ବିଚକ୍ଷଣ ଜନନାୟକ

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୮୬ତମ ପୁଣ୍ୟ ତିଥି। ଇତି ମଧ୍ୟରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ପ୍ରାୟ ୮୩ ବର୍ଷ ଅତିକ୍ରାନ୍ତ ହେଲାଣି। ସମଗ୍ର ପୂର୍ବଭାରତରେ ଓଡ଼ିଆ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି। ଏପରି ଅନେକ କିଛି ଘଟଣା ଘଟିଯାଇଛି। କିନ୍ତୁ ଏକଥା ମଧ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ କାୟମନୋବାକ୍ୟରେ ନିଜକୁ ହଜାଇ ଦେଇଥିବା ମଧୁବାବୁଙ୍କର ଅନେକ ସ୍ବପ୍ନ ଅଧୁରା ହୋଇ ରହିଯାଇଛି। ଷଢ଼େଇକଳା-ଖରସୁଅଁା, ମେଦିନୀପୁର, ବାଙ୍କୁଡ଼ା, ସିଂହଭୂମି, ଚକ୍ରଧରପୁର ଇତ୍ୟାଦି ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏବେ ବିଚ୍ଛାନ୍ନାଞ୍ଚଳ ହୋଇ ରହିଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଚିନ୍ତାମଣି ଆଚାର୍ଯ୍ୟ କହନ୍ତି- ”ମୁଁ କଲିକତାରେ ଆଇନ କଲେଜରେ ପଢ଼ିଲା ବେଳେ ସମୟେ ସମୟେ ସାର୍‌ ଆଶୁତୋଷ ମୁଖୋପାଧ୍ୟାୟଙ୍କ ଘରକୁ ଯାଉଥିଲି। ଆଇନ କଲେଜ ଛାତ୍ରଙ୍କ ପାଇଁ ସାର୍‌ ଆଶୁତୋଷଙ୍କ ଦ୍ୱାର ଉନ୍ମୁକ୍ତ ଥିଲା। ଯଦି ଜାଣୁଥିଲେ କୌଣସି ଛାତ୍ର ଓଡ଼ିଶାରୁ ମଧୁବାବୁଙ୍କ ପ୍ରଦେଶରୁ ଆସି ଆଇନ କଲେଜରେ ପଢ଼ୁଛନ୍ତି, ତେବେ ସେ ନାନା କୌତୂହଳମୟ ପ୍ରଶ୍ନ କରୁଥିଲେ। ସାର୍‌ ଆଶୁତୋଷ ଦିନେ ମତେ ପଚାରିଲେ ତୁମେ କେଉଁଠାରେ ଓକିଲାତି କରିବ? ଯେତେବେଳେ ସେ ଶୁଣିଲେ ମୁଁ କଟକରେ ଓକିଲାତି କରିବି, ମୋତେ ଉପଦେଶ ଛଳରେ କହିଲେ ତା’ ହେଲେ ମୋର ଗୁରୁଦେବ ମଧୁସୂଦନ ଦାସଙ୍କ ପାଖରେ ସହକାରୀ ହୋଇ କାମ ଶିଖିବ।“ ତାଙ୍କ ଉପଦେଶ ମାନି ଚିନ୍ତାମଣି ଆଚାର୍ଯ୍ୟ ମଧୁବାବୁଙ୍କର ଜୁନିୟର ଥିଲେ। ପ୍ରାଚୀନ କାଳରେ ଗୁରୁ ଗୃହରେ ଛାତ୍ର ରହି ଶିକ୍ଷା କଲାପରି ମଧୁବାବୁ ଛାତ୍ରର ନିଷ୍ଠା ପରୀକ୍ଷା କରୁଥିଲେ। ସାମାନ୍ୟ କୌଣସି କଥାରେ ଗୋଟିଏ ଭୁଲ୍‌ ଭ୍ରାନ୍ତି ଘଟିଗଲେ ଆଉ ରକ୍ଷା ମିଳେ ନାହିଁ। ଖୁବ୍‌ ଗାଳିଦିଅନ୍ତି। କିନ୍ତୁ ଉଦାର ହୃଦୟର ମଧୁବାବୁ ତହିଁ ପରଦିନ ଜୁନିୟର ଘରେ ପ୍ରତ୍ୟୁଷରୁ ହାଜର ହୁଅନ୍ତି ଏବଂ କୁହନ୍ତି କାଲି ତତେ ଗୁଡ଼ାଏ ଗାଳିଦେଲି, ତୋର ମନରେ ଭାରି କଷ୍ଟ ହୋଇଥିବ। ମୁଁ ଯାହାଙ୍କୁ ବେଶି ସ୍ନେହକରେ, ତାଙ୍କର ସାମାନ୍ୟ ଦୋଷ ଦେଖିପାରେ ନାହିଁ। ସେ ଏପରି କଥା ସ୍ନେହପୂର୍ଣ୍ଣ ଭାଷାରେ କହନ୍ତି ଯେ, ମନରୁ ସମସ୍ତ ଦୁଃଖ, ଅଭିମାନ ଓ ରାଗ ସାଙ୍ଗେ ସାଙ୍ଗେ କୁଆଡ଼େ ଉଭେଇଯାଏ।
ଚିନ୍ତା, ଚେତନା ତଥା ଆଭିମୁଖ୍ୟ ଦୃଷ୍ଟିରୁ ସେ ମହାତ୍ମା ଗାନ୍ଧୀଙ୍କଠାରୁ ଆଗୁଆ ଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଗ୍ରାମୋଦ୍ୟୋଗ ସଂଘ ପ୍ରତିଷ୍ଠା ହେବା ପୂର୍ବରୁ ମଧୁସୂଦନ ଗ୍ରାମ୍ୟ ଶିଳ୍ପର ବିକାଶ କାର୍ଯ୍ୟ ହାତକୁ ନେଇଥିଲେ। ୧୯୦୫ରେ ଲୋକମାନଙ୍କ ବିନା ଅର୍ଥ ବ୍ୟୟରେ ମଧୁସୂଦନ କଟକଠାରେ ଲୁଗାବୁଣା ଶିକ୍ଷାର ବନ୍ଦୋବସ୍ତ କରିଥିଲେ। ସେହିପରି ମହାତ୍ମା ଗାନ୍ଧୀଙ୍କ ବହୁ ପୂର୍ବରୁ ସେ ଲୁଣମରା ଅଭିଯାନ ଉପରେ ନିଜର ମତବ୍ୟକ୍ତ କରିଥିଲେ। ପରିସ୍ଥିତି ଚାପରେ ପଡ଼ି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ଧର୍ମୀୟ ସଂକୀର୍ଣ୍ଣତାରୁ ସେ ଊର୍ଦ୍ଧ୍ୱରେ ଥିଲେ। ତା’ ନ ହୋଇଥିଲେ ଇଂରେଜ ଶାସନ କବଳରୁ ପୁରୀର ଶ୍ରୀମନ୍ଦିରକୁ ଉଦ୍ଧାର କରି ଗଜପତି ମହାରାଜାଙ୍କ ପରିବାର ହାତରେ ମନ୍ଦିରର ପ୍ରଶାସନିକ ଦାୟିତ୍ୱ ପୁନଃଅର୍ପଣ କରିବା ପାଇଁ ସେ ମୋକଦ୍ଦମା ଲଢ଼ି ନ ଥାନ୍ତେ।
ବି.ଏ. ପଢ଼ିବାବେଳେ ଗୋଟିଏ ଘଟଣା ତାଙ୍କୁ ଲୋକଲୋଚନକୁ ଆଣିଥିଲା। ସଂସ୍କୃତ ପରୀକ୍ଷାରେ ଉତ୍ତର ଦେବନାଗରୀ ନଚେତ୍‌ ନିଜ ମାତୃଭାଷା ଲିପିରେ ଲେଖିବାକୁ କଲିକତା ବିଶ୍ୱବିଦ୍ୟାଳୟର ନିୟମ ଥିଲେ ମଧ୍ୟ ସେତେବେଳେ ସଂସ୍କୃତ ପରୀକ୍ଷା ନିରୀକ୍ଷକ କେବଳ ବଙ୍ଗଳା ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା ଜାଣି ନ ଥିବାରୁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ମାତୃଭାଷାରେ ଲେଖିବାକୁ ଅନୁମତି ମିଳୁ ନ ଥିଲା। ମଧୁସୂଦନ ସଂସ୍କୃତ ପରୀକ୍ଷାରେ ଓଡ଼ିଆ ଲିପିରେ ଉତ୍ତର ଲେଖିବେ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଜଣାଇଲେ। ମାତ୍ର ଏହି ଦାବି ଅଗ୍ରାହ୍ୟ ହୋଇଗଲା। ପରିଶେଷରେ ମଧୁବାବୁ ବଙ୍ଗ ବିହାର ଓଡ଼ିଶାର ଲ୍ୟୁଟନାଣ୍ଟ ଗଭର୍ନର ସାର୍‌ ୱିଲିୟମ ଗ୍ରେଙ୍କ ନିକଟକୁ ଏକ ଆବେଦନପତ୍ର ପଠାଇ ଜଣାଇଲେ ଯେ, ବହୁ ଭାଷାଭାଷୀ ଅଞ୍ଚଳକୁ ନେଇ କଲିକତା ବିଶ୍ୱବିଦ୍ୟାଳୟ ଗଠିତ ହୋଇଥିବାରୁ ସବୁଭାଷାର ଜନନୀ ଭାବେ ବିଚାର କରାଯାଉଥିବା ସଂସ୍କୃତ ପରୀକ୍ଷାର ଉତ୍ତର ମଧ୍ୟ ନିଜ ମାତୃଭାଷା ଲିପିରେ ଲେଖିବା ପାଇଁ ଅନୁମତି ଦିଆଯିବା ଉଚିତ। ମଧୁସୂଦନଙ୍କ ଅକାଟ୍ୟ ଯୁକ୍ତି ଆଗରେ ଲ୍ୟୁଟନାଣ୍ଟ ଗଭର୍ନର ମୁଣ୍ଡ ନୁଅଁାଇଥିଲେ। ଏହା ସେତେବେଳେ ବିଶ୍ୱବିଦ୍ୟାଳୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା।
ମଧୁବାବୁଙ୍କର ସାକ୍ଷୀମାନଙ୍କୁ ଜେରା କରିବାର କୌଶଳ ଏବେ ମଧ୍ୟ ଓଡ଼ିଶାର ଓକିଲମାନଙ୍କ ମଧ୍ୟରେ ଆଲୋଚିତ ହେଉଥିବା ଶୁଣାଯାଏ। ସାକ୍ଷୀ ଯେତେ ଦମ୍ଭକରି ମିଛ କହିବାକୁ ଆସିଥିବ, ମଧୁବାବୁଙ୍କ ଆଗରେ ତା’ ପାଟିରୁ ସତକଥା ବାହାରିଯିବ। ମଧୁସୂଦନ ଦିନେ ଗୋଟିଏ ଦୋହରା ମୋକଦ୍ଦମାରେ ଜଜ୍‌ଙ୍କ ଅଦାଲତରେ ଜେରା କରୁଥାନ୍ତି। ମୋକଦ୍ଦମାଟିର ଘଟଣା ଥିଲା ଏହିପରି- ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ପିଟାପିଟି ହୋଇ ଜଣେ ମୁସଲମାନ ମରିଯାଇଥାଏ। ମଧୁବାବୁ ପ୍ରମାଣ କରିବାକୁ ଚାହୁଁଥାନ୍ତି ଯେ, ମୁସଲମାନମାନେ ଆଗେ ହିନ୍ଦୁ ପକ୍ଷର ଲୋକଙ୍କୁ ମାରିବାରୁ ଆତ୍ମରକ୍ଷା ଉଦ୍ଦେଶ୍ୟରେ ହିନ୍ଦୁପକ୍ଷ ମୁସଲମାନଙ୍କୁ ମାରିଛନ୍ତି। ଜଣେ ମୁସଲମାନ ସାକ୍ଷୀ ଆସିଲେ। ଜମାନବନ୍ଦୀ ଦେଲେ, ଜେରା ବେଳେ ମଧୁବାବୁ ନବାବ ଜାତି, ଅମିର ଜାତି, ବାଦଶାହଙ୍କ ବଂଶଧର ଇତ୍ୟାଦି ଅନେକ କଥା କହି ପ୍ରଥମ କେଇ ମିନିଟ୍‌ରେ ଏପରି ଟେକିଦେଲେ ଯେ ବିଚରା ମୁସଲମାନ ଭଦ୍ରବ୍ୟକ୍ତି ଜଣକ ନିଜର ସ୍ଥିତି ଭୁଲିଯାଇ ନିଜକୁ ବାଦଶାହ ବୋଲି ମନେକଲେ। ସେତିକିବେଳେ ମଧୁବାବୁ କହିଲେ, ଏ କାଫେର ହିନ୍ଦୁ ଆପଣଙ୍କୁ ଶାଲା ବୋଲି ଗାଳିଦେଲା, ଆପଣ ବରଦାସ୍ତ କଲେ କିପରି? ସାକ୍ଷୀ ସଙ୍ଗେ ସଙ୍ଗେ କହିଲା, ବରଦାସ୍ତ କାହିଁକି କରନ୍ତି, ମୁଁ ସଙ୍ଗେ ସଙ୍ଗେ ଲାଠିରେ ମାଡ଼ ଲଗାଇଲି। ମଧୁବାବୁ ଯେଉଁ ଉତ୍ତର ପାଇବାକୁ ଚାହୁଁଥିଲେ, କୌଶଳରେ ସେସବୁ ଉତ୍ତର ସାକ୍ଷୀ ମୁହଁରୁ ପାଇଗଲେ।
ଭୁବନେଶ୍ୱର, ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri