Posted inଖେଳ

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ: ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି)-କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଓଡ଼ିଶା-ବେଙ୍ଗଲ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ। ପ୍ରଥମ ସେସନରେ ୧୬.୨ ଓଭର ମଧ୍ୟରେ ମାତ୍ର ୪୬ ରନ ବିନିମୟରେ ୫ ଉଇକେଟ ହାସଲ କରିଥିବା ଓଡ଼ିଶା ସୁଯୋଗ ହାତଛଡ଼ା କରିଛି। ଅନୁସ୍ତୂପ ମଜୁମଦାରଙ୍କ ଶତକ ଏବଂ ଶାହବାଜ ଅହମ୍ମଦଙ୍କ କ୍ୟାରିୟର ଶ୍ରେଷ୍ଠ ଇନିଂସ ବଳରେ ବେଙ୍ଗଲ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ବେଙ୍ଗଲ ୮୬ ଓଭରରେ ୬ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଛି। ମଜୁମଦାର ୧୩୬ ଓ ଶାହବାଜ ୮୨ ରନରେ ଅପରାଜିତ ଅଛନ୍ତି।
ଘାତକ ବୋଲିଂ ପରେ ଦିଗହରା
ଟସ୍‌ ଜିତି ଓଡ଼ିଶା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଦ୍ରୁତ ବୋଲରମାନେ ଘାତକ ବୋଲିଂ କରି ବେଙ୍ଗଲକୁ ଘାଇଲା କରିଦେଇଥିଲେ। କୌଶିକ ଘୋଷ ୯, ଅଧିନାୟକ ଅଭିମନ୍ୟୁ ଈଶ୍ୱରନ ୭, ଅଭିଷେକ ରମଣ ୧, ଅର୍ନବ ନନ୍ଦି ୨୪ ଓ ମନୋଜ ତିଓ୍ବାରୀ ୪ ରନରେ ଆଉଟ ହେବାରୁ ବେଙ୍ଗଲକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲା ଓଡ଼ିଶା। ଏହାପରେ ହାଲ୍‌କା ମନୋଭାବ ହେଉ କିମ୍ବା ଦିଗହରା ବୋଲିଂ ଯୋଗୁ ଓଡ଼ିଶା ବୋଲରମାନେ ଆଉ ସଫଳତା ପାଇଲେ ନାହିଁ। ବଲ୍‌ ପୁରୁଣା ହେବା ସହିତ ପିଚ୍‌ରୁ ଆର୍ଦ୍ରତା କମିବାପରେ ବେଙ୍ଗଲ ବ୍ୟାଟ୍ସମ୍ୟାନମାନେ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ସଫଳ ପ୍ରତ୍ୟାବର୍ତ୍ତନ କଲେ।
ମଜୁମ୍‌ଦାରଙ୍କ ଶତକ
ବେଙ୍ଗଲକୁ ବିପଦରୁ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅନୁସ୍ତୂପ ମଜୁମଦାର। ସେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି କ୍ୟାରିୟରର ୮ମ ପ୍ରଥମଶ୍ରେଣୀ ଶତକ ହାସଲ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ୧୨୮ ବଲ୍‌ରୁ ଶତକ ପୂରଣ କରିଥିବା ମଜୁମଦାର ମୋଟ ୧୯୪ ବଲ୍‌ ଖେଳି ୨୦ ଚୌକା ସହାୟତାରେ ୧୩୬ ରନରେ ଅପରାଜିତ ରହିଛନ୍ତି। ଶତକୀୟ ଇନିଂସ ଅବସରରେ ସେ ୨ଟି ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ି ବେଙ୍ଗଲକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଛନ୍ତି। ୧୬ ରନରେ ଜୀବନଦାନ ପାଇଥିବା ଶ୍ରୀବତ୍ସ ଗୋସ୍ବାମୀ ୩୪ ରନ କରି ଆଉଟ ହୋଇଥିଲେ। ଫଳରେ ମଜୁମଦାର-ଶ୍ରୀବତ୍ସ ୬ଷ୍ଠ ଉଇକେଟ ଯୋଡ଼ିରେ ମୂଲ୍ୟବାନ ୯୫ ରନ ସଂଗ୍ରହ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଶ୍ରୀବତ୍ସ ଆଉଟ ହେବାପରେ ବେଙ୍ଗଲର ଜାଡେଜା କୁହାଯାଉଥିବା ଶାହବାଜ ଅହମ୍ମଦ କ୍ରିଜକୁ ଆସିଥିଲେ। ମଜୁମଦାର ଓ ଶାହବାଜଙ୍କ ଆତ୍ମବିଶ୍ୱାସପୂର୍ଣ୍ଣ ବ୍ୟାଟିଂ ଆଗରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ଫିକା ପଡ଼ି ଯାଇଥିଲା। ଏହି ଅବସରରେ ଶାହବାଜ କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳି ୮୨ ରନରେ ଅପରାଜିତ ରହିଥିଲେ। ପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର ଥିଲା ୬୧* ରନ। ଚଳିତ ସିଜନରେ ଜୟପୁରଠାରେ ଅନୁଷ୍ଠିତ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଶାହବାଜ ୬୧ ରନ କରି ଅପରାଜିତ ରହିଥିଲେ। ଦୁହେଁ ଅସମାପ୍ତ ୭ମ ଉଇକେଟ ଯୋଡ଼ିରେ ୧୬୭ ରନ ଯୋଗକରି ଓଡ଼ିଶା ଶିବିରରେ ନୈରାଶ୍ୟ ଖେଳାଇ ଦେଇଛନ୍ତି।
ସତର୍କ ଘଣ୍ଟି
ପ୍ରଥମେ ମଜୁମଦାର-ଶ୍ରୀବତ୍ସ ଏବଂ ପରେ ମଜୁମଦାର-ଶାହବାଜଙ୍କ ପାର୍ଟନରଶିପ୍‌ ଓଡ଼ିଶା ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ୪୬ ରନରେ ୫ ଉଇକେଟ ହରାଇଥିଲେ ହେଁ ଲଞ୍ଚ୍‌ ବ୍ରେକ୍‌ ବେଳକୁ ୧୧୧/୫, ଚା’ ବିରତି ସୁଦ୍ଧା ୨୦୯/୬ ଓ ପ୍ରଥମ ଦିନ ଶେଷସୁଦ୍ଧା ୩୦୮/୬ ରନ ସଂଗ୍ରହ କରି ବେଙ୍ଗଲ ନିଜ ଦକ୍ଷତା ଦେଖାଇଛି। ସୁଯୋଗ ହାତପାଆନ୍ତାରେ ଥାଇ ମଧ୍ୟ ତାହାର ସଦ୍‌ବ୍ୟବହାର କରି ନ ପାରିବା ତୃତୀୟ ସେସନରେ ଓଡ଼ିଶା ଖେଳାଳିଙ୍କ ବଡି ଲାଙ୍ଗୁଏଜରୁ ସ୍ପଷ୍ଟ ବାରି ହେଉଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ଓ ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ପ୍ରୀତ୍‌ କନଓ୍ବର ସିଂ ଚୌହାନ ୨ଟି ଲେଖାଏ ଉଇକେଟ ନେଇଥିବାବେଳେ ଭେଟେରାନ ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଶୁକ୍ରବାର ଦ୍ୱିତୀୟ ଦିବସର ପ୍ରଥମ ସେସନ ଓଡ଼ିଶା ପାଇଁ ଅନେକ ମହତ୍ତ୍ୱ ରଖୁଛି। ବେଙ୍ଗଲ ୩୫୦ ସ୍କୋର ଅତିକ୍ରମ କଲେ ଓଡ଼ିଶା ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ବୋଲି କ୍ରିକେଟ ପଣ୍ଡିତମାନେ ପୂର୍ବାନୁମାନ କରୁଛନ୍ତି। ୨ ବର୍ଷ ପରେ ଓଡ଼ିଶା କ୍ୱାର୍ଟର ଫାଇନାଲ ଖେଳୁଥିବାରୁ ଏବେ ଆଶା ଯେତିକି ଆଶଙ୍କା ମଧ୍ୟ ସେତିକି ରହିଛି।
ସଂକ୍ଷିପ୍ତ ସ୍କୋର
ବେଙ୍ଗଲ ପ୍ରଥମ ଇନିଂସ: ୩୦୮/୬ (ଅନୁସ୍ତୂପ ମଜୁମଦାର-୧୩୬*, ଶାହାବାଜ ଅମମ୍ମଦ-୮୨*, ଶ୍ରୀବତ୍ସ ଗୋସ୍ବାମୀ-୩୪, ଅର୍ନବ ନନ୍ଦି-୨୪, ସୂର୍ଯ୍ୟକାନ୍ତ ପ୍ରଧାନ-୨/୯୬, ପ୍ରୀତ୍‌ କନଓ୍ବର ସିଂ ଚୌହାନ-୨/୫୨, ବସନ୍ତ ମହାନ୍ତି-୧/୪୮, ଦେବବ୍ରତ ପ୍ରଧାନ-୧/୫୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

କ୍ୱାର୍ଟରରେ ଇଂଲଣ୍ଡ, ମେକ୍ସିକୋର ଅଭିଯାନ ଶେଷ

ମେକ୍ସିକୋ ସିଟି, ୬ା୭: ଘରୋଇ ଫିଲ୍ଡ ଓ ପରିବେଶରେ ଖେଳିବାର ଫାଇଦା ସହିତ ପ୍ରତିପକ୍ଷ ଦଳ ପ୍ରାୟତଃ ଦ୍ୱିତୀୟାର୍ଦ୍ଧ ୧୦ ଖେଳାଳିରେ ଖେଳିବା ସତ୍ତ୍ୱେ ମେକ୍ସିକୋର ଅଭିଯାନ…

W, W, W, W..ଡବଲ୍‌ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୬।୭: ଶ୍ରୀଲଙ୍କାର ପେସ-ବୋଲିଂ ଅଲରାଉଣ୍ଡର ଦାସୁନ ଶାନାକା ଡବଲ ହ୍ୟାଟ୍ରିକ କରି ଇତିହାସ ରଚିଛନ୍ତି। ଆମେରିକାରେ ଚାଲିଥିବା ମେଜର ଲିଗ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଶ୍ରୀଲଙ୍କାର ଏହି…

IND vs ENG 3rd T20I Playing-11: ବାଦ ପଡ଼ିବେ ରବି-ବୈଭବ, ଏହି ୨ ଖେଳାଳିଙ୍କ ହୋଇପାରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୬।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟର ଏବେ ବି ତାଙ୍କର ପ୍ରଥମ ବିଜୟ ଖୋଜୁଛନ୍ତି। ସେ ଆୟରଲ୍ୟାଣ୍ଡ ଭଳି ଦଳ ବିପକ୍ଷରେ ଖାତା…

ସଙ୍କଟମୋଚକ ସାଜିଲେ ଦ୍ରାବିଡଙ୍କ ସାନ ପୁଅ: କ୍ରିକେଟ୍‌ ପଡ଼ିଆରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୬।୭: କ୍ରିକେଟ ପଡ଼ିଆରେ ରାହୁଲ ଦ୍ରାବିଡଙ୍କୁ ପ୍ରାୟତଃ ଟିମ ଇଣ୍ଡିଆର ‘ସଙ୍କଟମୋଚକ’ ଏବଂ ‘କାନ୍ଥ’ ଭାବରେ ଦେଖାଯାଏ। ଏବେ ତାଙ୍କ ସାନ ପୁଅ ଅନଭୟ,ତାଙ୍କ ପଦାଙ୍କ ଅନୁସରଣ…

ରେଡ୍‌ କାର୍ଡ ପ୍ରତ୍ୟାହାର ପରେ ଫିଫାକୁ ଧନ୍ୟବାଦ୍‌ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ,୬ା୭: ବୋସନିଆ-ହର୍ଜଗୋଭିନା ବିପକ୍ଷ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କୁ ଦିଆଯାଇଥିବା ରେଡ୍‌ କାର୍ଡକୁ ଫିଫା ରବିବାର ସସ୍‌ପେଣ୍ଡ କରିଛି। ଏଥିଯୋଗୁ ସେ ମଙ୍ଗଳବାର…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri