ଶହୀଦ ଭଗତ୍‌ ସିଂଙ୍କ ବିଚାରର ପ୍ରାସଙ୍ଗିକତା

ଭାଲଚନ୍ଦ୍ର ଷଡ଼ଙ୍ଗୀ

୧୯୩୧ ମାର୍ଚ୍ଚ ୨୩ ତାରିଖରେ ବ୍ରିଟିଶ ଉପନିବେଶବାଦୀ ଶାସକମାନେ ଭାରତର ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗତ୍‌ ସିଂ ଓ ତାଙ୍କର ଦୁଇ ସାଥୀ ସୁଖଦେବ ଓ ରାଜଗୁରୁଙ୍କୁ ଲାହୋରର କେନ୍ଦ୍ରୀୟ କାରାଗାରରେ ଫାଶୀ ଦେଇଥିଲେ। ଦେଶର ସ୍ବାଧୀନତା ଓ ମୁକ୍ତି ପାଇଁ ମାତ୍ର ୨୩ ବର୍ଷ ବୟସରେ ହସି ହସି ନିଜ ଜୀବନକୁ ବଳି ଦେଇଥିବା ଏହି ମହାନ୍‌ ବିପ୍ଳବୀ ଭାରତର ସ୍ବାଧୀନତା ସଂଗ୍ରାମରେ ଆପୋଷହୀନ ଧାରାର ପ୍ରତୀକ ଥିଲେ।
ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ଭାରତୀୟମାନଙ୍କ ସ୍ବାଧୀନତା ସଂଗ୍ରାମରେ ସ୍ପଷ୍ଟ ଭାବେ ଦୁଇଟି ଧାରା ରହିଥିଲା। ଗାନ୍ଧୀ ଓ କଂଗ୍ରେସ ନେତୃତ୍ୱାଧୀନ ଆନ୍ଦୋଳନଟିର ଜନ ଆଧାର ଓ ପ୍ରଭାବଟି ଯଦିଓ ବହୁତ ବଡ଼ ଥିଲା କିନ୍ତୁ ତାହା ଶାନ୍ତିପୂର୍ଣ୍ଣ ମାର୍ଗରେ ବ୍ରିଟିଶ୍‌ମାନଙ୍କ ସହ ଆପୋଷ ବୁଝାମଣାରେ ଦେଶକୁ ସ୍ବାଧୀନତା କରିବା କଥା କହୁଥିଲା। ଆମ ଦେଶରେ ଟାଟା, ବିର୍‌ଲା ପରି ତତ୍କାଳୀନ ବଡ଼ ପୁଞ୍ଜିପତି ଏବଂ ସାମନ୍ତବାଦୀ ରାଜା-ଜମିଦାର ଗୋଷ୍ଠୀ କଂଗ୍ରେସର ଆନ୍ଦୋଳନକୁ ନିଜ ସ୍ବାର୍ଥର ଅନୁକୂଳ ବୋଲି ବିଚାର କରି ଗାନ୍ଧୀ ଓ କଂଗ୍ରେସକୁ ସମର୍ଥନ କରୁଥିଲେ। କିନ୍ତୁ ଭଗତ୍‌ ସିଂ ଓ ତାଙ୍କ ସାଥୀମାନଙ୍କ ପାଇଁ ଦେଶର ସ୍ବାଧୀନତା ଓ ମୁକ୍ତିର ଅର୍ଥ ସଂପୂର୍ଣ୍ଣ ଭିନ୍ନ ଥିଲା। କଂଗ୍ରେସ ପରି ସେମାନେ ଦେଶରୁ ବ୍ରିଟିଶ ସାମ୍ରାଜ୍ୟବାଦୀମାନଙ୍କୁ ହଟାଇ ତାଙ୍କ ସ୍ଥାନରେ ଜମିଦାର ଓ ପୁଞ୍ଜିପତି ଶ୍ରେଣୀର ଶାସନ ଚାହୁଁ ନ ଥିଲେ। ମଣିଷ ଦ୍ୱାରା ମଣିଷର ସମସ୍ତ ପ୍ରକାର ଶୋଷଣ ଓ କଷଣର ଅବସାନ ନିମନ୍ତେ ଦେଶର ସାମାଜିକ ଓ ଅର୍ଥନୈତିକ ଢାଞ୍ଚାରେ ସେମାନେ ଆମୂଳଚୂଳ ପରିବର୍ତ୍ତନ ଚାହୁଁଥିଲେ। ସାମ୍ରାଜ୍ୟବାଦୀ ଶୋଷଣ ସହିତ ଦେଶରେ ଥିବା ସେମାନଙ୍କ ଦଲାଲ ବଡ଼ ପୁଞ୍ଜିପତି ଓ ଜମିଦାରମାନଙ୍କ ଶୋଷଣକୁ ମୂଳୋପତ୍ାଟିତ କରି ତା’ ସ୍ଥାନରେ ସଂଖ୍ୟାଗରିଷ୍ଠ ଶ୍ରମିକ-କୃଷକଙ୍କ ସ୍ବାର୍ଥରକ୍ଷାକାରୀ ଏକ ସମାଜବାଦୀ ଶାସନ ବ୍ୟବସ୍ଥା ପାଇଁ ତାଙ୍କର ସଂଗ୍ରାମ ଉଦ୍ଦିଷ୍ଟ ଥିଲା। ଗିରଫ ହେବା ପୂର୍ବରୁ ଏପରି କି ଜେଲ୍‌ ଭିତରେ ଥିବାବେଳେ ଭଗତ ସିଂ ତାଙ୍କର ସମସ୍ତ ଲେଖା ଓ ବୟାନରେ ନିଜର ଏହି ଲକ୍ଷ୍ୟକୁ ସ୍ପଷ୍ଟ କରିସାରିଥିଲେ।
ସ୍ବାଧୀନତା ଆନ୍ଦୋଳନରେ ଭଗତ ସିଂ ଉଭୟ ଗାନ୍ଧୀ ଓ କଂଗ୍ରେସର ରାଜନୀତିର ନିର୍ମମ ସମାଲୋଚକ ଥିଲେ। ଯଦିଓ ସୁଭାଷ ବୋଷ ଓ ଅନ୍ୟ କେତେକ ଜାତୀୟ ନେତାଙ୍କ ସହ ଗାନ୍ଧୀଙ୍କ ମତଭେଦ ରହିଥିଲା କିନ୍ତୁ ସେ ଭଗତ ସିଂଙ୍କୁ ହିଁ ରାଜନୈତିକ ଭାବେ ସବୁଠାରୁ ବେଶି ଭୟ କରୁଥିଲେ। ଜାତୀୟ ସ୍ତରରେ ଗାନ୍ଧୀଙ୍କ ଆପୋଷକାମୀ ତଥା କଂଗ୍ରେସର ପୁଞ୍ଜିବାଦୀ-ଜମିଦାର ସପକ୍ଷବାଦୀ ରାଜନୀତିକୁ ତୀବ୍ର ବିରୋଧ କରି ନିଜର ଆପୋଷହୀନ ସଂଗ୍ରାମ ପାଇଁ ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ହିଂସା ଓ ଅହିଂସା ପ୍ରସଙ୍ଗରେ ସେ ନିଜର ବିଚାରକୁ ସ୍ପଷ୍ଟ କରି ଗାନ୍ଧୀଙ୍କ ‘ବୋମାର ସଂସ୍କୃତି’ ଲେଖାର ଜବାବରେ ଭଗତ ସିଂ ‘ବୋମାର ଦର୍ଶନ’ ଶୀର୍ଷକ ଲେଖା ଲେଖିଥିଲେ। ତାଙ୍କ ମତରେ ଗାନ୍ଧୀ ଯଦିଓ ଜନଗଣଙ୍କ ଦ୍ୱାରା ଶାସକମାନଙ୍କ ବିରୁଦ୍ଧରେ ହିଂସାକୁ ଦୃଢ଼ ବିରୋଧ କରୁଥିଲେ ତେବେ ସେ ରାଷ୍ଟ୍ର ବା ତା’ର ଶାସକମାନଙ୍କ ଦ୍ୱାରା ଜନଗଣଙ୍କ ଉପରେ ହିଂସାକୁ ଆଦୌ ବିରୋଧ କରୁ ନ ଥିଲେ। ତେବେ ଗାନ୍ଧୀଙ୍କ ସହ ତାଙ୍କର ମତଭେଦଟି କେବଳ ହିଂସା ଓ ଅହିଂସାକୁ ନେଇ ସୀମିତ ନ ଥିଲା ବରଂ ତାହା ମୂଳତଃ ସ୍ବାଧୀନତା ସଂଗ୍ରାମର ଅନ୍ତିମ ଲକ୍ଷ୍ୟକୁ ନେଇ ରହିଥିଲା।
ଭଗତ୍‌ ସିଂ କେବଳ ଜଣେ ବ୍ୟକ୍ତି ନ ଥିଲେ। ସେ ଦେଶ ଓ ଦୁନିଆର ବିପ୍ଳବୀ ବିଚାରର ଆତ୍ମମନ୍ଥନରୁ ଜନ୍ମ ନେଉଥିବା ପ୍ରଗତିଶୀଳ ବିଚାରର ପ୍ରତୀକ ଥିଲେ। ସେ ଜନ ଆନ୍ଦୋଳନରୁ ଜନ୍ମ ନେଇ ସେଥିରେ ତାଲିମ ନେବା ସହ ଶେଷରେ ସେହି ଆନ୍ଦୋଳନର ସର୍ବୋଚ୍ଚ ପ୍ରତୀକରେ ପରିଣତ ହୋଇଥିଲେ। ସାରା ଦୁନିଆରେ ତାଙ୍କର ପରିଚୟ ଥିଲା ଜଣେ ବିପ୍ଳବୀ ଭାବରେ, ଈଶ୍ୱରଙ୍କ ସତ୍ତାକୁ ପ୍ରଶ୍ନ କରୁଥିବା ଜଣେ ନାସ୍ତିକ ଭାବରେ ତଥା ଜଣେ ପ୍ରଖର ରାଜନୈତିକ ବିଚାରକ ଭାବରେ। ୧୯୨୪ ମସିହାରେ ସେ ପାଠ ଛାଡ଼ି ନିଜକୁ ସ୍ବାଧୀନତା ସଂଗ୍ରାମରେ ସଂପୂର୍ଣ୍ଣ ସାମିଲ କରିବା ପରଠାରୁ ବିପ୍ଳବୀ କାର୍ଯ୍ୟକଳାପ ସହିତ ତାଙ୍କର ବିଚାରଧାରାତ୍ମକ ବିକାଶ ମଧ୍ୟ ସମାନ୍ତରାଳ ଭାବେ ଘଟିଥିଲା।
ଦୁନିଆରେ ପ୍ରଥମ ଥର ପାଇଁ ଶ୍ରମିକ ଓ କୃଷକଙ୍କ ଶାସନ ପ୍ରତିଷ୍ଠା କରିପାରିଥିବା ୧୯୧୭ର ମହାନ୍‌ ରୁଷ ବିପ୍ଳବ ଦ୍ୱାରା ମଧ୍ୟ ସେ ଅନେକ ଭାବେ ପ୍ରଭାବିତ ହୋଇଥିଲେ। ଦେଶ ବିଦେଶର ଇତିହାସ, ବିପ୍ଳବୀ ଆନ୍ଦୋଳନ ତଥା ବିପ୍ଳବୀ ବିଚାରର ସେ ଯେତେ ଯେତେ ସମ୍ପର୍କରେ ଆସିଲେ ତାଙ୍କ ମନରେ ଏକ ଶୋଷଣହୀନ ସମାଜ ଗଢ଼ିବାର ସ୍ବପ୍ନ ସେତେ ବଳିଷ୍ଠ ହେବାକୁ ଲାଗିଲା। ଜେଲ ଭିତରେ ଥିବା ସମୟରେ ସେ ବର୍ତ୍ତମାନର ଶୋଷଣକାରୀ ବ୍ୟବସ୍ଥାର ବିକଳ୍ପରେ ଏକ ସମାଜବାଦୀ ବ୍ୟବସ୍ଥାର ସ୍ବପ୍ନ ଦେଖିଥିଲେ।
ଭଗତ ସିଂ କେବଳ ବ୍ରିଟିଶ ବିରୁଦ୍ଧରେ ଯୁବକମାନଙ୍କୁ ସଙ୍ଗଠିତ କରି ଏକ ସଶସ୍ତ୍ର ବିଦ୍ରୋହ ସଙ୍ଗଠିତ କରୁ ନ ଥିଲେ। ବିଭିନ୍ନ ରାଜନୈତିକ ଓ ବିଚାରଗତ ପ୍ରଶ୍ନ ଉପରେ ଗଭୀର ଅଧ୍ୟୟନ କରିବା ସହିତ ସେ ବିଭିନ୍ନ ଲେଖା ମାଧ୍ୟମରେ ନିଜର ସ୍ପଷ୍ଟ ମତ ପୋଷଣ କରୁଥିଲେ। ‘ଅଚ୍ଛୁତ ସମସ୍ୟା’ ଶୀର୍ଷକ ଲେଖାରେ ସେ ଭାରତର ଜାତି ବ୍ୟବସ୍ଥାକୁ ପ୍ରଶ୍ନ କରିବା ସହିତ ତା’ର ଉନ୍ମୂଳନ ପାଇଁ କାମ କରିବାକୁ ବିପ୍ଳବୀମାନଙ୍କୁ ଆହ୍ବାନ ଦେଇଥିବା ବେଳେ ‘ସାଂପ୍ରଦାୟିକ ଦଙ୍ଗା ଓ ତା’ର ନିରାକରଣ’ ଶୀର୍ଷକ ଲେଖାରେ ସେ ଧର୍ମ ନାମରେ ଦଙ୍ଗା କରୁଥିବା ଲୋକେ ଦେଶର ସ୍ବାଧୀନତା ଆନ୍ଦୋଳନକୁ କିପରି ବିଭାଜିତ କରି ବ୍ରିଟିଶମାନଙ୍କ ସହାୟତା କରୁଛନ୍ତି ତାହା ଦର୍ଶାଇଥିଲେ। ମାତ୍ର ୨୩ ବର୍ଷ ବୟସରେ ଫାଶୀଖୁଣ୍ଟରେ ଚଢ଼ିବା ପୂର୍ବରୁ ତାଙ୍କ ହାତରେ ମହାନ୍‌ ବିପ୍ଳବୀ ଲେଲିନ୍‌ଙ୍କ ‘ରାଷ୍ଟ୍ର ଓ ବିପ୍ଳବ’ ପୁସ୍ତକ ରହିଥିଲା। ତେବେ ସେ ଜଣେ ନିଚ୍ଛକ ସ୍ବପ୍ନବିଳାସୀ ନ ଥିଲେ। ଏକ ଶୋଷଣବିହୀନ ସମାଜବାଦୀ ବ୍ୟବସ୍ଥା ନିର୍ମାଣର ସ୍ବପ୍ନକୁ ସାକାର କରିବା ପାଇଁ ସେ ତା’ର ଏକ ରୂପରେଖ ପ୍ରସ୍ତୁତ କରିବା ସହ ସେହି କାମରେ ଦେଶର ଜନଗଣ ବିଶେଷ କରି ଯୁବକମାନଙ୍କୁ ସାମିଲ କରିବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟାରତ ଥିଲେ। ଆଜିର ଶହୀଦ ଦିବସରେ ଭାରତର ଏହି ମହାନ୍‌ ସନ୍ତାନ ଓ ତାଙ୍କ ବିଚାରଧାରାକୁ କୋଟି ନମସ୍କାର।
ଫୋନ : ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri