ ତାଙ୍କ ସ୍ତମ୍ଭ ଦେଶ ଓ ବିଦେଶରେ ବହୁଚର୍ଚ୍ଚିତ ହୋଇଥିଲା। ଇରାକ୍‌ରେ ଗୋଇନ୍ଦା ବିଭାଗକୁ ରାଜନୀତିକରଣରୁ ମୁକ୍ତ କରି ସେ ସେଥିରେ ଅଭିନବତ୍ୱ ଆଣିଥିଲେ। ଗୋଇନ୍ଦା ସୂଚନା ସଂଗ୍ରହ କରିବାରେ ଉଚ୍ଚତର ପଦ୍ଧତି ବ୍ୟବହାର ଜାତୀୟ ଗୋଇନ୍ଦା ସେବାକୁ ସୁଦୃଢ଼ କରିପାରିଛି। ଏଥିପାଇଁ ସବୁ ଶ୍ରେୟ ମୁସ୍ତାଫାଙ୍କୁ ଦିଆଯାଉଛି। ଆତଙ୍କବାଦ ବିଶେଷକରି ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)କୁ ପ୍ରତିହତ କରିବା ଲାଗି ଗୋଇନ୍ଦା ସୂଚନା ସଂଗ୍ରହ ଇରାକ୍‌କୁ ଅନେକାଂଶରେ ସହାୟକ ହୋଇପାରିଛି। କୌଣସି ରାଜନୈତିକ ଦଳ ସହ ସମ୍ପର୍କରେ ନ ଥିଲେ ମଧ୍ୟ ସେ ସବୁ ରାଜନେତାଙ୍କ ସହ ବାସ୍ତବଧର୍ମୀ ଆଭିମୁଖ୍ୟ ରଖି ଆଲୋଚନା ଜାରି ରଖିଲେଣି। ଆମେରିକା ସହ ଉତ୍ତମ ସମ୍ପର୍କ ସ୍ଥାପନ କରିପାରିଥିବା ପ୍ରଧାନମନ୍ତ୍ରୀ ମୁସ୍ତାଫା ଶାସନ ଭାର ଗ୍ରହଣ କରିବା ମାତ୍ରେ ଇରାନ୍‌ ସହ ଦ୍ୱିପାକ୍ଷିକ ସମ୍ବନ୍ଧ ଦିଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କଲେଣି। ଏବେ ତାଙ୍କ ପାଇଁ ତୈଳ ଦରରେ ଦେଖାଦେଇଥିବା ମାନ୍ଦା ସ୍ଥିତି, କରୋନା ମହାମାରୀ ଏବଂ ଦେଶ ଭିତରେ ବିଭାଜିତ ଗୋଷ୍ଠୀ ଭିତରେ ଐକ୍ୟଭାବ ଆଣିବା ଆହ୍ବାନ ସୃଷ୍ଟି କରିଥିଲେ ହେଁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବେ ସେ ସବୁଥିରେ ସଫଳକାମ ହେବେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri