ଭିନ୍ନ ପ୍ରକାର ସନ୍ତ୍ରାସବାଦ

ବିପିନ ବିହାରୀ ମିଶ୍ର

ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ଓ ମହାରାଷ୍ଟ୍ରରେ ବର୍ତ୍ତମାନ ପରିସ୍ଥିତିରେ ସନ୍ତ୍ରାସବାଦ ଶବ୍ଦ ଶୁଣିବା ମାତ୍ରେ ସର୍ବସାଧାରଣଙ୍କ ମନକୁ ଆସିଯାଏ ମାଓବାଦୀଙ୍କ ଉପଦ୍ରବ। ଏହି ସରକାରମାନେ ପରସ୍ପର ସହିତ ସମନ୍ବୟ ରଖି ମାଓବାଦୀଙ୍କ ସହିତ ଲଢ଼େଇ କରି ଆସୁଛନ୍ତି ଏବଂ ସେମାନଙ୍କ ଉପଦ୍ରବ କମିବାରେ ଲାଗିଛି। କଶ୍ମୀରରେ ପାକିସ୍ତାନ ପ୍ରରୋଚିତ ସନ୍ତ୍ରାସବାଦ ୧୯୯୦ ମସିହାରୁ ଲାଗିରହିଛି। କିନ୍ତୁ ଏବେ ପୋଲିସ, ସାମରିକ, ଅର୍ଦ୍ଧସାମରିକ ବାହିନୀ ଓ ବିଭିନ୍ନ ଗୁଇନ୍ଦା ବିଭାଗର ମିଳିତ ଚେଷ୍ଟାରୁ ସନ୍ତ୍ରାସବାଦର ମାତ୍ରା କମୁଛି। କଶ୍ମୀର ଉତ୍ତର-ପୂର୍ବର କେତୋଟି ରାଜ୍ୟ ଯଥା ଅରୁଣାଚଳ, ଆସାମ, ମଣିପୁର ଓ ନାଗାଲାଣ୍ଡ ଇତ୍ୟାଦିରେ କାଁ ଭାଁ ସନ୍ତ୍ରାସବାଦ ଦେଖାଦେଉଛି। ଏହି ସମସ୍ତ ସନ୍ତ୍ରାସବାଦୀଙ୍କର କାର୍ଯ୍ୟ ହେଉଛି ନିରୀହ ଜନତା ଓ ସରକାରୀ ଅଫିସର, ପୋଲିସ, ସାମରିକ, ଅର୍ଦ୍ଧସାମରିକ ବାହିନୀର ସଦସ୍ୟମାନଙ୍କୁ ମାରିବା, ଭୟ ସୃଷ୍ଟି କରିବା ଓ କେତେକ ସ୍ଥାନ ନିଜ ଦଖଲରେ ରଖିବା। ଏମିତି ଅଳ୍ପକେତେକ ସ୍ଥାନ ଅଛି ଯେଉଁ ସ୍ଥାନକୁ ସୁରକ୍ଷାକର୍ମୀଙ୍କ ବିନା ସହାୟତାରେ ଯାଇହେବ ନାହିଁ। ସନ୍ତ୍ରାସବାଦୀଙ୍କ ଶିକାର ହୋଇଛନ୍ତି ସ୍ବର୍ଗତ ରାଜୀବ ଗାନ୍ଧୀ ଓ ସେମାନଙ୍କ ପ୍ରରୋଚନାରେ ଶିକାର ହୋଇଛନ୍ତି ସ୍ବର୍ଗତା ଇନ୍ଦିରା ଗାନ୍ଧୀ।
ବିଶ୍ୱର ଅନେକ ସ୍ଥାନରେ ସନ୍ତ୍ରାସବାଦ ରାଜୁତି କରୁଛି ଓ ବର୍ତ୍ତମାନ ସନ୍ତ୍ରାସବାଦର ମୁଖ୍ୟକେନ୍ଦ୍ର ହୋଇଛି ପାକିସ୍ତାନ। ଭାରତ, ଆଫଗାନିସ୍ତାନ, ଇରାନ ଏହି ସନ୍ତ୍ରାସବାଦ ବିରୋଧରେ ଲଢୁଛନ୍ତି। ଆମେ ଏଇ ପ୍ରକାର ବିଦେଶୀ ସନ୍ତ୍ରାସବାଦୀ ଓ ଆମ ଦେଶର ସନ୍ତ୍ରାସବାଦୀଙ୍କ ସହିତ ଲଢେଇ କରୁଛୁ। ସମସ୍ୟାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ଅଥଚ ଆମ ସମାଜ ଓ ସରକାରୀ କଳରେ ପ୍ରଚଳିତ ସନ୍ତ୍ରାସବାଦ (ଭିନ୍ନପ୍ରକାର)କୁ ସେତିକି ଗୁରୁତ୍ୱ ଦିଆଯାଉନି।
ନିକଟ ଅତୀତରେ ଉତ୍ତର ଭାରତର ଏକ ବିଖ୍ୟାତ ମେଡିକାଲ କଲେଜରୁ ଚାରିପାଞ୍ଚ ଜଣ ଉଜ୍ଜ୍ୱଳ ଛାତ୍ର ପଳେଇଯିବା ପାଇଁ ବାଧ୍ୟ ହେଲେ। ସେମାନେ ଏମ୍‌ବିବିଏସ୍‌ କରି ଯାଇଥିଲେ ପଢ଼ିବା ପାଇଁ ଏମ୍‌ଡି କିମ୍ବା ଏମ୍‌ଏସ୍‌ କିନ୍ତୁ ଦେଖିଲା ବେଳକୁ ପ୍ରାୟ ସବୁ ପ୍ରଫେସର (ଡାକ୍ତର) ସିନିୟର ପିଲାଙ୍କୁ ପଠାଉଛନ୍ତି ତାଙ୍କର ବେନାମୀ କ୍ଲିନିକ୍‌କୁ କାମ କରିବା ପାଇଁ ଓ ଜୁନିୟରମାନଙ୍କୁ ନିଜ ପାଠ ସହିତ ସିନିୟରମାନଙ୍କ କାମ କରିବା ପାଇଁ ବାଧ୍ୟ କରୁଛନ୍ତି। ଏହି ଅନ୍ୟାୟ ଆଦେଶ ପାଳନ ନ କଲେ ତୁମେ ଜୀବନରେ କେବେ ଡାକ୍ତର ହୋଇପାରିବ ନାହିଁ ବୋଲି ସିନିୟରମାନେ ଧମକ ଦେଉଛନ୍ତି। ଜଣେ ଛାତ୍ରଙ୍କ ବାପା ପ୍ରଫେସରଙ୍କୁ ଦେଖାକରି ଅଭିଯୋଗ କରିବାରୁ ସେ ଓଲଟି କହିଲେ ପିଲା ଅଧିକ ଅଭିଜ୍ଞତା ପାଇବ, ଦୃଢ଼ ହେବ, ଅଯଥା ଅଭିଯୋଗ କାହିଁକି କରୁଛନ୍ତି। ଏଣେ ପିଲା ଯେ ଦିନକୁ ଅଠର ଘଣ୍ଟା କାମ କରୁଛି, ଖାଇବା ପାଇଁ ହଷ୍ଟେଲକୁ ଯାଇପାରୁନାହିଁ। ଖରାଦିନ ହେଲେ ମଧ୍ୟ ଗାଧୋଇ ପାରୁନାହିଁ। ଏସବୁ ଉକ୍ତ ପ୍ରଫେସରଙ୍କ ପାଇଁ ଗ୍ରହଣୀୟ। ସେ ପିଲାଟି ଟି.ସି. ନେଇ ପଳେଇଲା। ସେ ଆରବର୍ଷ ଆଉ କେଉଁଠି ଆଡମିଶନ ପାଇବ କାରଣ ସେ ବେଶ୍‌ ଉଜ୍ଜ୍ୱଳ ଛାତ୍ର। କିନ୍ତୁ ପ୍ରଫେସରଙ୍କ ସନ୍ତ୍ରାସବାଦର ଶିକାର ହେବାରୁ ତା’ର ବର୍ଷେ ନଷ୍ଟ ହେଲା। ତା’ ଛଡା କଲେଜକୁ ଚାରିଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିଲା।
ବିଭିନ୍ନ କଲେଜ ବିଶେଷତଃ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ର଼୍ୟାଗିଂ ହେବା ଏକ ଜଣାଶୁଣା କଥା। କଲେଜ କର୍ତ୍ତୃପକ୍ଷ ଆଖି ବୁଜି ଦିଅନ୍ତି ଓ ସଫେଇ ଦିଅନ୍ତି ଯେ ଏ ବର୍ଷ ର଼୍ୟାଗିଂ ସହିଯାଆନ୍ତୁ ଆରବର୍ଷ ସେମାନେ କରିବେ। ଏଭଳି ର଼୍ୟାଗିଂ ସମ୍ଭାଳି ନ ପାରି ନିକଟ ଅତୀତରେ ମହାରାଷ୍ଟ୍ରରେ ଜଣେ ଛାତ୍ରୀ ଆତ୍ମହତ୍ୟା କଲା ଓ ତା’ର ଆତ୍ମହତ୍ୟାର ଲେଖାକୁ ଭିତ୍ତିକରି ପୋଲିସ ତିନିଜଣ ବରିଷ୍ଠ ମହିଳା ଡାକ୍ତରଙ୍କୁ ଗିରଫ କରିବାକୁ ଖୋଜୁଛନ୍ତି। କିଛିମାସ ତଳେ ଓଡ଼ିଶାର ଏକ ମେଡିକାଲ କଲେଜର କେତେକ ଛାତ୍ର ପ୍ରଫେସର ତାଙ୍କୁ ପାଠ ନ ପଢ଼େଇ ତାଙ୍କ କ୍ଲିନିକ୍‌ରେ କାମ କରାଉଛନ୍ତି କହି ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ତଦନ୍ତ ହୋଇ ଡାକ୍ତରଙ୍କ ବଦଳି ହୋଇଥିଲା। ତା’ପରେ କ’ଣ ହେଲା ଜଣା ନାହିଁ। ରୋଗୀଙ୍କୁ ଡରେଇ ଅତ୍ୟଧିକ ପଇସା ଆଦାୟ କରିବା କାମ ମଧ୍ୟ କେତେକ ଡାକ୍ତର କରୁଛନ୍ତି। ଅସ୍ତ୍ରୋପଚାର କରିବେ ନାହିଁ ଓ ରୋଗୀକୁ ଶୁଣେଇ ଶୁଣେଇ କହିବେ ଡାକ୍ତରଖାନାର ଅଧସ୍ତନ କର୍ମଚାରୀ (ଡାକ୍ତରଙ୍କ ପ୍ରରୋଚନାରେ)- ଆରେ ଅମୁକ ବେଡରେ ସେ ପେସେଣ୍ଟର ଅପରେଶନ ଡେରି ହେଲା ବୋଲି ମରିଗଲା, ଜାଣିଛ କି ନାହିଁ? କିନ୍ତୁ ପାଖ ବେଡ୍‌ ରୋଗୀ ଠିକ୍‌ ସମୟରେ ଡାକ୍ତରଙ୍କ କ୍ଲିନିକ୍‌ରେ ଅପରେଶନ କରେଇଲା ଓ ଭଲ ହୋଇଗଲା। ଏଇଭଳି ସନ୍ତ୍ରାସବାଦଭରା ଶବ୍ଦରେ ଇଙ୍ଗିତ ପାଇ ପେସେଣ୍ଟ ଯାଏ କ୍ଲିନିକ୍‌କୁ ଏବଂ ହଜାର ହଜାର ଟଙ୍କା ଖର୍ଚ୍ଚ କରେ। ଅନେକ ସମୟରେ ପଇସା ଦେଲେ ହସ୍ପିଟାଲରେ ଅପରେଶନ କରାଯାଏ। ଏସବୁ ଦୁର୍ନୀତି ହେଲା ଭିନ୍ନ ପ୍ରକାର ସନ୍ତ୍ରାସବାଦ ଓ ଏହା ନକ୍ସଲମାନେ କାଁ ଭାଁ ହତ୍ୟା କରୁଥିବାଠାରୁ ବେଶି ଭୟଙ୍କର। ପଇସା ନ ଦେଇପାରି ଉପଯୁକ୍ତ ଚିକିତ୍ସା ନ ପାଇ କେତେ ଯେ ରୋଗୀ ମରୁଛନ୍ତି ତା’ର ହିସାବ କିଏ ରଖୁଛି?
ଏସବୁ ବିଷୟରେ କିଛି ଅଭିଯୋଗ ପାଇ ମୁଁ ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକଙ୍କୁ କହୁଥିବା ବେଳେ ସେ କହିଲେ- ସାର୍‌, ଜାଣିଛନ୍ତି ଆମର ପିଏଚ୍‌ଡି ପାଇବା ପାଇଁ କେତେ କ’ଣ କରିବାକୁ ପଡ଼େ? ଖୁବ୍‌ କମ୍‌ ପ୍ରଫେସରଙ୍କୁ ଛାଡିଦେଲେ ସମସ୍ତେ ଆମକୁ ଖଟାନ୍ତି। ଦୋକାନରୁ ଜିନିଷ ଆଣିବା, ରେଲଓ୍ବେ ଟିକେଟ କରିବା, ପ୍ରଫେସର କେଉଁଠୁ ଫେରୁଛନ୍ତି ତାଙ୍କୁ ପାଛୋଟି ଆଣିବା, ମଝିରେ ମଝିରେ ପଇସା ଦେବା ଇତ୍ୟାଦି କରିବାକୁ ପଡ଼େ। ଯେତେବେଳେ ଇଣ୍ଟରଭ୍ୟୁ ହୁଏ ଓଡ଼ିଶା ବାହାରୁ ଜଣେ ପ୍ରଫେସର ଆସନ୍ତି ଓ ତାଙ୍କୁ ବିଶ୍ୱବିଦ୍ୟାଳୟ ଟ୍ରେନ୍‌ରେ ଯିବାଆସିବା ଖର୍ଚ୍ଚ ଓ ଦୈନିକ ଭତ୍ତା ଦିଅନ୍ତି। ସେ ଭଦ୍ରଲୋକ (ପ୍ରାୟ ସବୁ କ୍ଷେତ୍ରରେ) ପିଏଚ୍‌ଡି ପ୍ରାର୍ଥୀଙ୍କୁ ଖବର ଦିଅନ୍ତି ପ୍ଲେନ୍‌ ଟିକେଟ କରିଦେବା ପାଇଁ। ସେ ବିଶ୍ୱବିଦ୍ୟାଳୟ ଅତିଥି ଗୃହରେ ନ ରହି ହୋଟେଲରେ ରୁହନ୍ତି। ଟ୍ୟାକ୍ସି ଧରି ବ୍ରହ୍ମାଣ୍ଡ ଭ୍ରମଣ କରନ୍ତି। ଇଣ୍ଟରଭ୍ୟୁ ବିଭାଗର କକ୍ଷରେ ନୁହେଁ, କୌଣସି ଏକ ଭଲ ହୋଟେଲରେ ହୁଏ, ଯେଉଁଠି ବିଭାଗର ସମସ୍ତ ଅଧ୍ୟାପକ ଉପସ୍ଥିତ ରୁହନ୍ତି। ଖାଦ୍ୟ ଓ ପାନୀୟର ସମସ୍ତ ଖର୍ଚ୍ଚ ବିଚରା ପ୍ରାର୍ଥୀ ବହନ କରନ୍ତି। ଆଜିକାଲି ଛତୁ ଭଳି ଫୁଟୁଥିବା ବିଭିନ୍ନ କଲେଜକୁ ସ୍ବୀକୃତି ଦେବା ପାଇଁ ବିଶ୍ୱବିଦ୍ୟାଳୟ ଓ ସରକାରୀ ଟିମ୍‌ମାନେ ଯାଆନ୍ତି ଓ ବହୁ କ୍ଷେତ୍ରରେ କଲେଜ ତରଫରୁ ତାଙ୍କର ଚର୍ଚ୍ଚା କରାଯାଏ। ବିଶ୍ୱବିଦ୍ୟାଳୟ ଘୋଷିତ ହୋଇଥିବା କଲେଜ କିମ୍ବା ସ୍ବୟଂଶାସିତ କଲେଜ ପରିଦର୍ଶନରେ ଆସନ୍ତି ୟୁଜିସି ଦ୍ୱାରା ପ୍ରେରିତ ଏକ ଟିମ୍‌। ସେମାନଙ୍କ ଉପଯୁକ୍ତ ଚର୍ଚ୍ଚା କରାଯାଏ। ସେ ଟିମ୍‌ରେ ଗଲେ ବହୁତ ଲାଭ ହୁଏ ବୋଲି ଜଣେ ଅବସରପ୍ରାପ୍ତ ପ୍ରଫେସର କହିଲେ। ଯଦି ଉପଯୁକ୍ତ ଚର୍ଚ୍ଚା ନ ହୁଏ ତେବେ ସେହି ବିଶ୍ୱବିଦ୍ୟାଳୟର ଭବିଷ୍ୟତ ଅନ୍ଧକାରମୟ।
ସରକାରଙ୍କ ଅନ୍ୟ ବିଭାଗଗୁଡିକ କଥା ଦେଖନ୍ତୁ। ଥରେ ଜଣେ ସିନିୟର ଓଏଏସ ଅଫିସର ମୋତେ ଆସି କହିଲେ- ସାର, ମୁଁ ଆଇଏଏସ୍‌ ହୋଇପାରିବି ନାହିଁ। କାରଣ ମୋର ଦୁଇବର୍ଷର ସିସିଆର ବାକି ଅଛି। କଥାଟାକୁ ହାଲୁକା ଭାବି ମୁଁ କହିଲି- ଯାହାଙ୍କ ପାଖେ ବାକି ଅଛି ତାଙ୍କୁ ଦେଖାକରି କହୁନ କାହିଁକି? ତାଙ୍କ ଉତ୍ତର ଶୁଣି ମୁଁ ଅବାକ୍‌ ହୋଇଗଲି। ତାଙ୍କ ଉପରିସ୍ଥ ହାକିମଙ୍କର ପ୍ରଶ୍ନ ଥିଲା ତୁମେ ଆଇଏଏସ୍‌ ପାଇଲେ ମୋର ଲାଭ କ’ଣ ହେବ? ଏ ବାବୁଙ୍କର ଅପଖ୍ୟାତି ଥିଲା ଯେ ପଇସା ଦେଲେ ଭଲ ସିସିଆର ଲେଖିବେ। ଅଧିକ ପଇସା ଦେଲେ ତୁମର ଉପରିସ୍ଥ କର୍ମଚାରୀଙ୍କ ସିସିଆର ଖରାପ କରିଦେବେ। ମୁଁ ଭିଜିଲାନ୍ସରେ ଥିବା ବେଳେ ଏଭଳି ଅନେକ ଅଭିଯୋଗ ପାଇ ତାଙ୍କ ନାଁରେ କେସ୍‌ କରିଥିଲି ଓ ବର୍ତ୍ତମାନ ସୁଦ୍ଧା ସେ ତାଙ୍କ ଅପକର୍ମର ଫଳ ଭୋଗୁଛନ୍ତି। ଏଇଭଳି ସନ୍ତ୍ରାସବାଦ ଚାଲିଛି ସବୁ ବିଭାଗରେ। ପୋଷ୍ଟିଂ ପାଇଁ ପଇସା, ଅଡୁଆ ସ୍ଥାନକୁ କିମ୍ବା ଅଡୁଆ ସମୟରେ ବଦଳି କରିବାର ଧମକ, ସିସିଆର ଖରାପ କରିଦେବାର ପ୍ରଚ୍ଛନ୍ନ ଧମକ କିମ୍ବା ଛୋଟ ଛୋଟ କଥାରେ ପ୍ରୋସିଡିଂ କରିଦେବାର ଧମକ ଇତ୍ୟାଦି ଦୁର୍ଦ୍ଦଶା ଭୋଗୁଛନ୍ତି ବହୁତ ଓ ଲାଭ ପାଉଛନ୍ତି ଅନେକ। ଏ ସବୁକୁ ଅତ୍ୟାଚାର କୁହନ୍ତୁ ବା ସନ୍ତ୍ରାସବାଦ, ପ୍ରଭାବ ପରୋକ୍ଷରେ ପଡୁଛି ସର୍ବସାଧାରଣଙ୍କ ଉପରେ। କାହା ପାଖକୁ ଯିବେ? ସାମାଜିକ ସଂଗଠନ କି ଗଣମାଧ୍ୟମରେ ଯଥେଷ୍ଟ ସଚ୍ଚୋଟ କିମ୍ବା ନିଷ୍ଠାବାନ ଲୋକ ନାହାନ୍ତି। ଗଣମାଧ୍ୟମ ମଧ୍ୟ ସନ୍ତ୍ରାସବାଦର ଶିକାର। ସେଥିରୁ ଅଧିକାଂଶ ହେଉଛନ୍ତି ବ୍ୟବସାୟୀ ଓ ରାଜନୀତିଜ୍ଞ। ସେମାନେ ମନ୍ତ୍ରୀ ଓ ନେତାମାନଙ୍କୁ ତୁଷ୍ଟ କରି କିମ୍ବା ବ୍ଲାକ୍‌ମେଲ କରି ପରିପୁଷ୍ଟ ହେଉଛନ୍ତି। ସାମାଜିକ ସଂଗଠନ ଅଧିକାଂଶ ନିଜ ଲାଭରେ ଥାଆନ୍ତି।
ଏ ସନ୍ତ୍ରାସବାଦ ଆଗରେ ନକ୍ସଲଙ୍କ ସନ୍ତ୍ରାସବାଦ ଫିକା। ନକ୍ସଲଙ୍କ ଜବାବ ଆମେ ଦେଉଛୁ ବନ୍ଧୁକ ଓ ଗୁଳିରେ। କିନ୍ତୁ ଏମାନଙ୍କ ସନ୍ତ୍ରାସବାଦ ଦୂର କରିବା ପାଇଁ କୌଣସି ଉପାୟ ବାହାର କରାଯାଇନାହିଁ। ଶହେ ସ୍ଥାନରେ ଦୁର୍ନୀତି ହେଲେ ଗୋଟିଏ ସ୍ଥାନରୁ ଅଭିଯୋଗ ଆସେ। ଯଦି ଯଥେଷ୍ଟ ପ୍ରମାଣ ଥାଏ ତେବେ ଦଣ୍ଡ ମିଳିପାରେ ଦଶ ପନ୍ଦର ବର୍ଷ ପରେ। ଅଥଚ ନକ୍ସଲଙ୍କୁ ଦଣ୍ଡ ମିଳିଥାଏ ଏନ୍‌କାଉଣ୍ଟର ମାଧ୍ୟମରେ ସଙ୍ଗେ ସଙ୍ଗେ।
ମୋ-୯୦୪୦୪୧୨୩୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri