ସୃଷ୍ଟିକର୍ତ୍ତା ଭାବି ବସିଲେଣି

କିଛି ବର୍ଷ ତଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ସୂଚନାଫଳକ ଜରିଆରେ ଜଣାଇ ଦିଆଯାଇଥିଲା ଯେ, ‘ଅଜଣା ବସ୍ତୁ ଦେଖିବାମାତ୍ରେ ସେଗୁଡ଼ିକୁ ଛୁଅନ୍ତୁ ନାହିଁ, ଯାହା ବୋମା ହୋଇଥାଇପାରେ’। ଭାରତ ସରକାର ଏବେ ସେଭଳି କାର୍ଯ୍ୟ କରୁଥିବା ପରି ମନେହେଉଛି। ସବୁ ଆଞ୍ଚଳିକ ସମସ୍ୟାକୁ ବୁଝିବା କଷ୍ଟକର ହୋଇଥିବା ବେଳେ ଏହି ସରକାର ମନଇଚ୍ଛା ଆଇନ ପ୍ରଣୟନ କରିଚାଲିଛନ୍ତି। ନିଜର ପୁରୁଣା ‘ଏଜେଣ୍ଡା’ ବା ରାଜନୈତିକ କାର୍ଯ୍ୟସୂଚୀକୁ ପୂରଣ କରିବାକୁ ଯାଇ ଅନେକ ଅନାବଶ୍ୟକ ବିଭ୍ରାଟ ସୃଷ୍ଟି କରିଦିଆଯାଉଛି। ବାସ୍ତବରେ ଦେଖିବାକୁ ଗଲେ ୧୯୪୭ ପୂର୍ବରୁ ଭାରତର ମାନଚିତ୍ର କେବେହେଲେ କଶ୍ମୀରରୁ କନ୍ୟାକୁମାରୀ- ଗୁଜରାଟରୁ ଅରୁଣାଚଳ ନ ଥିଲା। ଆଜିର ପିଢ଼ିକୁ ବୁଝିବାକୁ ହେବ ଯେ, ଐତିହାସିକ ସ୍ଥିତିକୁ ଦେଖିଲେ ଭାରତକୁ ଗୋଟିଏ ଦେଶ ବୋଲି କହିବା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ଧର୍ମ ମାଧ୍ୟମରେ ରାଷ୍ଟ୍ର ସୃଷ୍ଟି ହୁଏ ନାହିଁ। ନାଗରିକର ଇଚ୍ଛା, ଅର୍ଥନୈତିକ ଉନ୍ନତି, ସାମାଜିକ ଶାନ୍ତି ଭଳି ଅନେକ ଇଣ୍ଡେକ୍ସ ବା ସୂଚକାଙ୍କର ମିଳନ ହେଲେ ଏକ ଆଧୁନିକ ଦେଶ ଗଢ଼ିଉଠେ। କୌଣସି ରାଜନୈତିକ ଦଳ, ଅମଲାତନ୍ତ୍ର କିମ୍ବା ବିଚାର ବ୍ୟବସ୍ଥା ମାଧ୍ୟମରେ ଦେଶ ସୃଷ୍ଟି କରାଯାଇପାରେ ନାହିଁ। ଅନ୍ୟ ବାଟରେ କହିବାକୁ ଗଲେ ନାଗରିକଙ୍କ ସହମତିରୁ ସୃଷ୍ଟି ହୋଇଥିବା ଦେଶରେ ଏମାନଙ୍କର ଦାୟିତ୍ୱ ରହିଥାଏ। ସୃଷ୍ଟିକର୍ତ୍ତା ଭାବେ ନୁହେଁ, କାର୍ଯ୍ୟକର୍ତ୍ତା ଭାବେ ଏମାନଙ୍କୁ ବିଭିନ୍ନ କର୍ତ୍ତବ୍ୟ କରିବାକୁ ପଡ଼େ। ଦୁଃଖର ବିଷୟ, ଭାରତବର୍ଷରେ ଏହି ଅଙ୍ଗଗୁଡ଼ିକ ଏବେ ରାଷ୍ଟ୍ରର ସୃଷ୍ଟିକର୍ତ୍ତା ବୋଲି ନିଜକୁ ଧରି ବସିଲେଣି। ସେଥିପାଇଁ ଭାରତ ଭଳି ଏକ ବିରାଟକାୟ ଦେଶର ବିବିଧତାକୁ ବୁଝିବାରେ ଅସମର୍ଥ ବ୍ୟକ୍ତିବିଶେଷ କେବଳ ସେମାନଙ୍କୁ ସୁହାଇଲା ଭଳି ‘ଏକତା’ ପାଇଁ ପ୍ରୟାସ କରୁଛନ୍ତି। କିନ୍ତୁ ସେଭଳି ଏକତାକୁ ବଜାୟ ରଖିବା କେବଳ ଯେ କଷ୍ଟକର ତା’ ନୁହେଁ, ଭବିଷ୍ୟତରେ ଏଭଳି ନିଷ୍ପତ୍ତି ଦେଶକୁ ଖଣ୍ଡବିଖଣ୍ଡ କରିପାରେ। କୌତୂହଳର ବିଷୟ ହେଉଛି, ଆଜି ଏକତା ପାଇଁ ଚିତ୍କାର କରୁଥିବା ସାଧାରଣ ନାଗରିକ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଝଗଡ଼ା କରି ସମ୍ପର୍କ ତୁଟାଇ ଦେଉଥିବା ବେଳେ ଭୁଲିଯାଉଛି ଯେ ତାଙ୍କ ନିଜସ୍ବ ପୂର୍ବ ରାଜନୈତିକ ଅନ୍ଧବିଶ୍ୱାସ ଯୋଗୁ ଦେଶରେ ଆଜିର ଦୁର୍ଦ୍ଦଶା ଦେଖିବାକୁ ପଡ଼ୁଛି। ସେଥିପାଇଁ ସଚେତନ ହୋଇ ପୁନର୍ବାର ଅନ୍ୟ ଏକ ଗାତରେ ପଡ଼ିବା ଉଚିତ ନୁହେଁ। ଅର୍ଥାତ୍‌ ଧର୍ମ ନାମରେ ରାଷ୍ଟ୍ରନୀତି ପରିଚାଳନାକୁ ସମର୍ଥନ ଜଣାଉଥିବା ନାଗରିକ ନିଜର ତ୍ରୁଟିକୁ ଭବିଷ୍ୟତରେ ପୁନର୍ବାର ଅନୁଶୋଚନା କରିବେ।
କିଛି ମାସ ପୂର୍ବରୁ ବିନା ପ୍ରସ୍ତୁତିରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଆସାମ ଓ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ଲାଗୁ କରାଇ ଦିଆଗଲା। ସେତେବେଳେ ଏଥିରେ ଅନେକ ତ୍ରୁଟିବିଚ୍ୟୁତି ରହିଥିବା ଲକ୍ଷ୍ୟ କରାଯାଇଥିଲା। ଧର୍ମ ଆଧାରରେ କେବଳ ନୁହେଁ, ବାସିନ୍ଦାଙ୍କ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଥିଲା। ଆସାମରେ ୧୯ ଲକ୍ଷରୁ ଅଧିକ ଲୋକ ବାଦ୍‌ ପଡ଼ିଥିଲେ। ଏପରି କି ଭାରତୀୟ ସେନାରେ କାର୍ଯ୍ୟ କରି ଅବସର ନେଇଥିବା ଯବାନ ନିଜର ନାଗରିକତ୍ୱ ପ୍ରମାଣ ଦେଇ ନ ପାରିବାରୁ ଦେଶବ୍ୟାପୀ ଏନ୍‌ଆର୍‌ସି ବିତର୍କର ବଳୟକୁ ପଳାଇ ଆସିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଉତ୍ତର-ପୂର୍ବାଞ୍ଚଳରେ ଲାଗୁ ହୋଇଥିବା ଏନ୍‌ଆର୍‌ସିକୁ ସୁପ୍ରିମ୍‌କୋର୍ଟ ସିଧାସଳଖ ତଦାରଖ କରୁଥିଲେ। ଭାରତର ସର୍ବୋଚ୍ଚ ଅଦାଲତ ପାଖରେ ଏଭଳି ଏକ ପ୍ରୟାସକୁ ତଦାରଖ କରିବାର କେଉଁଭଳି ଶକ୍ତି ଥିଲା କିମ୍ବା ଅଛି, ବୁଝିବା କଷ୍ଟକର। ସ୍ଥିତି ଅସମ୍ଭାଳ ହେବା ପରେ ଭାଜପାଶାସିତ ଆସାମରେ ମୂଳବାସିନ୍ଦା ଏହା ବିରୋଧରେ ବିକ୍ଷୋଭ ଓ ପୋଡ଼ାଜଳା କରିଛନ୍ତି। ଏବେ କୁହାଗଲାଣି ସେଠାରେ ଏନ୍‌ଆର୍‌ସି ପ୍ରକ୍ରିୟାର ପୁନଃ ଯାଞ୍ଚ କରାଯିବ। ଦେଖିବାକୁ ଗଲେ ସେହିସବୁ ଅଞ୍ଚଳରେ ବହିରାଗତଙ୍କ ସଂଖ୍ୟା ବଢ଼ି ଚାଲିବାରୁ ମୂଳବାସିନ୍ଦାମାନେ ସଂଖ୍ୟାଲଘୁ ହେବାରେ ଲାଗିଲେଣି। ଭୋଟ ବ୍ୟାଙ୍କ ବଢ଼ାଇବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକ ଅନୁପ୍ରବେଶକୁ ପ୍ରଶ୍ରୟ ଦେଇଦେଉଥିବାରୁ ମୂଳ ଅଧିବାସୀଙ୍କ ଅଧିକାର କ୍ଷୁଣ୍ଣ ହେବାରେ ଲାଗିଛି। ଏହାଦ୍ୱାରା ବାହାରୁ ଆସିଥିବା ଲୋକମାନେ ଭୋଟ ପରିଚୟପତ୍ର, ରାଶନ କାର୍ଡ ପାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସୁବିଧାକୁ ହାତେଇ ନେଉଛନ୍ତି। ଏଠାରେ ଏକ ଉଦାହରଣ ଦିଆଯାଇପାରେ। ପଶ୍ଚିମ ଓଡ଼ିଶାର ଅନେକ ପଞ୍ଚାୟତରେ ପଡ଼ୋଶୀ ରାଜ୍ୟର ଲୋକ ଅଧିକ ସଂଖ୍ୟାରେ ଆସି ବସବାସ କରିବାକୁ ଆରମ୍ଭ କଲେ ସେହି ଜିଲାର ଓଡ଼ିଆ ଅଧିବାସୀ ନିଜର ସ୍ଥିତି ହରାଇବସିବେ। ଭବିଷ୍ୟତର ସରପଞ୍ଚ ଯଦି ସେହି ବହିରାଗତଙ୍କ ମଧ୍ୟରୁ ହୁଅନ୍ତି, ତେବେ ମୂଳ ବାସିନ୍ଦା ଟଙ୍କିକିଆ ଚାଉଳଠାରୁ ଆରମ୍ଭ କରି ଜାତିଗତ ପ୍ରମାଣପତ୍ର ପର୍ଯ୍ୟନ୍ତ ସବୁକିଛି ସୁବିଧା ହରାଇବସିବେ। ଆସାମ ଓ ଅନ୍ୟ ରାଜ୍ୟରେ ଅନୁରୂପ ସମସ୍ୟା ଦେଖାଦେଉଛି। ଆସାମ ଲୋକଙ୍କ ଗ୍ରାମରେ ଅଧିକ ଅଣ-ଆସାମବାସୀ ରହିଯାଉଥିବାରୁ ସାମାଜିକ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେଉଛି। ସେଭଳି ପ୍ରଚ୍ଛଦପଟରେ ମୂଳ ଗ୍ରାମବାସୀ ବହିରାଗତଙ୍କର ଧର୍ମକୁ ଦେଖୁନାହାନ୍ତି। ସେମାନଙ୍କ ପାଇଁ ଉଭୟ ହିନ୍ଦୁ କିମ୍ବା ମୁସଲମାନ ବହିରାଗତ ସଂଖ୍ୟାଗତ ସମସ୍ୟା ସୃଷ୍ଟି କରୁଛନ୍ତି।
ଏବେ ଆଉ ଏକ ବୋମାକୁ ଦେଖାଯାଇପାରେ। ବର୍ତ୍ତମାନ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ରେ ପରିଣତ ହୋଇଛି। ଏଥିରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ୩୧ ଡିସେମ୍ବର ୨୦୧୪ କିମ୍ବା ତା’ ପୂର୍ବରୁ ଭାରତକୁ ଫେରିଥିବା ହିନ୍ଦୁ, ଜୈନ, ପାର୍ସୀ, ଶିଖ୍‌, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ନାଗରିକତ୍ୱ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି। ପାର୍ଲାମେଣ୍ଟରେ ସିଏବି ଉପସ୍ଥାପିତ ହେବାଠାରୁ ତାହା ଆଇନରେ ପରିଣତ ହେବା ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ ସମେତ ପଶ୍ଚିମବଙ୍ଗରେ ନିଆଁ ଲାଗି ଯାଇଛି। ପୋଡ଼ାଜଳା ସହ ଲୋକଙ୍କ ଜୀବନ ଯିବା ଏବଂ ଟ୍ରେନ୍‌ ଓ ବିମାନସେବା ବାଧାପ୍ରାପ୍ତ ହେବା ଭଳି ସ୍ଥିତି ଦେଖିଲେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ପ୍ରଶ୍ନ ଉଠିଲାଣି। ଯେତେବେଳେ ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି, ନିଯୁକ୍ତି ହାର କମି ଆସିଲାଣି, ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଛି, ଚାଷୀକୁଳର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି; ସେତେବେଳେ ଏହିଭଳି ବିରାଟକାୟ ବିଫଳତାରୁ ନଜର ହଟାଇବା ପାଇଁ ସମ୍ଭବତଃ ଅଣ-ପ୍ରସଙ୍ଗଗୁଡ଼ିକୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଲା ଭଳି ମନେହେଉଛି। ଏନ୍‌ଆର୍‌ସି, ଅନୁଚ୍ଛେଦ ୩୭୦ ଓ ୩୫ଏ ହଟାଇବା, ଅଯୋଧ୍ୟା ଓ ବର୍ତ୍ତମାନ ସିଏଏ ଭଳି ପ୍ରସଙ୍ଗକୁ ଜାତୀୟକରଣ କରାଯାଇ ଭାଜପା ସରକାର ଯେଭଳି ଭାବେ ଦେଶବ୍ୟାପୀ ସବୁ ସମୟକୁ ଖବର ମଧ୍ୟରେ ରଖିବାକୁ ଚାହୁଁଛନ୍ତି, ତାହା ଦ୍ୱାରା ଜନକଲ୍ୟାଣ ଅପେକ୍ଷା ଅଧିକ ବିତର୍କିତ ବିଷୟକୁ ଭାରତବାସୀ ସାମ୍ନା କରିବାକୁ ବାଧ୍ୟ ହେଉଛନ୍ତି। ଯେହେତୁ ଦେଶବାସୀ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଦେଇଛନ୍ତି, ସେହେତୁ ଦଳର ନେତାମାନେ ଧରିନେଲେଣି ଯେ, ସେମାନଙ୍କ ସବୁ ନିଷ୍ପତ୍ତି ଗ୍ରହଣୀୟ ହୋଇଯିବ। କିନ୍ତୁ ପେଟ ଯେତେବେଳେ ଭୋକରେ ପୋଡ଼ିଯିବ, ସେତେବେଳେ କୌଣସି ମଠ ମନ୍ଦିରରେ ଖାଦ୍ୟ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

୨୦୧୫ରେ ମୁମ୍ବାଇର ଦାଦାରାଓ ବିଲ୍‌ହୋରେଙ୍କ ଦୁଇପୁଅ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିରେ ବଡ଼ପୁଅର ମୃତ୍ୟୁ ହୋଇଥିଲା ଏବଂ ସାନ ବଞ୍ଚତ୍ୟାଇଥିଲେ। ବର୍ଷା ଯୋଗୁ ଖାଲଖମାରେ ପାଣି…

ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

ମଣିଷର ବିକାଶ ଯାତ୍ରା ଦ୍ରୁତଗତିରେ ବଢ଼ିଚାଲିଛି। ବିକାଶ ଯାତ୍ରାରେ ନିଜକୁ ସାମିଲ କରି ମଣିଷର ଅହଂକାର ନିଶ୍ଚିତରୂପେ ଧୀରେ ଧୀରେ ଉଗ୍ର ହେବା ସ୍ବାଭାବିକ। ବିଜ୍ଞାନକୁ ଅସ୍ତ୍ର…

ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

ଭାରତ ମହାସାଗରରୁ ପଶ୍ଚିମ ପ୍ରଶାନ୍ତମହାସାଗର (ପ୍ୟାସିଫିକ୍‌) ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ପ୍ୟାସିଫିକ୍‌ ଅଞ୍ଚଳ ସମୁଦ୍ରପଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ଅର୍ଥନୀତି ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରମୁଖ ପ୍ରସଙ୍ଗ…

ଭକ୍ତିଭାବରେ ଅନେକ କୃଷ୍ଣ

ଭାରତରେ କେବଳ ଜଣେ କୃଷ୍ଣ ନାହାନ୍ତି, ଅନେକ କୃଷ୍ଣ ଅଛନ୍ତି। ପ୍ରତ୍ୟେକ ଅଞ୍ଚଳ, ଭାଷା, ସାମାଜିକ ବର୍ଗ ଓ ଐତିହାସିକ ସମୟର ଦୃଷ୍ଟିକୋଣ କୃଷ୍ଣଙ୍କ ସ୍ବରୂପ ଓ…

ଏଇ ଭାରତରେ

ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌ ଗଁାରେ ଥିବା କେ. ଖେଲ୍‌. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ହେଉଥିବା ପନିପରିବା ଚିନ୍ତାରୁ ପୂରା ମୁକ୍ତ…

ଶିକ୍ଷା ବିନା ବିକାଶ ଅସମ୍ଭବ

ଶିକ୍ଷା ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ସେଥିପାଇଁ ଯେଉଁ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ରାଷ୍ଟ୍ର ସେତେ ବିକଶିତ। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ…

ହ୍ବାଟ୍ସଆପ୍‌ ଗ୍ରୁପ୍‌ର ବିଷାକ୍ତ ଚିତ୍ର

ସକାଳୁ ସକାଳୁ ମୁଁ ରହିଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଗୋଟିଏ ମେସେଜ ଆସିଲା, ଯାହାର ଆରମ୍ଭରେ ଲେଖାଥିଲା- ”ଦୟାକରି ଏହି ବାର୍ତ୍ତାଟି ପଢ଼ନ୍ତୁ ଏବଂ ଏହାକୁ ଆପଣଙ୍କ ବନ୍ଧୁ,…

ସିଜିମାଳିରୁ ସିଆଙ୍ଗ

ଅକ୍ଟୋବର ୨୩ରେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ମହାନିର୍ଦ୍ଦେଶକ ଶତ୍ରୁଜିତ୍‌ କପୁର କହିଥିଲେ, ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା ଓ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?