୨୦୧୨ରେ ହୋଇଥିବା ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଘଟଣା ସମଗ୍ର ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଫଳତଃ ସରକାର ବାଧ୍ୟ ହୋଇଥିଲେ ଶିଶୁଙ୍କ ସକାଶେ ଅଭିପ୍ରେତ କିଶୋର ନ୍ୟାୟ(ଶିଶୁମାନଙ୍କ ଯତ୍ନ ଏବଂ ସୁରକ୍ଷା ଅଧିନିୟମ)୨୦୦୦ରେ ଆମୂଳଚୂଳ ପରିବର୍ତ୍ତନ ପୂର୍ବକ କିଶୋର ନ୍ୟାୟ(ଶିଶୁମାନଙ୍କ ଯତ୍ନ ଏବଂ ସୁରକ୍ଷା ଅଧିନିୟମ)୨୦୧୫ ତଥା ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଅଧିନିୟମ ୨୦୧୨ର ପ୍ରଣୟନ କରିଥିଲେ। ଉଲ୍ଲେଖଯୋଗ୍ୟ ପ୍ରଥମ ଥର ସକାଶେ ନିର୍ଭୟା ଘଟଣାରେ ଦେଶର ସଚେତନ ନାଗରିକ ପ୍ରତିକ୍ରିୟାଶୀଳ ହୋଇ ଉଠିଲେ ଏବଂ ଏଭଳି ଦୁଇଟି ଆଇନର ପ୍ରଣୟନ ସେମାନଙ୍କ ମନରେ ଆଶ୍ୱସ୍ତି ଆଣିଦେଲା।
ଦୁଇଟି ଆଇନକୁ ଅବଲୋକନ କଲେ ଜଣାଯାଏ ଯେ ସରକାର ଅନେକ ଦିଗକୁ ବିବେଚନା କରି ଆଇନ ଦ୍ୱୟ ପ୍ରଣୟନ କରିଛନ୍ତି। କିଶୋର ନ୍ୟାୟ(ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା ଅଧିନିୟମ)୨୦୧୫ରେ ଜାତିସଂଘ ଦ୍ୱାରା ଅନୁଷ୍ଠିତ ଶିଶୁମାନଙ୍କ ଅଧିକାର ସମ୍ପର୍କିତ ସମ୍ମିଳନୀ ୧୯୮୯ରେ ପାରିତ ସନନ୍ଦ ପତ୍ରରେ ୧୮ ବର୍ଷରୁ କମ ବ୍ୟକ୍ତି ବିଶେଷଙ୍କୁ ଧରାଯିବାକୁ ସମ୍ମତି ପ୍ରଦାନ କରାଯାଇଛି। କିନ୍ତୁ ସମଗ୍ର ଭାରତବାସୀଙ୍କ ଚାପ କାରଣରୁ ୧୬ ବର୍ଷରୁ ଅଧିକ ଏବଂ ୧୮ ବର୍ଷରୁ କମ୍ ବର୍ଗଙ୍କ କ୍ଷେତ୍ରରେ କୌଣସି ଶିଶୁ ନାମରେ ଜଘନ୍ୟ ଅପରାଧ (ବଳାତ୍କାର, ହତ୍ୟା ଭଳି)ରେ ସମ୍ପୃକ୍ତିର ଅଭିଯୋଗ ଆସିଲେ ଏକ ପ୍ରାରମ୍ଭିକ ଆକଳନ କରାଯିବାର ବ୍ୟବସ୍ଥା ରଖାଯାଇଛି। ପ୍ରାରମ୍ଭିକ ଆକଳନ ନିମନ୍ତେ ଜଣେ ମନସ୍ତତ୍ତ୍ୱବିତଙ୍କୁ ଡକାଯିବା ସହ ତାଙ୍କ ରିପୋର୍ଟକୁ ଆଧାରକରି କିଶୋର ନ୍ୟାୟ ବୋର୍ଡ ତିନୋଟି ବିଷୟକୁ ଗୁରୁତ୍ୱର ସହ ବିଚାର କରିବ- ୧. ସମ୍ପୃକ୍ତ ଶିଶୁ ଶାରୀରିକ ସ୍ତରରେ ଘଟଣା ଘଟାଇବାକୁ ସକ୍ଷମ ତ?୨. ସମ୍ପୃକ୍ତ ଶିଶୁ ମାନସିିକ ଭାବରେ ଘଟଣା ଘଟାଇବାକୁ ସକ୍ଷମ ତ? ଏବଂ ୩. ସେ ଯଦି ଘଟଣାରେ ସମ୍ପୃକ୍ତ ତେବେ ତା’ର ପରିଣାମ ସମ୍ବନ୍ଧରେ ସଚେତନ ତ? ଯଦି ଉକ୍ତ ତିନୋଟି ପ୍ରଶ୍ନର ଉତ୍ତରକୁ ନେଇ ବୋର୍ଡର ହୃଦ୍ବୋଧ ହୁଏ ଯେ ଶିଶୁଟି ବୟସ୍କ ବ୍ୟକ୍ତି ବିଶେଷଙ୍କ ଭଳି ବ୍ୟବହାର କରୁଛି, ସତକୁ ଲୁଚାଇବାର ଅପଚେଷ୍ଟା କରୁଛି ତେବେ ବୋର୍ଡ ମାମଲାଟିକୁ ନିଜ ପାଖରେ ନ ରଖି ଚିଲଡ୍ରେନ କୋର୍ଟ ବା ପୋକ୍ସୋ କୋର୍ଟକୁ ପଠାଇ ଦେଇପାରେ । ଉକ୍ତ କୋର୍ଟକୁ ମାମଲାଟି ଗଲେ ଶିଶୁଟିକୁ ବୟସ୍କ ବ୍ୟକ୍ତିଙ୍କ ଭଳି ଧରାଯାଇ ତା’ ପାଇଁ କଠିନରୁ କଠିନତମ ଦଣ୍ଡ ମିଳିବାର ସମ୍ଭାବନା ରହିଛି । କିଶୋର ନ୍ୟାୟ ବୋର୍ଡରେ ଦଣ୍ଡର ମାତ୍ରା ଅତିବେଶିରେ ୩ ବର୍ଷ, ଯାହା ଦିଲ୍ଲୀ ଘଟଣାରେ ପ୍ରଦତ୍ତ ହୋଇଥିଲା।
ଅନ୍ୟ ଦିଗରେ ଶିଶୁଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଅଧିନିୟମ ୨୦୧୨କୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଏଥିରେ ଯୌନ ନିର୍ଯାତନାକୁ ମୁଖ୍ୟତଃ ୬ ଭାଗରେ ବିଭକ୍ତ କରା ଯାଇଛି- ୧. ଅନୁପ୍ରବେଶୀୟ ଯୌନ ନିର୍ଯାତନା (ପେନିଟ୍ରେଟିଭ ସେସ୍କୁଆଲ ଏସଲ୍ଟ) ୨. ଗୁରୁତର ଅନୁପ୍ରବେଶୀୟ ଯୌନ ନିର୍ଯାତନା(ଏଗ୍ରାଭେଟେଡ ପେନିଟ୍ରେଟିଭ ସେସ୍କୁଆଲ ଏସଲ୍ଟ) ୩. ଯୌନ ନିର୍ଯାତନା(ସେସ୍କୁଆଲ ଏସଲ୍ଟ) ୪. ଗୁରୁତର ଯୌନ ନିର୍ଯାତନା (ଏଗ୍ରାଭେଟେଡ ସେସ୍କୁଆଲ ଏସଲ୍ଟ) ୫. ସେସ୍କୁଆଲ ହାରାସମେଣ୍ଟ ଏବଂ ୬. ପର୍ନୋଗ୍ରାଫି। ଅନୁପ୍ରବେଶୀୟ ଯୌନ ନିର୍ଯାତନା କହିଲେ ସାଧାରଣ ଭାବରେ ଆମେ ଯାହା ଦୁଷ୍କର୍ମ ବୋଲି ବୁଝିଥାଉ। କିନ୍ତୁ ଗୁରୁତର ଅନୁପ୍ରବେଶୀୟ ଯୌନ ନିର୍ଯାତନା କ୍ଷେତ୍ରରେ ନିର୍ଯାତନା ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷ ଯଥା- ଥାନାରେ ପୋଲିସ, ବିଦ୍ୟାଳୟରେ ଶିକ୍ଷକ, ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଇତ୍ୟାଦି ଦାୟିତ୍ୱରେ ଥିବା ବ୍ୟକ୍ତି ଦଳଗତ ବଳାତ୍କାର, ବଳାତ୍କାର ପୂର୍ବକ ମାରିଦେବା ବା ମରଣାନ୍ତକ ଆକ୍ରମଣ, ୧୨ ବର୍ଷରୁ କମ୍ ବୟସର ଶିଶୁକୁ ବଳାତ୍କାର କରିବା ଭଳି ଅପରାଧରେ ସମ୍ପୃକ୍ତ ହୁଅନ୍ତି। ଠିକ୍ ସେହିପରି ମୋବାଇଲରେ/ଇ-ମେଲରେ ବାରମ୍ବାର ମେସେଜ ଦେବା, ପିଛା କରିବା, ଜଣେ ଗାଧୋଉଥିବା ବା ଆଉକିଛି କରୁଥିବା ସମୟରେ ଲୁଚି ଲୁଚି ଦେଖିବା ଇତ୍ୟାଦିି ଯୌନ ନିର୍ଯାତନା ଶ୍ରେଣୀଭୁକ୍ତ। କୌଣସି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା, ଭାଇରାଲ କରିବା, ଦେଖାଇବା ଇତ୍ୟାଦି ପର୍ନୋଗ୍ରାଫିକ ଶ୍ରେଣୀଭୁକ୍ତ। ଉପରୋକ୍ତ ପ୍ରତ୍ୟେକ ଅପରାଧ କ୍ଷେତ୍ରରେ ନିଜେ କରିବା ବା ଅନ୍ୟଦ୍ୱାରା କରାଇବା ସକାଶେ ମଧ୍ୟ ସମାନ ଦଣ୍ଡର ପ୍ରାବଧାନତା ରହିଛି।
ସବୁଠାରୁ ଚିନ୍ତାଜନକ ବିଷୟ ବର୍ତ୍ତମାନ ସମୟରେ ଶିଶୁ ମଙ୍ଗଳ ସମିତି ଦ୍ୱାରା ହସ୍ତଗତ ହେଉଥିବା ଅଧିକାଂଶ ମାମଲାରେ ୧୫ରୁ ୧୮ ବର୍ଷ ବୟସର ପୁଅ ଏବଂ ଝିଅ ବିବାହର ପ୍ରଲୋଭନ ଦେଖାଇ ହେଉ ବା ଅନ୍ୟ କିଛି କଥା ଛଳରେ ସହମତି ପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରୁଛନ୍ତି। ପରବର୍ତ୍ତୀ ସମୟରେ ଘଟଣା ପ୍ରଘଟ ହୋଇଗଲାପରେ/ପଳାୟନ କଲେ ବା ବାପାମାଆଙ୍କ ନଜରକୁ ଆସିଲେ ବାପାମାଆ ନିଜସ୍ବ ଇଚ୍ଛାରେ ବା ଜାତି ସମାଜର ଚାପରେ ଥାନାର ଦ୍ୱାରସ୍ଥ ହେବା ଦ୍ୱାରା ଅଧିକାଂଶ ମାମଲାରେ ପୋକ୍ସୋ ଆଇନ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି କ୍ଷେତ୍ରରେ ପୁଅଟିକୁ ଯଦି ପୋଲିସ ଧରିବାରେ ସକ୍ଷମ ହେଉଛି ତ ତାକୁ ତା’ର ବୟସ ଅନୁସାରେ ପର୍ଯ୍ୟବେକ୍ଷଣ ଗୃହ ବା ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି। ଏପଟେ ଝିଅ କିଛି ସ୍ଥାନରେ ଡାକ୍ତରୀ ପରୀକ୍ଷାର ସାମନା କରିବାକୁ ମନା କରୁଥିବାବେଳେ ଅନେକ କ୍ଷେତ୍ରରେ ବାପାମାଆଙ୍କ ଚାପର ବଶବର୍ତ୍ତୀ ହୋଇ ତା’ର ମତ ବଦଳାଇ ଦେଉଛି। ଏଠାରେ ପୁଅଝିଅ ଉଭୟେ ଘଟଣାରେ ସମ୍ପୃକ୍ତ ଥିବାବେଳେ କେବଳ ପୁଅ ଦଣ୍ଡ ପାଉଛି। ଡାକ୍ତରୀ ପରୀକ୍ଷା ସକାଶେ ମନା କରୁଥିବା କ୍ଷେତ୍ରରେ ଅବଶ୍ୟ ପୁଅଟି ସହଜରେ ଦଣ୍ଡ ପାଉନାହିଁ ଏବଂ ବାପାମାଆ କେସ୍ଟିକୁ ଦଫାରଫା କରି ଦେଉଛନ୍ତି। କିଛି ସ୍ଥାନରେ ପୁଅଝିଅ ଘର ଛାଡ଼ି ଅନ୍ୟତ୍ର ରହିବା ଫଳରେ ଅଭାବ ଅନଟନରେ ଦିନ କାଟୁଛନ୍ତି ଏବଂ କେସ୍ଟି ଗଡ଼ି ଗଡ଼ି ଅନେକ ଦିନ ପର୍ଯ୍ୟନ୍ତ ଚାଲୁଛି ଏବଂ ବିବାହ ଯୋଗ୍ୟ ବୟସ ହେଲାପରେ ଉଭୟଙ୍କ ସହମତି ଥିବାରୁ ସେମାନେ ସ୍ବାମୀ ସ୍ତ୍ରୀ ହୋଇ ରହୁଛନ୍ତି।
ଅସଲ କଥା ହେଲା ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଅନେକ ସମୟରେ ଅଣଦେଖା କରା ଯାଇଥାଏ। କିନ୍ତୁ ବାସ୍ତବ କଥା ହେଲା ଏଥିରେ ଝିଅ ଓ ପୁଅ ଉଭୟଙ୍କ ଭବିଷ୍ୟତ ଜଡ଼ିତ। ଉଭୟଙ୍କ ସହମତିରେ ଯୌନ ସମ୍ପର୍କ ସ୍ଥାପନ ସତ୍ତ୍ୱେ ପୋକ୍ସୋ ଭଳି ଏକ କଠୋର ଆଇନ ମାଧ୍ୟମରେ କଠିନରୁ କଠିନତମ ଦଣ୍ଡ ମିଳିବା କେତେଦୂର ସମୀଚୀନ। ଅନେକ ସମୟରେ କଥା ଉଠୁଛି ଯେ ପୋକ୍ସୋ ଆଇନ ମାଧ୍ୟମରେ ଦଣ୍ଡ ପ୍ରାୟତଃ କ୍ୱଚିତ ପାଉଛନ୍ତି। ଏଭଳି ଘଟିବା ସ୍ବାଭାବିକ, କାରଣ କିଛି ସ୍ଥାନରେ ଡାକ୍ତରୀ ପରୀକ୍ଷାକୁ ପୀଡ଼ିତା ମନା କରିବା, ବାପାମାଆ ପୀଡ଼ିତାର ବିନା ସହମତିରେ କେସ୍ ପଞ୍ଜୀକରଣ କରିବା ଫଳରେ ଦୁର୍ବଳ ସାକ୍ଷ୍ୟ କାରଣରୁ ଦଣ୍ଡ ମିଳୁନାହିଁ। ଏଭଳି ଘଟଣାରେ ଶିଶୁ ମଙ୍ଗଳ ସମିତିର ନିଷ୍ପତ୍ତି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ଯତ୍ନ ଏବଂ ସୁରକ୍ଷା ନିମିତ୍ତ ପୀଡ଼ିତାକୁ ସମିତି ଆଗରେ ଉପସ୍ଥାପନ କରିବା ବାଧ୍ୟତାମୂଳକ। ଅନେକ ସ୍ଥଳେ ମାଆବାପା ଜାତି ସମାଜର ଚାପ, ପୁନଃ ପଳାୟନର ଭୟରେ ଝିଅକୁ ଘରକୁ ନେବାପାଇଁ ରାଜି ହେଉ ନାହାନ୍ତି। ଏପଟେ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ସଖୀ-ଓ୍ବାନ ଷ୍ଟପ ସେଣ୍ଟରରେ ସ୍ବଳ୍ପ ରହଣିର ବ୍ୟବସ୍ଥା ରହିଛି। ଶିଶୁଗୃହରେ ମଧ୍ୟ ଅନ୍ୟସବୁ ଅନ୍ତେବାସୀ ବିଦ୍ୟାଳୟ ଯାଉଥିବାବେଳେ ପୀଡ଼ିତାଙ୍କ ସକାଶେ ସ୍ବତନ୍ତ୍ର ବ୍ୟବସ୍ଥା ସମ୍ଭବ ହୋଇ ପାରୁନାହିଁ। ତେଣୁ ପରାମର୍ଶ ସେବା ପ୍ରଦାନ ପୂର୍ବକ ସମିତି ପୀଡ଼ିତାକୁ ମାଆବାପା ଦାୟିତ୍ୱରେ ଛାଡ଼ିବାକୁ ଉଚିତ ମଣୁଛି। ତେଣୁ ସରକାର ବାଳିକାବାଳକଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏସବୁ ବିଷୟରେ ଦାୟିତ୍ୱର ସହ ଚିନ୍ତା କରିବା ଆବଶ୍ୟକ ଏବଂ ତେବେ ଯାଇ ଆମେ ଏକ ଗଠନମୂଳକ ସମାଜ ପ୍ରତିଷ୍ଠା କରିପାରିବା।
ରାଜୀବ କୁମାର ନାୟକ
ପଦରପଡ଼ା, ବୌଦ୍ଧ
ମୋ:୯୪୩୭୫୭୧୮୩୧
Dharitri – Odisha’s No.1 Odia Daily


