ମୋର ମରିବାର ନାହିଁ

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିଥିଲେ ମଧ୍ୟ କିଏ କରିପାରେ ଏମିତି ଔଦ୍ଧତ୍ୟପୂର୍ଣ୍ଣ ଆସ୍ଫାଳନ, ‘ମୋର ମରିବାର ନାହିଁ!’ ବିଶେଷତଃ ସେଇ ସମୟରେ, ଯେତେବେଳେ ‘କରୋନା’ ନାମକ ଏକ ବିଷମ ବ୍ୟାଧି ରୂପରେ ମୃତ୍ୟୁ ତା’ର ଭୟଙ୍କର ରୂପ ନେଇ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି। ଯେତେବେଳେ ସମଗ୍ର ବିଶ୍ୱରେ ସବୁ କ୍ଷେତ୍ରରେ ଅନ୍ୟ ରାଷ୍ଟ୍ରସମୂହଠାରୁ ଆଗରେ ଥିବା ଆମେରିକା ନିଜ ନାଗରିକଙ୍କ ମୃତ୍ୟୁ ସଂଖ୍ୟାରେ ବି ଆଗରେ ରହି କରୋନାର କରାଳ କୋପ ଆଗରେ ନିଜକୁ ସମର୍ପଣ କରିଦେଇଛି, ସେତେବେଳେ କିଏ ଏମିତି କରିପାରନ୍ତି ଉଦ୍ଧତ ଉଦ୍‌ଘୋଷଣା- ‘ମୋର ମରିବାର ନାହିଁ!’ କିଏ ସେହି ମୃତ୍ୟୁଞ୍ଜୟୀ ବୀର ପୁଙ୍ଗବ?
ଚାରିମାସ ପୂର୍ବରୁ ଯେତେବେଳେ ଚାଇନାର ଉହାନ ନଗରରୁ କରୋନାର କାୟା ବିସ୍ତାର ସମ୍ପର୍କରେ ଖବର ଭାରତବାସୀଙ୍କ କାନରେ ପଡ଼ିବାକୁ ଲାଗିଲା, ସେତେବେଳେ କେବଳ ଭାରତ କାହିଁକି, ଚାଇନାର ସେଇ ଅଭିଶପ୍ତ ଇଲାକାକୁ ବାଦ୍‌ ଦେଇ ବିଶ୍ୱର ଅବଶିଷ୍ଟ ଭୂଖଣ୍ଡରୁ ବୋଧହୁଏ ଗୁଞ୍ଜରିତ ହୋଇଥିବ ଆତ୍ମ ଆଶ୍ୱାସନାମୂଳକ ଏମିତି ଏକ ସାନ୍ତ୍ୱନାର ସ୍ବର- ‘ଯାହା ହେଉ, ମୋର ମରିବାର ନାହିଁ!’ ଅଥଚ ସବୁ କାଳରେ ମଣିଷର ଶିକ୍ଷା ଦୀକ୍ଷା, ଜ୍ଞାନ ବିଜ୍ଞାନ, ବିଜ୍ଞତା ଓ ବୌଦ୍ଧିକତାର ଊର୍ଦ୍ଧ୍ୱରେ ଏକ ଅଭେଦ୍ୟ ରହସ୍ୟ ହୋଇ ରହି ଆସିଥିବା ପ୍ରକୃତି ଯେ ସମଗ୍ର ବିଶ୍ୱ ଭୂଖଣ୍ଡ ଉପରେ ଏକ ଭୟଙ୍କର ଖେଳ ଖେଳିବାକୁ ଯାଉଛି, ଏକଥା ଦୂରରୁ ଦୂର ପର୍ଯ୍ୟନ୍ତ କେହି ବି କଳ୍ପନା କରିପାରି ନ ଥିଲେ। ନା ଏକଥା ଚିନ୍ତା କରିପାରିଥିଲେ କେଇ ହଜାର ମାଇଲ ଦୂରରେ ଥାଇ ଅଙ୍ଗୁଳି ଟିପରେ ରିମୋର୍ଟ ଚିପି ବିସ୍ଫୋରଣ ଘଟାଇପାରୁଥିବା ମିଶାଇଲ ନିର୍ମାତା ବୈଜ୍ଞାନିକଗଣ ନା ଅମାପ କ୍ଷମତାର ଅଧିକାରୀ ହୋଇ ଅଙ୍ଗୁଳି ମୁନରେ ବିଶ୍ୱକୁ ଉଠ୍‌ବସ୍‌ କରାଇପାରୁଥିବା ଯୁଦ୍ଧପ୍ରିୟ ରାଷ୍ଟ୍ରନାୟକଗଣ!
ସୁତରାଂ, ଯାହା ହେବାର କଥା, ତାହା ହୋଇ ଚାଲିଲା ଏବଂ ଏବେ ବି ହୋଇ ଚାଲିଛି। ପରମ ବିକ୍ରମରେ ପ୍ରମତ୍ତ ଗତିରେ ପ୍ରକୃତିର ଏଇ ବିଧ୍ୱଂସକାରୀ ଶକ୍ତି ଏକ ଭୂତାଣୁର ରୂପ ନେଇ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି ନିଜର ଶକ୍ତ ପଞ୍ଝା ଭିତରେ। ବିଶ୍ୱର ଦୁଇ ଶତାଧିକ ଦେଶ ଏବେ ଏହି ଅଦୃଶ୍ୟ ହତ୍ୟାକାରୀର ସମ୍ଭାବ୍ୟ ଆକ୍ରମଣରେ ଆତଙ୍କିତ। ଅକାଳରେ ଝଡ଼ିଗଲାଣି ଲକ୍ଷାଧିକ ଅମୂଲ୍ୟ ଜୀବନ। କେବଳ ଆମେରିକା ଭଳି ବିଶ୍ୱ ତାଲିକାର ଶୀର୍ଷତମ ସ୍ଥାନର ଅଧିକାରୀ ପ୍ରତିଦିନ ସାମ୍‌ନା କରି ଚାଲିଛି ଦୁଇ ହଜାରରୁ ଅଧିକ ଲୋକଙ୍କର ଅକାଳ ମୃତ୍ୟୁ। ଇଟାଲୀ, ସ୍ପେନ୍‌ ଓ ଫ୍ରାନ୍ସ ଭଳି ଇଉରୋପ ମହାଦେଶର ଅଗ୍ରଣୀ ଦେଶଗୁଡିକ ନିଜ ନିଜର ଉନ୍ନତ ସ୍ବାସ୍ଥ୍ୟସେବା ସତ୍ତ୍ୱେ ସାମ୍‌ନା କରି ଚାଲିଛନ୍ତି ମୃତ୍ୟୁର ତାଣ୍ଡବ ଲୀଳା। ଅବସ୍ଥା ଏମିତି ଯେ, ସେଇସବୁ ସମୃଦ୍ଧ ଦେଶଗୁଡିକ ସହ ସ୍ବୟଂ ଆମେରିକାରେ ମଧ୍ୟ କରୋନା ପୀଡିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଖଟିଆର ଅଭାବ ପଡ଼ିଲାଣି ତ ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ନିଅଣ୍ଟ ପଡ଼ିଲାଣି ଶ୍ମଶାନର ସ୍ଥାନ।
ଆମ ଭାରତରେ ମଧ୍ୟ କରୋନା ମହାଭାରତ କାହାଣୀର ସେଇ କଳ୍ପିତ ରାକ୍ଷସ କୋକୁଆର ଭୟ ସଞ୍ଚାର କରିଛି ପ୍ରତିଟି ହୃଦୟରେ। ପାଶ୍ଚାତ୍ୟ ଭୂଖଣ୍ଡରେ ଉଗ୍ରରୂପ ଧାରଣ କରି ଏ ପ୍ରାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ ନିର୍ବିରୋଧେ ସଞ୍ଚରି ଯାଉଥିବା କରୋନା ଆସର ଏହି ପ୍ରାଚ୍ୟ ଭୂଖଣ୍ଡଟିକୁ କଚ୍ଛପ ଗତିରେ ଗ୍ରାସ କରୁଥିଲେ ମଧ୍ୟ ଆଜିର ଚିତ୍ର କାଲିକୁ ଯେମିତି ବଦଳି ଯାଉଛି, ତହିଁରେ ଅତ୍ୟନ୍ତ ଅନିଶ୍ଚିତତା ଭିତରେ କାଳ କାଟୁଛନ୍ତି ଊଣା ଅଧିକେ ପ୍ରତ୍ୟେକ ଭାରତୀୟ ନାଗରିକ। କରୋନାର ଗତିରୋଧ ପାଇଁ ସଙ୍ଗରୋଧ ଓ ନିଃସଙ୍ଗବାସ ଭଳି ସତର୍କତା ଅବଲମ୍ବନ କରୁଥିବା ଓ ଏଥିପାଇଁ ବେଶ୍‌ କଠୋର ପଦ୍ଧତି ଆପଣାଇଥିବା ପ୍ରଶାସନ ଜାତୀୟ ଅର୍ଥନୀତିକୁ ରସାତଳକୁ ଫିଙ୍ଗି କେବଳ ଅମୂଲ୍ୟ ମାନବ ଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ଚାଲୁଛନ୍ତି। ନିତ୍ୟ ଚଳଚଞ୍ଚଳ ସଦା ବ୍ୟସ୍ତବହୁଳ ମଣିଷ ସମାଜକୁ ନିଷ୍ପ୍ରାଣ, ନିସ୍ପନ୍ଦ କରି ସବୁ କିଛିରେ ତାଲା ପକାଇ ଦେବାର ନିଷ୍ପତ୍ତି ନେଇଛନ୍ତି ବାଧ୍ୟ ବିବଶ ହୋଇ। ରାସ୍ତାଘାଟ, ହାଟବାଟ ସବୁ କିଛି ଶୂନ୍‌ଶାନ୍‌। ସମଗ୍ର ବିଶ୍ୱର ଅସୁସ୍ଥତା ଅବଲୋକନ କରି ମଣିଷ ଏଠି ନିଜର ଅସୁସ୍ଥତା ଭୁଲିଯାଉଛି। ସଭିଏଁ ସମ୍ମିଳିତ ଭାବେ ସବୁ ପ୍ରକାର ଅସ୍ବସ୍ତି ଓ ଅସୁବିଧାକୁ ଆପଣେଇ ନେଇଛନ୍ତି କେବଳ ଏକମାତ୍ର ଲକ୍ଷ୍ୟ ହାସଲ ପାଇଁ। କରୋନାକୁ ପରାଜିତ କରି ଏହି ଗଣମୃତ୍ୟୁ ଉପରେ ବିଜୟ ହାସଲ ପାଇଁ। ଅଥଚ ଏହି ଗମ୍ଭୀର ସ୍ଥିତିକୁ ଗୋଟିଏ ଫୁତ୍‌କାରରେ ଉଡ଼ାଇ ଦେଇ ଆଉ ଥୋକେ ପାଗଳ ପ୍ରଳାପ କରୁଛନ୍ତି, ‘ଆମର ମରିବାର ନାହିଁ!’
ତେବେ କିଏ ଏହି ପାଗଳମାନେ? ସମ୍ମୁଖରେ ଭୀମ ଭୈରବ ରୂପ ଧରି ମୃତ୍ୟୁକୁ ଡିଅଁା-କୁଦା ମାରୁଥିବାର ଦେଖି ତଥାପି ଏମାନେ ଏମିତି ପ୍ରଳାପ କରିପାରନ୍ତି କେମିତି? ମୃତ୍ୟୁକୁ କ’ଣ ଏମାନଙ୍କର ଭୟ ନାହିଁ? ଏ ସବୁ ପ୍ରଶ୍ନର ଉତ୍ତର ପାଇଁ ନିମ୍ନୋକ୍ତ କେତୋଟି ଚିତ୍ର ଓ ଚରିତ୍ରଙ୍କ ଉପରେ ଦୃଷ୍ଟି ପକାଯାଉ।
”କରୋନା ଆମ ପାଖକୁ ଆସିବ ନାହିଁ। ଆମ ସହ ଆମ ଖୋଦା ଅଛନ୍ତି। ମୃତ୍ୟୁ ସମସ୍ତଙ୍କୁ ଡରାଇପାରେ, ମାତ୍ର ଆମ ଖୋଦାଙ୍କୁ ଦେଖିଲେ ସେ ନିଜେ ଡରି ପଳାଇବ।“ ଏମିତି ଦର୍ପ ଓ ଦମ୍ଭର ସହ ଘୋଷଣା କରିପାରନ୍ତି ଏକ ନିର୍ଦ୍ଦିଷ୍ଟ ଧର୍ମର କେଇଜଣ ଧର୍ମାନ୍ଧମାନେ, ଯେଉଁମାନେ କରୋନା ଚିହ୍ନଟ ପାଇଁ ନମୁନା ସଂଗ୍ରହ କରିବାକୁ ଆସିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟେକାପଥର ମାରି ରକ୍ତାକ୍ତ କରନ୍ତି ଓ ଘଉଡ଼ାଇ ଦିଅନ୍ତି। ବଡ଼ ଅଜବ ଯୁକ୍ତି ସେମାନଙ୍କର। ମୃତ୍ୟୁଦୂତ କରୋନାର ଯେ ମଣିଷଙ୍କ ପରି ଧର୍ମଗତ ଭେଦଭାବ ଅଛି, ଏଭଳି ବିଚିତ୍ର ବିଶ୍ୱାସରେ କେବଳ ସେମାନେ ଆସ୍ଥା ସ୍ଥାପନ କରନ୍ତି ନାହିଁ, ବରଂ ଏ ପ୍ରକାର ଅନ୍ଧବିଶ୍ୱାସ ବିରୋଧରେ ସେମାନଙ୍କୁ ବୁଝାଉଥିବା ଲୋକମାନଙ୍କୁ ପଥର ମାଡ଼ କରି ଲହୁଲୁହାଣ କରନ୍ତି।
କରୋନାକୁ ପ୍ରତିହତ କରିବାକୁ ସରକାରୀ ସ୍ତରରେ ଗତ କେଇ ସପ୍ତାହ ହେଲା ଯେଉଁ ଲକ୍‌ଡାଉନ୍‌ ବା ତାଲା ବନ୍ଦ ବ୍ୟବସ୍ଥାର ପ୍ରଚଳନ କରାଯାଇଛି, ତାହା ମଧ୍ୟରେ ଦୁଇଦିନ ଥିଲା ଅନ୍ୟ ଏକ କଠୋରତମ ପର୍ବ ‘ସଟ୍‌ଡାଉନ୍‌’। ଦୁଇଟି ଯାକ ଇଂଲିଶ ଶବ୍ଦର ଗଠନ ପ୍ରକ୍ରିୟା ଭିତରେ ଏକ ସୂକ୍ଷ୍ମ ପ୍ରଭେଦ ଥିଲେ ମଧ୍ୟ କାର୍ଯ୍ୟତଃ ସଟ୍‌ଡାଉନ୍‌ ଥିଲା ସବୁକିଛି ବନ୍ଦ ହୋଇଯିବାର ଏକ କଠିନ ସମୟ। ଦୁଇଦିନ ପରିବା ଓ ତେଜରାତି ଦୋକାନ ବନ୍ଦ ରହିବ ବୋଲି ଘୋଷଣା ହେଲାପରେ ଏ ଦୁଇ ପ୍ରକାର ଦୋକାନ ଆଗରେ ସେଦିନ ଯେମିତି ଭିଡ ପରିଲକ୍ଷିତ ହୋଇଥିଲା, ତାହାକୁ ଦେଖି ଲାଗୁଥିଲା ପରସ୍ପରଠାରୁ ସାମାଜିକ ଦୂରତା ରକ୍ଷା କରିବାକୁ ବିଗତ ମାସେ ଧରି ଦିଆହୋଇ ଆସୁଥିବା ସ୍ଲୋଗାନଟିର ସତେ ଯେମିତି ଅକାଳ ଅପମୃତ୍ୟୁ ଘଟିଯାଇଛି। କଟକର ପରିବା ମାର୍କେଟରେ ପୁରୀର ରଥଯାତ୍ରା ଭଳି ଭିଡ଼ ଦେଖି ଲାଗୁଥିଲା ସତେ ଯେମିତି ପରିବା ଆଗରୁ ନ ଥିଲା କି ଦୁଇଦିନ ପରେ ବି ମିଳିବ ନାହିଁ। ସତେ ଯେମିତି ଦୁଇଦିନ ବିନା ପରିବାରେ ବଞ୍ଚତ୍ବା ବିନା ନିଃଶ୍ୱାସରେ ବଞ୍ଚତ୍ବା ଭଳି ଏକ ଅସମ୍ଭବ ବ୍ୟାପାର! ସର୍ବନିମ୍ନ ଦେଢ଼ ମିଟର ଦୂରତା ନିୟମ ଉଲ୍ଲଂଘନ କରି, ଦେହକୁ ଦେହ ଘଷି ହୋଇ, ମୁହଁକୁ ମୁହଁ ଲଗାଇ ପରିବା କିଣିବା ଏ ବିଚିତ୍ର ବ୍ୟାକୁଳତା ଭିତରେ ପ୍ରତିଧ୍ୱନିତ ହେଉଥିଲା ଅମରତ୍ୱର ଏକ ଅନୁଚ୍ଚାରିତ ଉଦ୍‌ଘୋଷଣା- ‘ଆମର ମରିବାର ନାହିଁ!’
”ଯେଉଁମାନେ ମୃତ୍ୟୁ ସହ ମୁହଁାମୁହିଁ ହେବା ପାଇଁ ପରସ୍ପର ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ, ସେମାନେ ଏକା ଏକା ମରନ୍ତେ ସିନା! ମାତ୍ର ନିଜେ ମରିବା ପୂର୍ବରୁ ସେମାନେ ଯେ ଅନ୍ୟମାନଙ୍କୁ ମୃତ୍ୟୁ ବାଣ୍ଟି ଚାଲୁଛନ୍ତି, ତାହା ହିଁ ବିଡମ୍ବନା!“ ଏମିତି କଡ଼ା କଥା କହି ଅତି ନିର୍ମମ ମନ୍ତବ୍ୟ ଦେଇଥିଲା ଏ ଲେଖକ ଫେସ୍‌ବୁକ୍‌ରେ ଜଣେ ଯୁବ ଡାକ୍ତର ପୋଷ୍ଟ କରିଥିବା ଏକ ଉଦ୍‌ବେଗ ସୃଷ୍ଟିକାରୀ ଆଲେଖ୍ୟର ପ୍ରତିବେଦନରେ। ସଟ୍‌ଡାଉନ୍‌ ଉଠିବାର କେଇ ଘଣ୍ଟା ପରେ ଭଦ୍ରକ ସହରର ମାର୍କେଟ ଭିତରେ ଅଧିବାସୀମାନଙ୍କ ଅସମ୍ଭାଳ ଅବସ୍ଥା ଅବଲୋକନ କରି ସେହି ମାନବବାଦୀ ଡାକ୍ତର ଦୁଃଖରେ ମନ୍ତବ୍ୟ ଦେଇଥିଲେ, ”ଏମିତି ଭିଡ଼ ଦେଖି ଲାଗୁଛି କରୋନାର ପ୍ରମତ୍ତ ଗତିକୁ ରୋକିବା ଆଉ ବୋଧହୁଏ ସମ୍ଭବ ହେବନାହିଁ। ସୁତରାଂ, ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଦିଅନ୍ତୁ।“
ଟାଣ ଖରାରେ ରାଜରାସ୍ତାରେ ଛିଡା ହୋଇଥିବା ପୋଲିସ ହୁଅନ୍ତୁ କି ନିଜ ପିଲା ପରିବାରକୁ ପର କରି ହସ୍ପିଟାଲରେ ରୋଗୀଙ୍କର ସେବା କରୁଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ, ସମସ୍ତେ ନିଜ ନିଜ ଜୀବନକୁ ପାଣି ଛଡ଼ାଇ ଲାଗିଛନ୍ତି ଆମ ଜୀବନକୁ ବଞ୍ଚାଇବା ପାଇଁ। ଅଥଚ ଆମେ କରୁଛୁ କ’ଣ? କାଲି ଯଦି ଆମର କିଛି ହୋଇଯାଏ, ନିଜ ବେଖାତିର ମନୋଭାବ ପାଇଁ ଆମକୁ ଜୀବନ ହରାଇବାକୁ ପଡ଼େ, ତେବେ କରୋନାର ବିଶାଳ ମୃତ୍ୟୁସଂଖ୍ୟାରେ ଆଉ କେତୋଟି ଅଙ୍କ ଯୋଡ଼ି ହୋଇଯିବ ସିନା, ଆଉ ବିଶେଷ କିଛି ଘଟିବ ନାହିଁ। ଆମ ମୃତ୍ୟୁରେ ଶୋକ ପ୍ରକାଶ କରି କାନ୍ଦିବା ପାଇଁ କେହି ନ ଥିବେ କିମ୍ବା ସଚରାଚର ଅନୁଷ୍ଠିତ ହେଉଥିବା ଶୁଦ୍ଧିକ୍ରିୟା ସଂପନ୍ନ ସହ ତିଳତର୍ପଣ କରିବାକୁ ମଧ୍ୟ କେହି ନ ଥିବେ। କାରଣ ଏ ସବୁ ଯେଉଁମାନେ କରିବା କଥା, ସେତେବେଳେ ସେମାନେ ସରକାରୀ ନିର୍ଦ୍ଦେଶରେ ନିଜ ଜୀବନର ସୁରକ୍ଷା ପାଇଁ ଥିବେ ସଙ୍ଗରୋଧ ବା ନିଃସଙ୍ଗବାସ କୁହାଯାଉଥିବା ଆଇସୋଲେଶନ ବା କ୍ୱାରାଣ୍ଟାଇନରେ। ନିଜ ମୁହଁରେ ନ କହିଲେ ବି ଅନୁଚ୍ଚାରିତ ଭାବେ ମହାଶୂନ୍ୟରେ ମିଳାଇ ଯାଉଥିବା ସେମାନଙ୍କ ଅନ୍ତରର କଥା- ”ଆମର ତୁମକୁ ଛୁଇଁବାର ନାହିଁ କି ଆମର ମରିବାର ନାହିଁ!!“
ପ୍ରଜ୍ଞାନିଳୟ, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri