ବିଚାରର ଦୁଇଟି ମାର୍ଗ

ଡ. ବାସୁଦେବ ମିଶ୍ର

ପ୍ରବୃତ୍ତି ଆଉ ନିବୃତ୍ତି: ବିଚାରର ମାର୍ଗ ଦୁଇଟି- ଜୀବନକୁ ସୁନ୍ଦର ସୁଠାମ କରି ଗଢି ତୋଳିବା ପାଇଁ। ମନୁଷ୍ୟତାର ମହକକୁ ଚତୁର୍ଦ୍ଦିଗରେ ପ୍ରସାରିତ କରିବା ପାଇଁ। ତା’ର ଉଚ୍ଚତା ଓ ମହନୀୟତାକୁ ଅନୁଭବରେ ଆଣିବା ନିମନ୍ତେ। ମନୁଷ୍ୟର ନିଜସ୍ବ ଭାବନା ଓ ବିଚାର ଉପରେ ଏହି ଦୁଇଟି ଅବଶ୍ୟ ନିର୍ଭରଶୀଳ। ବିଚାର ଯେତିକି ଉନ୍ନତ ଓ ଋଦ୍ଧିମନ୍ତ, ପ୍ରବୃତ୍ତି ଓ ନିବୃତ୍ତିର ସହାୟତାରେ ଜୀବନ ସେତିକି ଦୀପ୍ତିମନ୍ତ ହୋଇଯାଏ।
ପ୍ରବୃତ୍ତି ହେଲା କୌଣସି କାର୍ଯ୍ୟରେ ପ୍ରବୃତ୍ତ ହେବା, ନିଜକୁ ନିୟୋଜିତ କରିବା। ନିବୃତ୍ତି- କୌଣସି କାର୍ଯ୍ୟରୁ ନିଜକୁ ଅପସାରିତ କରିବା। ଏହି ଦୁଇଟି ଭାବନା ଭଲ ମନ୍ଦ, ହାନିଲାଭ, ଶୁଭ ଅଶୁଭାଦି ବିଚାର ଦ୍ୱାରା ପରିଚାଳିତ ଏବଂ ନିୟନ୍ତ୍ରିତ ହୋଇଥାଏ। ବେଳେବେଳେ ଦେଖାଯାଏ, ସାଧାରଣ ଲୋକଟି ନିଜର ବିଚାରଶକ୍ତି ଦ୍ୱାରା ପ୍ରବୃତ୍ତି ନିବୃତ୍ତିର ନିଶୁଣି ଚଢି କାହିଁ କେତେ ଊର୍ଦ୍ଧ୍ୱକୁ ଚାଲିଯାଏ। ପୁଣି କେତେ ଇନ୍ଦ୍ରିୟସଂଯମୀ ଋଷି ପ୍ରବୃତ୍ତି ନିବୃତ୍ତିର ଶିଡ଼ିକୁ ଆଶ୍ରୟ କରି ଅତଳ ରସାତଳଗାମୀ ହୁଅନ୍ତି। ମହାଭାରତରେ ପାଣ୍ଡବମାନଙ୍କର ବନବାସ କାଳରେ ଦୁର୍ଯ୍ୟୋଧନ ଥିଲେ ହସ୍ତିନାପୁର ରାଜ୍ୟର ଅଧିପତି। ହିଂସାଦ୍ୱେଷାଦି ଅନେକ ଦୁର୍ଗୁଣ ଥିଲେ ମଧ୍ୟ ଦୁର୍ଯ୍ୟୋଧନ ଥିଲେ ଜଣେ ଉତ୍ତମ ଶାସକ। ଏକଥା ପ୍ରମାଣିତ ହୋଇଥିଲା ତାଙ୍କର ଏହି ରାଜ୍ୟଶାସନ କାଳରେ। ସୁଶାସନରେ ସେ ପ୍ରଜାମାନଙ୍କର ମନ ଏପରି ମୋହିଥିଲେ ଯେ ସେମାନେ ପାଣ୍ଡବମାନଙ୍କୁ ଆଉ ମନେ ରଖି ନ ଥିଲେ। ମହାକବି ଭାରବୀଙ୍କର କିରାତାର୍ଜୁନୀୟ କାବ୍ୟରେ ଏହାର ସୁନ୍ଦର ବର୍ଣ୍ଣନା ମିଳେ। ଧର୍ମ କାର୍ଯ୍ୟରେ ପ୍ରବୃତ୍ତ ହେବା ଏବଂ ଅଧର୍ମ କାର୍ଯ୍ୟରୁ ନିବୃତ୍ତ ହେବା ଜଣେ ସୁପୁରୁଷର କର୍ତ୍ତବ୍ୟ- ଏ ସୁମହାନ ଜ୍ଞାନ ଦୁର୍ଯ୍ୟୋଧନଙ୍କର ଥିଲା। କିନ୍ତୁ ପାଣ୍ଡବମାନଙ୍କ କ୍ଷେତ୍ରରେ ସେ ଏହି ଜ୍ଞାନର ପ୍ରୟୋଗ କରି ନ ଥିଲେ। ବନବାସରୁ ଫେରିବା ପରେ ପାଞ୍ଚଭାଇଙ୍କୁ ପାଞ୍ଚଖଣ୍ଡ ପଡା ଦେବା ପରିବର୍ତ୍ତେ ସେ ସେମାନଙ୍କୁ ଯୁଦ୍ଧ ମାଗିଥିଲେ। ହସ୍ତିନାପୁରକୁ ଶାନ୍ତିଦୂତ ହୋଇ ଆସିଥିବା ଶ୍ରୀକୃଷ୍ଣଙ୍କର ପ୍ରଶ୍ନର ଉତ୍ତରରେ କହିଥିଲେ- ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତିର୍ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତିଃ। ଅର୍ଥାତ୍‌ ହେ କୃଷ୍ଣ! ଧର୍ମ କ’ଣ ତାହା ମୋତେ ଅଜଣା ନାହିଁ। କେବଳ ପାଞ୍ଚଖଣ୍ଡ ପଡା କାହିଁକି, ଏ ସମଗ୍ର ହସ୍ତିନାପୁର ରାଜ୍ୟ ବଡଭାଇ ଯୁଧିଷ୍ଠିରଙ୍କର ପ୍ରାପ୍ୟ, କିନ୍ତୁ ମୋର ମନ ସେପରି ଧର୍ମରେ ପ୍ରବୃତ୍ତ ହେଉନାହିଁ। ସେହିପରି ଅଧର୍ମ କ’ଣ ମୁଁ ତାହା ମଧ୍ୟ ଜାଣେ। ନିଜର ଭ୍ରାତାମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ଏବଂ ସେମାନଙ୍କୁ ବାରମ୍ବାର ବିପଦ ମୁହଁକୁ ଠେଲିଦେବା, ଏହା ଆଦୌ ଉଚିତ ନୁହେଁ, କିନ୍ତୁ ସେଥିରୁ ମଁୁ ନିଜକୁ ନିବୃତ୍ତ କରି ପାରୁନାହିଁ।
ଅନେକ ସମୟରେ ଏମିତି ହୁଏ, ଉଚିତ ଅନୁଚିତ ଠିକ୍‌ରୂପେ ଜାଣିଥିଲେ ମଧ୍ୟ ଅନୁଚିତରେ ପ୍ରବୃତ୍ତ ହେବା ଏବଂ ଉଚିତରୁ ନିବୃତ୍ତ ହେବାପାଇଁ ମନୁଷ୍ୟ ପରିସ୍ଥିତିକ୍ରମେ ବାଧ୍ୟ ହୋଇଥାଏ। ଅର୍ଥାତ୍‌ ତା’ ବ୍ୟତୀତ ଆଉ ତା’ର ଗତ୍ୟନ୍ତର ନ ଥାଏ। ସମୟ ସମୟରେ ନିଜେ ବୁଣିଥିବା ଜାଲରେ ଛନ୍ଦିହୋଇ ଭୁଲକୁ ଠିକ୍‌ ଏବଂ ଠିକ୍‌କୁ ଭୁଲ୍‌ ବୋଲି ମାନିନିଏ। ଖୁବ୍‌ କମ୍‌ ଲୋକଙ୍କୁ ଛାଡିଦେଲେ କେତେ ବିଚାରବନ୍ତ, ଜ୍ଞାନୀ, ଗୁଣୀ, ପ୍ରାଜ୍ଞ, ରାଜନେତା ଏପରି ଖାଲରେ ପଡି କଲବଲ ହୁଅନ୍ତି।
ଅସଲ କଥାଟା ହେଲା ପ୍ରବୃତ୍ତିମାର୍ଗରେ ହାତପାହାନ୍ତାରେ ଯେତିକି ସୁଖ ଆମେ ପାଉ, ନିବୃତ୍ତିମାର୍ଗରେ ସେତିକି ମିଳେନା। ଯାହା ବା ମିଳେ ତାହା କାଳାନ୍ତରରେ ମିଳେ, ଯେଉଁଥିପାଇଁ ଆମର ଧୈର୍ଯ୍ୟ ନ ଥାଏ। ନିଶାରେ ଥିବା ଲୋକଟି ନିଶାରେ ଥିବା ସମୟରେ ଅଧିକ ସୁଖ ପାଉଥିବା ଦାବି କରେ। ସମସ୍ତ ପ୍ରାଣୀ ପ୍ରବୃତ୍ତିର ଆବେଶରେ ଯେମିତି ଝୁମିି ରହିଥାଆନ୍ତି ନିଶାଗ୍ରସ୍ତଟିଏ ନିଶାର ଆବେଶରେ ରହିଥିବା ପରି। ଚାଳଘରେ ବାସ କରୁଥିବା ଲୋକଟିର ପ୍ରବଳ ଆକାଙ୍‌କ୍ଷା ସେ କୋଠାଘର କରି ତହିଁରେ ବାସ କରିବ। ଏକତାଲା କୋଠାଘରେ ରହୁଥିବା ଲୋକଟିର ସ୍ବପ୍ନ- ସେ ତା’ର ଘରଟିକୁ ଦ୍ୱିତଳ ପ୍ରାସାଦରେ ପରିଣତ କରିବ। ସାଇକେଲରେ ଯା’ଆସ କରୁଥିବା ଲୋକଟି ମୋଟର ବାଇକରେ ଯାଉଥିବା ଲୋକଟିକୁ ଦେଖି ବିହ୍ବଳିତ ହୁଏ। ଏପରି କ୍ଷେତ୍ରରେ ନିବୃତ୍ତିର ମାର୍ଗକୁ ଆପଣେଇବା ଭାବ ଲୋକଙ୍କଠାରେ ପ୍ରାୟ ଦେଖାଯାଏ ନାହିଁ। ଭୋଗର ଆକର୍ଷଣରେ ସମସ୍ତେ ବଶୀଭୂତ। ସୁଦୃଶ୍ୟ ଆମୋଦପୂର୍ଣ୍ଣ ରାଜପ୍ରାସାଦ, ସୁଶୀଳା ମନୋରମା ପତ୍ନୀ ଯଶୋଧାରା ଏବଂ ଶିଶୁପୁତ୍ର ରାହୁଳଙ୍କୁ ଛାଡି ସେଦିନ ରାଜପୁତ୍ର ସିଦ୍ଧାର୍ଥ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କଲେ। ରୋଗ, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ ଯେ ପ୍ରାଣୀକୁ ନିବୃତ୍ତ ହେବାକୁ ବାଧ୍ୟ କରେ, ଏକଥା ସେ ବୁଝିଥିଲେ। ସେମାନଙ୍କର ବାଧ୍ୟତା ପୂର୍ବରୁ ସେ ନିଜେ ନିବୃତ୍ତିର ମାର୍ଗକୁ ଆପଣାଇ ନେଲେ।
ବିଧାତାଙ୍କର ନିୟମ ଦୁଇଗୋଟି- ପ୍ରବୃତ୍ତି ଓ ନିବୃତ୍ତି। ଏହି ଦୁଇଟି ନିୟମ ଦ୍ୱାରା ସେ ସମଗ୍ର ସଂସାରକୁ ପରିଚାଳିତ କରିଥାଆନ୍ତି। ତୁମେ ପ୍ରବୃତ୍ତ ହୁଅ ବା ନ ହୁଅ, ବିଧି ଜୋର କରି ତୁମକୁ ପ୍ରବୃତ୍ତ କରାଏ ପୁଣି ନିବୃତ୍ତ ହୁଅ ବା ନ ହୁଅ ଜୋର କରି ସେ ତୁମକୁ ନିବୃତ୍ତ କରାଏ। ଶୈଶବରୁ କୈଶୋର ଅବସ୍ଥା ପ୍ରାପ୍ତ ହେବାରେ ବିଧି ତୁମର ଅନୁମତି ଅଥବା ଅନୁରୋଧକୁ ଅପେକ୍ଷା କରେନାହିଁ। କୈଶୋରରୁ ନିବୃତ୍ତ ହୋଇ ତୁମେ ଯୌବନରେ ପାଦଥାପ, ସେଥିରେ ତୁମର ଇଚ୍ଛାକୁ ସେ ଅପେକ୍ଷା କରେନାହିଁ। କାଳାନ୍ତରେ ସେ ତୁମକୁ ଯୌବନର ଉଦ୍ଦାମତାରୁ ନିବୃତ୍ତ କରାଇ ବାର୍ଦ୍ଧକ୍ୟର ସ୍ଥବିରତାରେ ପ୍ରବେଶ କରାଏ। ସେଥିରେ ତୁମେ ଦୁଃଖ ପାଇପାର, କିନ୍ତୁ ସେ ସେଥିକୁ ଖାତିର କରେନାହିଁ। ପୁଣି ବହୁଦିନ ଧରି ଭୋଗର ମାଧ୍ୟମ ସାଜିଥିବା ଏହି ଶରୀରରୁ ନିବୃତ୍ତ ହେବାକୁ ଇଚ୍ଛା ନ ଥିଲେ ବି ଦିନେ ଜୋର କରି ତୁମଠାରୁ ଏହି ଶରୀରକୁ ଛଡାଇ ନିଏ। ସେଥିରେ ତୁମେ ଦୁଃଖ କଲ କି ସୁଖ, ତୁମେ ଆମତ୍ୀୟସ୍ବଜନ ବୋଲି ଭାବୁଥିବା ଅନ୍ୟମାନେ ସେଥିରେ ହସିଲେ କି କାନ୍ଦିଲେ ସେଥିକି ତା’ର ଖାତିରି ନ ଥାଏ।
ଦଶରଥପୁର, ଯାଜପୁର,
ମୋ- ୯୪୩୮୩୨୮୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?