ଶୁଣିବ ବା କିଏ

ଭାରତର ବିଭିନ୍ନ ରାଜ୍ୟର ବାସିନ୍ଦା ଯେଉଁମାନେ ବାହାରେ କାମ କରୁଥିଲେ, ଏତେ ଡେରିରେ ସେମାନଙ୍କୁ ଏବେ ଫେରାଇଲା ବେଳକୁ ନାହିଁ ନ ଥିବା ଅସୁବିଧା ଦେଖାଦେଲାଣି। ଯେତେବେଳେ ଜନତା କର୍ଫ୍ୟୁ ଘୋଷଣା କରାଗଲା, ସେତେବେଳେ ଡ୍ରାମା ପରିବର୍ତ୍ତେ ଯଦି ବାସ୍ତବ ଦିଗକୁ ଦେଖାଯାଇ ମାର୍ଚ୍ଚ ୨୪ ତାରିଖରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇ ଥାଆନ୍ତା, ତେବେ ଏହି ପ୍ରବାସୀ ଶ୍ରମିକ ନିଜ ଘରକୁ ସୁରୁଖୁରୁରେ ଫେରିପାରିଥାଆନ୍ତେ। ମନେରଖିବାକୁ ହେବ ଯେ, ସେତେବେଳେ ଏହି ଗରିବଙ୍କ ମଧ୍ୟରେ କରୋନା ଭାଇରସ ପ୍ରବେଶ ହୋଇ ନ ଥିଲା। ଯେହେତୁ ଏହି ରୋଗ ବିଦେଶରେ ଜନ୍ମିତ ସେଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମାଗଣାରେ ବିମାନ ଯୋଗେ ବୁହାହୋଇ ଆସିଥିବା ପ୍ରବାସୀ ଭାରତୀୟଙ୍କ ଜରିଆରେ ସଂକ୍ରମଣ ପ୍ରବେଶ କଲା। କ୍ୱାରାଣ୍ଟାଇନ୍‌ କଥା ଯେତେ କୁହାଗଲେ ମଧ୍ୟ ସଂକ୍ରମଣକୁ ରୋକିବା ସମ୍ଭବପର ହେଲା ନାହିଁ। ପୂର୍ବଭଳି ଏବେ ଆଉ ଏକ ତ୍ରୁଟିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରାଯାଉଛି। କେନ୍ଦ୍ର ସରକାର ପୁନର୍ବାର ବିଦେଶରେ ଥିବା ପ୍ରାୟ ୨ ଲକ୍ଷ ଭାରତୀୟଙ୍କୁ ବିମାନ ଯୋଗେ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏହାର ଅର୍ଥ ହେଲା ଆହୁରି ଥରେ ରୋଗକୁ ନିମନ୍ତ୍ରଣ କରି ଅଣାଯାଉଛି। କେତେକ ଧନୀ ଲୋକଙ୍କ ସନ୍ତାନ ଓ ସମ୍ପର୍କୀୟ ବିଦେଶରେ ଦୀର୍ଘକାଳ ରହିଯାଇଥିବାରୁ ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାର ବ୍ୟଗ୍ରତା ପ୍ରକାଶ କରୁଛନ୍ତି। ଏମାନଙ୍କ ସହିତ ବିଭିନ୍ନ ଦେଶରେ ଥିବା ଅନ୍ୟ ସାଧାରଣ ଭାରତୀୟ ଆସିବାର ସୁଯୋଗ ପାଇଯିବେ। ସେମାନଙ୍କୁ ବିଦେଶୀ ବାସସ୍ଥାନରେ ରହିବା ପାଇଁ କୁହାଯାଇ ପାରିଥାଆନ୍ତା। ସେହି ଦେଶଗୁଡ଼ିକରେ ଥିବା ଭାରତୀୟ ଦୂତାବାସରେ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ସେମାନଙ୍କୁ ଖାଦ୍ୟ ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇପାରିଥାଆନ୍ତା। କୌତୂହଳର ବିଷୟ ହେଲା, ସେଭଳି ପ୍ରତିଷେଧକ ବ୍ୟବସ୍ଥା କରିବା ପରିବର୍ତ୍ତେ ଆମ ସରକାର ସଂକ୍ରମଣ ସନ୍ଦେହରେ ଥିବା ବ୍ୟକ୍ତିମାନଙ୍କୁ ଯଥେଷ୍ଟ ପୂର୍ବରୁ ମାଗଣାରେ ଉଡ଼ାଜାହାଜରେ ଘରକୁ ଫେରାଇ ଆଣିଲେ। ସେଥିରୁ ସଂକ୍ରମଣ ବଢ଼ିଲା। ଏବେ ଶ୍ରମିକ ଶ୍ରେଣୀକୁ ରେଳ ଭଡ଼ା ଦେବା ପାଇଁ ବାଧ୍ୟ କରାଯାଉଛି। ଯେତେବେଳେ କଂଗ୍ରେସର ସୋନିଆ ଗାନ୍ଧୀ ଘୋଷଣା କରିଦେଲେ ଯେ ତାଙ୍କ ଦଳ ସମସ୍ତ ଶ୍ରମିକଙ୍କ ରେଳ ଭଡ଼ା ବହନ କରିବ, ସେତେବେଳେ କେନ୍ଦ୍ର ସରକାର ବାଉଳା ହୋଇ ରେଲଓ୍ବେ ଓ ରାଜ୍ୟ ସରକାର ଏ ଖର୍ଚ୍ଚ ଦେବେ ବୋଲି କହିଲେଣି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ନିଜାମୁଦ୍ଦିନ ମର୍କଜରେ ଯୋଗଦେବା ପାଇଁ ବିଦେଶୀ ମୁସଲମାନ ମୁଲ୍ଲାମାନଙ୍କୁ ଭାରତ ପ୍ରବେଶ ପାଇଁ କିଏ ଭିଜା ଅନୁମତି ଦେଲା, ତାହା ସ୍ବୀକାର କରିବାକୁ ସରକାରର ମନୋବଳ ନାହିଁ। ସେଠାରେ ଯେତେବେଳେ ସଂକ୍ରମଣ ହେଲା ସେତେବେଳେ ଏହାକୁ ମୁସଲମାନ-ହିନ୍ଦୁ ରଙ୍ଗ ଦେବା ପାଇଁ ଚେଷ୍ଟା କରାଗଲା। କିନ୍ତୁ ପୁନର୍ବାର ସରକାର ଭୁଲିଗଲେ ଯେ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ନିଜେ ରାତି୍‌ଅଧରେ ଯାଇ ନିଜାମୁଦ୍ଦିନ ମର୍କଜରେ ମୁଲ୍ଲା ଓ ମୌଲବୀମାନଙ୍କୁ ସେହି ସ୍ଥାନ ଛାଡ଼ି ତତ୍‌କ୍ଷଣାତ୍‌ ପଳାଇଯିବାକୁ ଉପଦେଶ କାହିଁକି ଦେଲେ। ଉଲ୍ଲେଖଯୋଗ୍ୟ ଯେ, ଇଣ୍ଡୋନେସିଆ ଓ ମାଲେସିଆରୁ ଆସିଥିବା ମୌଲବୀମାନେ ନିଜ ଦେଶରେ ସଂକ୍ରମିତ ହୋଇଥିଲେ। ସେମାନଙ୍କୁ ଭିଜା ଦିଆଯିବା ସମୟରେ ଭାରତୀୟ ଦୂତାବାସ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଉଚିତ ଥିଲା। ସାଧାରଣରେ ତାହା କରାଯାଏ ମଧ୍ୟ। କିନ୍ତୁ ବାସ୍ତବ ବିପଦ ସମୟରେ ସବୁ ଅସ୍ବାଭାବିକ ପଦକ୍ଷେପ ଗ୍ରହଣ କରିବା ପଛରେ କେଉଁ ପ୍ରକାର ଉଦ୍ଦେଶ୍ୟ ରହିଛି, ତାହା ଏବେ ଅନୁସନ୍ଧାନସାପେକ୍ଷ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୧୪ ମସିହାରେ ଯେତେବେଳେ ପଶ୍ଚିମ ଆଫ୍ରିକାରେ ମାରାତ୍ମକ ଇବୋଲା ରୋଗ ବ୍ୟାପିଲା ସେତେବେଳେ ଭାରତ ସମେତ ଅନ୍ୟ ସବୁ ଦେଶ ସେଠାକୁ ଉଡ଼ାଜାହାଜ ପଠାଇବା ଓ ଲୋକ ବୋହିଆଣିବା ବନ୍ଦ କରିଦେଲେ। ଫଳରେ ସମଗ୍ର ପୃଥିବୀରେ କଣ୍ଟେନ୍‌ମେଣ୍ଟ ବା ଲକ୍‌ଡାଉନ୍‌ ପରିବର୍ତ୍ତେ ସେହି ସୀମିତ ଅଞ୍ଚଳରେ ଲକ୍‌ଡାଉନ୍‌ କରାଯାଇ ରୋଗର ସମାପ୍ତି କରିଦିଆଗଲା। ଏତେ ନିକଟ ଅତୀତରେ ପାଇଥିବା ଶିକ୍ଷାରୁ ଭାରତ ସରକାର କିଛି ଶିଖିଲେ ନାହିଁ। ସେଥିପାଇଁ ଏବେ ସମଗ୍ର ଦେଶବାସୀ ଅଯଥାରେ କଷ୍ଟ ଭୋଗୁଛନ୍ତି। ଫେବୃୟାରୀ ୧୧ରେ ଏଇ ସ୍ତମ୍ଭରେ ‘କାହିଁକି ଦେଖେଇ ହେଉଛେ’ ଶୀର୍ଷକ ଏକ ଲେଖା ପ୍ରକାଶ କରିଥିଲୁ। ସେଥିରେ ଦର୍ଶାଇଥିଲୁ ଯେ, କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଯେତେବେଳେ ଅନ୍ୟ ଦେଶଗୁଡ଼ିକ ଚାଇନା ସହ ଦ୍ରବ୍ୟ ଆମଦାନୀ କିମ୍ବା ରପ୍ତାନି କରିବାକୁ ଅମଙ୍ଗ ହେଲେଣି, ସେଭଳି ସ୍ଥଳେ ଭାରତୀୟ ନେତୃତ୍ୱ ଚାଇନାକୁ ସମବେଦନା ଜଣାଇବାକୁ ଯାଇ ଡାକ୍ତରୀ ଦଳ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ସେହି ଦୃଷ୍ଟିରୁ ଦେଖିଲେ, ସଂକ୍ରମିତ ଦେଶଗୁଡ଼ିକରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଠିକ୍‌ ନୁହେଁ ବୋଲି ଅନେକବାର ମତ ଦେଇଛୁ। ଲକ୍‌ଡାଉନ୍‌ କରିବା ପୂର୍ବରୁ ସରକାର ଏଭଳି ବାସ୍ତବ ଦିଗଗୁଡ଼ିକୁ ଧ୍ୟାନ ଦେଇଥିଲେ ଦେଶ ନିରାପଦରେ ଥାଆନ୍ତା। କିନ୍ତୁ ଶୁଣିବ ବା କିଏ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?