ଚେତନାର ଅମୃତ ଦିଗନ୍ତ

ବିମଳ ପ୍ରସନ୍ନ ଦାସ
୧୮୭୮ ଫେବୃୟାରୀ ୨୧ ତାରିଖ- ବିଶ୍ୱଜନନୀ ଶ୍ରୀମା’ଙ୍କର ପବିତ୍ର ଜନ୍ମତିଥି। କାଳବକ୍ଷରେ ଇତିମଧ୍ୟରେ ୧୪୨ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ଏ ବର୍ଷ ଆମେ ତାଙ୍କର ୧୪୩ତମ ପବିତ୍ର ଜୟନ୍ତୀ ପାଳନ କରୁଛୁ। ମହାଯୋଗୀ ଶ୍ରୀଅରବିନ୍ଦ ଦିବ୍ୟ ଜନନୀଙ୍କର ଚାରିଗୋଟି ମହାରୂପ ବର୍ଣ୍ଣନା କରିଛନ୍ତି। ତାହା ହେଲା ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀ। ଋଷି କବିଙ୍କ ଦିବ୍ୟଦୃଷ୍ଟିରେ ଶ୍ରୀମା ହିଁ ସର୍ବୋତ୍ତମା ଶକ୍ତି The Supreme Power. ସେ ଆଦିମାତା, ଅଦିତି। ମନୁଷ୍ୟ ଶରୀରରେ ଆଉ ଜଣେ ପାର୍ଥିବ ଜନନୀଙ୍କ ଗର୍ଭରୁ ଜନ୍ମ ହେଲେ। ଯିଏ ସ୍ବୟଂ ଅନନ୍ତକାଳ, ସେ ପୁଣି ନିଜକୁ କାଳ ହାତରେ ସମର୍ପି ଦେଇ ଜନ୍ମମୃତ୍ୟୁର ଘୂର୍ଣ୍ଣନ ମଧ୍ୟରେ ଆବିର୍ଭୂତା ହେଲେ। ଅସୀମା ହେଲେ ସୀମା। ଉଦ୍ଦେଶ୍ୟ ହେଲା ଏହି ସୀମାଭୁକ୍ତ ପୃଥିବୀକୁ ଦିବ୍ୟ ରୂପାନ୍ତର ଦେଇ ଅମରାବତୀରେ ପରିଣତ କରିବା। ପରା ପ୍ରକୃତିର ଅପରା ରୂପାୟନ। ଚିନ୍ମୟୀ ଶକ୍ତିଙ୍କର ମୃଣ୍ମୟୀ ରୂପ ଧାରଣର କାରଣ ସମଗ୍ର ପୃଥିବୀ ଓ ପ୍ରକୃତିର ଆହ୍ବାନ। ଶ୍ରୀଅରବିନ୍ଦ ତାଙ୍କ ରଚିତ ମହାକାବ୍ୟ ‘ସାବିତ୍ରୀ’ର ୩୧୪ ପୃଷ୍ଠାରେ ଲେଖିଛନ୍ତି-”ସମଗ୍ର ପ୍ରକୃତି କରେ ତବ ଆବାହନ ବିମୌନ ଭାଷାରେ/ଚରଣ ପରଶେ ତବ କରିବାକୁ ନିରାମୟ ଜୀବନ ବ୍ୟଥାରେ।“
ଅତିମାନସ ଶକ୍ତି, ଜ୍ୟୋତି ଓ ଚେତନାର ଅବତାର ପୁରୁଷ ଶ୍ରୀଅରବିନ୍ଦଙ୍କର ସେ ସହ-ତପସ୍ବିନୀ। ଶ୍ରୀଅରବିନ୍ଦ ତତ୍ତ୍ୱ ହେଲେ ଶ୍ରୀମା ହେଉଛନ୍ତି ସେ ତତ୍ତ୍ୱର ସରଳ, ସାବଲୀଳ ଓ ପ୍ରାଞ୍ଜଳ ବ୍ୟାଖ୍ୟା। ଶ୍ରୀଅରବିନ୍ଦ ସାଧ୍ୟ ହେଲେ ଶ୍ରୀମା ତାଙ୍କର ସାଧନା ଓ ସିଦ୍ଧି। ଶ୍ରୀଅରବିନ୍ଦ ତପଶକ୍ତି ହେଲେ ଶ୍ରୀମା ତାଙ୍କର କ୍ରିୟାତ୍ମିକା ଶକ୍ତି। ଶ୍ରୀଅରବିନ୍ଦଙ୍କୁ ଆମର ମନ, ବୁଦ୍ଧି, ବାକ୍ୟ ସ୍ପର୍ଶ କରିପାରେନା। ସେ ଆମ ପାଖେ ପାଖେ ଥିଲେ ମଧ୍ୟ ଆମେ ତାଙ୍କର ସୌର ତେଜର ପ୍ରଚଣ୍ଡତା ସହ୍ୟ କରିପାରୁନା। କିନ୍ତୁ ମା’ ଆମ ଦେହକୁ ଦେହ ଲାଗିକରି ଅଛନ୍ତି ଠିକ୍‌ ମାନୁଷୀ ମା’ଟିଏ ପରି, ଯେପରି ମା’ ତା’ର ଛୁଆକୁ ଦେହଲଗ୍ନ କରି ରଖିଥାଏ। ମା’ ସୂର୍ଯ୍ୟ ତେଜକୁ ଧାରଣ କରିଛନ୍ତି। ସେ ସ୍ବୟଂ ସବିତୃ, ଶକ୍ତି, ସାବିତ୍ରୀ, ସେ ମଧ୍ୟ ବ୍ରହ୍ମ ଶକ୍ତି ଗାୟତ୍ରୀ। ସେ ହିଁ ଚେତନାର ଅମୃତ ଦିଗନ୍ତ।
ଏସବୁ ସତ୍ତ୍ୱେ ସେ ସନ୍ତାନ ଲାଗି ସୁଧାମୟୀ, ମଧୁମୟୀ, ପ୍ରେମମୟୀ, କଲ୍ୟାଣମୟୀ, କ୍ଷମାମୟୀ, ଶ୍ରୀମୟୀ ଏବଂ ଆହ୍ଲାଦିନୀ ଚନ୍ଦ୍ରମା ଭଳି। ସେ ଆମକୁ ଅତିମାନସର ସ୍ନିଗ୍ଧ ଜ୍ୟୋତ୍ସ୍ନାରେ ଆପ୍ଳୁତ କରି ରଖିଛନ୍ତି। ପ୍ରଚଣ୍ଡ ମାର୍ତ୍ତଣ୍ଡର ଅମ୍ଳାନ ତେଜକୁ ସେ ନିଜ ଭିତରେ ଧାରଣ କରିଛନ୍ତି। କିନ୍ତୁ ସେ ତେଜକୁ ଆମ ପାଇଁ ଚନ୍ଦ୍ରମାର ଶାନ୍ତ ଶୀତଳ ଜ୍ୟୋତ୍ସ୍ନାରେ ରୂପାନ୍ତରିତ କରି ଅଜାଡି ଦେଇଛନ୍ତି। ମା’ଙ୍କ ବ୍ୟତିରେକେ ପ୍ରଚଣ୍ଡ ସୂର୍ଯ୍ୟ ପିଣ୍ଡ ସ୍ବରୂପ ଶ୍ରୀଅରବିନ୍ଦଙ୍କ ସ୍ପର୍ଶ ଆମେ ପାଇପାରି ନ ଥାନ୍ତୁ। ସେ ନିଜେ କହିଛନ୍ତି, ଶ୍ରୀଅରବିନ୍ଦଙ୍କ ବିନା ମୋର ସ୍ଥିତି ନାହିଁ ଏବଂ ମୋ ବିନା ତାଙ୍କର ପ୍ରକାଶ ନାହିଁ। ଦୁଇଟି ମହାନ୍‌ ଆତ୍ମାର ମହାମିଳନ-ସତେଯେପରି ଶ୍ୱେତପଦ୍ମ ସହିତ ରକ୍ତପଦ୍ମର, ପ୍ରେମ ସହିତ ପ୍ରଜ୍ଞାର, ଭକ୍ତି ସହିତ ଜ୍ଞାନର, ମହାପୁରୁଷଙ୍କ ସହିତ ମହାପ୍ରକୃତିର, ଜୀବାତ୍ମା ସହ ପରମାତ୍ମାର। ଧୂଳି ମାଟିର ଧରିତ୍ରୀକୁ ଅମରାବତୀରେ ପରିଣତ କରିବା ପାଇଁ ସତେଯେପରି ଏହା ବିଧିର ବିଧାନ।
ଭାରତୀୟ ସଂସ୍କୃତି ଓ ପରମ୍ପରାରେ ମାତୃଶକ୍ତିକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଆଯାଇଛି। ମଣିଷ ଜୀବନରେ ଏପରି କୌଣସି ଅବସ୍ଥା ନାହିଁ ଯେଉଁଠି ମହାଶକ୍ତିର ଉପଲବ୍ଧି ନାହିଁ। ମାତ୍ର ଆମ ଚେତନାର ଅବସ୍ଥା ଏପରି ଯେ ଆମେ କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ। ଭାରତର ସମୃଦ୍ଧ ଚେତନା ଇତିହାସର ନିର୍ଯାସ। ଦୁର୍ଭାଗ୍ୟ ଯେ ଭାରତ ସମ୍ପୂର୍ଣ୍ଣ ଭାବେ ବସ୍ତୁବାଦକୁ ଗ୍ରହଣ କରିପାରୁ ନାହିଁ କି ମାୟାବାଦକୁ ଅଗ୍ରାହ୍ୟ କରିପାରୁନାହିଁ। ବର୍ତ୍ତମାନ ମାନବ ଜାତି ଏକ ଛଳନାମୟ ମାୟା ଭିତରେ ଛନ୍ଦିହୋଇ ରହିଛି। ଏଥିପାଇଁ ସମାଜରେ ଭ୍ରଷ୍ଟାଚାର, ଦୁର୍ନୀତି ଓ ଦୁଷ୍କର୍ମ ବ୍ୟାପି ଚାଲିଛି। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଅମୃତମୟ ଦୃଷ୍ଟିରେ ଏ ଅବସ୍ଥା ବେଶି ସମୟ ରହିବ ନାହିଁ। ଶ୍ରୀମାଙ୍କ ଦିବ୍ୟ ମାତୃଶକ୍ତି ମଣିଷକୁ ଏ ଦୁଃସ୍ଥିତିରୁ ଉତ୍ତୀର୍ଣ୍ଣ କରିନେବ। ପ୍ରକୃତ ଚେତନା କ’ଣ ତାହା ମାନବ ଜାତି ଆଗରେ ଉତ୍‌ଥାପନ କରିବ। ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଯୁଗ୍ମ ସତ୍ତା ପାଶ୍ଚାତ୍ୟ ମତାନୁଯାୟୀ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସର୍ବୋତ୍ତମ ସମନ୍ବୟ । ଆଧ୍ୟାତ୍ମିକତାର ଦୁଇଟି ଦିଗ: ଯୋଗ ଓ ତନ୍ତ୍ରର ପୂର୍ଣ୍ଣାଙ୍ଗ ସତ୍ୟ ହେଉଛନ୍ତି ଶ୍ରୀମା ଓ ଶ୍ରୀଅରବିନ୍ଦ।
ମା’ଙ୍କ ପ୍ରତି ଆମର ଶ୍ରଦ୍ଧା, ଆନ୍ତରିକତା ଓ ସମର୍ପଣ ଯେତିକି ପୂର୍ଣ୍ଣତର ହେବ, ମା’ଙ୍କ ଅଭୟ ଓ କରୁଣା ସେତିକି ଆମକୁ ଘେରି ରହିବ। ମା’ଙ୍କ କୃପାରୁ ଅଳ୍ପ ଟିକିଏ ବି ଆମକୁ ସକଳ ବାଧା ବିପତ୍ତି ଓ ସଂକଟରୁ ପାର କରିଦେବ। ନିରାପଦରେ ଆମେ ଆମ ପଥରେ ଚାଲିଯାଇପାରିବା। କାରଣ ସେ ପଥ ମା’ଙ୍କର। ଏ ଜଗତରେ ହେଉ ବା ଅଦୃଶ୍ୟ ଜଗତ ସମୂହରେ ହେଉ କୌଣସି ଶତ୍ରୁଶକ୍ତି ଆମକୁ ସ୍ପର୍ଶ କରିପାରିବ ନାହିଁ। ମାତୃ କରୁଣାର ସ୍ପର୍ଶରେ ସଂକଟ ସୁଯୋଗରେ, ବ୍ୟର୍ଥତା ସାର୍ଥକତାରେ ଓ ଦୁର୍ବଳତା ଅମୋଘ ସାମର୍ଥ୍ୟରେ ରୂପାନ୍ତରିତ ହୋଇଯିବ। କାରଣ ଦିବ୍ୟଜନନୀଙ୍କ ଅନୁକମ୍ପା ହିଁ ପରମେଶ୍ୱରଙ୍କ ଅନୁମତି। ଏହାର ଫଳ ପୂର୍ବନିର୍ଦ୍ଦିଷ୍ଟ, ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ। ମା’ଙ୍କ ଶକ୍ତି ହିଁ ଆଜିର ତମିସ୍ରା, ମିଥ୍ୟା, ମୃତ୍ୟୁ ଓ ବେଦନାପୂର୍ଣ୍ଣ ଜଗତରେ ଉତ୍ତାରି ଆଣିବ ସତ୍ୟ, ଜ୍ୟୋତି ଓ ଦିବ୍ୟ ଜୀବନ।
(ଶ୍ରୀମା’ଙ୍କ ଜୟନ୍ତୀ ଉପଲକ୍ଷେ)
ମୋ-୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri