ମନୁଷ୍ୟକୃତ ଆଲୋକ ପ୍ରଦୂଷଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ପିଲା କାନ୍ଦିଲେ ତାକୁ ତୁନେଇବାକୁ ହେଉ ଅଥବା ସେ ନ ଶୋଇ ମା’କୁ ହଇରାଣ କରିବା ବିଷୟରେ ହେଉ, ମା’ମାନେ ଏହି ଅଝଟ ଶିଶୁ ପାଇଁ ଗୋଟିଏ ଗୀତ ମଧୁର ସ୍ବରରେ ବୋଲିଥାନ୍ତି –
”ଆ’ ଜହ୍ନମାମୁ ସରଗ ଶଶୀ,
ମୋ କାହ୍ନୁ କୋଳରେ ପଡ଼ ତୁ ଖସି।“
ରାତି ହୋଇଥିଲେ ପିଲାଟି କୋଳରେ ଗୋଟିଏ ଦର୍ପଣ ରଖି ଜହ୍ନ ଆଡକୁ ଆଙ୍ଗୁଠି ଦେଖାଇଥାନ୍ତି। କିନ୍ତୁ ଏମିତି ଦିନ ଆସିବ ଯେ, ମେଘମୁକ୍ତ ଆକାଶରେ ପୂର୍ଣ୍ଣମୀ ତିଥିରେ ମଧ୍ୟ ଆଉ ଜହ୍ନ ଦେଖାଯିବ ନାହିଁ। ତାରାମାନେ ବି। ଜହ୍ନ ଆକାଶରେ ଉଦୟ ହୋଇଥିଲେ ହୋଇଥାଉ, ମାତ୍ର ତାହା ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇଯିବ, ଦର୍ପଣ ଯେଉଁ ଆଡକୁ ମୁହାଁଇ ଯେତେ ଚେଷ୍ଟା କରନ୍ତୁ ନା କାହିଁକି।
ଚନ୍ଦ୍ରକୁ ଦୃଷ୍ଟାନ୍ତ ଭାବେ ନେଇ ସଂସ୍କୃତ ପଣ୍ଡିତମାନେ ଗୋଟିଏ ଶ୍ଳୋକ ଆବୃତ୍ତି କରିଥାନ୍ତି-
”ବରମେକୋ ଗୁଣୀ ପୁତ୍ରୋ ନ ଚ ମୂର୍ଖଶତାନ୍ୟପି।
ଏକଶ୍ଚନ୍ଦ୍ରସ୍ତମୋ ହନ୍ତି ନ ଚ ତାରାଗଣୋଽପି ଚ।ା“
ଏହି ନୀତିଶ୍ଳୋକରେ ଚନ୍ଦ୍ରର ଗୁଣଗାନ କରି ତାରାମାନଙ୍କୁ ଅପେକ୍ଷାକୃତ ଦୁର୍ବଳ ଭାବେ ଦେଖାଯାଇଛି। ଅବଶ୍ୟ ଏହା ଅନ୍ୟ ଅର୍ଥକୁ ସ୍ପଷ୍ଟ କରିବା ପାଇଁ, ଯଥା ଆକାଶରେ ଶତ ଶତ ନକ୍ଷତ୍ର ଥିଲେ ମଧ୍ୟ ଅନ୍ଧକାର ଦୂର ହୋଇ ନ ଥାଏ, ଯେମିତି ଅମାବାସ୍ୟାରେ। କିନ୍ତୁ ଚନ୍ଦ୍ର ଗୋଟିଏ ମାତ୍ର ହେଲେ ସୁଦ୍ଧା ଏହାର ଉପସ୍ଥିତି ପୃଥିବୀକୁ ତିଥି ଅନୁସାରେ ଆଲୋକିତ କରେ। ସେମିତି ଗୋଟିଏ ଗୁଣବାନ୍‌ ସନ୍ତାନ ସଂଖ୍ୟାଧିକ ମୂର୍ଖଙ୍କଠାରୁ ଅଧିକ ଶ୍ରେୟଃ। ତେବେ ପରିସ୍ଥିତି ଏମିତି ହେବାକୁ ଯାଉଛି ଯେ, ଏକ ବା ଅନେକ ମଧ୍ୟରେ ବାଛିବାକୁ ନ ଥିବ। ଉଭୟେ ଗାଏବ ହୋଇଯିବେ। ନିଃସନ୍ତାନ ଘରେ ଚନ୍ଦ୍ର (କୁଳଚନ୍ଦ୍ରମା) ଦେଖାଦେବେ ନାହିଁ ଧରାପୃଷ୍ଠରେ। ସେତେବେଳେ ଏହି ଶ୍ଳୋକକୁ ବୁଝିବ କିଏ? ତାରାମାନେ ମିଞ୍ଜି ମିଞ୍ଜି ଦେଖାଯାଉଥିଲେ ମଧ୍ୟ ସେମାନଙ୍କ ନିଜର ଆଲୋକ ଅଛି। ତେବେ ଚନ୍ଦ୍ରର ନିଜ ଆଲୋକ ନ ଥାଇ ସୂର୍ଯ୍ୟଙ୍କ ପ୍ରତିଫଳିତ କିରଣରୁ ଉଜ୍ଜ୍ୱଳ ଦେଖାଯାଏ। ମାତ୍ର ନକ୍ଷତ୍ରମାନେ ଅତିଶୟ ଦୂରରେ ଥିବା ଯୋଗୁ ଏମିତି କ୍ଷୀଣ ପ୍ରତୀତ ହେଉଛନ୍ତି। ବାସ୍ତବରେ ସେମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ସୂର୍ଯ୍ୟ। ଯାହାହେଉ ପିଲାମାନେ ଗାଉଥିବା କବିତା (ରାଇମ୍‌)ରେ ଲୋକପ୍ରିୟ ଭାବେ ତାରାମାନଙ୍କ ସୌନ୍ଦର୍ଯ୍ୟ ପ୍ରକାଶିତ ହୋଇଛି। ଯଥା-
”ଟ୍ବିଙ୍କଲ୍‌ ଟ୍ବିଙ୍କଲ ଲିଟଲ୍‌ ଷ୍ଟାର,
ହାଓ ଆଇ ଓ୍ବଣ୍ଡର ହ୍ବାଟ୍‌ ୟୁ ଆର୍‌,
ଅପ୍‌ ଏବଭ୍‌ ଦି ଓ୍ବାଲର୍‌ଡ ସୋ ହାଇ
ଲାଇକ୍‌ ଏ ଡାଇମଣ୍ଡ୍‌ ଇନ୍‌ ଦ ସ୍କାଇ।“
ବିଦ୍ୟାରମ୍ଭ ପରେ ପରେ ଏହି ଗୀତଟି ଆବୃତ୍ତି କରିବାରେ ପିଲାଏ ଆନନ୍ଦିତ ହୁଅନ୍ତି। ଆକାଶର ତାରାଗଣଙ୍କୁ ଦେଖି ମୁଗ୍ଧ ହୁଅନ୍ତି। କିନ୍ତୁ ଆଉ କେତେ ବର୍ଷ ପରେ ଏହା କ’ଣ ସମ୍ଭବ? ସେମାନଙ୍କୁ ଲାଗିବ ଏହି ଗୀତଟି ଅପ୍ରାସଙ୍ଗିକ।
ସମ୍ପତ୍ତି କ୍ରୟ ବିକ୍ରୟ ଦଲିଲରେ ‘ଯାବତ୍‌ ଚନ୍ଦ୍ରାର୍କ’ ବାକ୍ୟାଂଶଟି ବ୍ୟବହୃତ ହୁଏ, ଏଥିପାଇଁ ଯେ ଚନ୍ଦ୍ରସୂର୍ଯ୍ୟ ଆକାଶରୁ କେବେ ହଟିବେ ନାହିଁ ଓ ବିକ୍ରି ସମ୍ପତ୍ତିଟି ସେମିତି ସୁରକ୍ଷିତ ରହିବ। ମାତ୍ର ଆଗକୁ ଏହାର ବ୍ୟବହାର ପ୍ରଶ୍ନବାଚୀ ହେବ।
ଏହାର ରହସ୍ୟ ଜାଣିବାକୁ ଆମେ ଭବିଷ୍ୟତକୁ ଆଖିଆଗରେ ରଖି ବିଶ୍ଳେଷଣ କରିବା। ଏହାର ପ୍ରକୃତ କାରଣ ହେଉଛି ମନୁଷ୍ୟକୃତ ଆଲୋକ ପ୍ରଦୂଷଣ।
ଆଲୋକ ପ୍ରଦୂଷଣ ଯେ କ୍ରମେ ଗମ୍ଭୀରତା ଆଡକୁ ମୁହାଁଉଛି, ଏହା ଜଳ ଜଳ ଦେଖାଯାଉଛି।
ଜୁନ୍‌ ୨୦୧୯ର ପ୍ରଥମ ଭାଗରେ ତାମିଲନାଡୁ ସରକାର ଗୋଟିଏ ନିଷ୍ପତ୍ତି ଘୋଷଣା କଲେ ଯେ, ଏଣିକି ଚେନ୍ନାଇର ଦୋକାନୀମାନେ ଚାହିଁଲେ ୨୪x୭ ଅହର୍ନିଶ ଦୋକାନ ଖୋଲା ରଖିପାରିବେ। ଏହି ଆଦେଶ ୩ବର୍ଷ ପାଇଁ ଲାଗୁହେବ। ପୂର୍ବରୁ କେନ୍ଦ୍ରୀୟ ଶ୍ରମ ଓ କର୍ମଯୋଗାଣ ମନ୍ତ୍ରଣାଳୟ ‘ଶପ୍ସ ଆଣ୍ଡ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ (ରେଗୁଲେଶନ ଅଫ୍‌ ଏମ୍ପ୍ଲୟମେଣ୍ଟ ଆଣ୍ଡ୍‌ କଣ୍ଡିସନ୍ସ ଅଫ୍‌ ସର୍ଭିସ ବିଲ୍‌), ୨୦୧୬’ ଜରିଆରେ ରାଜ୍ୟଗୁଡ଼ିକୁ ଅନୁମତି ଦେଇ ସାରିଥିଲେ ଯେ ସେମାନେ ନିଜର ଚାହିଦା ମୁତାବକ ଉକ୍ତ ବିଲ୍‌ ଅନୁରୂପ ଅଥବା ପରିବର୍ତ୍ତନ ସହ ଏହା କାର୍ଯ୍ୟକାରୀ କରିପାରିବେ।
ଏହାର ଫଳସ୍ବରୂପ ଆଇନ ଶୃଙ୍ଖଳା ଆଳରେ ପୋଲିସମାନେ ଆଉ ବ୍ୟବସାୟୀମାନଙ୍କୁ ହଇରାଣ କରିପାରିବେ ନାହିଁ। ସ୍ଥାନୀୟ ଅଞ୍ଚଳର ଏହି ଯୋଜନା ଦ୍ୱାରା ଅର୍ଥନୀତି ସୁଦୃଢ଼ ହେବ। ରାତିରେ ଦୋକାନ-ବଜାରରେ ଲୋକଙ୍କ ଭିଡ଼ ଓ ରାସ୍ତାର ଗହଳ ଚହଳ ଯୋଗୁ ଅପରାଧ ସଂଖ୍ୟାରେ ହ୍ରାସ ଘଟିବ। ଅବଶ୍ୟ ଏହି ଆଦେଶରେ ଦଶ ବା ତଦୂର୍ଦ୍ଧ୍ୱ କର୍ମଚାରୀ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକ କେବଳ ଅନ୍ତର୍ଭୁକ୍ତ ହୋଇଥିବାରୁ ଛୋଟ ବେପାରୀମାନେ ଏହି ସର୍ତ୍ତ ଉଠାଇଦେବାକୁ ଦାବି କରୁଛନ୍ତି।
ତେବେ ଲକ୍ଷ୍ୟ କରିବା କଥା ଯେ, ଏହି ଆଦେଶଟିକୁ ମୋଟାମୋଟି ଭାବେ ବିକ୍ରେତା ଓ ଗ୍ରାହକମାନେ ସ୍ବାଗତ କରୁଛନ୍ତି। ସରକାର ପ୍ରାଥମିକ ପଦକ୍ଷେପ ଭାବେ ଚେନ୍ନାଇକୁ ବାଛିଛନ୍ତି। କିନ୍ତୁ ପରେ ଅନ୍ୟ ସହରଗୁଡ଼ିକୁ ଏଥିପାଇଁ ସୁଯୋଗ ଦେବେ।
ହୁଏ ତ ଆମ ଦେଶ ପାଇଁ ଏହା ହଠାତ୍‌ ବିଚିତ୍ର ଲାଗିପାରେ। କିନ୍ତୁ ବିଦେଶରେ ଏହା ପୂର୍ବରୁ ପ୍ରଚଳିତ ହୋଇଛି। ଉଦାହରଣ ଭାବେ ଜାପାନର ସୁଲଭ ଦୋକାନଗୁଡ଼ିକୁ ନିଆଯାଇପାରେ। ଦିନରାତି ଖୋଲା ରହୁଥିବା ଏହି ଛୋଟବଡ଼ ଦୋକାନଗୁଡ଼ିକୁ ‘କୋମ୍ବିନି’ ବୋଲି ନାମିତ କରାଯାଇଛି। ସେଠାରେ ଜନ୍ମସଂଖ୍ୟାରେ ହ୍ରାସ ଘଟୁଥିବା ବେଳେ ଲୋକମାନେ ଦୀର୍ଘାୟୁ। ତେଣୁ ଶ୍ରମିକ ସମସ୍ୟା ଉତ୍କଟ। ଏହି ପରିବେଶରେ କୋମ୍ବିନିଗୁଡ଼ିକ କେବଳ ଜିନିଷପତ୍ର ସଉଦା ପାଇଁ ନୁହେଁ, ସେଠାରେ ବହୁବିଧ କାର୍ଯ୍ୟ ଯଥା ଜେରକ୍ସିଂ, ଡାକ, ଯୋଗାଯୋଗ ଇତ୍ୟାଦି ସକାଶେ ବ୍ୟବସ୍ଥା ରହିଛି। ପୂର୍ବ
ଓସାକା ସିଟି ଏଥିପାଇଁ ବିଶ୍ୱବିଖ୍ୟାତ।
ଏହି ବଜାର-ସଭ୍ୟତା ଦିନକୁ ଦିନ ଚତୁର୍ଦ୍ଦିଗରେ ପ୍ରସାରିତ ହେଉଛି। ତା’ ସହ ରାତିରେ ଶାନ୍ତ ଅନ୍ଧାର ଅଦୃଶ୍ୟ ହେବାରେ ଲାଗିଛି। ଦିନବେଳେ ସୂର୍ଯ୍ୟକିରଣରେ ଆମେ ଯେମିତି କୃତ୍ରିମ ଆଲୋକଉତ୍ସ ବିନା ଚଳପ୍ରଚଳ କରୁଛେ, ଏଣିକି ରାତିରେ ମଧ୍ୟ ଦୋକାନଗୁଡ଼ିକର ତୀବ୍ର କୃତ୍ରିମ ଆଲୋକ ଚତୁର୍ଦ୍ଦିଗରେ ବିଛାଡି ହୋଇ ପଡୁଥିବାରୁ ଏହା ସେହି ପ୍ରକାର ପରିସ୍ଥିତି ସୃଷ୍ଟି କରିବ। ଯେଉଁଆଡ଼ ଦେଖିବ ଉଜ୍ଜ୍ୱଳ ହିଁ ଉଜ୍ଜ୍ୱଳ।
ଏମିତିରେ ଖାଲି ଆଖିରେ ଚନ୍ଦ୍ରତାରାମାନେ ନିଜ ତେଜ ହରାଇଥିବା ପରି ମନେ ହେବ। ସେମାନଙ୍କୁ ଆକାଶରେ ଠାବ କରିବା ଆଉ ସହଜ ହେବନାହିଁ।
ଭକ୍ତକବି ମଧୁସୂଦନ ରାଓ ଲେଖିଥିଲେ-
”ଆକାଶ ଦିଶେ କି ସୁନ୍ଦର,
ତାହାକୁ ରଚିଲେ ଈଶ୍ୱର।
ଈଶ୍ୱର ଦୟାର ସାଗର
ତାଙ୍କର ମହିମା ସୁମର।“
ଆଗାମୀ ଦିନରେ ଆକାଶକୁ ଚାହିଁଲେ ଚତୁର୍ଦ୍ଦିଗରେ ଦେଖାଯିବ ଗୋଟିଏ ଧଳା ପରଦା, ଆଉ ଆକାଶର ସୁଷମା ରହିବ ତ?
ଆମେ ସିନେମା ହଲ୍‌କୁ ଯାଉ ରୁପେଲି ପରଦାରେ ବିଭିନ୍ନ ଲୀଳାଖେଳା ଦେଖିବାକୁ। କିନ୍ତୁ ରୁପେଲି ପରଦା ଯଦି ସାରା ତିନିଘଣ୍ଟା ଫିଲ୍ମର ଅବଧିରେ କେବଳ ଧଳା ରହିବ, ସେଠାକୁ କାହିଁକି କିଏ ଯିବ? ଏତେ ସୁନ୍ଦର ଆକାଶ ଆଲୋକ-ପ୍ରଦୂଷଣରୁ ଖଣ୍ଡେ ଧଳା ଶାଢି ପିନ୍ଧିବା ପରି ଲାଗିବ- ଯେମିତି ପୂର୍ବକାଳରେ ବିଧବାମାନଙ୍କ ବେଶ ରହୁଥିଲା। ହେ ଭଗବାନ୍‌! ଆମକୁ ତୁମର ସୁନ୍ଦର ସୃଷ୍ଟିକୁ ବିବର୍ଣ୍ଣ ନ କରିବାର ଶକ୍ତି ଓ ସାମର୍ଥ୍ୟ ଦିଅ।
ମୋ-୯୪୩୭୦୨୬୬୫୧


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri