ଭାଷାର ସୀମାନ୍ତ ନାହିଁ

ଲୋକନାଥ ପଣ୍ଡା
ସା ରା ବିଶ୍ୱରେ ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଆସୁଛି। ଏହାର ମୂଳ ଉଦ୍ଦେଶ୍ୟ ବିଶ୍ୱରେ ଭାଷା ଏବଂ ସଂସ୍କୃତିକୁ ନେଇ ଯେଉଁ ବିବିଧତା ରହିଛି, ତାହାର ସଂରକ୍ଷଣ ଓ ସମୃଦ୍ଧି। ୟୁନେସ୍କୋ ତରଫରୁ ପ୍ରଥମ ଥର ପାଇଁ ୧୯୯୯ ନଭେମ୍ବର ୧୭ ତାରିଖରେ ଏହି ଦିବସ ପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ବାଂଲାଦେଶର ଭାଷା ଆନ୍ଦୋଳନ ଓ ୧୯୫୨ ଫେବୃୟାରୀ ୨୧ ତାରିଖରେ ଘଟିଥିବା ଘଟଣାବଳୀକୁ ସମ୍ମାନ ଜଣାଇ ସାରା ବିଶ୍ୱରେ ଫେବୃୟାରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇ ଆସୁଛି। ଚଳିତ ବର୍ଷର ଅନ୍ତର୍ଜାତୀୟ ମାତୃଭାଷା ଦିବସର ଅନୁଚିନ୍ତା ରହିଛି- Language without Border ବା ‘ସୀମାନ୍ତ ନ ଥିବା ଭାଷା ା’
ସାରା ବିଶ୍ୱରେ ୬୦୦୦ ଭାଷାଭାଷୀ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଶତକଡ଼ା ୪୩ ଭାଗ ଭାଷା ସଂକଟ ଦେଇ ଗତି କରୁଛି। ପ୍ରତି ଦୁଇ ସପ୍ତାହରେ ଗୋଟିଏ ଲେଖାଏ ଭାଷା ପୃଥିବୀରୁ ଲୋପ ପାଇଯାଉଛି। କେବଳ ଭାଷା ଲୋପ ପାଇଯାଉନି, ସେହି ଭାଷାକୁ ନେଇ ଯାହା ସଂସ୍କୃତି, ଜ୍ଞାନକୌଶଳ, ପରମ୍ପରା ରହିଛି, ତାହା ମଧ୍ୟ ଲୋପ ପାଇଯାଉଛି। ଜଗତୀକରଣ ପ୍ରଭାବରେ ଅନେକ ଭାଷା ଲୋପ ପାଇବାକୁ ବସିଲାଣି। ଭାଷା ସହିତ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଭାଷା ଲୋପ ପାଇବା ସହିତ ସାଂସ୍କୃତିକ ବିବିଧତା ମଧ୍ୟ ନଷ୍ଟ ହେଲାଣି।
ୟୁନୋସ୍କୋ ତରଫରୁ ଭାଷାର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଉତ୍ସାହିତ କରାଯାଉଛି। ସାରା ପୃଥିବୀରେ ପ୍ରଚଳିତ ୪୦ ପ୍ରତିଶତ ଭାଷାରେ ଶିକ୍ଷାଦାନ ହେଉନାହିଁ କିମ୍ବା ସେମାନେ ନିଜ ମାତୃଭାଷାରେ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଏହି ଦୃଷ୍ଟିରୁ ୨୦୦୮ ମସିହାକୁ ଅନ୍ତର୍ଜାତୀୟ ଭାଷା ବର୍ଷ ଭାବେ ପାଳନ କରାଯାଇଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା, ବିବିଧତା ମଧ୍ୟରେ ଏକତା ଏବଂ ବିଶ୍ୱ ସମନ୍ବୟ ଭାବ, ବହୁଭାଷୀ ଏବଂ ବହୁ ସଂସ୍କୃତି ମଧ୍ୟରେ ଏକତାକୁ ଗୁରୁତ୍ୱ ଦେବା ଓ ସମ୍ମାନ ଜଣାଇବା। ଭାଷା ବିବିଧତା, ବିବିଧ ସଂସ୍କୃତି ମାନବ ସମାଜକୁ ସାଂସ୍କୃତିକ ସମନ୍ବୟ, ଶାନ୍ତି, ସମାନତା ଇତ୍ୟାଦି ଯୋଗାଇ ଦେଇଥାଏ। ମାତୃଭାଷାରେ କେତେ ଜ୍ଞାନ ଭରିରହିଛି ଏବଂ ଏହାର ମହାନତାକୁ ଉପଲବ୍ଧି କରିବା ଓ ଉତ୍ସାହ ସୃଷ୍ଟି କରିବା ପାଇଁ ଏହି ଦିବସରେ ଗୁରୁତ୍ୱ ଦିଆଯାଉଛି। ଭାଷା ଓ ସଂସ୍କୃତିକୁ ବଞ୍ଚାଇବା ଏବଂ ବିକାଶ ନିମନ୍ତେ ଯେଉଁ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ କାମ କରିଥାଆନ୍ତି, ସେମାନଙ୍କୁ ଏହି ଦିବସରେ ପ୍ରଶଂସା ଓ ସମ୍ମାନିତ କରାଯାଇଥାଏ। ପ୍ରତ୍ୟେକ ଭାଷାଭାଷୀ ନିଜ ମାତୃଭାଷାକୁ ସ୍ବାଭିମାନର ସହିତ ଭଲ ପାଇବା ସହ ଏହାକୁ ଗୁରୁତ୍ୱ ଦେଇ ବଞ୍ଚାଇ ରଖିବା ନିମନ୍ତେ ପ୍ରୟାସ କରିବାର ସମୟ ପହଞ୍ଚିଛି। ଗତ କିଛି ବର୍ଷ ଧରି ଭାରତରେ ମଧ୍ୟ ବହୁଳ ଭାବରେ ଅନ୍ତର୍ଜତୀୟ ମାତୃଭାଷା ଦିବସ ପାଳିତ ହେଉଛି। ଏହି ଦିବସରେ ଅନେକେ ଭାଷାକୁ ନେଇ କର୍ମଶାଳା କରୁଛନ୍ତି। ଭାଷାଗତ ବିବିଧତାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି। ଗୋଷ୍ଠୀ ସ୍ତରରେ ଭାଷା ଓ ସଂସ୍କୃତିର ଗୁରୁତ୍ୱକୁ ଉପଲବ୍ଧ କରିବା ନେଇ ବିିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାଷା ଓ ସଂସ୍କୃତିକୁ ବଞ୍ଚାଇବା ଏବଂ ବିକାଶ ନିମନ୍ତେ ଯେଉଁ ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ କାମ କରିଥାଆନ୍ତି, ସେମାନଙ୍କୁ ଏହି ଦିବସରେ ପ୍ରଶଂସା ଓ ସମ୍ମାନିତ କରାଯାଇଥାଏ।
ଓଡ଼ିଶାରେ ମଧ୍ୟ ଅନ୍ତର୍ଜାତୀୟ ମାତୃଭାଷା ଦିବସ ବିଭିନ୍ନ କ୍ଷେତ୍ରରେ ପାଳିତ ହେଉଛି। ଏହି ଅବସରରେ ଓଡ଼ିଶାର ସଂଖ୍ୟାଲଘୁ ତଥା ଜନଜାତିଙ୍କ ମାତୃଭାଷା, ଯାହାକି କ୍ଷିପ୍ର ଗତିରେ ଲୋପ ପାଇବାରେ ଲାଗିଛି, ସେ ସମ୍ପର୍କରେ ଆଲୋଚନା କରିବାର ଅବକାଶ ଆସିଛି। ବିଶ୍ୱ ଭାଷାକୁ ନେଇ ଏକ ରିପୋର୍ଟରେ ଓଡ଼ିଶାର ଅନେକ ଜନଜାତି ଭାଷା ସଂକଟ ଦେଇ ଗତି କରୁଛି ବୋଲି ପ୍ରକାଶ ପାଇଥିଲା। ବର୍ତ୍ତମାନ ଯେଉଁ ପରିମାଣରେ ବିଭିନ୍ନ ସଂଖ୍ୟାଲଘୁ ଭାଷାଭାଷୀ କଥିତ ଭାଷାର ସଂଖ୍ୟା କମି କମି ଆସୁଛି, ମନେହୁଏ ଅଚିରେ ଅନେକ ଭାଷା ଲୋପ ପାଇଯିବ। ଓଡ଼ିଶା କ୍ଷେତ୍ରରେ ଆଲୋଚନା କଲେ ତଥ୍ୟ କହୁଛି ଓଡ଼ିଶାରେ ୬୨ ପ୍ରକାର ଭାଷାଭାଷୀ ଲୋକ ବସବାସ କରନ୍ତି। କିନ୍ତୁ ସେଥିମଧ୍ୟରୁ କେତେ ଜନଜାତିର ଭାଷାଭାଷୀ ଲୋକ ବର୍ତ୍ତମାନ ନିଜ ମାତୃଭାଷାରେ କଥା ହେଉଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ୨୦୦୬-୦୭ ମସିହା ବେଳକୁ ମାତୃଭାଷା ଆଧାରିତ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା ଏବଂ ୧୦ଟି ଆଦିବାସୀବହୁଳ ଜିଲାର କେତେକ ବିଦ୍ୟାଳୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୩ ଆଦିବାସୀ ଭାଷାରେ ପ୍ରାଥମିକ ସ୍ତରରେ ଏବଂ ପ୍ରାକ୍‌-ପ୍ରାଥମିକ ତଥା ଅଙ୍ଗନଓ୍ବାଡ଼ି ସ୍ତରରେ ମାତୃଭାଷା ଆଧାରିତ ପ୍ରାକ୍‌-ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିସହିତ କିଛିବର୍ଷ ଧରି ଦରିଆପାରି ସଂସ୍ଥା ବିଭିଏଲ୍‌ଏଫ୍‌ଙ୍କ ସହାୟତାରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମାତୃଭାଷା ଆଧାରିତ ବହୁଭାଷୀ ଶିକ୍ଷାକୁ କାର୍ଯ୍ୟକାରୀ କରିବା ପାଇଁ ଗୁରୁତ୍ୱ ଦିଆଗଲା।
ଗତ କିଛିଦିନ ଧରି କେତେକ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଲି ଅଙ୍ଗନଓ୍ବାଡ଼ି ଦିଦି, ଅଭିଭାବକ ଏବଂ ଅଙ୍ଗନଓ୍ବାଡ଼ି ସହାୟକଙ୍କ ସହ କଥା ହେଉଥିଲି ଏବଂ ପରିସ୍ଥିତିକୁ ଅନୁଧ୍ୟାନ କରୁଥିଲି। ଅଙ୍ଗନଓ୍ବାଡ଼ିି ଦିଦି ତିନିବର୍ଷର ଶିଶୁଟିକୁ ପ୍ରଶ୍ନ କରୁଥିଲେ, କଥା ହେବା ପାଇଁ ଉତ୍ସାହିତ କରୁଥିଲେ, ପ୍ରଶ୍ନ ଅତି ସରଳ ଥିଲା, ତା’ର ନାମ, ଗ୍ରାମ ଇତ୍ୟାଦି। ଶିଶୁଟି ବେଳେ ବେଳେ ମୁଣ୍ଡ ଟୁଙ୍ଗାରୁଥିଲା, କେତେବେଳେ କେମିତି ମୁଣ୍ଡ ହଲଉଥିଲା, ଶିଶୁଟି ମୁଣ୍ଡର ଠାର ମାଧ୍ୟମରେ ନିଜର ଉତ୍ତର ଦେଉଥିଲା। ଏହାପରେ ଶିଶୁଟି ସହିତ କେନ୍ଦ୍ରର ସହାୟିକା ନିଜ ଭାଷାରେ କଥା ହେଲେ। ଶିଶୁର ମୁଖମଣ୍ଡଳରେ ହସ ଦେଖାଗଲା। ଖୁସି ହେଲା। ନିଜ ଭାଷାରେ ଉତ୍ତର ଦେଲା। ମୁଁ ଅଙ୍ଗନଓ୍ବାଡ଼ି ଦିଦିଙ୍କୁ ଭାଷା ବିଷୟରେ ପଚାରୁଥିଲି, ଉତ୍ତର ଥିଲା ଶିଶୁମାନେ ଓଡ଼ିଆ ଜାଣୁଛନ୍ତି, କହୁଛନ୍ତି! ଘରେ ଓଡ଼ିଆରେ କଥା ହେଉଛନ୍ତି! ମାଆଙ୍କ ସହିତ ଆଲୋଚନା କରୁଥିଲି, ଅନେକ ମାଆ ଓଡ଼ିଆ ଠିକ୍‌ ଭାବରେ ଜାଣି ନ ଥିଲେ, ଯଦି ବୁଝୁଥିଲେ ଏହାର ଉତ୍ତର ଦେବା ପାଇଁ ସଂକୋଚ କରୁଥିଲେ କିମ୍ବା ଚାରି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ମାଆ କିଛି କିଛି ଉତ୍ତର ଦେଉଥିଲେ। ଯଦି ଅଙ୍ଗନଓ୍ବାଡ଼ି ଦିଦି ସେହି ଗୋଷ୍ଠୀର, ତେବେ ନ ବୁଝିଲେ ନିଜ ଭାଷାରେ ମାଆମାନଙ୍କୁ ବୁଝାଉଥିଲେ ଏବଂ ସେମାନଙ୍କ ଉତ୍ତର ମଧ୍ୟ ମତେ ଅନୁବାଦ କରି କହୁଥିଲେ।
ପ୍ରାଥମିକ ସ୍ତରରେ ମାତୃଭାଷା ଆଧାରିତ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମର ସ୍ଥିତି କିପରି ଚାଲିଛି ବୋଲି ମୋର ଜଣେ ଆଦିବାସୀ ବନ୍ଧୁ, ଯିଏକି ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ, ତାଙ୍କ ସହ ଆଲୋଚନା କରୁଥିଲି। ସେ ଦୁଃଖ ପ୍ରକାଶ କରୁଥିଲେ। ତଳସ୍ତରରେ ମାତୃଭାଷାରେ ଶିକ୍ଷା ଦେବା ପାଇଁ ଜିଲାସ୍ତରରେ ଆନ୍ତରିକ ଉଦ୍ୟମ ନାହିଁ, ବ୍ଲକ ସ୍ତରରେ କିମ୍ବା ଶିକ୍ଷକଙ୍କ ସ୍ତରରେ ଶିକ୍ଷାଦାନ କରିବା ପାଇଁ ଆଗ୍ରହ ନାହିଁ। ଅନେକ ସମୟରେ ବ୍ଲକକୁ ମାତୃଭାଷା ଆଧାରିତ ପୁସ୍ତକ ଆସୁଛି, ସେଠାରେ ପଡ଼ି ପଡ଼ି ନଷ୍ଟ ହେଉଛି ।
କଥା ହେଉଛି ମାତୃଭାଷା ପ୍ରତି ଆଦର ! ସାରା ଓଡ଼ିଶାରେ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ, ସଂରକ୍ଷଣ କରି ରଖିବା ପାଇଁ ତଥା ଏହାର ସୁରକ୍ଷା ଲାଗି ଚିନ୍ତା ହେଉଛି। ଓଡ଼ିଶାରେ ୬୨ ପ୍ରକାର ଯେଉଁ ଭାଷାଭାଷୀ ଜନଜାତିର ଲୋକ ଅଛନ୍ତି, ସେହି ଭାଷାଗୁଡ଼ିକର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପୂର୍ବରୁ ଅନେକ କିଛି କାର୍ଯ୍ୟ ହୋଇଛି, କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ବେସରକାରୀ ସ୍ତରରେ ହେଉ କିମ୍ବା ସରକାରୀ ସ୍ତରରେ ଯେଉଁଭଳି ଭାବରେ ଇଂଲିଶ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି, ପ୍ରାଥମିକ ସ୍ତରରୁ ସ୍ପୋକନ୍‌ ଇଂଲିଶକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା ହେଲାଣି। ତେବେ ଭାଷା ସଂକଟ ଦେଇ ଗତିକରୁଛି ଏବଂ ଆହୁରି କ୍ଷିପ୍ର ଗତିରେ ମରଣ ଦିଗରେ ଗତି କରିବ, ଏଥିରେ ସନ୍ଦେହ ନାହିଁ। ଭବିଷ୍ୟତରେ ଯେଉଁପରି ଆଦିବାସୀ ସଂସ୍କୃତି, ପରମ୍ପରା ଇତ୍ୟାଦିକୁ ନେଇ ନାଚ, ଗୀତ ଓ ପ୍ରଦର୍ଶନୀ ହେବ, ସମୟ ଆସିବ ଲୋକମାନେ ମଧ୍ୟ ଭାଷାକୁ ନେଇ ସଚେତନ ହେବେ।
(ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ)
୪ର୍ଥ ଗଳି, ରାଣୀଗୁଡ଼ା, ରାୟଗଡ଼, ମୋ- ୯୪୩୮୦୮୧୪୩୦, lokanath07@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri