ଯୁବଗୋଷ୍ଠୀର ବୃତ୍ତି ଓ ପ୍ରବୃତ୍ତି

ମନ-ମାନଚିତ୍ର/ ଡ. ନରହରି ବେହେରା
ସେଦିନ ଭୁବନେଶ୍ୱରରୁ ଫେରିବାବେଳେ ଭଣ୍ଡାରିପୋଖରୀ ପରେ ରାସ୍ତାପାଖରେ ଗୋଟିଏ ଛୋଟ ରେଷ୍ଟୁରାଣ୍ଟ ଭିତରକୁ ପଶିଗଲି। ରେଷ୍ଟୁରାଣ୍ଟଟି ବେଶ୍‌ ପରିଷ୍କାର ପରିଚ୍ଛନ୍ନ ଏବଂ ରୁଚିପୂର୍ଣ୍ଣ ଥିଲା। ଆଧୁନିକ ସାଜସଜ୍ଜାର ମଧ୍ୟ ବ୍ୟବସ୍ଥା ଥିଲା। ଖାଇସାରି ବିଲ୍‌ ପୈଠ କରିବା ପାଇଁ କାଉଣ୍ଟର ନିକଟରେ ଠିଆ ହୋଇ ଟଙ୍କା ଦେବାବେଳେ ସେଠାରେ ବସିଥିବା ଯୁବକ ଜଣକ ଠିଆ ହୋଇପଡ଼ି ମୋତେ ନମସ୍କାର ଜଣାଇଲା। ମିଲ୍‌ ବାବଦକୁ ଟଙ୍କା ନେବାକୁ ମଧ୍ୟ ମନା କଲା। ମୁଁ କିଛି ବୁଝିପାରିଲିନି। ଶିକ୍ଷକତା କରୁଥିବାବେଳେ ଏ ଯୁବକ ଛାତ୍ର ଥିବାର ମଁୁ ମନେପକାଇ ପାରିଲିନି। ଦୂର ସମ୍ପର୍କୀୟ ବି ନୁହେଁ। ଏ ଯୁବକ ଜଣକ ହୁଏତ ଭୁଲରେ ମୋତେ ଆଉ କେହି ବୋଲି ଭାବି ନେଇଛି। ମୋ ଭାବନାକୁ ବାଧାଦେଇ ଯୁବକଟି କହିଲା, ସାର୍‌, ମୋତେ ବୋଧେ ଚିହ୍ନି ପାରୁନାହାନ୍ତି। ଆପଣ ଫ୍ରି ଅଛନ୍ତି? ପାଞ୍ଚ ମିନିଟ୍‌ କଥା ହେଇଥାନ୍ତି। ମୁଁ ସମ୍ମତି ଜଣାଇବାରୁ ସେ ଜଣେ ବୟ୍‌କୁ ଡାକି ତା’ ସହ ମୋତେ ଏସି ଲାଗିଥିବା ଗୋଟିଏ ସ୍ପେଶାଲ ରୁମ୍‌ ଭିତରକୁ ପଠାଇଦେଲା।
ମୁଁ ରୁମ୍‌ ଭିତରେ ବସିବାର ଅଳ୍ପ ସମୟ ଭିତରେ ସେ ଆସି ମୋ ପାଦଛୁଇଁ ନମସ୍କାର କରି ଆଗରେ ପଡ଼ିଥିବା ଗୋଟିଏ ଚୌକିରେ ବସିପଡ଼ିଲା। ମୋ ଆଶ୍ଚଯର୍ର୍‌ୟର ସୀମା ନ ଥିଲା। ମୋର ସକଳ ସ୍ମୃତି ସେ ଯୁବକକୁ ମାନସପଟରେ ଖୋଜି ପାଇଲିନି। ସେ ତା’ ଆଡ଼ୁ ନିଜ ନାଁ ଗାଁ ପରିଚୟ ଦେଇ କହିଲା- ସାର୍‌, ଆଜକୁ ପ୍ରାୟ ପାଞ୍ଚବର୍ଷ ତଳେ ଆପଣଙ୍କ ଅଫିସ୍‌କୁ ଯାଇ ଗୋଟେ ଚାକିରି ଯୋଗାଡ଼ କରିଦେବାକୁ ଅନୁରୋଧ କରିଥିଲି। ମାସକୁ ପାଞ୍ଚ ହଜାର ଟଙ୍କା ହେଲେ ବି ଚଳିବ। ମୋର ଶିକ୍ଷାଗତ ଯୋଗ୍ୟତା ଆଇ.ଏ. ଥିବାରୁ କୌଣସି ଚାକିରି ମୋ ପାଇଁ ନ ଥିଲା। ମାତ୍ର ଆପଣ ମୋତେ ଜିଇବାର ବାଟ ବତେଇ ଦେଲେ, ଯୋଉଥିପାଇଁ ଆଜି ମୁଁ ଏଇଠି ପହଞ୍ଚତ୍ପାରିଛି। ଆପଣ ସେଦିନ ମୋତେ କହିଥିଲେ, ପାଞ୍ଚହଜାର ଟଙ୍କା ପାଇଲେ କ’ଣ ନିଜ କୁଟୁମ୍ବ ପୋଷିପାରିବ? ତୁମେ କାହିଁକି ଆମତ୍ନିର୍ଭରଶୀଳ ହୋଇ ଚଳିବାକୁ ଚେଷ୍ଟା କରୁନାହଁ। ବର୍ତ୍ତମାନ ସରକାରଙ୍କ ତରଫରୁ ଚାଲୁଥିବା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନାରେ ଟ୍ରେନିଂ ନେଇ ଅନ୍ୟ ପାଇଁ ଆଦର୍ଶ କାହିଁକି ହେଉନାହଁ? ଆପଣଙ୍କ ପରାମର୍ଶକ୍ରମେ ମୁଁ ସେଦିନ ନିଜ ଗୋଡ଼ରେ ନିଜେ ଠିଆ ହେବି ବୋଲି ମନେ ମନେ ସ୍ଥିର କରିଥିଲି। ହସ୍‌ପିଟାଲିଟିରେ ଟ୍ରେନିଂ ନେଇ ସରକାରଙ୍କଠୁ ଲୋନ୍‌ ଆଣି ଏଇ ହୋଟେଲଟି କରିଛି। ଆପଣଙ୍କ ଦୟାରୁ ସାର୍‌, ଭଲରେ ସଂସାର ଚାଲିଛି। ଏଇ ସେ ଆଗରେ ବିଲ୍‌ଡିଂଟିଏ କରିଛି। ସେଇଠି ରହୁଛି। ଆପଣ ଯେତେବେଳେ ଇଆଡ଼େ ଆସିବେ ନିଶ୍ଚୟ ମୋ ପାଖକୁ ଆସିବେ। ଭୁଲିବେନି ସାର୍‌। ଆପଣ ସେଦିନ କେଇପଦ ଉପଦେଶ ଦେଇ ନ ଥିଲେ, ମୁଁ ଆଜି ସେଇମିତି ରହିଥାନ୍ତି। କୋଉ ଲୁଗା ଦୋକାନରେ କି ଅଫିସ୍‌ରେ ପାଞ୍ଚ ଦଶ ହଜାର ଟଙ୍କାରେ ଖଟୁଥାନ୍ତି।
ଯୁବକର ନମ୍ରତା ଏବଂ ମୋ ପ୍ରତି ଥିବା ଅକୃତ୍ରିମ ଶ୍ରଦ୍ଧାରେ ମୁଁ ଅଭିଭୂତ ହୋଇପଡ଼ିଲି। ମନେପଡ଼ିଗଲା, ମହାଭାରତର ସେ ଏକଲବ୍ୟ କଥା। ଦ୍ରୋଣ ତାକୁ ରାଜପୁତ୍ରଙ୍କ ସହିତ ଶିକ୍ଷାଦେବାକୁ ମନା କରିଦେଇଥିଲେ। ପଛକୁ ଫେରି ନ ଥିଲା ଏକଲବ୍ୟ। ନିଜର କଠୋର ସାଧନା ଏବଂ ଅଧ୍ୟବସାୟ ପାଇଁ ନିଜେ ଯୋଦ୍ଧା ହୋଇଥିଲେ ବି କୌଣସି ଅହଙ୍କାର ନ ରଖି ସେ ହସି ହସି ଡାହାଣ ହାତର ବୃଦ୍ଧ ଅଙ୍ଗୁଳିଟିକୁ କାଟି ଦେଇଥିଲା। ସେହିପରି ଏ ଯୁବକ ପାଇଁ କିଛି କରି ନ ଥିଲେ ବି ମୋର କେଇପଦ କଥାକୁ ଗଣ୍ଠିଧନ କରି ପାଞ୍ଚବର୍ଷ କାଳ ସଂଘର୍ଷମୟ ଜୀବନରେ ଗତିକରି ନିଜ ପାଦରେ ଠିଆ ହୋଇଛି। କିଛି ଯୁବକଙ୍କୁ ଅନ୍ନସଂସ୍ଥାନର ବ୍ୟବସ୍ଥା କରିଛି, ମାତ୍ର ସକଳ ଶ୍ରେୟ ମୋତେ ଦେଉଛି। ଯୁବକଟିର ଏହି ପ୍ରୟାସ ମୋତେ ଖୁବ୍‌ ଆନନ୍ଦ ଦେଇଥିଲା।
ଆଜିର ଯୁବସମାଜ ସେହି ଯୁବକଙ୍କଠାରୁ ଯଦି ଏହି ପ୍ରେରଣା ଟିକକ ଗ୍ରହଣ କରିପାରନ୍ତେ ତେବେ ସେମାନଙ୍କୁ ହତାଶାବୋଧ ଆଦୌ ଗ୍ରାସ କରନ୍ତା ନାହିଁ। ଆଜିକାଲି ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ଯୁବଗୋଷ୍ଠୀଙ୍କୁ କେବଳ ଚାକିରି ନିଶା ହିଁ ଘାରିଛି। ଚାକିରି ନ ମିଳିଲେ ସେମାନେ ହତାଶ ହୋଇପଡ଼ୁଛନ୍ତି। ବଞ୍ଚତ୍ବା ପାଇଁ ଯେ ଅନେକ ଉପାୟ ଅଛି, ଏକଥା ସେମାନେ ଭାବି ପାରୁନାହାନ୍ତି। କେବଳ ସେତିକି ନୁହେଁ ଚାକିରି ନ ମିଳିଲେ ସେମାନେ ନାନାପ୍ରକାର ଅସାମାଜିକ କାର୍ଯ୍ୟରେ ପ୍ରବୃତ୍ତ ହେଉଥିବାର ଦେଖାଯାଉଛି। ସହଜରେ ଅଧିକ ଉପାର୍ଜନ କରି ରାତାରାତି ଧନୀ ହେବାର ସ୍ବପ୍ନ ଦେଖୁଛନ୍ତି। ନିକଟ ଅତୀତରେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ କରିବା ଅଭିଯୋଗରେ ପୋଲିସ ଯେଉଁମାନଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ଦୁଇଜଣ ଇଞ୍ଜିନିୟର ଛାତ୍ର ଥିବାର ଜଣାପଡ଼ିଥିଲା। ଯେଉଁ ଯୁବକମାନେ ଉଚ୍ଚ ଶିକ୍ଷିତ ହେବାର ସ୍ବପ୍ନ ଦେଖୁଥିଲେ, ଦେଶ ସେମାନଙ୍କଠାରୁ ଅନେକ କିଛି ଆଶା କରୁଥିଲା; ସେମାନେ ଯଦି ଲୁଟେରା ହୁଅନ୍ତି- ଏହାଠାରୁ ଦୁର୍ଭାଗ୍ୟ ଏ ଦେଶ ପାଇଁ କ’ଣ ଅଛି? ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକଙ୍କର ଗୋଟିଏ ଉକ୍ତି ମନେପଡ଼ୁଛି। ଏ ପ୍ରାବନ୍ଧିକ ବାଣୀବିହାରରେ ପଢ଼ୁଥିବାବେଳେ ବିଜୁବାବୁ ଛାତ୍ର ସଂସଦର ବାର୍ଷିକ ଉତ୍ସବକୁ ଥରେ ଅତିଥି ହୋଇ ଆସିଥିଲେ। ସେତେବେଳେ ସେ ବିରୋଧୀ ଦଳର ନେତା। ବାଣୀବିହାର ପ୍ରେକ୍ଷାଳୟରେ ଭାଷଣ ଦେବା ପାଇଁ ଆରମ୍ଭ କରିବା ବେଳେ ସେ ଲକ୍ଷ୍ୟକଲେ କିଛି ଯୁବକ ଦୁଇ ପକେଟରେ ହାତପୂରାଇ ଠିଆ ହୋଇଛନ୍ତି। ସେ କହିବାକୁ ଆରମ୍ଭ କଲେ- ମୋ ଦେଶର ଦୁର୍ଭାଗ୍ୟ ହେଉଛି ଯୁବକମାନେ ନିଜର ଦୁଇହାତକୁ କି କାମରେ ଲଗେଇବେ ଜାଣି ନ ପାରି ତା’କୁ ପକେଟରେ ପୂରାଇ ବୁଲୁଛନ୍ତି। ଏ ଦେଶର ଭାଗ୍ୟ ବଦଳିବ କେମିତି? ଯେଉଁଦିନ ଏ ଯୁବକମାନେ ନିଜ ହାତକୁ ଠିକଣା ଭାବରେ କାମରେ ଲଗେଇପାରିବେ ସେଦିନ ହିଁ ମୋ ଦେଶର ଭାଗ୍ୟ ବଦଳିଯିବ।
ବିଜୁବାବୁଙ୍କର ଏ ଉକ୍ତି ପ୍ରତ୍ୟେକ ଯୁବକଙ୍କ ପାଇଁ ପ୍ରେରଣାଦାୟକ ବୋଲି ମନେହୁଏ। ଯୁବକମାନେ ହିଁ ଏ ଦେଶର ଭାଗ୍ୟନିର୍ମାତା। ରାଜନେତାଙ୍କ ପଛରେ ଧାଇଁ ଧାଇଁ କିମ୍ବା କେଉଁଠି ପାଞ୍ଚ ଦଶ ହଜାର ଟଙ୍କାରେ ଚାକିରିଟେ କରି ହୁଏତ ସେମାନେ ପେଟ ପୋଷି ପାରିବେ, ମାତ୍ର ସ୍ବାଧୀନ ଭାବରେ କିଛି କରିବାର କ୍ଷମତା ହରାଇ ବସିବେ। ବୟସ ଗଡ଼ିଗଲା ପରେ ନିଜକୁ ଠିଆ କରାଇବାର ଅବସର ମିଳିବ ନାହିଁ।
ଏ ବିଶ୍ୱରେ ଅନେକ ବ୍ୟକ୍ତି ନିଜ ସାଧନା ବଳରେ ସଫଳ ଉଦ୍ୟୋଗୀ, ରାଜନୀତିଜ୍ଞ, ବୈଜ୍ଞାନିକ ପ୍ରଭୃତି ହୋଇପାରିଛନ୍ତି। ଏହି ସଫଳତା ପଛରେ ସେମାନଙ୍କର ଥିଲା ଆମତ୍ବିଶ୍ୱାସ, ନିରବଚ୍ଛିନ୍ନ ସାଧନା ଓ ଧୈର୍ଯ୍ୟ। ମନେରଖିବା ଉଚିତ ହତାଶା, ଧୈର୍ଯ୍ୟହୀନତା ଏବଂ ଅସଂଯତ ଭାବନା ହିଁ ସିଦ୍ଧିର ପ୍ରଧାନ ପ୍ରତିବନ୍ଧକ। କଷ୍ଟ ସ୍ବୀକାର କରି ସଫଳତାର ଶୀର୍ଷରେ ଉପନୀତ ହେବାର ବହୁଳ ଦୃଷ୍ଟାନ୍ତ ଏ ବିଶ୍ୱରେ ଅଛି। କେତୋଟି ଉଦାହରଣ ଦିଆଯାଇପାରେ, ଆଜି ଭାରତବର୍ଷରେ ପ୍ରତିଷ୍ଠିତ ରିଲାଏନସ୍‌ କମ୍ପାନୀର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀ ମାତ୍ର ଷୋଳ ବର୍ଷ ବୟସରେ ୟେମେନ୍‌ରେ ଜଣେ ସାଧାରଣ କିରାଣି ଭାବରେ କାମ କରିଥିଲେ। ମାତ୍ର ତାଙ୍କୁ ଏ ବୃତ୍ତି ବାନ୍ଧିପାରିଲା ନାହିଁ। ସେ ଭାରତ ପଳାଇ ଆସି ଜଣେ ବନ୍ଧୁଙ୍କ ସହିତ ମିଶି ବେପାର ଆରମ୍ଭ କଲେ। ଅଧାରୁ ତାଙ୍କ ବନ୍ଧୁ ତାଙ୍କୁ ଛାଡ଼ି ଚାଲିଗଲେ। ଧୀରୁଭାଇ ପଛକୁ ହଟିଲେ ନାହିଁ। ତାଙ୍କର ନିଷ୍ଠା ଏବଂ ଆମତ୍ବିଶ୍ୱାସ ତାଙ୍କୁ ଆଜି ବିଶ୍ୱରେ ଜଣେ ଧନୀ ବ୍ୟକ୍ତି ଭାବରେ ପରିଚିତ କରାଇପାରିଛି। ଅରୁଣିମା ସିହ୍ନା ଥରେ ଦୁର୍ବୃତ୍ତଙ୍କ ଦ୍ୱାରା ଶିକାର ହୋଇ ଦୁଇଟି ଗୋଡ଼ ହରାଇଥିଲେ। ମାତ୍ର ଏଭରେଷ୍ଟ ଆରୋହଣର ଇଚ୍ଛା ତାଙ୍କର ପ୍ରଶମିତ ହେଲାନାହିଁ। ସେ ବଚ୍ଛେନ୍ଦ୍ରୀ ପାଲଙ୍କ ପରାମର୍ଶ କ୍ରମେ ଏଭରେଷ୍ଟ ଆରୋହଣ କରି ସଫଳ ହୋଇଥିଲେ। ମାତ୍ର ପାଞ୍ଚ ବର୍ଷ ବୟସରେ ମାଆକୁ ହରାଇ ଜଣେ କଣ୍ଡକ୍ଟର ଭାବରେ ଜୀବିକା ନିର୍ବାହ କରୁଥିଲେ ରଜନୀକାନ୍ତ। ଏ ବୃତ୍ତିରେ ଥାଇ ବି ଜଣେ କଳାକାର ହେବାର ପ୍ରବୃତ୍ତି ତାଙ୍କ ଭିତରେ ଲୁଚି ରହିଥିଲା। ପରବର୍ତ୍ତୀ ସମୟରେ ବହୁ ପରିଶ୍ରମ କରି ଏବେ ସେ ଜଣେ ପଦ୍ମବିଭୂଷଣ ଉପାଧିପ୍ରାପ୍ତ ଆଗଧାଡ଼ିର କଳାକାର ହୋଇପାରିଛନ୍ତି। ଏହା ହିଁ ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ପାର୍ଥକ୍ୟ। ବୃତ୍ତି ବଞ୍ଚତ୍ବାର ମାର୍ଗ, ମାତ୍ର ଉତ୍ତମ ବାଟରେ ପରିଚାଳିତ ପ୍ରବୃତ୍ତି ସଫଳତାର ଚାବିକାଠି।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri