ମୃତ ସମବାୟ ଦୀର୍ଘଜୀବୀ ହେଉ

ସହଦେବ ସାହୁ
ବିଲାତର ରାଜତନ୍ତ୍ର ବିଷୟରେ କୁହାଯାଏ କିଙ୍ଗ୍‌ ଇଜ୍‌ ଡେଡ୍‌, ଲଙ୍ଗ ଲିଭ୍‌ ଦି କିଙ୍ଗ୍‌ (ଏବେ କ୍ୱିନ୍‌)ା ‘ରାଜା ମଲେଣି, ରାଜା ଦୀର୍ଘଜୀବୀ ହୁଅନ୍ତୁ’। ସେମିତି କୋଅପରେଟିଭ୍‌ ବିଷୟରେ କୁହାଯାଏ, ଯାହାର ଓଡ଼ିଆ ହେଲା- ‘ସମବାୟ ମଲାଣି, ସମବାୟ ଦୀର୍ଘଜୀବୀ ହେଉ’। ଏହି ଉକ୍ତିଟି କିଙ୍ଗ୍‌ ବା କୋଅପରେଟିଭ୍‌ର ଉପକାରିତା ଉପରେ ଜୋର୍‌ ଦିଏ। ଏଚ୍‌ଡିଏଫ୍‌ସିର ଚେୟାରମ୍ୟାନ ଦୀପକ ପାଲିତ କହନ୍ତି, ସାଧାରଣ ଲୋକର ସଞ୍ଚୟ କିପରି ସୁରକ୍ଷିତ ରହିବ, ସେଥିଲାଗି କୌଣସି ମେକାନିଜମ୍‌ (ବ୍ୟବସ୍ଥା) ସରକାର କରିନାହାନ୍ତି। ସରକାର ଭୁଲି ଯାଉଛନ୍ତି, ଯେକୌଣସି ଦେଶର ଅର୍ଥନୀତି ସେ ଦେଶର ପାରିବାରିକ ସଞ୍ଚୟ (ହାଉସ୍‌ ହୋଲ୍ଡ ସେଭିଂସ୍‌) ଉପରେ ନିର୍ଭର କରେ। ବ୍ୟକ୍ତିଗତ ସଞ୍ଚୟର ଏଭଳି ବଡ଼ ଭୂମିକାକୁ ଭୁଲିଗଲେ ସରକାରଙ୍କ ଅର୍ଥନୀତିରେ ଅନର୍ଥ ଘଟିବ। ଅନ୍ୟ ପକ୍ଷରେ ସଞ୍ଚୟକାରୀମାନେ ଚାହାନ୍ତି ସେମାନଙ୍କ ସଞ୍ଚୟ ଉପରେ ନିଶ୍ଚିତ ଆୟ ମିଳୁ। ସୁଧ ତ ଦୂରର କଥା, ମୂଳ ବି ମିଳିବ ନାହିଁ ଜାଣିଲେ ସାଧାରଣ ଲୋକର ବ୍ୟାଙ୍କ ଉପରେ ଆସ୍ଥା ରହିବ ନାହିଁ। ସେତେବେଳେ ଲୋକେ ପ୍ରଶ୍ନ କରନ୍ତି କାହିଁକି କୋଅପରେଟିଭ ବ୍ୟାଙ୍କ ଖୋଲା ଯାଉଛି? କାହିଁକି ସେମାନଙ୍କୁ ବ୍ୟାଙ୍କିଙ୍ଗ ସିଷ୍ଟମ୍‌ର ମୁଖ୍ୟ ସ୍ରୋତରେ ରଖାଯାଉନାହିଁ? ତାହା ହିଁ ଘଟିିଛି ସମ୍ପ୍ରତି ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କ ହେରଫେର ଖବର ବାହାରିବା ପରେ। ଲୋକେ କହିବେ ଏ କୋଅପରେଟିଭ୍‌ଗୁଡାକ ମରିଯାଉ, କିନ୍ତୁ ସମାଜ-ଅର୍ଥନୀତିବାଲା କହିବେ କୋଅପରେଟିଭ ଦୀର୍ଘସ୍ଥାୟୀ ହେଉ। କାରଣ କୋଅପରେଟିଭ ବ୍ୟବସ୍ଥା କ୍ୟାପିଟାଲିଜମ୍‌ (ପୁଞ୍ଜିବାଦ)ର ବଦଗୁଣର ସମାଧାନ କରିପାରିବ।
ପିଏମ୍‌ସି ବ୍ୟାଙ୍କ୍‌ ୧୯୮୪ ଫେବୃୟାରୀ ୧୩ରେ ଏକ ବ୍ୟାଙ୍କ ରୂପେ ପ୍ରତିଷ୍ଠିତ ହେଲା। ସେତେବେଳେ କୌଣସି ବ୍ରାଞ୍ଚ ନ ଥିଲା, ଗତ ୩୫ ବର୍ଷ ଭିତରେ ୭ଟି ପ୍ରଦେଶରେ (ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ଗୋଆ, କର୍ନାଟକ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ) ୧୮୧୪ କର୍ମଚାରୀ ସହ ୧୩୭ ବ୍ରାଞ୍ଚ ଖୋଲିପାରିଛି ଏବଂ ଡିପୋଜିଟ୍‌ ପରିମାଣ ପ୍ରାୟ ୧୧୬୧୭.୩୪ କୋଟି କରିପାରିଛି। ୨୦୦୦ରେ ପିଏମ୍‌ସିକୁ ରିଜର୍ଭ ବ୍ୟାଙ୍କ ସିଡ୍ୟୁଲ୍ଡ (ସୂଚୀଭୁକ୍ତ) ବ୍ୟାଙ୍କ ପାହ୍ୟା ଦେଲା। ଦେଶର ଶୀର୍ଷରେ ଥିବା ୧୦ଟି କୋଅପରେଟିଭ୍‌ ବ୍ୟାଙ୍କ ଭିତରୁ ଏ ଗୋଟିଏ।
ପିଏମ୍‌ସି ବ୍ୟାଙ୍କର କ୍ରେଡିଟ୍‌ ଡିପାର୍ଟମେଣ୍ଟର ଦଳେ ମହିଳା କର୍ମଚାରୀ ଆର୍‌ବିଆଇର ପରିଦର୍ଶକ ଦଳକୁ କହିଦେଲେ ଯେ, ବ୍ୟାଙ୍କର ସଫ୍ଟଓ୍ବେରକୁ ହେରଫେର କରି ଜଣକୁ ବହୁତ ଋଣ ଦିଆଯାଇଥିବା ଘଟଣା ଲୁଚାଯାଇଛି। ଆର୍‌ବିଆଇ ଦେଖିଲା, ପିଏମ୍‌ସି ବ୍ୟାଙ୍କ ହାଉସିଂ ଡେଭଲପ୍‌ମେଣ୍ଟ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌ (ଏଚ୍‌ଡିଆଇଏଲ୍‌) ନାମକ ରିୟଲ ଇଷ୍ଟେଟ୍‌ ଡେଭଲପର୍‌ ବା ଜମିଜମାକାରବାରୀ ସଂସ୍ଥାକୁ ହଜାର ହଜାର କୋଟି ଟଙ୍କା ଋଣ ଦେବାର ସୁବିଧା କରିବା ଲାଗି ପ୍ରାୟ ୨୧୦୪୯ଟି ମିଛ କମ୍ପାନୀ ନାଁରେ ଆକାଉଣ୍ଟ ଖୋଲିଛି ଓ ସେମାନଙ୍କୁ ନୂଆ ପାସ୍‌ୱାର୍ଡ ଯୋଗାଇଛି; ତହିଁରେ ଅଛି ୪୪ଟି ଲୋନ୍‌ ଆକାଉଣ୍ଟ। ବ୍ୟାଙ୍କର ଏନ୍‌ପିଏ ପରିମାଣ ଅସମ୍ଭାଳ ହୋଇଥିବା ଦେଖି ଆର୍‌ବିଆଇ ଗ୍ରାହକମାନଙ୍କ ଉଠାଣ ସୀମା ନିର୍ଦ୍ଦିଷ୍ଟ କରିଦେଲା। ଏକଥା ଲୋକଙ୍କୁ ଜଣାପଡ଼ିଲା ପରେ ଗ୍ରାହକମାନେ ଜମାଟଙ୍କା ଉଠାଇ ନେବା ପାଇଁ ପିଏମ୍‌ସି ବ୍ୟାଙ୍କକୁ ଦୌଡିଲେ।
ପିଏମ୍‌ସି ବ୍ୟାଙ୍କ ଅଡିଟ୍‌ କଲାବେଳେ ଆର୍‌ବିଆଇ ଲକ୍ଷ୍ୟ କରିଥିଲା ଯେ ଗୋଟିଏ ସଂସ୍ଥା, ଏଚ୍‌ଡିଆଇଏଲ୍‌, ଲାଗ ଲାଗ ପ୍ରାୟ ୬୫୦୦ କୋଟି ଟଙ୍କା (ପିଏମ୍‌ସି ବ୍ୟାଙ୍କର ମୋଟ ଋଣ ଦେବା ସାମର୍ଥ୍ୟ ୮୮୮୦ କୋଟିର ଶତକଡା ୭୩ ଭାଗ) ଋଣ ନେଲାବେଳେ ତାହାର ଏନ୍‌ପିଏ କେତେ ଅଛି ଦେଖିଲା ନାହିଁ; କେବଳ ଜଣକୁ ଏତେ ଦେବା ବଡ଼ ଗର୍ହିତ କାର୍ଯ୍ୟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଚ୍‌ଡିଆଇଏଲ୍‌ କମ୍ପାନୀ-ଗୋଷ୍ଠୀର ୩୫୦୦ କୋଟି ଟଙ୍କାର ସମ୍ପତ୍ତି ସିଲ୍‌ କରିଛି। ଏଚ୍‌ଡିଆଇଏଲ୍‌ର ମୁଖ୍ୟ ରାକେଶ ୱାଧାୱାନ ଏବଂ ତାଙ୍କ ପୁଅ ସାରଙ୍ଗ ୱାଧାୱାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଦେୱାନ୍‌ ହାଉସିଂ ଫାଇନାନ୍ସ କର୍ପୋରେଶନ୍‌ ଲିମିଟେଡ୍‌ର ପ୍ରମୋଟର ଧୀରଜ୍‌ ୱାଧାୱାନ ଗ୍ୟାଙ୍ଗଷ୍ଟର ଇକ୍‌ବାଲ୍‌ ମେମନ (୨୦୧୩ରେ ମୃତ)ଙ୍କ ସନ୍ତ୍ରାସବାଦୀ ସଂସ୍ଥାକୁ ଅର୍ଥ ଯୋଗାଉଥିଲେ ବୋଲି ପୋଲିସ ପାଖରେ ଖବର ଅଛି। ଇକ୍‌ବାଲ୍‌ ମେମନଙ୍କ ଅନ୍ୟ ନାମ ଇକୱାଲ ମିର୍ଚ୍ଚି। ମିର୍ଚ୍ଚିଙ୍କ ସାଙ୍ଗ ହିମାୟୁନ ସୁଲେମାନ ମିର୍ଚ୍ଚି ସ୍ପେଶାଲ କୋର୍ଟଙ୍କୁ କହିଲେ ଯେ, ସେ ସବ୍‌ଲିଙ୍କ୍‌ ରିୟଲ ଇଷ୍ଟେଟ୍‌ କମ୍ପାନୀ ସହିତ କାରବାର କରିବା ପାଇଁ ୱାଧାୱାନ୍‌ଙ୍କଠାରୁ ୫ କୋଟି ନେଇଛନ୍ତି; ସବ୍‌ଲିଙ୍କ୍‌ କମ୍ପାନୀକୁ ଡିଏଚ୍‌ଏଫ୍‌ଏଲ୍‌ ୨୧୮୬ କୋଟି ଲୋନ୍‌ ଦେଇଛି। ମୃତ ମିର୍ଚ୍ଚି ସହିତ ସବ୍‌ଲିଙ୍କ୍‌ର ଜମି କାରବାର ଥିଲା।
ଏ କଥା କାହିଁକି ପିଏମ୍‌ସି ବ୍ୟାଙ୍କର ଅଡିଟ୍‌ ଫାର୍ମ ଧରିଲା ନାହିଁ? ବ୍ୟାଙ୍କର ଅଡିଟର୍‌ ଜୟେଶ ସାଂଘାଣୀ ଓ କେତନ ଲକଡୱାଲା ଉକ୍ତ ବ୍ୟାଙ୍କର ୫ଟି ଆର୍ଥିକ ବର୍ଷ (୨୦୧୪ରୁ ୨୦୧୯)ର ଅଡିଟ୍‌ କଲାବେଳେ କୌଣସି ପ୍ରତିକୂଳ ମନ୍ତବ୍ୟ ଦେଇନାହାନ୍ତି; ୨ ଜଣ ଷ୍ଟାଚୁଟୋରି ଅଡିଟର୍‌ଙ୍କ ପକ୍ଷରେ ଏହା ଏକ ଇଚ୍ଛାକୃତ ତ୍ରୁଟି ବୋଲି ଧରାଯାଉଛି। ପିଏମ୍‌ସି ବ୍ୟାଙ୍କର କରେଣ୍ଟ ଅଡିଟ୍‌ କରିଥିବା ଅର୍ଚ୍ଚିତା ଶାହ ଓ କମଳ ଶାହ (ଅର୍ଚ୍ଚିତା ଆଣ୍ଡ ଆସୋସିଏଟ୍‌ସ ସିଏ ଫାର୍ମର ଦୁହେଁ) ସାଙ୍ଘାଣିଙ୍କ ସୁପାରିସ କ୍ରମେ କରେଣ୍ଟ ଅଡିଟ୍‌ କରିଥିଲେ, ସେମାନଙ୍କୁ ମଧ୍ୟ ପୋଲିସ ଜେରା କରୁଛି। ଅଡିଟର୍‌ଙ୍କୁ ହାତ କଲେ ବ୍ୟାଙ୍କ ଟଙ୍କା ଚଳୁ କରିହେବ- ଏ ତ ରାଷ୍ଟ୍ରାୟତ୍ତ ଓ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ବି ଜାଣନ୍ତି, ତା’ଛଡା ହଜାର ହଜାର କୋଟି ଟଙ୍କାର ଏନ୍‌ପିଏକୁ ରାଇଟ୍‌ ଅଫ୍‌ (ଛାଡ଼) କରୁଛନ୍ତି। କୋଅପରେଟିଭ୍‌ ବ୍ୟାଙ୍କଗୁଡ଼ିକର କ୍ଷତି ତ ତୁଚ୍ଛ! ପାର୍ଲାମେଣ୍ଟରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଦେଶରେ ସୂଚୀଭୁକ୍ତ (ସିଡ୍ୟୁଲ୍ଡ) ୪୨ ବାଣିଜି୍ୟକ ବ୍ୟାଙ୍କ ୨୦୧୮-୧୯ରେ ୨.୧୨ଲକ୍ଷ କୋଟି ଟଙ୍କାର ଅନାଦେୟ ଋଣ ରାଇଟ୍‌ ଅଫ୍‌ କରିଛନ୍ତି, ଯାହା ୨୦୧୭-୧୮ (୧.୫ ଲକ୍ଷ)ଠାରୁ ୪୨% ଅଧିକ। ୨୦୧୪-୧୫ରେ ବ୍ୟାଙ୍କଗୁଡିକର ଏନ୍‌ପିଏ ୩.୨ ଲକ୍ଷ କୋଟି ରହିଥିଲା ବେଳେ ଗତ ୪ ବର୍ଷରେ ୩ ଗୁଣ ବଢି ୨୦୧୮-୧୯ରେ ୯.୪ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହା ତୁଳନାରେ ସମବାୟ ବ୍ୟାଙ୍କଗୁଡ଼ିକରେ ହେରଫେର ତୁଚ୍ଛ ମନେହୁଏ।
ସାହୁକାରମାନଙ୍କ ଅତ୍ୟଧିକ ସୁଧ ନେବା ମନୋବୃତ୍ତିକୁ ରୋକିବା ପାଇଁ ଊନବିଂଶ ଶତାବ୍ଦୀରେ ସମବାୟ ଋଣ ଆନ୍ଦୋଳନ ଆରମ୍ଭ ହେଲା। ୧୯୦୪ କୋଅପରେଟିଭ କ୍ରେଡିଟ ସୋସାଇଟିଜ୍‌ ଆକ୍ଟ ପାସ୍‌ ହେଲା। ୧୯୧୨ରେ ଏହାର ସଂଶୋଧନ ହୋଇଛି। କୋଅପରେଟିଭ ବ୍ୟାଙ୍କରେ ଜନତା ମାଲିକ ହୋଇଥିବାରୁ ବ୍ୟବସାୟ ଭଲ ହେବା କଥା। କିନ୍ତୁ ସେଥିରେ ପ୍ରଫେଶନାଲ ବୋର୍ଡ ନ ଥାଏ, ଜନତାର ବଳିଷ୍ଠ କାଣ୍ଡଜ୍ଞାନ ହିଁ ଯଥେଷ୍ଟ। ବ୍ୟାଙ୍କର ମେମ୍ବରମାନେ ଡାଇରେକ୍ଟରମାନଙ୍କୁ ନିର୍ବାଚିତ କରୁଥିବାରୁ ରାଜନୈତିକ ନେତାମାନେ ଏହାର ଫାଇଦା ଉଠାନ୍ତି। ସେମାନେ ନିର୍ବାଚନରେ ପ୍ରାର୍ଥୀ ହୋଇ ସମବାୟ ସମିତିଗୁଡିକୁ ନିଜ ଅକ୍ତିଆରକୁ ନେଇଯାଆନ୍ତି। ସମବାୟ ବ୍ୟାଙ୍କଗୁଡ଼ିକ ରାଜନେତାମାନଙ୍କର ଥଇଥାନ ସଂସ୍ଥା ହୋଇପଡିଥିବାରୁ କିଛି ଦେଣନେଣ ବଦଳରେ ତୋଷାମଦିଆ କୋଟିପତିଙ୍କୁ ବା ସାଙ୍ଗସାଥୀଙ୍କୁ ଋଣ ଯୋଗାଉଛନ୍ତି। ତେଣୁ କୋଅପରେଟିଭ ବ୍ୟାଙ୍କ କେଳେଙ୍କାରିର ଶିକାର ହେଉଛି।
ଇମେଲ୍‌ : sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri