ମମତାର ଡାକ

ଦ୍ୱିତୀ ଚନ୍ଦ୍ର ସାହୁ
ପ୍ରବଳ ଖରାରେ ଗାଁକୁ ଯିବାକୁ ବାହାରିଲେ ମା’। ସ୍ନେହର ପରଶରେ, ମମତାର ମୋହରେ ବନ୍ଧା ସ୍କୁଲପଢୁଆ କିଶୋର ଛାଡ଼ିବାକୁ ବାହାରିଲା ଆପେ ଆପେ। ପୁଅ ଧରିଲା ସାଇକେଲ। ନିମିଷକରେ ପହଞ୍ଚିଗଲେ ବସ୍‌ଷ୍ଟପରେ। ଫେରିବାବେଳେ ରାସ୍ତାର ଏକ ମୋଡ଼ରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ତଳେ ଚାପି ହୋଇଗଲା ପୁଅ ଆଖିପିଛୁଳାକେ। ଘଟଣା ସମ୍ପର୍କରେ ଜାଣିବା ପରେ ମା’ଙ୍କ ଆର୍ତ୍ତ ଚିତ୍କାରରେ ଫାଟିପଡ଼ିଲା ଘଟଣାସ୍ଥଳ। ମରଣ ସହ ସଂଘର୍ଷ କରୁଥିବା ପୁଅକୁ ବଞ୍ଚାଇବା ଲାଗି ଆକୁଳ ନିବେଦନ କଲା ସେ। ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ି ଓ ସମବେତ ଲୋକଙ୍କ ନିକଟରେ ନେହୁରା ହେଲା ନିଜ ପୁଅକୁ ଉଦ୍ଧାର କରିବା ଲାଗି। ଶେଷରେ ଉଦ୍ଧାର ହେଲା ପୁଅ। କିନ୍ତୁ ବିଳମ୍ବଜନିତ କାରଣରୁ ମା’କୁ ଚିରଦିନ ଛାଡି ଚାଲିଗଲା କିଶୋର ପୁଅ। ଏ ଯାଏ ପୁଅର ଜୀବନ ଲାଗି ସଂଗ୍ରାମ କରୁଥିବା ମା’ ଜୀବନର ନିଷ୍ଠୁର ସତ୍ୟକୁ ସାମ୍ନା କରିବା ପରେ ଚେତାଶୂନ୍ୟ ହୋଇଗଲା। ସେ ଜାଣିଗଲା ତା’ ଆଖି ସାମ୍ନାରେ ପୁଅ କୋଳ ଶୂନ୍ୟକରି ଭଗବାନଙ୍କ ପ୍ରିୟ ହୋଇଗଲା।
ଆଉ ଏକ ଦୃଶ୍ୟ। ୯୯ ବର୍ଷ ବୟସ୍କା ମା’ ହୀରାବେନ୍‌ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’। ପୁତ୍ର ପ୍ରଚଣ୍ଡ ଜନାଦେଶ ପାଇ ଦ୍ୱିତୀୟଥର ନିର୍ବାଚିତ ହେବା ପରେ ମା’ଙ୍କ ଆଶୀର୍ବାଦ କାମନା ଲାଗି ଛୁଟିଗଲେ ଗାନ୍ଧୀନଗର। ଯାହାଙ୍କ ନିକଟରେ ସମସ୍ତେ ମଥାନତ ହେଉଛନ୍ତି, ସେ କିନ୍ତୁ ନତମସ୍ତକପୂର୍ବକ ମା’ଙ୍କ ପାଦ ଛୁଇଁ ଶୁଭାଶିଷ କାମନା କଲେ। ମା’ଙ୍କ ଶୁଭାଶିଷ ଯେ ଏକ ଶକ୍ତିଶାଳୀ ରକ୍ଷାକବଚ, ଏ କଥା ଚିର କାଳ ଭାରତୀୟ ସଂସ୍କୃତିରେ ପ୍ରମାଣିତ ହୋଇଆସିଛି। ମୁଣ୍ଡରେ ମା’ବାପାଙ୍କ ହାତ ଥିଲେ କାଳେ ଦୁନିଆର ସବୁ ଶକ୍ତିକୁ ପରାହତ କରାଯାଇପାରେ। ସମ୍ଭବତଃ ମହାଭାରତୀୟ ସଂସ୍କୃତିର ଏଇ ଗୌରବମୟ ପରମ୍ପରା ପୁଣି ଥରେ ପ୍ରମାଣିତ ହୋଇଛି। ଏଇ ମର୍ମକଥାକୁ ବୁଝିଛନ୍ତି ବୋଲି ହିଁ ସେ ପ୍ରତିଟି ଶୁଭକାମ ପୂର୍ବରୁ ମା’ଙ୍କ ଆଶୀର୍ବାଦ କାମନା କରିବାକୁ ଆଦୌ ଭୁଲନ୍ତି ନାହିଁ।
ତୃତୀୟ ଦୃଶ୍ୟ। ଡିଗିଡିଗା ଖରା। ନିଆଁ ବର୍ଷୁଛି। ଛାଇ ପାଇଁ ପଶୁପକ୍ଷୀ ବି କାତର। କିନ୍ତୁ ସ୍ବାମୀକୁ ହରାଇଥିବା ବୃଦ୍ଧା ମା’ ଅପେକ୍ଷାରତ ଘରର ଫାଟକ ସାମ୍ନାରେ। ବଡ଼ ପୁଅ ଗେଟ୍‌ ଖୋଲିଲେ ଘରକୁ ଯିବ। ହିସାବ ମୁତାବକ ମାସ ପୂରିଯିବା ପରେ ସାନ ପୁଅ ଆଣି ଛାଡିଦେଇଗଲା ଚୁପ୍‌ଚାପ୍‌ ବଡ଼ପୁଅର ଘର ସାମ୍ନାରେ। ବହୁ ନିବେଦନ ପରେ ବି ବ୍ୟାଙ୍କ ଚାକିରି କରୁଥିବା ବଡ଼ପୁଅ ଖୋଲୁ ନ ଥିଲା ଗେଟ୍‌। ଅସହାୟ ମା’ ଗଡ଼ଉଥିଲା ଲୁହ ଭୋକରେ ଓ କୋହରେ। ବୃଦ୍ଧା ମା’ ଶେଷରେ ଫାଟକ ସାମ୍ନାରେ ବସିଗଲା। ରାସ୍ତାରେ ଯାତାୟାତ ଲୋକଙ୍କ ତର ସହିଲାନି। ମା’ ପ୍ରତି ପୁଅମାନଙ୍କ ଅତ୍ୟାଚାରକୁ ସହି ପାରିଲେନି। ହସ୍ତକ୍ଷେପ କଲେ। ପୋଲିସକୁ ଖବର ଦେଲେ। ଗଣମାଧ୍ୟମ ସହଯୋଗର ହାତ ବଢ଼େଇଲା। ଜେଲଯିବା ଭୟରେ ଅମାନୁଷିକ ପୁଅଙ୍କ ଭିତରେ କଳିର ଆପାତତଃ ଲିଖିତ ସମାଧାନ ହେଲା। ବ୍ୟାଙ୍କ ଚାକିରିଆ ପୁଅ ମା’ର ଭରଣପୋଷଣ ଲାଗି ମାସିକ ଖର୍ଚ୍ଚ ଦେବ। ସାନପୁଅ ମା’ର ଦାୟିତ୍ୱ ନେବ।
ମା’କୁ ନେଇ ଏମିତି ଅନେକ ଦୃଶ୍ୟ ଆଜି ସମାଜରେ। ମା’ର ଅନେକ ରୂପ ଯାହାକୁ ଶବ୍ଦରେ ବାନ୍ଧିରଖିବା ସହଜ ନୁହେଁ। ପିଲା ପାଇଁ ସବୁ କିଛି କରିପାରେ ମା’। ଗର୍ଭଯନ୍ତ୍ରଣା ସହି ଜନ୍ମ ଦେଇଥିବା ମା’ ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନାପୂର୍ବକ ବାର ଓଷା ତେର ପର୍ବ ପାଳନ କରେ। ଶୀତଳ ପଣତରେ ଘୋଡେଇ ରଖିବା ଲାଗି ଗାଁ ଠାକୁରାଣୀଙ୍କ ନିକଟରେ ଅଧିଆ ପଡେ। ନିଜ ପେଟ କାଟି ପୁଅର ପେଟ ଭରେ। ଘୋଡାମୁହାଁ ପୁଅର ସବୁ ଦୁର୍ଗୁଣକୁ ପଣତ କାନିରେ ଲୁଚାଇ ରଖି ସମାଜରେ ଭଲ ହେବାକୁ ତୁହାଇ ତୁହାଇ ବୁଝାଏ। ପୁଅ ମୁହଁରେ ଚେନାଏ ହସ ଓ ଖୁସି ଲାଗି ସମସ୍ତ ପ୍ରକାର ଉଦ୍ୟମ କରେ। ଅଥଚ ଆଜିର ଅନେକ ପୁଅ ମୁଣ୍ଡକୁ ହାତ ପାଇବା ପରେ ମା’କୁ ଭୁଲିଯାନ୍ତି। ମା’ ପ୍ରତି ଥିବା ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଅଣଦେଖା କରନ୍ତି। ବାସ୍ତବରେ ମା’ ସବୁବେଳେ କ’ଣ ଚାହେଁ? ପୁଅର ସୁଖ, ଉଜ୍ଜ୍ୱଳ ଭବିଷ୍ୟତ, ନିଜ ଆୟୁଷ ନେଇ ପୁଅ ଯେପରି ଚିରଞ୍ଜୀବୀ ହୋଇ ରହେ। ପ୍ରତିବଦଳରେ ପରିଣତ ବୟସରେ ସ୍ବଚ୍ଛନ୍ଦରେ, ସମ୍ମାନରେ ନିଜ ଘରେ ରହିବାର ଅଭୀପ୍ସା। ବାସ୍‌ ଏଇ ସାମାନ୍ୟ ଇଚ୍ଛାକୁ ସମ୍ମାନ ଦେବାରେ ଆମର ଏତେ କାର୍ପଣ୍ୟ! ଏଇକ୍ରମରେ ଯେଉଁଠି ମା’ ନିଜ ପୁଅର ପ୍ରାଣ ଲାଗି ଆକୁଳ ନିବେଦନ କରେ, ବୟସ୍କ ପୁଅ ମୁଣ୍ଡରେ ବି ଆଶୀର୍ବାଦର ହାତ ରଖେ, ସେଇଠି ବି ଦେଖାଯାଏ କୃତଘ୍ନ ଭାବେ ମା’ର ସ୍ନେହଭରା ହୃଦୟକୁ ବିଦାରି ଦେଉଥିବା ବ୍ୟାଙ୍କ ଅଫିସର ଭଳି କୁଳଙ୍ଗାରମାନେ। ତଥାପି ମା’ ସର୍ବକାଳେ ମମତାରେ ଭରା। ଏଇ ମମତାର ଡାକକୁ ପଢ଼ିବାରେ ଓ ବୁଝିବାରେ ସନ୍ତାନଙ୍କର ତ୍ରୁଟି ରହିଯାଉଛି ନିଶ୍ଚିତ। କାରଣ ସବୁ ମା’ର ହୃଦୟ ଏକା ପ୍ରକାରର। କିନ୍ତୁ ବଦଳୁଥିବା ହୃଦୟ ହେଉଛି ପୁଅମାନଙ୍କର!
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡା, ମୋ – ୯୫୫୬୨୮୭୭୭୫, dwitisahu@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri