ମିଛସତର ମଝିରେ ନାଚାର ଜୀବନ

ସୋନାମିକା ରାୟ

ଭାରତୀୟ ସଂସ୍କୃତି ବିଶ୍ୱର ପ୍ରାଚୀନତମ ସଂସ୍କୃତି ମଧ୍ୟରେ ଅନ୍ୟତମ। ବିଶାଳତା, ଉଦାରତା, ପ୍ରେମ, ସହିଷ୍ଣୁତା ଓ ନୈତିକତା ଆଦି ଗୁଣର ଡୋରରେ ବନ୍ଧାହୋଇଥିବା ଏହି ମହାନ୍‌ ଆର୍ଯ୍ୟସଂସ୍କୃତି ଅନନ୍ୟ ଓ ଅସାଧାରଣ। ଏକ ଉନ୍ନତ ସାମାଜିକ ମୂଲ୍ୟବୋଧ ଏହାର ଅସ୍ତିତ୍ୱ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମୟକ୍ରମେ ବିଶ୍ୱର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଶିଳ୍ପାୟନ, ସହରୀକରଣ, ବସ୍ତୁବାଦ, ବ୍ୟକ୍ତିବାଦ ଆଦି ଭାରି ଶବ୍ଦଗୁଡ଼ିକର ଆଗମନ ଆମର ସାମାଜିକ ମୂଲ୍ୟବୋଧକୁ କଳୁଷିତ କରିବାରେ ଲାଗିଛି। ପରିଣାମସ୍ବରୂପ ଏକ ଅବ୍ୟବସ୍ଥିତ ସାମାଜିକ ବ୍ୟବସ୍ଥାରେ ନିଜକୁ ଖାପ ଖୁଆଇବା ପାଇଁ ଆଜି ଏକ ଦୋହରା ଜୀବନ ବଞ୍ଚତ୍ବାର ଅଦମ୍ୟ ପ୍ରୟାସ ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ନିଜ ଘରେ ଘଟିଥିବା ଏକ ଘଟଣା ବିଷୟରେ ସାମାନ୍ୟ ଆଲୋକପାତ କରୁଛି। ଏକ ବ୍ୟସ୍ତବହୁଳ ଦିନ ପରେ ଘରେ ଆରାମ କରୁଥିବା ସମୟରେ ମୋ ଦଶବର୍ଷର ପୁଅ କହିଲା, ‘କେହି ଭଦ୍ରବ୍ୟକ୍ତି ଘରକୁ ଆସିଛନ୍ତି’। ହାଲିଆ ଯୋଗୁ ବାହାରକୁ ଯାଇ ଦେଖିବା ପାଇଁ ମନ ବଳିଲା ନାହିଁ। ପୁଅକୁ କହିଲି, ‘ଯା’ କହିଦେ, ମୁଁ ଘରେ ନାହିଁ’। ପୁଅ ସ୍ଥିରଦୃଷ୍ଟିରେ ମୋତେ ଅନାଇ କହିଲା, ‘ମିଛ କୁହ ନାହିଁ ବୋଲି ସବୁବେଳେ ଶିଖାଉଛ, ଅଥଚ ମିଛ କିପରି କହିବି ତାକୁ ମଧ୍ୟ ଶିଖାଉଛ’। ଦେହର ହାଲିଆ ମନକୁ ସଂକ୍ରମିତ ହେଲା। ଅଗତ୍ୟା ଉଠିଯାଇ ଭଦ୍ରବ୍ୟକ୍ତିଙ୍କୁ ଦେଖାକଲି। ମାତ୍ର ପୁଅର କଟାକ୍ଷ ମନକୁ ଭାରାକ୍ରାନ୍ତ କରି ରଖିଲା। ମନେମନେ ଭାବୁଥାଏ ଘରେ ଏହି ପଦିଏ ମିଛ ନୁହେଁ, ନିଜ ବୃତ୍ତିଗତ ଜୀବନରେ ଅବା ସମାଜରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ ସମୟରେ ଆମେ କେତେ ଯେ ନିଜର ମୂଲ୍ୟବୋଧ ସହିତ ସାଲିସ କରୁଛୁ, ତାହାର କଳନା ନାହିଁ। ପ୍ରତ୍ୟେକଙ୍କର ଘରୋଇ ଜୀବନ ଯେ ବାହ୍ୟଦୁନିଆ ତଥା ବୃତ୍ତିଗତ ଦୁନିଆଠାରୁ ସମ୍ପୂର୍ଣ୍ଣ ଭିନ୍ନ, ସେ କଥା ସମସ୍ତେ ନିଶ୍ଚୟ ଅନୁଭବ କରିଥିବେ।
ଭାବନ୍ତୁ ନିଜ ପିଲାଦିନର କଥା। ଘର, ପରିବେଶ, ବନ୍ଧୁବାନ୍ଧବ, ସାହିପଡ଼ିଶା, ସାଙ୍ଗସାଥୀଙ୍କ ସମ୍ପର୍କରେ କେତେ ମଧୁରତା ଥିଲା। ଆତ୍ମୀୟତାଭରା ଏକ ଭାବଗତ ସମ୍ବନ୍ଧରେ ଆମେ କେତେ ସହଜରେ ନିଜକୁ ବାନ୍ଧି ପାରୁଥିଲେ। ଗୁରୁଜନଙ୍କ ସ୍ନେହଶ୍ରଦ୍ଧାରେ ଆବିଳତା ନ ଥିଲା। ପଡ଼ୋଶୀମାନଙ୍କ ମଧ୍ୟରେ ସ୍ବାର୍ଥଗତ ନୁହେଁ, ବରଂ ଏକ ଭାବଗତ ସମ୍ବନ୍ଧ ଥିଲା। ସମାଜର ଆର୍ଥିକ ଓ ସାମାଜିକ ଉନ୍ନତି ତଥା ବ୍ୟକ୍ତିବାଦ ଓ ବସ୍ତୁବାଦର କାୟାବିସ୍ତାର ପିଲାଦିନେ ଶିଖିଥିବା ଏବଂ ଅନୁଭବ କରିଥିବା ଜୀବନତତ୍ତ୍ୱକୁ ପାଣିଫୋଟକା ପରି ମିଳେଇଦେଲା।
ସାମ୍ପ୍ରତିକ ସମାଜରେ ସାମାଜିକ ମୂଲ୍ୟବୋଧ ସ୍ଖଳନର ସମସ୍ତେ ଅଳ୍ପବହୁତେ ଭୁକ୍ତଭୋଗୀ। ପାଶ୍ଚାତ୍ୟ ସଂସ୍କୃତିର ଚାପ ତଥା ଉତ୍କଟ ଆଧୁନିକତାର ମାନସିକତା ଆମର ପାରମ୍ପରିକ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିଛି। ସଂସ୍କୃତିର ମୂଳଦଣ୍ଡ ବୋଲାଉଥିବା ଆତିଥେୟତା, ମାନବିକତା, ବନ୍ଧୁତା, ସହଯୋଗିତା, ସହଭାଗିତା ଆଦି ସ୍ବର୍ଗୀୟ ଶବ୍ଦଗୁଡ଼ିକ ନିଜର କାୟା ପରିବର୍ତ୍ତନ କରିଛନ୍ତି, ଯାହାର ପ୍ରଭାବ ଆମର ଭାଷା, ଖାଦ୍ୟପେୟ, ପୋଷାକପରିଚ୍ଛଦ, ଚିନ୍ତାଧାରା ଆଦି ପ୍ରତ୍ୟେକଟିରେ ଅନୁଭୂତ ହେଉଛି। ଯେପରି ଶାଢ଼ି ବଦଳରେ ଜିନ୍‌ସ ପିନ୍ଧିବା, ପିଠା ବଦଳରେ ପିଜା ଖାଇବା, ଜନ୍ମଦିନ ପାଳନରେ ପିଠାପଣା ବଦଳରେ କେକ୍‌ କାଟିବାକୁ ଗୁରୁତ୍ୱ ଦେବା, ବିଭିନ୍ନ ପର୍ବପର୍ବାଣି ପାଳନରେ ପାରମ୍ପରିକ ଶୈଳୀକୁ ଗୁରୁତ୍ୱ ନ ଦେବା ଆଦି ବହୁ ପରିବର୍ତ୍ତନ ସମ୍ବନ୍ଧରେ ଏଠାରେ ବ୍ୟାଖ୍ୟା କରାଯାଇପାରେ। ପରିବର୍ତ୍ତନଶୀଳ ସମାଜରେ ଏ ପ୍ରକାର ସାମାଜିକ ପରିବର୍ତ୍ତନ କେତେକାଂଶରେ ଗ୍ରହଣୀୟ ମଧ୍ୟ, ଯାହା ସାଂସ୍କୃତିକ ଅବକ୍ଷୟ ନୁହେଁ, ବରଂ ନୂତନ ସାମାଜିକ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମୋ ମତରେ ପ୍ରତ୍ୟେକ କ୍ଷେତ୍ରରେ ମୌଳିକତାକୁ ରକ୍ଷା କରୁଥିବା କୌଣସି ଯୁଗୋପଯୋଗୀ ପରିବର୍ତ୍ତନ ସ୍ବାଗତଯୋଗ୍ୟ। ମାତ୍ର ବିବେକୀ ଈଶ୍ୱରବିଶ୍ୱାସୀ ଅନ୍ତରାତ୍ମା ଯଦି ଏହାକୁ ଅଗ୍ରାହ୍ୟ କରୁଛି, ଅଥଚ କେବଳ ପାଶ୍ଚାତ୍ୟ ସଂସ୍କୃତି ସହିତ ତାଳ ଦେବା ଆଳରେ ଏବଂ ନିଜସ୍ବ ମାନସିକ ଦୃଢ଼ତାର ଅଭାବ ଯୋଗୁ ନିଜ ସଂସ୍କୃତି, ପରମ୍ପରାକୁ ନେଇ ଲଜ୍ଜାବୋଧ କରିବା ନିଶ୍ଚିତ ଭାବରେ ଏକ ଦୋହରା ବ୍ୟକ୍ତିତ୍ୱର ପରିଚୟ।
ଆସନ୍ତୁ ବିଚାର କରିବା ଆମର ବୃତ୍ତିଗତ ଜୀବନର କଥା। ମୋ ଅନୁଭୂତିରୁ ଏତିକି କହିପାରେ ଯେ, ବୃତ୍ତିଗତ ଜୀବନରେ କଠୋର ନୈତିକ ମୂଲ୍ୟବୋଧକୁ ଜାବୁଡ଼ି ଧରିଲେ ସାମୟିକ ବାହାବା ମିଳିପାରେ, ମାତ୍ର କେତେଦିନ ନିଜକୁ ଏକ ସୁରକ୍ଷା ବଳୟ ଭିତରେ ରଖିହେବ, ତାହାର କୌଣସି ଧାରଣା ନାହିଁ। ବରଂ ସତମିଛ କହି ପ୍ରତିଯୋଗିତାରେ ଶୀର୍ଷସ୍ଥାନରେ ପହଞ୍ଚତ୍ବାର ମୋହ ସମସ୍ତଙ୍କୁ ଘାରିଛି। ବିଭିନ୍ନ ପରିସି୍ଥତିିରେ ଉପରିସ୍ଥ ଅଧିକାରୀ, ରାଜନୈତିକ ନେତା ଅଥବା ନିଜର ସହକର୍ମୀ ପ୍ରତ୍ୟେକଙ୍କ ସହିତ ସାଲିସ କରୁକରୁ ବେଳେବେଳେ ନିଜ ବ୍ୟକ୍ତିତ୍ୱକୁ ମଧ୍ୟ ଚିହ୍ନିବା ମୁସ୍କିଲ୍‌ ହେଉଛି। ସ୍ବାର୍ଥାନ୍ଧ ଅର୍ଥକରୀ ସମାଜ ନିଜର ବ୍ୟକ୍ତିଗତ ଉନ୍ନତି ନିମନ୍ତେ ପ୍ରତିଯୋଗିତାରେ ମଗ୍ନ। ପ୍ରତିଷ୍ଠାର ଶିଡ଼ି ଚଢ଼ିଲାବେଳେ ବ୍ୟକ୍ତିଗତ ମୂଲ୍ୟବୋଧ ଯେ କେତେମାତ୍ରାରେ ତଳିତଳାନ୍ତ ହେଉଛି ତାହାର ସମୀକ୍ଷା କରିବା ପାଇଁ କାହାର ସମୟ ନାହିଁ କି ଇଚ୍ଛା ମଧ୍ୟ ନାହିିଁ। ବିଡ଼ମ୍ବନାର ବିଷୟ ଯେ, ସାମ୍ପ୍ରତିକ ସମାଜରେ ତୋଷାମଦକାରୀମାନେ ସମସ୍ତ ସଫଳତାର ଶ୍ରେୟ ଲାଭ କରୁଛନ୍ତି; ଆଉ ନୀତିନିଷ୍ଠମାନେ ଦଣ୍ଡିତ ହେଉଛନ୍ତି।
ପୌରାଣିକ ଯୁଗରେ ଭଲ ଓ ଖରାପର ସଂଜ୍ଞା ନିର୍ଦ୍ଦିଷ୍ଟ ଥିଲା। ପ୍ରତ୍ୟେକ ବ୍ୟକ୍ତିତ୍ୱ ନିଜର ପ୍ରକୃତ ସ୍ବରୂପ ନେଇ ଜନମାନସରେ ଚଳପ୍ରଚଳ ହେଉଥିଲେ ଏବଂ ଏକ ସହଜ ସରଳ ସାମାଜିକ ବ୍ୟବସ୍ଥାର ମଧ୍ୟ ପ୍ରଚଳନ ଥିଲା। ମାତ୍ର ଏବର ସାମାଜିକ ବ୍ୟବସ୍ଥାରେ ଖରାପ ଓ ଭଲର ସଂଜ୍ଞା ନିରୂପଣ ଏକବାରେ ଅସମ୍ଭବ। ଉତ୍ତମ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିଟି ଭଣ୍ଡ ଓ ପାଶବିକ ହୋଇପାରେ ଏବଂ ଦୁର୍ଦ୍ଦାନ୍ତ, ଦୁର୍ଦ୍ଧର୍ଷ ଦେଖାଯାଉଥିବା ବ୍ୟକ୍ତିଟି ଭିତରେ ଦେବତ୍ୱର ସତ୍ତା ମଧ୍ୟ ଥାଇପାରେ। ପିଲାମାନଙ୍କ ମନରେ ମାନବିକତା ପ୍ରତି ଶ୍ରଦ୍ଧା, ସମ୍ମାନ ଓ ବିଶ୍ୱାସକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ବ୍ୟକ୍ତିବିଶେଷରେ ଥିବା ଚାରିତ୍ରିକ ପାର୍ଥକ୍ୟକୁ ମଧ୍ୟ ଦର୍ଶାଇବାକୁ ହେବ। ଯାହା ଆମେ ଶିଖିଛେ ବା ଶିଖିଥିଲେ ଅବିକଳ ସେହିଭଳି ଶିକ୍ଷା ଆମର ଦାୟାଦମାନଙ୍କ ଜୀବନସଂଗ୍ରାମରେ ପଥପ୍ରଦର୍ଶକ ହେବା ଦିଗରେ ମୁଁ ସନ୍ଦିହାନ। ବରଂ ସ୍ଥାନ-କାଳ-ପାତ୍ର ବିଚାରି ଠିକ୍‌ ଅନୁପାତରେ ନୈତିକ ଶିକ୍ଷାର ବ୍ୟବହାର ଏବଂ ଏକ ଜଟିଳ ସାମାଜିକ ବ୍ୟବସ୍ଥାରେ ଖାପଖୁଆଇ ଚଳିବା ପାଇଁ ବ୍ୟାବହାରିକ ଜ୍ଞାନର ଶିକ୍ଷା ତଥା ଅଭ୍ୟାସ ସେମାନଙ୍କୁ ଜଗତଜୟୀ କରାଇବ।
ଏଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିଟି ମନେ ପଡ଼େ, ”ମୋର ମନେହୁଏ ଯେ ଜୀବନରେ ସତ୍ୟ ଛଡ଼ା ମିଥ୍ୟାର ଆବଶ୍ୟକତା ଆଦୌ ନାହିଁ।“ ସତ୍ୟ ପ୍ରତି ନିଷ୍ଠା ରହିଲେ ସବୁ କ୍ଷେତ୍ରରେ ତାହାର ପ୍ରୟୋଗ କରାଯାଇପାରିବ। ସତ୍ୟ ପ୍ରତି ଏକାନ୍ତ ନିଷ୍ଠା ମହାତ୍ମାଙ୍କ ପକ୍ଷରେ ସମ୍ଭବ ହୋଇପାରେ। କିନ୍ତୁ ଆମ ପରି ସାଧାରଣ ମାନବଟିଏ ସର୍ବଦା ସତ୍ୟ ପ୍ରତି ନିଷ୍ଠା ରଖି ଚଳିବା ସମ୍ଭବ ନୁହେଁ। ଅଳ୍ପବହୁତେ ସମସ୍ତେ ଆତ୍ମରକ୍ଷା ଓ ସ୍ବାର୍ଥରକ୍ଷା ପାଇଁ ମିଥ୍ୟାର ଆଶ୍ରୟ ନେବା ଅସ୍ବାଭାବିକ ନୁହେଁ। ବିବେକର ତାଡ଼ନାରେ ଆମେ ପଶ୍ଚାତ୍ତାପ କରୁ ସତ କିନ୍ତୁ ମନର ଆଗ୍ରହରେ ସେହି ଅନୁତାପ ପାଣିଫୋଟକା ପରି ଉଭେଇଯାଏ। ପାଶ୍ଚାତ୍ୟ ସଂସ୍କୃତି ଓ ସଭ୍ୟତାରେ ପରିପୁଷ୍ଟ ଆମର ମନ କିନ୍ତୁ ଆଜିର ଏ ଦୋହରାପଣିଆକୁ ବେଶ୍‌ ଆପଣେଇ ସାରିଛି। ଦ୍ୱନ୍ଦ୍ୱୀବୃତ୍ତିରେ ଏ ସମସ୍ତ ସୃଷ୍ଟି ଆକ୍ରାନ୍ତ, ଶ୍ରେୟୋନିଷ୍ଠା ଆସିବ କେମିତି? ‘ଚଳେଇ ନେଇ ପାରିଲେ ହେଲା’ ନ୍ୟାୟରେ ଆମେ ଚାଲିଛେ। ବ୍ୟକ୍ତିଗତ ଓ ପାରିବାରିକସ୍ତରରୁ ସାମାଜିକସ୍ତର ପର୍ଯ୍ୟନ୍ତ ଏ ଦୋହରାପଣ ରାଜତ୍ୱ କରିଚାଲିଛି, ଆଗକୁ ମଧ୍ୟ ଚାଲିବ, ଏଥିରେ ସନ୍ଦେହ ନାହିଁ। ସମୟଚକ୍ରରେ ସମାଧାନର ପନ୍ଥା ନିଶ୍ଚୟ ଫିଟିବ, ସେତେବେଳେ ଇତିହାସରେ ଏହି ଦୋହରାପଣିଆକୁ କିପରି ଉପସ୍ଥାପନ କରାଯିବ, ତାହା ଭବିଷ୍ୟତ ହିଁ କହିବ।
ମୋ : ୭୯୭୮୫୮୯୦୪୭


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri