ସମ୍ପାଦକୀୟ/ପଇସା ଦେଲେ ପାଠ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଜଣାଶୁଣା। ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିଷୟବସ୍ତୁକୁ ନେଇ ଯେତେବେଳେ ଦେଶବ୍ୟାପୀ ହୁରି ପଡ଼ିଥାଏ, ସେତେବେଳେ ଏଠାକାର ଛାତ୍ରୀଛାତ୍ର ଓ ଗବେଷକମାନେ ବିତର୍କରେ ଭାଗ ନେଇ ପ୍ରଗତିଶୀଳ ଚିନ୍ତାଧାରା ଦେଇଥାଆନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ମେଧାବୀ ଛାତ୍ରଙ୍କ ସମାଗମ ହେଉଥିବାରୁ ଏଠାକାର ଶୈକ୍ଷିକ ବାତାବରଣ ଅନ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଉଦାହରଣ ପାଲଟିଥାଏ। ହେଲେ କିଛି ବର୍ଷ ହେବ ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର ମୁକ୍ତ ବାତାବରଣକୁ ସଙ୍କୁଚିତ କରିବା ଲାଗି ପ୍ରୟାସ ଚାଲିଛି। ସରକାରୀ ବ୍ୟବସ୍ଥା ବିରୋଧରେ ସ୍ବର ଉଠାଇଲେ ତାହାକୁ ଦବାଇ ଦେବା ସକାଶେ ପଦକ୍ଷେପ ନିଆଯାଉଛି। ନିକଟରେ ଏହି ବିଶ୍ୱବିଦ୍ୟାଳୟର ହଷ୍ଟେଲ ଫି’ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଥିବାରୁ ତାହାର ପ୍ରତିବାଦ କରି ଜେଏନ୍‌ୟୁ ଛାତ୍ର ସଂସଦ ୨୩ ଦିନ ଧରି ପ୍ରତିବାଦ କରିଆସୁଛି। ୧୮ ନଭେମ୍ବରରେ ଛାତ୍ରମାନେ ପାର୍ଲାମେଣ୍ଟ ଆଡ଼କୁ ମାଡ଼ିଯିବାରୁ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଛି। ୧୦୦ ଛାତ୍ରଙ୍କୁ ଅଟକ ରଖାଯିବା ଓ କେତେକେ ଆହତ ହୋଇଥିବାରୁ ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ ଦେଶବ୍ୟାପୀ ଚର୍ଚ୍ଚା ଧରିଛି। ସୋସିଆଲ ସାଇଟ୍‌ ବିଶେଷକରି ମାଇକ୍ରୋବ୍ଲଗିଂରେ ‘ଏମର୍ଜେନ୍ସି ଇନ୍‌ ଜେଏନ୍‌ୟୁ’ ଏବେ ଟ୍ରେଣ୍ଡିଂ ହୋଇଛି। ଏଭଳିସ୍ଥଳେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଉକ୍ତ ପ୍ରସଙ୍ଗକୁ ଠିକ୍‌ ଭାବେ ସମାଧାନ କରିପାରୁ ନ ଥିବାରୁ ବିବାଦ ବଢ଼ିବାରେ ଲାଗିଛି।
ଜଏନ୍‌ୟୁରେ ଅଧ୍ୟୟନରତ ପ୍ରାୟ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗରିବ ପରିବାରରୁ ଆସିଥାଆନ୍ତି। ସେମାନଙ୍କ ହଷ୍ଟେଲ ଫି ଅତ୍ୟଧିକ ବୃଦ୍ଧି ପାଇବା ନିଶ୍ଚିତ ଭାବେ ଚିନ୍ତାଜନକ। ନୂଆ ମାନୁଆଲରେ ଡାଇନିଂ ହଲ୍‌କୁ ଛାତ୍ରମାନେ ଯିବା ଲାଗି ଡ୍ରେସ୍‌ କୋଡ୍‌ କରାଯାଇଛି। ପୂର୍ବରୁ ସର୍ଭିସ ଚାର୍ଜ ନ ଥିଲା, ଏବେ ତାହା ୧୭୦୦ ଟଙ୍କା ହୋଇଛି। ସେହିଭଳି ଆନୁଷଙ୍ଗିକ ଖର୍ଚ୍ଚ ବଢ଼ାଇ ଦିଆଯାଇଥିବାରୁ ଜଣେ ଛାତ୍ରକୁ ମାସିକ ସର୍ବନିମ୍ନ ୧୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରାତି ସାଢ଼େ ୧୧ ପୂର୍ବରୁ ସେମାନେ ହଷ୍ଟେଲ ଫେରିବା ଆଦି କଟକଣା କରାଯାଇଥିବାରୁ ଛାତ୍ର ସଂସଦ ଏହାର ପ୍ରତିବାଦ କରିଛି। ଛାତ୍ରୀଛାତ୍ରମାନଙ୍କ ଯୁକ୍ତି ହେଉଛି, ଜେଏନ୍‌ୟୁ ହେଉଛି ହ୍ୟୁମାନିଟିଜ୍‌ ବା ମାନବବାଦୀ ବିଷୟବସ୍ତୁ ଉପରେ ଆଧାରିତ ପାଠ୍ୟକ୍ରମରେ ଗବେଷଣା କରିବା ଲାଗି ଦେଶର ଏକ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ। ତେଣୁ ସେଠାକାର ପାଠାଗାର ୨୪ ଘଣ୍ଟା ଅଧ୍ୟୟନ ପାଇଁ ଖୋଲାଯିବା ଦରକାର। ସେମାନେ ନିିରାପତ୍ତା ଲାଗି ସିକ୍ୟୁରିଟି ଫି ମଧ୍ୟ ଦେଉଛନ୍ତି। ଯଦି ସାଢ଼େ ୧୧ଟା ପୂର୍ବରୁ ସେମାନଙ୍କୁ ହଷ୍ଟେଲ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯିବ, ତେବେ ଗବେଷଣା କାର୍ଯ୍ୟରେ ତାହା ବ୍ୟାହତ ସୃଷ୍ଟି କରିବ।
ସାମାଜିକ ଭିତ୍ତିଭୂମିର ସର୍ବାଗ୍ରେ ରହିଛି ଶିକ୍ଷା। ତେଣୁ ଏହାର ବ୍ୟାପକ ପ୍ରସାର ଓ ଗୁଣବତ୍ତା ବୃଦ୍ଧି ଲାଗି ସରକାରଙ୍କ ଗୁରୁଦାୟିତ୍ୱ ଅଛି। କିନ୍ତୁ ଯେଭଳି ଭାବେ ଶିକ୍ଷାର ଘରୋଇକରଣ କରାଯାଉଛି, ସେଥିରୁ ବୁଝିବାକୁ ହେବ ଯେ ସାର୍ବଜନୀନ ଶିକ୍ଷା ତା’ର ମୌଳିକତା ହରାଇବସୁଛି। ନୂଆ ଶିକ୍ଷାନୀତିରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧିକ ସ୍ପନ୍‌ସର୍ଡ ବା ପ୍ରାୟୋଜିତ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଇଛି। ଅର୍ଥାତ୍‌ ଛାତ୍ରୀଛାତ୍ରଙ୍କୁ ସେଭଳି ପାଠ ପଢ଼ିବା ଲାଗି ପର୍ଯ୍ୟାପ୍ତ ଅର୍ଥ ଦେବାକୁ ପଡ଼ିବ। ତେଣୁ ଗରିବ ତଥା ମେଧାବୀ ପିଲାମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେବେ। ଏକ ଜନମଙ୍ଗଳ ରାଷ୍ଟ୍ରରେ ସଭିଁଙ୍କ ହିତକୁ ଗୁରୁତ୍ୱ ଦିଆଯିବା ଉଚିତ। ଶୁଣିବାକୁ ମିଳୁଛି, ସରକାରୀ ପାଣ୍ଠି ଦ୍ୱାରା ଚାଲୁଥିବା ଜେଏନ୍‌ୟୁ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସରକାର ଆର୍ଥିକ ଅନୁଦାନ ଦେବାକୁ ଚାହୁଁନାହାନ୍ତି। ଏହା ପରିବର୍ତ୍ତେ ଋଣ ଭଳି ଅର୍ଥ ଯୋଗାଇ ଦେଇ ପରବର୍ତ୍ତୀ ସମୟରେ ତାହାକୁ ବିଶ୍ୱବିଦ୍ୟାଳୟ କିଭଳି ଶୁଝିପାରିବ ସେଥିଲାଗି ଚିଠା ପ୍ରସ୍ତୁତ କରୁଛି। ଏକ ବିଶ୍ୱବିଦ୍ୟାଳୟକୁ ଯଦି ରାଜସ୍ବ ଆଦାୟର ଏକ କେନ୍ଦ୍ର ଭାବେ ସରକାର ଦେଖିବେ, ତେବେ ଛାତ୍ରମଙ୍ଗଳ, ଶୈକ୍ଷିକ ବାତାବରଣ ଓ ଗବେଷଣା କାର୍ଯ୍ୟ ଢେର ପଛକୁ ଚାଲିିଯିବ। କାରଣ ପର୍ଯ୍ୟାପ୍ତ ଅର୍ଥ ଦେଇ ପାଠ ପଢ଼ିବା ଲାଗି ସିଟ୍‌ ପାଉଥିବା ଛାତ୍ରମାନେ ସମସ୍ତେ ମେଧାବୀ ନୁହନ୍ତି। ବହୁ ଗରିବ ଛାତ୍ର ଅଛନ୍ତି, ଯେଉଁମାନେ ଉପଯୁକ୍ତ ଶିକ୍ଷା ପାଇପାରୁ ନାହାନ୍ତି। ଦେଖିବାକୁ ଗଲେ କର୍ପୋରେଟ୍‌ କ୍ଷେତ୍ର ବା ବଡ଼ବଡ଼ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ଦିଆଯାଉଛି। ହେଲେ ଗରିବ ପିଲା ପାଇଁ ସରକାର ଖର୍ଚ୍ଚ କରିବାକୁ କୁଣ୍ଠିତ। ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରୁ ଉତ୍ତମ ମାନବ ସମ୍ବଳ ବାହାରି ଦେଶକୁ ଉନ୍ନତି ପଥରେ ଆଗେଇ ନେଇଥାଆନ୍ତି। ଏବେ ସରକାରଙ୍କ ବିପରୀତ ପଦକ୍ଷେପ ଭାରତକୁ ପଛେଇ ନେବାର ସଙ୍କେତ ଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?