Posted inଫୁରସତ

ବୃକ୍ଷ ପ୍ରେମରେ ବନ୍ଧା ମଣିଷ

ବୃକ୍ଷ ହିଁ ଜୀବନ। ହେଲେ ଅଧୁନା ମଣିଷ ନିଜର ସ୍ବାର୍ଥ ସାଧନ ଲାଗି କାଟି ଚାଲିଛି ଶହଶହ ବର୍ଷର ପୁରୁଣା ଗଛ। ଜଙ୍ଗଲ କାଟି ପଦା କରିବା ଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି ା ତା’ସହିତ ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ବାସ୍ତବ କଥା କହିବାକୁ ଗଲେ ବୃକ୍ଷର ପରିମାଣ ହ୍ରାସ ପାଇବା ଯୋଗୁ ପୃଥିବୀର ଆୟୁଷ ଧୀରେ ଧୀରେ କମିବାରେ ଲାଗିଛି। ତେଣୁ ଏବେ ସମୟ ଆସିଛି କିପରି ଏ ପୃଥିବୀକୁ ପୁଣି ସବୁଜିମାରେ ଭରିଦେବା, ସେ ନେଇ ଚିନ୍ତା କରିବାର ଆଉ ପଦକ୍ଷେପ ନେବାର। ଏଇ ଯେମିତି କିଛି ଲୋକ ସେ ବିଷୟରେ ଚିନ୍ତା କରି ଆଗକୁ ପାଦ ବଢ଼ାଇଛନ୍ତି ଆଉ ସେଥିରେ ସଫଳ ହେବାରେ ବି ଲାଗିଛନ୍ତି…

ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ ଯାଦବ:ଆସାମର ଯାଦବ ପାୟେଙ୍ଗ୍‌। ହେଲେ ସେ ‘ମୋଲାଇ’ନାମରେ ବେଶ୍‌ ପରିଚିତ। ଜଣେ ପରିବେଶବିତ୍‌ ଭାବେ ତାଙ୍କର ରହିଛି ଅନେକ ଖ୍ୟାତି। ତାଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା, ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଏକ ଭୟଙ୍କର ବନ୍ୟା ହୋଇଥିଲା। ଘରଦ୍ୱାର, ଗଛଲତା ଭାଙ୍ଗିଯିବା ସହ ଚାରିଆଡ଼େ ପଙ୍କୁଆ ମାଟି ମାଡି ଯାଇଥିଲା। ଗଛଲତା ଅଭାବରୁ ପରବର୍ତ୍ତୀ ସମୟରେ ସେହି ଅଞ୍ଚଳରେ ଭୀଷଣ ଗରମ ବି ଅନୁଭୂତ ହୋଇଥିଲା। ଦିନେ ଯାଦବ ଦେଖିବାକୁ ପାଇଲେ ଅସହ୍ୟ ଗରମ ସହି ନ ପାରି କିଛି ସାପ ମରିପଡିଛନ୍ତି। ଏହା ତାଙ୍କୁ ଭାରି କଷ୍ଟ ଦେଇଥିଲା। ସେ ଚିନ୍ତା କଲେ ଯଦି ବୃକ୍ଷ ଅଭାବରୁ ସାପଙ୍କର ଏ ଅବସ୍ଥା ହେଉଛି ତା’ହେଲେ ଭବିଷ୍ୟତରେ ମଣିଷଙ୍କର କି ଅବସ୍ଥା ନ ହେବ? ତେଣୁ ସେ ନିଷ୍ପତ୍ତି ନେଲେ ପୁଣି ଥରେ ତାଙ୍କ ଅଞ୍ଚଳକୁ ଶସ୍ୟଶ୍ୟାମଳାରେ ଭରିଦେବେ। ଏକଥା ତାଙ୍କ ପାଖପଡ଼ୋଶୀଙ୍କୁ ଜଣାଇବାରୁ ସେମାନେ ଯାଦବଙ୍କୁ ଉତ୍ସାହିତ କରିବା ସହ ତାଙ୍କୁ କିଛି ବାଉଁଶର ମଞ୍ଜି ଦେଇଥିଲେ। ବାସ୍‌ ଏହିଠାରୁ ହିଁ ତାଙ୍କର ବୃକ୍ଷରୋପଣ କରିବାର ଅଭିଯାନ ଆରମ୍ଭ ହୋଇଥିଲା। ଏହାର କିଛିଦିନ ପରେ ନିକଟସ୍ଥ ଅଞ୍ଚଳରେ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ପ୍ରାୟ ୨୦୦ ହେକ୍ଟରରେ ଗଛଲଗାଇବାର ଏକ ପ୍ରୋଜେକ୍ଟ ଆରମ୍ଭ ହେଲା। ଯାଦବ ଏହି ପୋଜେକ୍ଟରେ ଶ୍ରମିକ ଭାବେ କାମକରି ଗଛ ଲଗାଉଥିଲେ। କିଛିଦିନ ଭିତରେ ପ୍ରୋଜେକ୍ଟ କାମ ସରିଯିବାରୁ ସମସ୍ତେ ସେଠାରୁ ଚାଲିଯାଇଥିଲେ। ହେଲେ ଯାଦବ ଏହି ଗଛ ପ୍ରେମରେ ଏମିତି ବାନ୍ଧି ହୋଇଯାଇଥିଲେ ଯେ, ସେବେଠାରୁ ନିରନ୍ତର ଭାବେ ସେଗୁଡ଼ିକର ଯତ୍ନ ନେଇ ବଢାଇବା ସହ ସ୍ବଚେଷ୍ଟାରେ ଆଉ କିଛି ଗଛ ବି ସେଠାରେ ଲଗାଇଥିଲେ। ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥିଲା ସେହି ଅଞ୍ଚଳକୁ ସବୁଜିମାରେ ଭରି ଦେବା ଆଉ ପୁଣିଥରେ ପଶୁପକ୍ଷୀଙ୍କର ବଂଶ ବୃଦ୍ଧି କରାଇବା। ଶେଷରେ ସେ ଏହି କାର୍ଯ୍ୟରେ ସଫଳ ବି ହେଲେ। ଜଙ୍ଗଲ ସୃଷ୍ଟି ହୋଇଯିବାରୁ ବିଭିନ୍ନ ପଶୁପକ୍ଷୀ ବି ଆସି ଏଠାରେ ଆଶ୍ରୟ ନେବାକୁ ଲାଗିଲେ। କ୍ରମେ ତାଙ୍କର ଏହି ମହତ୍‌ କାର୍ଯ୍ୟ ସମ୍ପର୍କରେ ଚର୍ଚ୍ଚା ହେବାରୁ ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ବୁଲି ଆସିଲେ। ଆସାମର ଜୋର୍‌ହାଟ୍‌ ଜିଲା ଅନ୍ତର୍ଗତ କୋକିଳାମୁଖ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବ୍ରହ୍ମପୁତ୍ର ନଦୀପଠାକୁ ଲାଗି ପ୍ରାୟ ୫୫୦ ହେକ୍ଟର ଜମିରେ ଯାଦବଙ୍କ ଦ୍ୱାରା ଗଢି ଉଠିଥିବା ଏହି ଜଙ୍ଗଲକୁ ପରବର୍ତ୍ତୀ ସମୟରେ ଯାଦବଙ୍କ ନାମାନୁସାରେ ‘ମୋଲାଇ ଜଙ୍ଗଲ’ ଭାବେ ପରିଚିତି ମିଳିବା ସହ ତାଙ୍କୁ ଲୋକେ ସ୍ନେହରେ ‘ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ବୋଲି ସମ୍ବୋଧନ କରିବାକୁ ଲାଗିଲେ। ଏପିରି କି ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ବି କରାଗଲା। ସେହିପରି ୨୦୧୫ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ ହେଲେ। କେବଳ ସେତିକି ନୁହେଁ, ଯାଦବଙ୍କ ଜୀବନଶୈଳୀକୁ ନେଇ ଅନେକ ଡକ୍ୟୁମେଣ୍ଟାରୀ ବି ହୋଇସାରିଲାଣି।

ଟାଙ୍ଗରା ଭୂମିକୁ ଶସ୍ୟଶ୍ୟାମଳାରେ ଭରିଦେଲେ ଜଣେ ଅଧ୍ୟାପକ: କର୍ନାଟକର ଉଡୁପି ଜିଲା ଅନ୍ତର୍ଗତ ହେରୁର୍‌ ନାମକ ଗାଁରେ ରିଚାର୍ଡ ରେବେଲୋଙ୍କର ରହିଛି ୨୫ ଏକରର ଏକ ଏଗ୍ରିକଲ୍‌ଚରାଲ୍‌ ଫାର୍ମ। ରିଚାର୍ଡ ହେଉଛନ୍ତି ବାଣିଜ୍ୟ ବିଭାଗର ଜଣେ ଅବସରପ୍ରାପ୍ତ ଅଧ୍ୟାପକ। କୃଷି ଉପରେ ତାଙ୍କର ଆଦୌ ଜ୍ଞାନ ନ ଥିଲା। ହେଲେ ସେ କିପରି ଏହି ଟାଙ୍ଗରା ଜମିକୁ ଶସ୍ୟଶ୍ୟାମଳାରେ ଭରିଦେଲେ ତାହା ହେଉଛି ସବୁଠୁ ଆଶ୍ଚର୍ଯ୍ୟର କଥା। ସୂଚନାନୁଯାୟୀ, ୧୯୮୭ରେ ରିଚାର୍ଡଙ୍କର ଜଣେ ଡାକ୍ତର ବନ୍ଧୁଙ୍କ ପାଖେ ଏହି ଜମିଟି ଥିଲା। ସେତେବେଳେ ଏହି ଜମିରେ ପାଣିର ସ୍ତର ଖୁବ୍‌ ତଳେ ରହୁଥିଲା। ତା’ସହିତ ଏହି ଜମିର ମାଟି ଖୁବ୍‌ ଟାଣ ଆଉ ପଥୁରିଆ ରହୁଥିବାରୁ ବର୍ଷାଜଳକୁ ବି ବାନ୍ଧି ରଖିପାରୁ ନ ଥିଲା। ଫଳରେ କିଛି ଚାଷବାସ କରି ହେଉ ନ ଥିଲା। ଟାଙ୍ଗରା ଭୂମିଭାବେ ଏହା ସେମିତି ପଡିଥିଲା। ସେଥିପାଇଁ ସେହି ଡାକ୍ତର ଜଣଙ୍କ ଜମିକୁ ବିକିବା ପାଇଁ ନିଷ୍ପତ୍ତି ନେଇଥିଲେ ଆଉ ରିଚାର୍ଡଙ୍କୁ ଏଥିପାଇଁ ଜଣେ ଗ୍ରାହକ ଠିକ୍‌ କରିଦେବା ପାଇଁ କହିଥିଲେ। ହେଲେ କେହି ଗ୍ରାହକ ମିଳୁ ନ ଥିଲେ। ଯେଉଁଥିପାଇଁ ତାଙ୍କ ବନ୍ଧୁ ଖୁବ୍‌ ଚିନ୍ତାରେ ରହୁଥିଲେ। ଶେଷରେ ବନ୍ଧୁଙ୍କୁ ଚିନ୍ତାମୁକ୍ତ କରିବା ପାଇଁ ରିଚାର୍ଡ ସେହି ଜମିଟିକୁ କିଣିନେଲେ। ଆଉ ସେହି ଟାଙ୍ଗରା ଭୂମିରେ କେମିତି ଅମଳ କରି ଦେଖାଇବେ ସେ ନେଇ ଦୃଢ଼ ସଂକଳ୍ପ ବି ନେଲେ। ତାଙ୍କର ପ୍ରଥମ କାମ ଥିଲା ଜମିରେ ଥିବା ପାଣି ସମସ୍ୟାକୁ କେମିତି ସମାଧାନ କରିବେ। ସେଥିପାଇଁ ସେ ବିଭିନ୍ନ ପାହାଡିଆ ଅଞ୍ଚଳକୁ ବୁଲି ଯାଉଥିଲେ, ଯେଉଁଠାରେ ପାଣି ସମସ୍ୟାକୁ ବିଭିନ୍ନ ଉପାୟରେ ସମାଧାନ କରି ଲୋକେ ଚାଷବାସ କରିପାରୁଥିଲେ। ସେମାନଙ୍କଠାରୁ ସରଳ ଉପାୟ ସବୁ ଜାଣିବା ପରେ ରିଚାର୍ଡ ଆସି ସେହି ଅନୁଯାୟୀ ନିଜ ଜମିରେ ଚାଷ କରିବାକୁ ଲାଗିଲେ। ତା’ସହିତ ବର୍ଷାଜଳକୁ ସଞ୍ଚୟ କରି ରଖିବା ପାଇଁ ସେ ତାଙ୍କ ଜମିରେ ସ୍ବତନ୍ତ୍ର ଗାତ ମଧ୍ୟ ଖୋଳିଥିଲେ। ଶେଷରେ ବହୁ ଉଦ୍ୟମ ଓ କଠିନ ପରିଶ୍ରମ କରି ସେ ତାଙ୍କର ଏହି ଟାଙ୍ଗରା ଭୂମିରେ ଗଛ ବଞ୍ଚାଇବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଏହି ଜମିରେ ସେ ବିଭିନ୍ନ କିସମର ଫଳ, ଫୁଲ, ପନିପରିବା ତଥା ଔଷଧୀୟ ବୃକ୍ଷ ଲଗାଇ ସେଥିରୁ ଭଲ ଲାଭ ପାଇବା ସହ କୁକୁଡା ଫାର୍ମ ଓ ଗୋପାଳନ ବି କରିବାରେ ସଫଳ ହୋଇପାରିଛନ୍ତି।

ଗଛ ଲଗାଇ ଅଭୟାରଣ୍ୟ ସୃଷ୍ଟି କଲେ ଦମ୍ପତି:ଅନିଲ୍‌ କୁମାର ମଲହୋତ୍ରା ଏବଂ ପାମେଲା ମଲ୍‌ହୋତ୍ରା ହେଲେ ଏନ୍‌ଆର୍‌ଆଇ ଦମ୍ପତି। ଉଭୟଙ୍କୁ ଗଛଲତା, ପଶୁପକ୍ଷୀ ବହୁତ ଭଲ ଲାଗନ୍ତି। ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥିଲା କେଉଁଠି ଏକ ଜାଗା କିଣି ତାକୁ ସବୁଜିମାରେ ଭରି ପ୍ରକୃତି କୋଳରେ ଶାନ୍ତିରେ ବାସ କରିବେ। ଏମିତିରେ ସେମାନଙ୍କ ନଜରକୁ ଆସିଥିଲା କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ୫୫ ଏକରର ଏକ ସ୍ଥାନ, ଯାହା ସେତେବେଳେ ସ୍ଥାନୀୟ ଲୋକଙ୍କର କୌଣସି କାମରେ ଆସୁ ନ ଥିଲା। ସେହି ସ୍ଥାନରେ ଖୁବ୍‌ ବର୍ଷା ହେଉଥିବାରୁ ଚାଷବାସ କରିବା ବି ସେଠାରେ ସମ୍ଭବ ନ ଥିଲା। ଏହା ଜାଣିବା ପରେ ଅନିଲ୍‌ ଏବଂ ତାଙ୍କ ସ୍ତ୍ରୀ ଉକ୍ତ ସ୍ଥାନକୁ କିଣି ନେଇଥିଲେ ଆଉ ସେଠାରେ ଆସି ରହିବାକୁ ଲାଗିଲେ। ପ୍ରବଳ ବର୍ଷା ହେଉଥିବାରୁ ଚାଷ ସିନା ହୋଇ ପାରିବ ନାହିଁ ହେଲେ ସେଠାରେ ବର୍ଷାରଣ୍ୟ ତ ସୃଷ୍ଟି କରିହେବ। ତେଣୁ ସେମାନେ ଗୋଟିଏ ଲକ୍ଷ୍ୟରେ ଚାଲିଲେ, କେମିତି ସେହି ସ୍ଥାନଟିକୁ ଶସ୍ୟଶ୍ୟାମଳାରେ ଭରି ବର୍ଷାରଣ୍ୟ କରିବେ ଆଉ ପଶୁପକ୍ଷୀଙ୍କୁ ସୁରକ୍ଷା ଦେବେ। ସେଥିପାଇଁ ସେମାନେ ସେଠାରେ ଅଧିକରୁ ଅଧିକ ଗଛ ଲଗାଇବାକୁ ଲାଗିଲେ। ଜଙ୍ଗଲ ସୃଷ୍ଟି ହେବାରୁ ଧୀରେ ଧୀରେ ପଶୁପକ୍ଷୀ ବି ଆସି ସେଠାରେ ଆଶ୍ରୟ ନେଲେ। ସୂଚନାନୁଯାୟୀ, ୧୯୯୧ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ଏକ ସଫଳ ପ୍ରୋଜେକ୍ଟରେ ପରିଣତ ହୋଇଛି। ମାତ୍ର ୫୫ ଏକରରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ କ୍ରମେ ବଢି ବଢି ଆଖପାଖର ପ୍ରାୟ ୩୦୦ ଏକରର ଅଞ୍ଚଳକୁ ଘଞ୍ଚ ଜଙ୍ଗଲରେ ପରିଣତ କରିଦେଇଛି। ତା’ସହିତ ଏହି ଦମ୍ପତିଙ୍କ ଚେଷ୍ଟାରେ ସେହି ସ୍ଥାନରେ ଏକ ଅଭୟାରଣ୍ୟ ବି ଗଢି ଉଠିଛି, ଯେଉଁଠାରେ ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ସତରେ ପ୍ରକୃତି ପାଇଁ ଏହି ଦମ୍ପତିଙ୍କର ଏଭଳି ଚିନ୍ତା ପ୍ରଶଂସାଯୋଗ୍ୟ।

ଗଛ ଲଗାଇ ଉଦାହରଣ ସୃଷ୍ଟି କଲେ ବ୍ରାଜିଲ ଦମ୍ପତି: ବ୍ରାଜିଲର ଜଣେ ଲୋକପ୍ରିୟ ଫଟୋଗ୍ରାଫର ହେଲେ ସେବାଷ୍ଟିଆଓ ରିବେଇରୋ ସାଲ୍‌ଗାଡୋ। ସ୍ଥାନୀୟ ମିନାସ୍‌ ଜେରାଇସ୍‌ରେ ତାଙ୍କ ଘର। ପିଲାଟି ଦିନରୁ ସେ ଦେଖି ଆସୁଥିଲେ ତାଙ୍କର ଆଖପାଖ ଅଞ୍ଚଳ ସବୁ ଗଛଲତା, ଫୁଲଫଳରେ ଭରପୂର ହୋଇ ରହିଥିଲା। ଯୁଆଡେ ଚାହିଁବ ସବୁଜ ବନାନୀ। ତାକୁ ହିଁ ଦେଖି ସେ ବଡ ହେଉଥିଲେ। ଫଟୋଗ୍ରାଫିରେ କ୍ୟାରିୟର୍‌ କରିବା ପରେ ତାଙ୍କୁ ଘରଛାଡି ବାହାରକୁ ଯିବାକୁ ପଡିଲା। ବେଶ୍‌ କିଛିବର୍ଷ ବାହାରେ ରହିବା ପରେ ଶସ୍ୟଶ୍ୟାମଳାଭରା ତାଙ୍କର ସେହି ଅଞ୍ଚଳକୁ ସେ ଏବଂ ତାଙ୍କର ସ୍ତ୍ରୀ ଲେଲିଆ ଡେଲୁଇଜ୍‌ ଓ୍ବାନିକ୍‌ ସାଲଗାଡୋ ଟିକେ ବୁଲି ଆସିଥିଲେ। ହେଲେ ସେତେବେଳକୁ ତାଙ୍କ ଅଞ୍ଚଳ ଟାଙ୍ଗରା ଭୂମିରେ ପରିଣତ ହୋଇସାରିଥାଏ। ଏହା ପଛର ମୁଖ୍ୟ କାରଣ ଥିଲା ଗଛ କାଟି ଜଙ୍ଗଲକୁ ନଷ୍ଟ କରିବା। ସ୍ଥାନୀୟ ଅଞ୍ଚଳର ଏପରି ଅବସ୍ଥା ଦେଖି ଭାଙ୍ଗି ପଡିଥିଲେ ସାଲ୍‌ଗାଡୋ। ହେଲେ ସେଠାରେ ତାଙ୍କ ସ୍ତ୍ରୀ ତାଙ୍କୁ ଆଶ୍ୱସନା ଦେଇଥିଲେ, ଯଦି ଆମେ ପୁଣି ଏଠାରେ ଗଛ ଲଗାଇବା ଆରମ୍ଭ କରିବା, ତା’ହେଲେ କିଛିଦିନ ଭିତରେ ଏ ଅଞ୍ଚଳ ପୁଣିଥରେ ତା’ର ସୌନ୍ଦର୍ଯ୍ୟ ଫେରି ପାଇବ। ବାସ୍‌ ଏହାକୁ ଜୀବନର ଲକ୍ଷ୍ୟ ଭାବି ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଉଭୟ ସ୍ବାମୀ ସ୍ତ୍ରୀ ଏହି ମହତ୍‌ କାମରେ ଲାଗିଛନ୍ତି। ତା’ସହିତ ସେମାନେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ବି ପ୍ରତିଷ୍ଠା କରିଛନ୍ତି। ଏହି ଅନୁଷ୍ଠାନରେ ବହୁ ସ୍ବେଚ୍ଛାକର୍ମୀ ସାମିଲ ହୋଇ ଗଛ ଲଗାଇବା ଏବଂ ତା’ର ଯତ୍ନ ନେବାରେ ସେମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। ୟା’ଭିତରେ ସେମାନେ ପ୍ରାୟ ୧୭୫୦ ଏକର ପରିମିତ ଅଞ୍ଚଳରେ ପ୍ରାୟ ୪ ମିଲିୟନ୍‌ରୁ ଅଧିକ ଗଛ ଲଗାଇ ପୁନର୍ବାର ସେହି ଅଞ୍ଚଳକୁ ସବୁଜିମାରେ ଭରିଦେଲେଣି। ଫଳରେ ଅନେକ ପଶୁପକ୍ଷୀ ବି ଆସି ସେଠାରେ ଆଶ୍ରୟ ନେବାକୁ ଲାଗିଲେଣି। ସୂଚନାନୁଯାୟୀ, ଏବେ ସେହି ଅଞ୍ଚଳରେ କୁଆଡେ ପ୍ରାୟ ୧୭୨ ପ୍ରଜାତିର ପକ୍ଷୀ, ୩୩ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୫ ପ୍ରଜାତିର ସରୀସୃପ, ୧୫ ପ୍ରଜାତିର ଉଭୟଚର ପ୍ରାଣୀ ତଥା ୨୯୩ କିସମର ବୃକ୍ଷଲତା ଦେଖିବାକୁ ମିଳୁଛି। ପୁନର୍ବାର ନିଜ ଅଞ୍ଚଳକୁ ଶସ୍ୟଶ୍ୟାମଳାରେ ପରିପୂର୍ଣ୍ଣ କରିପାରିଥିବାରୁ ଏହି ବ୍ରାଜିଲ୍‌ ଦମ୍ପତି ବେଶ୍‌ ଖୁସି ହେବା ସହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଗଛ ପ୍ରେମରେ ବନ୍ଧା ରାଧାଶ୍ୟାମ: ଯାଜପୁର ଜିଲା ଦଶରଥପୁର ବ୍ଲକ କୟଁା ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗାଁର ଜଣେ ସରଳ ମଣିଷ ହେଲେ ରାଧାଶ୍ୟାମ ଦାସ। ବୟସ ତାଙ୍କୁ ୪୦ ପାଖାପାଖି ହେବ। ପେସାରେ ସେ ଜଣେ ଅଟୋ ଚାଳକ। ହେଲେ ନିଶା ତାଙ୍କର ଗଛ ଲଗାଇବା ଓ ତା’ର ଯତ୍ନ ନେବା। ଆଜକୁ ପ୍ରାୟ ୧୫ ବର୍ଷ ତଳେ ରାଧାଶ୍ୟାମ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରେ ଅଶ୍ୱିନୀ କୁମାର ଦୁବେ ନାମକ ଜଣେ ଆଡଭୋକେଟ୍‌ଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ଆଡଭୋକେଟ୍‌ ଜଣକ ସେତେବେଳେ ଜାଗୃତି ଫାଉଣ୍ଡେଶନ ନାମକ ଏକ ଏନଜିଓ ସଂସ୍ଥା ଗଠନ କରି ବୃକ୍ଷରୋପଣ କାର୍ଯ୍ୟ ନିଜ ହାତକୁ ନେଇଥିଲେ। ଦିଲ୍ଲୀରେ ସେ ଏବଂ ତାଙ୍କ ସଂସ୍ଥା ଏତେ ଆଦୃତ ହେଲା ଯେ ରାଧାଶ୍ୟାମ ବି ଏଥିରେ ଅନୁପ୍ରାଣିତ ହୋଇ ଏହିପରି ବୃକ୍ଷରୋପଣ କରିବାକୁ ମନସ୍ଥ କରିଥିଲେ। ଆଉ ଏହି ସ୍ବପ୍ନକୁ ସାକାର ରୂପ ଦେବା ପାଇଁ ଶେଷରେ ରାଧାଶ୍ୟାମ ଚାକିରି ଛାଡି ଗାଁକୁ ଚାଲି ଆସିଲେ ଏବଂ ନିଜ ଗାଁ ଓ ଆଖପାଖ ଗାଁର ରାସ୍ତା ପାର୍ଶ୍ୱ, ପୋଖରୀ ହୁଡା, ବୈତରଣୀ ନଦୀ ପଠା, ବିଭିନ୍ନ ସ୍କୁଲ ପ୍ରାଙ୍ଗଣ ତଥା ପତିତ ଜମିରେ ଗଛ ଲଗାଇବାକୁ ଲାଗିଲେ। ୟା’ଭିତରେ ସେ ପ୍ରାୟ ୫ହଜାରରୁ ଅଧିକ ବୃକ୍ଷରୋପଣ କରିସାରିଲେଣି। ସେ କେବଳ ଗଛ ଲଗାନ୍ତି ତାହା ନୁହେଁ ଏହାର ରକ୍ଷଣାବେକ୍ଷଣ ପାଇଁ ବି ନିଜ ହାତରୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ଏହି ଅର୍ଥ ସେ ଅଟୋ ଚଳାଇ ଯୋଗାଡ କରିଥାନ୍ତି। ପ୍ରତିଦିନ ସକାଳେ ୨ ଘଣ୍ଟା ଏବଂ ସନ୍ଧ୍ୟାରେ ୨ ଘଣ୍ଟା ସେ ଏହି ଗଛଗୁଡ଼ିକର ଯତ୍ନ ନେବାରେ ସମୟ ଅତିବାହିତ କରିଥାନ୍ତି। ଏହା ଯେମିତି ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି। ସେ ମୁଖ୍ୟତଃ ନିମ, କଦମ୍ବ, ବଉଳ, ଦେବଦାରୁ, ଇଉକାଲିପଟାସ ଆଦି ଗଛ ନର୍ସରିରୁ କିଣି ଆଣି ବିଭିନ୍ନ ସ୍ଥାନରେ ଲଗାଇଥାନ୍ତି। ତାଙ୍କର ଏତାଦୃଶ କାର୍ଯ୍ୟ ଦେଖି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ପଠାଇବା ସହ ତାଙ୍କ ସହିତ ମିଶି ବୃକ୍ଷରୋପଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ରାଧାଶ୍ୟାମ କହିଥାନ୍ତି। ତେବେ ସେ ଯାହା ହେଉ, ସ୍ବଚେଷ୍ଟାରେ କିଛି ଗଛ ଲଗାଇ ପ୍ରକୃତିକୁ ଶସ୍ୟ ଶ୍ୟାମଳା କରିବାକୁ ଉଦ୍ୟମ କରୁଥିବା ରାଧାଶ୍ୟାମ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଜଣେ ଉଦାହରଣ ପାଲଟି ଯାଇଛନ୍ତି।

ପ୍ରକୃତିର ଚିତ୍ର ଆଙ୍କୁ ଆଙ୍କୁ ଗଛ ପ୍ରେମରେ ପଡ଼ିଲେ ନିରଞ୍ଜନ:ଭଦ୍ରକ ଜିଲାର ରାନ୍ଦିଆରେ ରୁହନ୍ତି ନିରଞ୍ଜନ ନାୟକ(ନିରନ୍‌)। ଜଣେ ଚିତ୍ରଶିଳ୍ପୀ ଭାବେ ସ୍ଥାନୀୟ ଅଞ୍ଚଳରେ ସେ ବେଶ୍‌ ପରିଚିତ। ରଙ୍ଗତୂଳୀରେ ପ୍ରକୃତିର ଚିତ୍ର ଆଙ୍କୁ ଆଙ୍କୁ ଗଛ ପ୍ରେମରେ ସେ ପଡି ଯାଇଥିଲେ। ବୃକ୍ଷଲତାରେ ଭରା ସବୁଜିମା ପରିବେଶ ସୃଷ୍ଟି କରିବାକୁ ସଂକଳ୍ପ ନେଇ ସେ କ୍ରମେ ବୃକ୍ଷରୋପଣ କରିବା ଆରମ୍ଭ କରିଥିଲେ। ୨୦୦୭ ମସିହାରୁ ସେ ଏହି ମହତ୍‌ କାମ ଆରମ୍ଭ କରି ୟା’ଭିତରେ ପ୍ରାୟ ୨ ହଜାର ବୃକ୍ଷ ଲଗାଇ ନିଜ ପିତୃପୁରୁଷଙ୍କ ଟାଙ୍ଗରା ଜମିକୁ ଶ୍ୟାମଳ ପାଟଶାଢି ପିନ୍ଧେଇ ସାରିଲେଣି। କେବଳ ସେତିକି ନୁହେଁ ନିରଞ୍ଜନଙ୍କ ଗାଁରେ ଥିବା ଏକ ଗ୍ରାମ୍ୟ ଜଙ୍ଗଲକୁ ଏକଦା ନଷ୍ଟ କରି ସେଠାରେ ଗୋଟିଏ ମଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ କରିବାର ସରକାରୀ ଯୋଜନା ହୋଇଥିଲା। ଏକଥା ନିରଞ୍ଜନ ଜାଣିବା ପରେ ସେଠାରେ ଗଛ କଟାଇ ନ ଦେବାକୁ ମନସ୍ଥ କରି ତା’ର ଘୋର ବିରୋଧ କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ। ତା’ସହିତ ତାଙ୍କ ପ୍ରେରଣାରେ ପରବର୍ତ୍ତୀ ସମୟରେ ଭଦ୍ରକ ସହରର ଆଖପାଖ ଅଞ୍ଚଳରେ ପ୍ରାୟ ୨୦ ହଜାର ବୃକ୍ଷ ବି ଲଗାଯାଇଥିଲା, ଯାହା ଥିଲା ଏକ ଉତ୍ତମ ପଦକ୍ଷେପ। ନିରଞ୍ଜନ ଏବେ ବୃକ୍ଷ ସମ୍ପର୍କିତ ବିଭିନ୍ନ ଅନୁଷ୍ଠାନ ସହ ବି ଜଡିତ। ଏଥିସହିତ ସେ ‘ଗଛ ମଣିଷ’ ନାମରେ ଏକ ଅନୁଷ୍ଠାନ ମଧ୍ୟ ଗଢିଛନ୍ତି। ଏହି ଅନୁଷ୍ଠାନରେ ପ୍ରାୟ ୪୦ ଜଣ ସଦସ୍ୟ ତାଙ୍କ ସହ ଆଜୀବନ ରହି ବୃକ୍ଷରୋପଣ କରିବାର ଅଭୀପ୍ସା ରଖିଛନ୍ତି। ଏ ନେଇ ନିରଞ୍ଜନ କୁହନ୍ତି, ବୃକ୍ଷ ବି ମଣିଷଙ୍କ ପରି କଥା ହୁଅନ୍ତି। ମୋତେ ଲାଗେ ସେମାନଙ୍କ ହୃଦୟର କଥା ମୁଁ ଯେମିତି ଉପଲବ୍ଧି କରିପାରୁଛି। ସେଥିପାଇଁ ମୁଁ ତାଙ୍କୁ ଭଲପାଏ ଆଉ ଯତ୍ନ ନିଏ। ମୋ ଦେହରେ ଜୀବନ ଥିଲା ଯାଏ ମୁଁ ବୃକ୍ଷଙ୍କୁ ଏମିତି ଭଲ ପାଉଥିବି।

ତେଣୁ ଶେଷରେ କେବଳ ଏତିକି କୁହାଯାଇପାରେ, ଯଦି ଏହିଭଳି କିଛି ଲୋକଙ୍କ ପରି ଅନ୍ୟମାନେ ବି ସଚେତନ ହୋଇ ଗଛ ଲଗାଇବା ସହ ତା’ର ଯତ୍ନ ନେବାକୁ ଆଗେଇ ଆସନ୍ତେ, ତା’ହେଲେ ଖୁବ୍‌ଶୀଘ୍ର ଆମ ପୃଥିବୀ ସବୁଜିମାରେ ଭରିଯିବା ସହ ତା’ର ପୂର୍ବ ସୌନ୍ଦର୍ଯ୍ୟ ଫେରିପାଆନ୍ତା।
-ଅମ୍ବ୍ରିତା
ସହାୟତା : ଦୀପ୍ତି ରଞ୍ଜନ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?