ସମ୍ପାଦକୀୟ/ ଝାଳ ବୁହାଇବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ନଭେମ୍ବର ୨୦୧୯ରେ ତାଙ୍କ ରେଡିଓ ବାର୍ତ୍ତା ‘ମନ କୀ ବାତ୍‌’ରେ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇଥିବାରୁ ତାଙ୍କୁ ଦେଶବାସୀଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ଦରକାର। ଭାରତବର୍ଷର ଅଧିକାଂଶ ସ୍କୁଲ ଓ କଲେଜରେ ଛାତ୍ରୀଛାତ୍ରଙ୍କୁ ଶାରୀରିକ ବ୍ୟାୟାମ ଶିଖାଇବାର କୌଣସି ବ୍ୟବସ୍ଥା କରାଯାଉନାହିଁ। ପୂର୍ବରୁ ବିଭିନ୍ନ ସ୍କୁଲରେ ଶାରୀରିକ ଶିକ୍ଷା ଶିକ୍ଷକ ବା ପିଇଟି ପଦବୀ ଥିଲା ଓ ସେମାନେ ଅଳ୍ପେ ବହୁତେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସମ୍ଭବତଃ ସେହି ପଦବୀ ରହିଯାଇଛି, କିନ୍ତୁ ପ୍ରଶିକ୍ଷକମାନେ କୌଣସି ସକ୍ରିୟ ଆଗ୍ରହ ଦେଖାଉଥିବାର ପରିଲକ୍ଷିତ ହେଉନାହିଁ। ପଦବୀ ଅଛି, ଚାକିରି କରୁଛନ୍ତି ଓ ଦରମା ମଧ୍ୟ ପାଉଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ଜୀବନରେ ସମ୍ପୃକ୍ତ ଶିକ୍ଷକଙ୍କର କୌଣସି ପ୍ରଭାବ ରହୁନାହିଁ। ଏହି ପରିପ୍ରେକ୍ଷୀରେ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ପ୍ରଧାନମନ୍ତ୍ରୀ ମୋଦି ଏକ ସ୍ପଷ୍ଟ ସନ୍ଦେଶ ଦେବା ସମୟୋପଯୋଗୀ।
ଏବେକାର ପରିସ୍ଥିତି ଦେଖିଲେ ପିଲାବେଳୁ ଅଧିକାଂଶ ମୋବାଇଲ ଫୋନ, କମ୍ପ୍ୟୁଟର ମାଧ୍ୟମରେ କ୍ରୀଡ଼ାମଗ୍ନ ରହୁଛନ୍ତି। କିନ୍ତୁ ସେଭଳି ଖେଳରେ ଝାଳ ବୁହେନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତର ଅନେକ ମାତାପିତାଙ୍କର ଆଗ୍ରହ ରହୁଛି ଯେ, ସେମାନଙ୍କ ପିଲା ଉଚ୍ଚ ଚାକିରି କରି କାହା ପାଖରେ ଚାକର ହେବ। ସେଥିପାଇଁ ଆରମ୍ଭରୁ ପାଠପଢ଼ା ଉପରେ ଅଧିକ ଚାପ ଦେଇ ଭଲ ମାର୍କ୍ସ ଆଣିବା ହୋଇଛି ପିଲାଙ୍କ ପାଇଁ ଜୀବନର ମୂଳଲକ୍ଷ୍ୟ। ଏହି ଦୌଡ଼ରେ ନକାରାତ୍ମକ ଫଳ ହେଲେ ଆତ୍ମହତ୍ୟା ହୋଇପଡୁଛି ଅନ୍ତିମ ପନ୍ଥା। ସତେଯେମିତି ଭଲ ମାର୍କ୍ସ ନ ରହିଲେ ଜୀବନ ବ୍ୟର୍ଥ ହୋଇଯିବ। ଏହିଭଳି ମନୋଭାବ ସୃଷ୍ଟି କରିବା ପାଇଁ ଅଭିଭାବକମାନେ ଦାୟୀ। ସେମାନଙ୍କ ଏଭଳି ବିକୃତ ମାନସିକତାକୁ ଖୋରାକ ଯୋଗାଉଛି ଶିକ୍ଷା ବ୍ୟବସ୍ଥା ଓ କାମ ଛାଡ଼ି ପ୍ରତିବାଦ କରୁଥିବା ଶିକ୍ଷକ। ପାଠ୍ୟକ୍ରମରେ ଯଦି ବ୍ୟବସ୍ଥା କରାଯାଇପାରନ୍ତା ପିଲାଙ୍କ ଖେଳ ଓ ବ୍ୟାୟାମରେ ଦକ୍ଷତା ମପାଯାଇ ମାର୍କ୍ସ ମିଳିବ, ତେବେ ମାତାପିତା ମଧ୍ୟ କ୍ରୀଡ଼ା ପାଇଁ ପିଲାଙ୍କୁ ପ୍ରୋତ୍ସାହିତ କରନ୍ତେ। ଏହି ଦିଗକୁ ଧ୍ୟାନ ଦିଆଯାଉ ନ ଥିବା ହେତୁ ଭାରତର ସାମାଜିକ ଅଭିବୃଦ୍ଧିରେ ନକାରାତ୍ମକ ପ୍ରଭାବ ପଡୁଥିବା ବିଷୟରେ ଅଧିକାଂଶ ସଚେତନ ନ ଥିବେ। ଯେଉଁ ଦେଶର ନାଗରିକ ସୁସ୍ଥ ସବଳ ହୋଇଥିବ, ସେହି ଦେଶରେ ଡାକ୍ତରଙ୍କ ଚାହିଦାଠାରୁ ଆରମ୍ଭ କରି ଚିକିତ୍ସାଳୟ ଅର୍ଥ ବିନିଯୋଗ ହ୍ରାସ ପାଇଥାଏ।
ଏଭଳି ସ୍ଥଳେ ଜାତୀୟ ପରିସଂଖ୍ୟାନ ଅଫିସ୍‌ (ଏନ୍‌ଏସ୍‌ଓ) ପକ୍ଷରୁ ଏବେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଘରୋଇ ହସ୍‌ପିଟାଲରେ ପରିବାର ପିଛା ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ଡାକ୍ତରଖାନାଠାରୁ ୭ ଗୁଣା ଅଧିକ। ସରକାରୀ ଡାକ୍ତରଖାନାରେ ଚିକିତ୍ସା ସକାଶେ ହାରାହାରି ୪,୪୫୨ ଟଙ୍କା ରହିଥିବା ବେଳେ ଏହା ଘରୋଇ ହସ୍‌ପିଟାଲ କ୍ଷେତ୍ରରେ ୩୧,୮୪୫ ଟଙ୍କା ରହିଛି। ଏହି ରିପୋର୍ଟରେ ପ୍ରସବଜନିତ ଖର୍ଚ୍ଚକୁ ସାମିଲ କରାଯାଇ ନାହିଁ। ଜୁଲାଇ ୨୦୧୭ରୁ ଜୁନ୍‌ ୨୦୧୮ ମଧ୍ୟରେ ହୋଇଥିବା ସର୍ଭେ ଆଧାରରେ ଏନ୍‌ଏସ୍‌ଓ ଏଭଳି ତଥ୍ୟ ପ୍ରକାଶ କରିଛି।
ଉପରୋକ୍ତ କ୍ଷୁଦ୍ର ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ, ଭାରତୀୟମାନେ ଘରୋଇ ହସ୍ପିଟାଲକୁ ସ୍ବଇଚ୍ଛା ବା ଡାକ୍ତରଙ୍କ ଚାପରେ ହେଉ ଯିବାକୁ ବାଧ୍ୟ ହେଉଥିବାରୁ ଚିକିତ୍ସାଜନିତ ଖର୍ଚ୍ଚ ଅତ୍ୟଧିକ ମାତ୍ରାରେ ବଢ଼ିଚାଲିଛି। ଗୋଟିଏ ପଟେ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିି ପଡୁଥିବା ବେଳେ ଅନ୍ୟପଟେ ଘରୋଇ ଚିକିତ୍ସା ବ୍ୟୟବହୁଳ ହୋଇପଡୁଛି। ଏହା କେବଳ ସହରବାସୀଙ୍କ ପାଇଁ ନୁହେଁ, ମଫସଲବାସୀ ମଧ୍ୟ ଏହି ବଳୟରୁ ରକ୍ଷା ପାରୁନାହାନ୍ତି।
ଏଭଳି ଏକ ସମୟରେ ‘ଫିଟ୍‌ ଇଣ୍ଡିଆ’ ବା ସୁସ୍ଥ ଭାରତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଥିବା ହେତୁ ଏହି ବିଷୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିପ୍ରତି ପିଲାଙ୍କ ସମେତ ଜନସାଧାରଣ ଗୁରୁତ୍ୱ ଦେଲେ ଆସନ୍ତାକାଲିର ପିଢ଼ି ପାଇଁ ସୁଦିନ ଅଣାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri