ବନାଗ୍ନି ଓ ଓଡ଼ିଶା

ଅକ୍ଷୟ କୁମାର ସାହୁ
ନିକଟରେ ଆମେରିକାର ନ୍ୟୁୟର୍କ ସହରରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ କାର୍ଯ୍ୟକ୍ରମ ଶୀର୍ଷ ବୈଠକ ବା ୟୁନାଇଟେଡ୍‌ ନେଶନ୍‌ସ କ୍ଲାଇମେଟ୍‌ ଆକ୍ସନ ସମିଟ୍‌ରେ ବିଶ୍ୱରେ ତାପମାତ୍ରା ବୃଦ୍ଧି ଓ ତଜ୍ଜନିତ ପରିବେଶ ଅସନ୍ତୁଳନ ନେଇ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା। ବିଶ୍ୱକୁ କିପରି ଏହି ମାନବକୃତ ଦୁର୍ବିପାକରୁ ସୁରକ୍ଷା ଦେଇହେବ, ସେ ନେଇ ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତା ନିଜର ବକ୍ତବ୍ୟ ରଖିଥିଲେ।
ବୈଠକରେ ବିଶ୍ୱତାପନ ବୃଦ୍ଧିର ଅନେକ କାରଣ ଉପରେ ଆଲୋଚନା କରାଯାଇଥିଲା। ଗାଡ଼ିମୋଟର ଓ କଳକାରଖାନରୁ ନିର୍ଗତ ବିଷାକ୍ତ ସବୁଜ ଗୃହ ଗ୍ୟାସ୍‌ କିପରି ପରିବେଶକୁ କ୍ଷତି ପହଞ୍ଚାଉଛି, ସେ ନେଇ ବିଶ୍ୱନେତୃବୃନ୍ଦ ଆଲୋକପାତ କରିଥିଲେ। ଆଲୋଚନା ସମୟରେ ଅନେକ ବକ୍ତା ସବୁଜଗୃହ ଗ୍ୟାସ୍‌ ବ୍ୟତୀତ ଜଙ୍ଗଲ ନିଆଁ ବିଶ୍ୱତାପନର ଅନ୍ୟତମ କାରଣ ଭାବେ ଅବତାରଣା କରିଥିଲେ।
ଅନେକ ନେତା ନିଜ ବକ୍ତବ୍ୟ ରଖିବା ବେଳେ ଦକ୍ଷିଣ ଆମେରିକା ମହାଦେଶରେ ଅବସ୍ଥିତ ବ୍ରାଜିଲ୍‌ରେ ଥିବା ଆମାଜନ ଜଙ୍ଗଲରେ ଗତ କିଛିଦିନ ହେଲା ଯେଉଁ ସର୍ବଗ୍ରାସୀ ନିଆଁ ଜଳୁଛି, ସେ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଏକ ପରିସଂଖ୍ୟାନରୁ ଜଣାଯାଏ ଯେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ରାୟ ୮୮ ହଜାର ଛୋଟବଡ଼ ନିଆଁ ଲାଗି ଏହି ଜଙ୍ଗଲ ଜଳିପୋଡି ପାଉଁଶ ହେବାରେ ଲାଗିଛି। ସେହି ବ୍ରାଜିଲ୍‌ରେ ଚେରାଡୋ ବୋଲି ଆଉ ଏକ ବନମଣ୍ଡଳ ରହିଛି। ସେଠି ମଧ୍ୟ ସେପ୍ଟେମ୍ବରରେ ଛୋଟବଡ଼ ୮ ହଜାର ବନାଗ୍ନି ଘଟଣା ଘଟିଥିବା ବ୍ରାଜିଲ୍‌ର ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେସ୍‌ ରିସର୍ଚ୍ଚ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଆମାଜନ ଜଙ୍ଗଲ ଜୈବବିବିଧତାରେ ବେଶ୍‌ ଭରପୂର। ଏଠାରେ ବିଶ୍ୱର ସମୁଦାୟ ବର୍ଷାଜନିତ ମଧୁର ଜଳର ଏକପଞ୍ଚମାଂଶ ମିଳିଥାଏ। ବିଶ୍ୱ ଯଦି ଏକ ଶରୀର ହୁଏ, ଆମାଜନ ଜଙ୍ଗଲକୁ ତାହାର ଅମ୍ଳଜାନ ଯୋଗାଉଥିବା ‘ଫୁସ୍‌ଫୁସ୍‌’ କୁହାଯାଏ। ଆମାଜନ ନିଆଁର ପ୍ରଭାବ ନେଇ ବିଶ୍ୱସ୍ତରରେ ବେଶ୍‌ ଉଦ୍‌ବେଗ ପ୍ରକାଶ ପାଇଛି। କାରଣ ବିଶ୍ୱର ମୋଟ ଜଙ୍ଗଲ ପରିମାଣର ୨୦ ପ୍ରତିଶତ ଆମାଜନ ଅବବାହିକାରେ ହିଁ ରହିଛି। ଏହାଛଡ଼ା ବିଶ୍ୱର ସମଗ୍ର ଭୂଭାଗର ୪ ଭାଗ ଏହି ଅଞ୍ଚଳରେ ରହିଛି।
ଜୀବଜନ୍ତୁଙ୍କ ବଞ୍ଚିବା ଶୈଳୀ ଉପରେ ଜଙ୍ଗଲର ଗଭୀର ପ୍ରଭାବ ରହିଛି। ଜଙ୍ଗଲ କ୍ଷୟ ହେଲେ ଅମ୍ଳଜାନ ପରିମାଣ ହ୍ରାସ ଘଟିବ। ଋତୁଚକ୍ରରେ ଅସନ୍ତୁଳନ ଦେଖାଯିବ। ବର୍ଷା, ଖରା ଓ ଶୀତ ପରିମାଣରେ ଭୟଙ୍କର ପାର୍ଥକ୍ୟ ଅନୁଭୂତ ହେବ। ଏହାଦ୍ୱାରା ଫସଲ ଅମଳରେ ତାରତମ୍ୟ ଦେଖାଯିବ ଏବଂ ବିଶ୍ୱର ଖାଦ୍ୟ ସୁରକ୍ଷା ବିପଦଗ୍ରସ୍ତ ହେବ। କେବଳ ସେତିକି ନୁହେଁ, ମଣିଷ ଓ ଜୀବଜନ୍ତୁ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେବେ। ପ୍ରାଣୀଜଗତର ପ୍ରଜନନ ପ୍ରକ୍ରିୟା ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହେବ।
ଗବେଷକମାନଙ୍କ ମତରେ ଆମାଜନର ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ମଣିଷକୃତ। ସେଠାକାର ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରୋକ୍ଷ ସାହାଯ୍ୟରେ ଜଙ୍ଗଲ ନିକଟରେ ଥିବା ସ୍ଥାନୀୟ ଲୋକମାନେ ନିଆଁ ଲଗାଉଛନ୍ତି। ନିଆଁ ଲଗାଇବାର କାରଣ ହେଲା ଅଧିକରୁ ଅଧିକ ଚାଷଜମି ଓ ଗୋଚାରଣ ଭୂମି ସୃଷ୍ଟି କରିବା।
ରାଷ୍ଟ୍ରପତି ବୋଲସୋନାରୋଙ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ସମେତ ଗ୍ରୁପ୍‌-୭ର ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ର ଯଥା ଜର୍ମାନୀ, କାନାଡ଼ା, ଜାପାନ, ଇଂଲଣ୍ଡ ଓ ଇଟାଲି ଚାପ ପକାଇବାରୁ ସେ ତାଙ୍କର ଅନିଚ୍ଛା ସତ୍ତ୍ୱେ ଅଗଷ୍ଟ ୨୪ରୁ ୪୪ହଜାରରୁ ଊର୍ଦ୍ଧ୍ୱ ସାମରିକ କର୍ମଚାରୀଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରିଛନ୍ତି।
ଆଜି ସିନା ବ୍ରାଜିଲରେ ଆମାଜନ ଜଙ୍ଗଲ ଜଳୁଛି, କିନ୍ତୁ ଆମ ଭାରତରେ ପ୍ରାୟତଃ ପ୍ରତିବର୍ଷ ଶୀତ ଓ ଗ୍ରୀଷ୍ମ ଋତୁରେ ଅନେକ ଜଙ୍ଗଲ ଆମାଜନ ଭଳି ଦୁର୍ଭାଗ୍ୟର ସାମ୍ନା କରି ଜଳିପୋଡ଼ି ପାଉଁଶ ହୋଇଯାଆନ୍ତି। ପାହାଡ଼ ଉପରେ ଥିବା ଜଙ୍ଗଲ ଓ ସମତଳ ଜଙ୍ଗଲରେ ମଣିଷକୃତ ନିଆଁ ବିକଟାଳ ଆଁ କରି ଗିଳିପକାଏ ଅନେକ ବୃକ୍ଷଲତା ଓ ବିରଳ ଜୀବଜନ୍ତୁଙ୍କୁ। ସାଧାରଣ ସଚେତନ ନାଗରିକର ମନ ଦୋହଲିଯାଏ, ଚହଲିଯାଏ ବିବେକ। ଆମ ଓଡ଼ିଶାରେ ମଧ୍ୟ ପ୍ରତ୍ୟେକ ଶୀତ ଓ ଗ୍ରୀଷ୍ମଋତୁରେ ହଜାର ହଜାର ଏକର ଜଙ୍ଗଲ ଜଳିଯାଉଛି। ପ୍ରଶ୍ନ ଉଠୁଛି, ଏହି ମାନବକୃତ ଦୁର୍ବିପାକର କ’ଣ ସ୍ଥାୟୀ ପ୍ରତିକାର ନାହିଁ? ସରକାର ବା ଜଙ୍ଗଲ ବିଭାଗ କ’ଣ ଯଥୋଚିତ ପଦକ୍ଷେପ ନେଉଛନ୍ତି?
୨୦୧୮ ନଭେମ୍ବର ପହିଲାରୁ ୨୦୧୯ ମାର୍ଚ୍ଚ ୩୧ସୁଦ୍ଧା ଓଡ଼ିଶାରେ ୫,୩୩୨ଟି ଜଙ୍ଗଲ ନିଆଁ ଘଟଣା ରେକର୍ଡ କରାଯାଇଥିଲା। ତା’ର ପରବର୍ତ୍ତୀ ସଂଖ୍ୟା ଯଦି ହିସାବକୁ ନିଆଯିବ, ତା’ହେଲେ ଏହି ସଂଖ୍ୟା ଢେର ଅଧିକ ହେବ। ଗତ ମାର୍ଚ୍ଚରେ ସର୍ବାଧିକ ୪,୪୯୫ଟି ଜଙ୍ଗଲ ନିଆଁ ଘଟଣା ସାମ୍ନାକୁ ଆସିଥିଲା।
ଓଡ଼ିଶାରେ ଜଙ୍ଗଲ କ୍ଷୟର ପ୍ରଭାବ ବିଶେଷ ଅନୁଭୂତ ହେଉଛି। ଅତୀତରେ ଯେଉଁସବୁ ପାହାଡ଼ ସବୁଜିମାଭରା ଥିଲା, ସେଗୁଡ଼ିକ ଏବେ ଲଣ୍ଡା ପଥରଗଦାରେ ପରିଣତ ହୋଇଛି। ଅନେକ ସମତଳଭୂମି ଜଙ୍ଗଲ ମରୁଭୂମି ପାଲଟିଯାଇଛନ୍ତି। ଜଙ୍ଗଲ କ୍ଷୟ ଅନେକ ନଦୀ ଓ ଝରଣାର ମୃତ୍ୟୁର କାରଣ ପାଲଟିଛି। କେବଳ ସେତିକି ନୁହେଁ, ଅନେକ ବିରଳ ପ୍ରଜାତିର ଜନ୍ତୁ, ସରୀସୃପ, ଗଛ ଉପରେ ଓ ମାଟି କୋରଡ଼ରେ ରହୁଥିବା ପକ୍ଷୀ, କୀଟ ଓ ପତଙ୍ଗ ଆଜି ବିଲୁପ୍ତପ୍ରାୟ। ଜଙ୍ଗଲରୁ ମିଳୁଥିବା ଫୁଲଫଳ, ଓଷଧୀୟ ଚେରମୂଳି ଇତ୍ୟାଦି କମି କମି ଆସୁଛି।
ଆମ ରାଜ୍ୟର ଜଙ୍ଗଲ ସମ୍ପଦକୁ ଆମାଜନ ଭଳି ଦୁର୍ଭାଗ୍ୟରୁ ବଞ୍ଚାଇବାକୁ ପଡ଼ିବ। ସରକାର ଓ ବିଭାଗୀୟ ଅଧିକାରୀମାନେ ଆନ୍ତରିକତାର ସହିତ ଜଙ୍ଗଲ ନିଆଁକୁ କିପରି ରୋକିହେବ ସେ ନେଇ ଉଦ୍ୟମ କରିବା ଓ ସଚେତନତାର ବାର୍ତ୍ତା ପ୍ରଚାର କରିବା ଦରକାର।
ଫ୍ଲାଟ୍‌ ନଂ. ୪୦୨, ବ୍ଲକ୍‌ – ଏ, ଆପୋଲୋ ଆସିୟାନା ଆପାର୍ଟମେଣ୍ଟ, ପଳାଶୁଣି, ଭୁବନେଶ୍ୱର, ମୋ- ୯୪୩୯୧୭୬୮୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri