ସମ୍ପାଦକୀୟ/ଅଷ୍ଟ୍ରେଲିଆ ନିଆଁ

ଏବେ ପୃଥିବୀ ସମ୍ମୁଖରେ ଆମେରିକା-ଇରାନ୍‌ ମଧ୍ୟରେ ତିକ୍ତତା ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରୁଛି। ବିନା କାରଣରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଇରାନ୍‌କୁ ଉସୁକାଇବା ପଛରେ ତାଙ୍କର ନିଜ ନିର୍ବାଚନୀ ସଫଳତା ସକାଶେ ମନ୍ଦ ଉଦ୍ଦେଶ୍ୟ ଥାଇପାରେ। ଅନ୍ୟପଟେ ସେହି କାର୍ଯ୍ୟାନୁଷ୍ଠାନ ଯୋଗୁ ବିଶ୍ୱର ବାଣିଜ୍ୟ ବଜାରରେ ପ୍ରବଳ ପ୍ରଭାବ ପଡ଼ିସାରିଲାଣି। ଶେୟାର ବଜାରରେ ଏହି ପ୍ରଭାବ ସୀମିତ ରହିନାହିଁ। ବର୍ତ୍ତମାନ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ବିଭିନ୍ନ ଦେଶର ଆଭ୍ୟନ୍ତରୀଣ ଅର୍ଥନୀତି ଉପରେ କୁପ୍ରଭାବ ପକାଉଛି। ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ସମାନ୍ତରାଳ ପ୍ରଚ୍ଛଦପଟରେ ଦେଖିବାକୁ ପଡ଼ିବ। କେବଳ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଜାନୁୟାରୀରେ ଭାରତର ବଡ଼ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ନୁହେଁ, ସମଗ୍ର ପୃଥିବୀର ସବୁ ନେତା ଏବେ ଏହି ଅର୍ଥନୈତିକ ମାନ୍ଦାବସ୍ଥା ବିଷୟରେ ଅତ୍ୟନ୍ତ ବ୍ୟସ୍ତ। ଏହାଠାରୁ ଏବେ ଅନ୍ୟ ଏକ ଅଧିକ ବିରାଟକାୟ ସମସ୍ୟା ପୃଥିବୀ ସମ୍ମୁଖରେ ଛିଡ଼ା ହୋଇଛି। ତାହା ହେଉଛି ଜଳବାୟୁ ପରିବର୍ତ୍ତନରୁ ସୃଷ୍ଟି ହେଉଥିବା ବିପଦ। ଏବେ ପ୍ରକୃତିର ରୋଷ କେତେ ଭୟଙ୍କର ହୋଇପାରେ, ତାହାର ସଦ୍ୟ ଦୃଷ୍ଟାନ୍ତ ଅଷ୍ଟ୍ରେଲିଆର ବନାଗ୍ନି ସୂଚାଇ ଦେଇଛି। ବ୍ରାଜିଲ୍‌ର ଆମାଜନ୍‌ ଜଙ୍ଗଲ ଜଳୁଥିବା ବେଳେ ଅଷ୍ଟ୍ରେଲିଆର ପାଳି ପଡ଼ିଛି। ଆମାଜନ୍‌ ଜଳିଲା ବେଳେ ଫ୍ରାନ୍ସ ଭଳି ଦେଶର ମୁଖ୍ୟ ଇମାନୁଏଲ ମାକ୍‌ରନ୍‌ ବ୍ରାଜିଲ ରାଷ୍ଟ୍ରପତି ଜେ. ବୋଲସୋନାରୋଙ୍କୁ ସମାଲୋଚନା କରିଥିଲେ। ମନ୍ତବ୍ୟ ଦିଆଯାଇଥିଲା ଯେ, ବୋଲସୋନାରୋ ଜାଣିଶୁଣି ଶିଳ୍ପକୁ ସାହାଯ୍ୟ କରିବା ପାଇଁ ଜଙ୍ଗଲ ପୋଡ଼ି ଦେଉଛନ୍ତି। ବୋଲସୋନାରୋ ପାଲଟା ଉତ୍ତର ଦେଲେ ଯେ, ସେଭଳି ସମ୍ବଳକୁ ବ୍ୟବହାର ନ କଲେ ବ୍ରାଜିଲ ଗରିବ ରହିଯିବ। ହେଲେ ସମସ୍ତେ ଜାଣନ୍ତି ଅଷ୍ଟ୍ରେଲିଆ ଏକ ବିକଶିତ ରାଷ୍ଟ୍ର। ତେଣୁ ଏହାର ଜଙ୍ଗଲରେ ନିଆଁ ଲଗାଇବାର ଆବଶ୍ୟକତା ନାହିଁ। ତେବେ କାହିଁକି ପ୍ରାକୃତିକ ବନାଗ୍ନି ଯୋଗୁ ଏହି ମହାଦେଶୀୟ ରାଷ୍ଟ୍ର ଏବେ ମହାବିପଦରେ ପଡ଼ିଛି, ତାହା ସମସ୍ତଙ୍କୁ ବ୍ୟଥିତ କରିବା କଥା।
ଅଷ୍ଟ୍ରେଲିଆର ସମଗ୍ର ଆୟତନ ୭,୭୪୧,୨୨୦ ବର୍ଗ କିଲୋମିଟର ହୋଇଥିବା ବେଳେ ଭାରତର ଆୟତନ ୩,୨୮୭,୨୬୩ ବର୍ଗ କିଲୋମିଟର ରହିଛି। ଅର୍ଥାତ୍‌ ଭାରତଠାରୁ ଅଷ୍ଟ୍ରେଲିଆ ୨ ଗୁଣାରୁ ଅଧିକ। ଅଷ୍ଟ୍ରେଲିଆରେ ଲାଗିଥିବା ନିଆଁ ପ୍ରାୟ ୮.୪ ନିଯୁତ ହେକ୍ଟର (୨୧ ମିଲିୟନ ଏକର) ଅର୍ଥାତ୍‌ ୮୪ ହଜାର ବର୍ଗକିଲୋମିଟର ଯାଏ ବ୍ୟାପୀ ସାରିଲାଣି। ସେହି ଦେଶକୁ ବନାଗ୍ନି ଗ୍ରାସ କରିବା ସୂଚାଇ ଦେଉଛି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀବ୍ୟାପୀ କିଭଳି ହେଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଅଷ୍ଟ୍ରେଲିଆ ଭୂଭାଗର ୧୭ ପ୍ରତିଶତ ଘଞ୍ଚ ଜଙ୍ଗଲ ଥିବାରୁ ସେଠାରେ ବିଗତ ୧୦୦ ବର୍ଷ ମଧ୍ୟରେ ମାତ୍ର ୧ ପ୍ରତିଶତ ତାପମାତ୍ରା ବୃଦ୍ଧି ପାଇଛି। ତା’ ସତ୍ତ୍ୱେ ସେଠାରେ ଆପେ ଆପେ ନିଆଁ ଲାଗିଯିବାରୁ ପ୍ରାୟ ୫୦ କୋଟି ବନ୍ୟପ୍ରାଣୀଙ୍କ ପ୍ରାଣ ଗଲାଣି। ଏବେ ଅଷ୍ଟ୍ରେଲିଆରୁ ଆସୁଥିବା ଭିଡିଓରେ ଜଙ୍ଗଲୀ ପଶୁ ମଣିଷର ସାହାଯ୍ୟ କିଭଳି ଲୋଡ଼ୁଛନ୍ତି ତାହା ଦେଖିବାକୁ ମିଳିଥିଲା।
ଆଜିର ମଣିଷ ବିକାଶ ନାମରେ ପୃଥିବୀ ଓ ବାୟୁମଣ୍ଡଳ ପ୍ରତି ଅନେକ ଅନ୍ୟାୟ କରିଚାଲିଛି। ଆବଶ୍ୟକତାଠାରୁ ଅଧିକ ପ୍ରକୃତିଠଁୁ ଛଡ଼ାଇ ନେବାକୁ ଚେଷ୍ଟା କରୁଥିବାରୁ ସନ୍ତୁଳନ ବିଗିଡ଼ିଗଲାଣି। ଫଳରେ ଋତୁଚକ୍ରରେ ଦେଖାଦେଇଛି ଅସ୍ବାଭାବିକ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନ ନେଇ ବିଶ୍ୱସ୍ତରରେ ବାରମ୍ବାର ବୈଠକ, ଆଲୋଚନାଚକ୍ର ଓ ତର୍କବିତର୍କର କୌଣସି ମାନେ ରହୁନାହିଁ। କାରଣ ଭାଷଣ ଅପେକ୍ଷା ସାମାନ୍ୟ ସକାରାତ୍ମକ ପଦକ୍ଷେପ ନିଆଯାଇପାରିଲେ ତଫାତ୍‌ ବାରି ହୋଇପଡ଼ନ୍ତା। ପୃଥିବୀର ଶକ୍ତିଶାଳୀ ଦେଶ ଆମେରିକା ଇରାନ୍‌ ଉପରେ ଆକ୍ରମଣ କରି ଲୋକଙ୍କୁ ମାରିବା ସକାଶେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁଥିବା ବେଳେ ଅନ୍ୟପଟେ ଜଳବାୟୁ ପରିବର୍ତ୍ତନକୁ ଗମ୍ଭୀର ଭାବେ ଦେଖୁନାହିଁ। ବିକଶିତ ରାଷ୍ଟ୍ର ଭାବେ ସର୍ବାଗ୍ରେ ଆମେରିକା ରହିଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ୍‌ ଚୁକ୍ତିରୁ ଓହରିବାକୁ ପସନ୍ଦ କରୁଛି। ଏ ଯେଉଁ ମାନସିକତା ବୃଦ୍ଧି ପାଉଛି, ତାହାର ପରିଣତି ଧ୍ୱଂସ ଆଡ଼କୁ ଅଗ୍ରସର। ସବୁ ପ୍ରକାରର ବିକାଶ ଅପେକ୍ଷା ମଣିଷ ତିଷ୍ଠି ରହିବା ଲାଗି ନିତାନ୍ତ ଜରୁରୀ ଉତ୍ତମ ଜଳବାୟୁ ଓ ଏକ ପ୍ରଦୂଷଣମୁକ୍ତ ପରିବେଶ। ପୃଥିବୀର ପ୍ରତ୍ୟେକ ରାଷ୍ଟ୍ର ଏହି ସୂକ୍ଷ୍ମ କଥାକୁ ଏବେଠାରୁ ଠିକ୍‌ ଭାବେ ହୃଦୟଙ୍ଗମ କରିବା ଦରକାର। ଅନ୍ୟର କ୍ଷତି କରି ନିଜେ ଧନୀ ହେବାକୁ ଚେଷ୍ଟା କରୁଥିବା ମଣିଷ ପୃଥିବୀ ରକ୍ଷାର ପ୍ରତିଜ୍ଞା ନ ନେଲେ ଆଗକୁ ସ୍ଥିତି ଆହୁରି ବିଗିଡ଼ିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?