ମାଛିଙ୍କ ଶୂକଦ୍ୱାରା ଘାଆ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଦିନକୁ ଦିନ ଅଧିକରୁ ଅଧିକ ଲୋକ ଆଣ୍ଟିବାୟୋଟିକ୍ସ-ପ୍ରତିରୋଧୀ ହୋଇଉଠୁଛନ୍ତି। ଅର୍ଥାତ୍‌ ସେମାନଙ୍କ ଦେହରେ ଆଣ୍ଟିବାୟୋଟିକ୍ସ କାମ କରୁନାହିଁ। ସାମାନ୍ୟ ଘାଆ ଭଲ ନ ହୋଇ ଧୀରେ ଧୀରେ ପୁରୁଣା ଓ ବଡ଼ ହୋଇ ସେମାନଙ୍କର ବଞ୍ଚିବା ଆଶା ହ୍ରାସ ପାଉଛି। ସର୍ଜନମାନେ ଏବେ ଉପାୟ ନ ପାଇ ହଜାର ବର୍ଷ ତଳର ପଦ୍ଧତି ‘ମ୍ୟାଗଟ୍‌ ଥେରାପି’ ଆପଣେଇବାକୁ ବସିଲେଣି। ମ୍ୟାଗଟ୍‌ ହେଉଛି ଲାର୍ଭା ବା ଶୂକକୀଟ ବା ମାଛି ପ୍ରଭୃତି କୀଟପତଙ୍ଗଙ୍କର ଡିମ୍ବ ଓ ପ୍ୟୁପାର ମଧ୍ୟବର୍ତ୍ତୀ ଅବସ୍ଥା। ଏହି ପଦ୍ଧତିର ଅନ୍ୟନାମ ହେଉଛି ବାୟୋସର୍ଜରୀ। ଏହି ପଦ୍ଧତି ଅନୁସାରେ ରୋଗୀର ଘାଆ ଭିତରକୁ କିଛି ଜୀବାଣୁମୁକ୍ତ ଶୂକକୀଟଙ୍କୁ ଛାଡ଼ିଦିଆଯାଏ। ସେମାନେ ମଲାଚର୍ମ ଓ ମଲାକୋଷଗୁଡ଼ିକୁ ଖାଇ ସଂକ୍ରମଣମୁକ୍ତ କରିଦିଅନ୍ତି ଓ ଘାଆ ଭଲ ହେବାରେ ସାହାଯ୍ୟ କରନ୍ତି।
ମାଛିମାନେ ବେଳେବେଳେ ମଣିଷ ଓ ପ୍ରାଣୀଙ୍କ ପଚା ଘାଆ ଉପରେ ଅଣ୍ଡା ଦିଅନ୍ତି। ସେ ଅଣ୍ଡାଗୁଡ଼ିକ ଫୁଟି ସେଥିରୁ ମ୍ୟାଗଟ୍‌ ବା ଲାର୍ଭା ବାହାରେ ଓ ସେମାନେ ସେଇ ଘାଆର ମଲାକୋଷଗୁଡ଼ିକ ଖାଇ ବଢ଼ନ୍ତି। କିନ୍ତୁ ମ୍ୟାଗଟ୍‌ ଥେରାପି ପାଇଁ ଅଧିକାଂଶ ସମୟରେ ଯେଉଁ ମାଛିର ଲାର୍ଭାକୁ ବ୍ୟବହାର କରାଯାଏ, ସେମାନେ ହେଉଛନ୍ତି ଗ୍ରୀନ୍‌ ବଟରଫ୍ଲାଇ ଓ ନର୍ଦର୍ନ ବ୍ଲୋଫ୍ଲାଇ। ଘାଆର ପ୍ରତି ବର୍ଗସେଣ୍ଟିମିଟର ପାଇଁ ୫ରୁ ୧୦ଟି ଲାର୍ଭା ପ୍ରୟୋଗ କରାଯାଏ ଏବଂ ସେମାନଙ୍କୁ ତାଙ୍କ କାମ କରିବା ପାଇଁ ୪୮ରୁ ୭୨ ଘଣ୍ଟା ଛାଡ଼ିଦିଆଯାଏ। ଏ ମେଡିସିନାଲ ମ୍ୟାଗଟ୍‌ମାନେ କେବେହେଲେ ସୁସ୍ଥ ଟିସୁକୁ ଖାଇବେ ନାହିଁ। ସେମାନଙ୍କ ସହଜାତ ସଂସ୍କାର ଅନୁସାରେ ସେମାନେ କେବଳ ପଚା ଘାଆ ମୃତ ଟିସୁଗୁଡ଼ିକୁ ହିଁ ଖାଇବେ। ସେତକ ଖାଇ ସାରିଲା ପରେ ବା ଘଆ ସଫା ହୋଇଗଲା ପରେ ସେମାନେ ତା’ ଭିତରୁ ବାହାରି ଏଣେ ତେଣେ ଚାଲିବେ। ଡାକ୍ତରମାନେ ଲକ୍ଷ୍ୟ କରିଛନ୍ତି ଯେ, ଏଇ ଶୂକକୀଟମାନେ ଏତେ ନିପୁଣ ଭାବରେ କେବଳ ନଷ୍ଟ ହୋଇଯାଇଥିବା ଟିସୁଗୁଡ଼ିକୁ ଦିନେ ଦୁଇଦିନ ଭିତରେ ସଫା କରିଦିଅନ୍ତି, ଯାହା ସର୍ଜନମାନେ ଅପରେଶନ କରି କରିପାରିବେ ନାହିଁ। ସେମାନଙ୍କ ଦେହରୁ ଏକପ୍ରକାର ଏଞ୍ଜାଇମ୍‌ ଝରେ ଯାହା ମଲା ଟିସୁଗୁଡ଼ିକୁ ତରଳାଇଦିଏ। ଏହାପରେ ଶୂକକୀଟ ତାହାକୁ ଖାଏ। ସେମାନେ ଖାଇ ମୋଟାସୋଟା ହୋଇଯିବା ପରେ ଦିନେ ଦୁଇଦିନ ଭିତରେ ସେମାନଙ୍କୁ ସହଜରେ ଘାଆରୁ କାଢ଼ି ବାହାର କରିହୁଏ ଘାଆକୁ ସଫା କରିଦେଇ ହୁଏ। ଶୂକକୀଟମାନେ ଏକପ୍ରକାର ପ୍ରାକୃତିକ ଆଣ୍ଟିବାୟୋଟିକ୍‌ ଏଜେଣ୍ଟ ଉତ୍ପନ୍ନ କରନ୍ତି, ଯାହାଦ୍ୱାରା ଘାଆରେ ଥିବା ଜୀବାଣୁମାନେ ମରିଯାଆନ୍ତି ଓ ଘାଆ ଶୀଘ୍ର ଭଲ ହୋଇଯାଏ। ପୁଣି ସେମାନେ ଏକ ପ୍ରକାର ରାସାୟନିକ କ୍ଷରଣ କରନ୍ତି, ଯାହାର ଜୀବାଣୁନାଶକ ପ୍ରଭାବ ରହିଛି। ସେମାନେ ମଧ୍ୟ ଆମୋନିଆ କ୍ଷରଣ କରନ୍ତି, ଯାହା ଘାଆକୁ ଅଧିକ କ୍ଷାରୀୟ କରିଦିଏ। ଏହାଦ୍ୱାରା ବୀଜାଣୁମାନେ ବଂଶବୃଦ୍ଧି କରିପାରନ୍ତି ନାହିଁ। ଅଧ୍ୟୟନରୁ ଜଣାପଡ଼ିଛି ଯେ, ମ୍ୟାଗଟ୍‌ମାନେ ଅନେକ ପ୍ରକାର ରୋଗକାରକ ବୀଜାଣୁଙ୍କୁ ମାରିଦିଅନ୍ତି। ବୀଜାଣୁମାନେ ମରିଯିବା ପରେ ସୁସ୍ଥ ଟିସୁ ବୃଦ୍ଧି ପାଏ ଓ ଘାଆ ଶୀଘ୍ର ଭଲ ହୋଇଯାଏ। ପୁରୁଣା ଘାଆ ବିଶେଷତଃ ଡାଇବେଟିକ୍‌ ଫୁଟ୍‌ ଅଲ୍‌ସର ପ୍ରଭୃତି ଭଲ କରିବାରେ ଏହି ପଦ୍ଧତି ସହାୟକ ହୁଏ। ଆଣ୍ଟିବାୟୋଟିକ୍ସ ଓ ସର୍ଜରି ଦ୍ୱାରା ଭଲ ନ ହେଲେ ଜୀବନନାଶକ କର୍ଣ୍ଣ ଅସ୍ଥି ସଂକ୍ରମଣ ଓ ଗ୍ୟାଙ୍ଗ୍ରିନ୍‌ ଭଲ କରିବା ପାଇଁ ମ୍ୟାଗଟ୍‌ ଥେରାପିର ସାହାଯ୍ୟ ନିଆଯାଏ। ଏହି ପଦ୍ଧତିରେ ଟ୍ୟୁମର ବା କ୍ୟାନ୍‌ସର ଘାଆ ଭଲ କରାଯାଇପାରିବ କି ନାହିଁ, ସେ ବିଷୟରେ ଏବେ ଗବେଷଣା ଚାଲିଛି।
ହଜାର ହଜାର ବର୍ଷ ତଳେ ଅଷ୍ଟ୍ରେଲିଆର ନେମ୍ବା ଆଦିବାସୀ, ମ୍ୟାନ୍‌ମାରର ପାହାଡ଼ିଆ ଲୋକ ଏବଂ କେନ୍ଦ୍ରୀୟ ଆମେରିକାର ମାୟା ଚିକିତ୍ସକମାନେ ମ୍ୟାଗଟ୍‌ ଥେରାପି ସାହାଯ୍ୟରେ ଚିକିତ୍ସା କରୁଥିବାର ପ୍ରମାଣ ରହିଛି। ଫ୍ରେଞ୍ଚ ସର୍ଜନ ଆମ୍ବ୍ରେଇସ୍‌ ପାରେ (୧୫୧୦-୧୫୯୦) ହେଉଛନ୍ତି ପ୍ରଥମ ଡାକ୍ତର ଯେ କି ଘାଆ ଭଲ କରିବାରେ ମାଛିମାନଙ୍କ ଲାର୍ଭାର ଉପଯୋଗିତା ବିଷୟରେ ଉଲ୍ଲେଖ କରିଥିଲେ। ନେପୋଲିଅନଙ୍କ ସର୍ଜନ ବାରନ ଡୋମିନିକ୍‌ ଜିନ୍‌ ଲାରେ (୧୭୬୬-୧୮୪୨), ଯେ କି ନେପୋଲିଅନଙ୍କ ସେନାରେ ଆହତମାନଙ୍କ ଚିକିତ୍ସା କରୁଥିଲେ, ସେ ଦେଖିଲେ ଯେ ନୀଳମାଛିଙ୍କ ଲାର୍ଭା ମୃତ ଟିସୁଗୁଡ଼ିକୁ ଖାଇ ଘାଆ ଭଲ କରିବାରେ ସାହାଯ୍ୟ କରୁଛନ୍ତି। ଆମେରିକୀୟ ଗୃହଯୁଦ୍ଧ ସମୟରେ ମେରିଲାଣ୍ଡର ସର୍ଜନ ଜନ ଫର୍ନୀ ଜାକାରିଆସ୍‌ (୧୮୩୭-୧୯୦୧) ମ୍ୟାଗଟ୍‌ ଚିକିତ୍ସା ସମ୍ବନ୍ଧରେ ଲିପିବଦ୍ଧ କରିଥିଲେ। ସେ ଏହି ପଦ୍ଧତିରେ ବହୁ ରୋଗୀଙ୍କୁ ଭଲ କରିଥିବା କଥା ଉଲ୍ଲେଖ କରିଛନ୍ତି।
କିନ୍ତୁ ସାଧାରଣତଃ ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ମ୍ୟାଗଟ୍‌ମାନେ ଅପରିଚ୍ଛନ୍ନ ଓ ସଂକ୍ରମଣକାରୀ। ଊନବିଂଶ ଶତାବ୍ଦୀର ଶେଷ ବେଳକୁ ପ୍ରାୟ କୌଣସି ଡାକ୍ତର ଏହି ପଦ୍ଧତିକୁ ସମର୍ଥନ କରୁ ନ ଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଖୋଲା ଘାଆଜନିତ ମୃତ୍ୟୁସଂଖ୍ୟା ୭୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଆଣ୍ଟିସେପ୍ଟିକ୍‌ ପଦ୍ଧତି ଆଦୌ କାମ କରୁ ନ ଥିଲା। ୧୯୧୭ରେ ଫ୍ରାନ୍ସର ମିଲିଟାରୀ ସର୍ଜନ ଓ୍ବିଲିୟମ୍‌ ବେର୍‌ ଘାଆ ଭଲକରିବା ପାଇଁ ମ୍ୟାଗଟ୍‌ ଥେରାପି ପ୍ରୟୋଗ କରିଥିଲେ। ଯୁଦ୍ଧ ପରେ ସେ ଜନ୍‌ ହପ୍‌କିନ୍ସ ବିଶ୍ୱବିଦ୍ୟାଳୟର ଅର୍ଥୋପେଡିକ୍‌ ସର୍ଜରୀ ବିଭାଗର ପ୍ରଫେସର ହେଲେ। ୧୯୨୯ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନ୍ୟ ଚିକିତ୍ସାରେ ଭଲ ହେଉ ନ ଥିବା ରୋଗୀମାନଙ୍କ କ୍ଷେତ୍ରରେ ସେ ମ୍ୟାଗଟ୍‌ ଥେରାପିର ପରୀକ୍ଷା କରିଥିଲେ। ୧୯୩୧ରେ ଘାଆ ଭଲ କରିବାରେ ମ୍ୟାଗଟ୍‌ ଥେରାପିର ଉପାଦେୟତା ଉପରେ ତାଙ୍କର ପ୍ରଥମ ବୈଜ୍ଞାନିକ ନିବନ୍ଧ ପ୍ରକାଶ କରିଥିଲେ।
୧୯୩୦ ଓ ୪୦ ଦଶକରେ ମ୍ୟାଗଟ୍‌ ଥେରାପି ବିଶେଷ ଲୋକପ୍ରିୟ ହେଲା। ୧୦୦୦ରୁ ଅଧିକ ଆମେରିକୀୟ, କାନାଡୀୟ ଓ ୟୁରୋପୀୟ ହସ୍ପିଟାଲରେ ଘାଆ ଭଲ କରିବା ପାଇଁ ମ୍ୟାଗଟ୍‌ ଥେରାପିର ପ୍ରଚଳନ ହେଲା। ଏହା ଉପରେ ୧୦୦ରୁ ଅଧିକ ନିବନ୍ଧ ମଧ୍ୟ ପ୍ରକାଶିତ ହେଲା। ତା’ପରେ ପେନ୍‌ସିଲିନ୍‌ ଓ ଆଣ୍ଟିବାୟୋଟିକ୍ସ ଆସିଗଲା ଏବଂ ସାରା ପୃଥିବୀରେ ଚିକିତ୍ସକମାନେ ମ୍ୟାଗଟ୍‌ ଥେରାପିକୁ ପରିତ୍ୟାଗ କଲେ। ୫୦ ଦଶକ ସୁଦ୍ଧା ଏହି ଚିକିତ୍ସା ପଦ୍ଧତିର ଅନ୍ତ ଘଟିଲା। କିନ୍ତୁ ୧୯୮୦ ଦଶକ ଶେଷ ବେଳକୁ ନିୟୁତ ନିୟୁତ ଲୋକ ପେନ୍‌ସିଲିନ ଓ ଆଣ୍ଟିବାୟୋଟିକ୍ସର ପ୍ରତିରୋଧୀ ହୋଇଉଠିଲେ। ପ୍ରେସର ଅଲ୍‌ସର ଓ ଡାଇବେଟିକ୍‌ ଫୁଟ୍‌ ଅଲ୍‌ସର ବୃଦ୍ଧି ପାଇବାକୁ ଲାଗିଲା ଏବଂ ଘାଆ ଭଲ କରିବା ପାଇଁ ଅନ୍ୟ କିଛି ପାରମ୍ପରିକ ବିକଳ୍ପ ଚିକିତ୍ସା ପଦ୍ଧତି ଉପଲବ୍ଧ ହେଲା ନାହିଁ। ଡାଇବେଟିକ୍‌ ଫୁଟ୍‌ ଅଲ୍‌ସର ୧୫ ପ୍ରତିଶତ ଡାଇବେଟିସ୍‌ ରୋଗୀଙ୍କଠାରେ ଦେଖାଗଲା। ଦେଢ଼ ନିୟୁତରୁ ଅଧିକ ଲୋକଙ୍କର ଫୁଟ୍‌ ଅଲ୍‌ସର ହେଲା ଏବଂ ବର୍ଷକୁ ପ୍ରାୟ ୭୦,୦୦୦ ଲୋକଙ୍କର ପାଦ କାଟିବାକୁ ପଡ଼ିଲା।
୧୯୮୯ରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଡାକ୍ତର ରୋନାଲ୍‌ଡ ଶର୍ମନ୍‌ ଓ ଏଡ୍‌ଓ୍ବାର୍ଡ ପେଚର ଆଣ୍ଟିବାୟୋଟିକ୍ସ ଦ୍ୱାରା ଭଲ ହେଉ ନ ଥିବା ରୋଗୀଙ୍କଠାରେ ମ୍ୟାଗଟ୍‌ ଚିକିତ୍ସାର ପୁନଃପ୍ରଚଳନ ଆରମ୍ଭ କଲେ। ଏହାଦ୍ୱାରା ଖୁବ୍‌ ସୁଫଳ ମିଳିଲା। ସେମାନେ ଦେଖାଇଦେଲେ ଯେ ଆଣ୍ଟିବାୟୋଟିକ୍ସ ଦ୍ୱାରା ଘାଆ ଭଲ ହେବାକୁ ଯେତିକି ଦିନ ଲାଗୁଛି, ଏହି ପଦ୍ଧତି ଦ୍ୱାରା ତା’ଠାରୁ ଯଥେଷ୍ଟ କମ୍‌ ଦିନରେ ଘାଆ ଭଲ ହୋଇଯାଉଛି। ମ୍ୟାଗଟ୍‌ ଥେରାପି ପରେ ଆଉ ଅଳ୍ପଦିନ ଆଣ୍ଟିବାୟୋଟିକ୍ସ ଦେବାକୁ ପଡ଼ୁଛି ଏବଂ ଏହାଦ୍ୱାରା ହାରାହାରି ଚାରି ସପ୍ତାହ କମ୍‌ ସମୟ ଭିତରେ ରୋଗ ଭଲ ହୋଇଯାଉଛି। ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଗୋଡ଼ କାଟିବା ପୂର୍ବରୁ ମ୍ୟାଗଟ୍‌ ଥେରାପି ପ୍ରୟୋଗ କଲେ ୪୦-୫୦ ପ୍ରତିଶତ ଲୋକଙ୍କର ଗୋଡ଼ କାଟିବାକୁ ପଡ଼ୁନାହିଁ। ବର୍ତ୍ତମାନ ସାରା ପୃଥିବୀରେ ଏହା ଏକ ମାନକ ଚିକିତ୍ସାରେ ପରିଣତ ହେଲାଣି। ବୈଷୟିକ ପ୍ରଗତି ଯୋଗୁ ମ୍ୟାଗଟ୍‌ ଚିକିତ୍ସାର ପୁନଃପ୍ରବର୍ତ୍ତନ ସମ୍ଭବ ହୋଇଛି। ୧୯୩୦ ଦଶକରେ ଜୀବାଣୁମୁକ୍ତ ମ୍ୟାଗଟ୍‌ ପାଇବା ଲାଗି ଯେଉଁ ସମସ୍ୟା ଥିଲା ଏହାଦ୍ୱାରା ସେ ସମସ୍ୟା ଦୂର ହୋଇପାରିଛି। ବର୍ତ୍ତମାନ ଉନ୍ନତ ଅଠାଯୁକ୍ତ ପଟି ଓ ସିନ୍ଥେଟିକ୍‌ ଫେବ୍ରିକ୍‌ ସାହାଯ୍ୟରେ ଘାଆ ଭିତରେ ମ୍ୟାଗଟ୍‌ଙ୍କୁ ଧରି ରଖିବା ସମ୍ଭବ ହୋଇପାରୁଛି। ବର୍ତ୍ତମାନ ସାରା ପୃଥିବୀରେ ଅନେକ ଲାବୋରେଟୋରି ଗଢ଼ିଉଠିଲାଣି ଯେଉଁମାନେ ଜୀବାଣୁମୁକ୍ତ ମେଡିସିନାଲ ମ୍ୟାଗଟ୍‌ ଯୋଗାଉଛନ୍ତି। ଏହି ପଦ୍ଧତିରେ ସର୍ଜରିଠାରୁ କମ୍‌ ଖର୍ଚ୍ଚ ହେଉଛି। ମଣିଷ ଛଡ଼ା ଏ ପୃଥିବୀରେ ସବୁ ପ୍ରାଣୀ ହେଉଛନ୍ତି ଉପକାରୀ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri