ପ୍ଲାଷ୍ଟିକ୍‌ ପଞ୍ଝାରେ ପୃଥିବୀ

ଡ. ପ୍ରଫୁଲ୍ଲ କୁମାର ସାହୁ

ପରିବେଶ ପ୍ରଦୂଷଣ କହିଲେ ଆଗେ ଧୂଆଁ ଦ୍ୱାରା ବାୟୁ ଏବଂ ସହରୀ ଓ କାରଖାନା ବର୍ଜ୍ୟ ଦ୍ୱାରା ଜଳ ପ୍ରଦୂଷଣକୁ ନେଇ ବ୍ୟାପକ ଚର୍ଚ୍ଚା ହେଉଥିଲା, ମାତ୍ର ଏବେ ତାକୁ ପଛରେ ପକେଇଦେଇଛି ପ୍ଲାଷ୍ଟିକ ଦ୍ୱାରା ସର୍ବତ୍ର ପ୍ରଦୂଷଣ। ଯେଉଁ ଜୈବିକ ରାସାୟନିକ ପଦାର୍ଥରେ ପ୍ଲାଷ୍ଟିକ ତିଆରି ହେଉଛି, ବିଜ୍ଞାନ ଭାଷାରେ ତାକୁ କୁହାଯାଉଛି ପଲିମର୍‌ ଏବଂ ପରିବେଶ ପ୍ରତି ତାହା ଅତ୍ୟନ୍ତ ବିପଜ୍ଜନକ। ୧୯୩୩ ମସିହାରେ ଇଂଲଣ୍ଡର ନର୍ଥଉଇଡଠାରେ ଥିବା ଏକ ରାସାୟନିକ କାରଖାନାରୁ ପ୍ରଥମେ ଆବିଷ୍କୃତ ହୋଇଥିଲା ପଲିଥିନ୍‌ ନାମକ ପଲିମର୍‌। ତା’ ପରଠୁ କାଠ, କାଗଜ ଓ ଅନ୍ୟାନ୍ୟ ଧାତୁର ଉପଯୋଗ ହ୍ରାସ କରିବା ପାଇଁ ବୃଦ୍ଧିପାଇଲା ପ୍ଲାଷ୍ଟିକ୍‌ର ଉପତ୍ାଦନ ଓ ବ୍ୟବହାର। ପ୍ଲାଷ୍ଟିକ୍‌ରେ କଳଙ୍କି ଲାଗେନି ଏବଂ ଏହା ତାପ ଓ ବିଦ୍ୟୁତ୍‌ କୁପରିବାହୀ ହୋଇଥିବାରୁ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସେ ଆଧିପତ୍ୟ ବିସ୍ତାର କଲା ବିକଳ୍ପହୀନ ଭାବରେ। ସାଧାରଣତଃ କାଠ ବା ଧାତୁନିର୍ମିତ ସାମଗ୍ରୀଠାରୁ ପ୍ଲାଷ୍ଟିକ୍‌ ଶସ୍ତା, ସୁନ୍ଦର ଓ ହାଲୁକା ହୋଇଥିବାରୁ ଦୈନନ୍ଦିନ ଜୀବନରେ ତା’ର ବ୍ୟବହାର ଏତେ ସହଜ, ଆରାମଦାୟକ ଓ ଚମକପ୍ରଦ ହେଲା ଯେ ଉପଭୋକ୍ତାଙ୍କଠାରୁ ଉପତ୍ାଦନକାରୀ ଯାଏ କେହି ଚିନ୍ତା କଲେନି ପରିବେଶ ଉପରେ ପଡ଼ୁଥିବା ତା’ର ପ୍ରତିକୂଳ ପ୍ରଭାବ କଥା। ତେଣୁ ପାଦରେ ଚପଲଠୁ ଆରମ୍ଭକରି ମଥାରେ ଟୋପି ପର୍ଯ୍ୟନ୍ତ ଆମର ସବୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି ହେଲା ପ୍ଲାଷ୍ଟିକ୍‌ରେ। ସକାଳୁ ଉଠି ଦାନ୍ତ ଘଷିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମର ଜୀବନଚର୍ଯ୍ୟା ସହିତ ଓତପ୍ରୋତ ଭାବରେ ଯୋଡ଼ି ହୋଇଗଲା ପ୍ଲାଷ୍ଟିକ। ସବୁକୁ ଟପିଗଲା ପ୍ଲାଷ୍ଟିକ ବ୍ୟାଗ୍‌, ପାଣି ବୋତଲ ଓ ପ୍ଲାଷ୍ଟିକ୍‌ ପ୍ୟାକିଂ ଖାଦ୍ୟପଦାର୍ଥ। ଭାଇରସ୍‌ ଭଳି କାୟା ବିସ୍ତାର କଲା ପ୍ଲାଷ୍ଟିକ୍‌ ପାଉଚ। ଆମ ଜୀବନଧାରାକୁ ସମ୍ପୂର୍ଣ୍ଣ ଗ୍ରାସ କରିଗଲା ୟୁଜ୍‌ ଆଣ୍ଡ୍‌ ଥ୍ରୋ ସଂସ୍କୃତି।
ପ୍ଲାଷ୍ଟିକ୍‌ ବ୍ୟାଗର ପ୍ରଚଳନ ପରେ ଅବସାନ ହେଲା ହାତରେ କପଡ଼ା ବ୍ୟାଗ୍‌ ଧରି ବଜାରକୁ ଯିବାର ଯୁଗ। ଯାହା କିଛି କିଣିଲେ ବି ପଲିଥିନ୍‌ ଥଳିରେ ପୂରାଇ ହାତକୁ ବଢ଼ାଇଦେଲା ଦୋକାନୀ। ଆଉ ରହିଲାନି ବ୍ୟାଗ୍‌ ଧୋଇବା ଓ ମରାମତି କରିବା ଚିନ୍ତା। ପ୍ଲାଷ୍ଟିକ୍‌ ବ୍ୟାଗ୍‌ର ଚାହିଦା ବଢ଼ିବା ସହିତ ସ୍ବତଃ ମୃତ୍ୟୁବରଣ କଲା ଠୁଙ୍ଗା ଶିଳ୍ପ। ଜୀବିକା ହରାଇ ବସିଲେ ଠୁଙ୍ଗା ତିଆରି କରି ପେଟ ପୋଷୁଥିବା ଅନେକ ଶ୍ରମଜୀବୀ। ପ୍ଲାଷ୍ଟିକ୍‌ ଡବା ଓ ବୋତଲର ପ୍ରଚଳନ ପରେ ଉଭାନ ହୋଇଗଲା ଟିଣଡବା ଓ କାଚ ବୋତଲ ଇତ୍ୟାଦି। ଗାଁ ଗଣ୍ଡାରେ ଆଉ ଦେଖିବାକୁ ମିଳିଲାନି ଗରା, ମାଠିଆ ଓ ଗଡ଼ୁ। ଭୋଜିଭାତ ବେଳେ ପ୍ଲାଷ୍ଟିକ୍‌ ପ୍ଲେଟ୍‌ ଓ ଗ୍ଲାସ୍‌ର ଚାହିଦା ଆଗରେ କୋଣଠେସା ହୋଇ ରହିଗଲା କଦଳୀ ପତ୍ର, ପଦ୍ମପତ୍ର ଓ ଶାଳପତ୍ର ତିଆରି ଖଲି ଓ ପତ୍ରଠୋଲା। ଭୋଜିପର୍ବ ପରେ କିନ୍ତୁ କେହି ଚିନ୍ତା କରେନି ଗଦାଗଦା ହୋଇ ପଡ଼ିଥିବା ପ୍ଲାଷ୍ଟିକ୍‌ ଆବର୍ଜନା ଉଠାଇବା କଥା। ଏସବୁ ଖରାଦିନେ ପବନରେ ଉଡ଼େ ଏବଂ ବର୍ଷାଦିନେ ପାଣିରେ ଭାସିବୁଲେ ଏଣେତେଣେ। ପ୍ଲାଷ୍ଟିକ୍‌ କପ୍‌ର ଦ୍ରୁତ ପ୍ରସାର ଯୋଗୁ ଚା ଦୋକାନରେ ଆଉ ରହିଲାନି ଗ୍ଲାସ୍‌ ବା କପ୍‌ ଧୋଇବାର ଝିନ୍‌ଝଟ। ଏଥିରେ ଖୁସିହେଲେ ଉଭୟ ଗରାଖ ଓ ଦୋକାନୀ। ମାତ୍ର ରାସ୍ତାକଡ଼ରେ ପଡ଼ିରହିଲା ଗଦାଗଦା ପ୍ଲାଷ୍ଟିକ୍‌। ଫାଷ୍ଟଫୁଡ଼ ଦୋକାନଠାରୁ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ସୃଷ୍ଟିହେଲା ପଲିଥିନ୍‌ ପାହାଡ଼। ସେ ପାହାଡ଼ ତଳେ କେଉଁଠି ମାଟି ଅଦୃଶ୍ୟ ହେଲା ତ କେଉଁଠି ତା’ର ପ୍ରଭାବରେ ଟାଙ୍ଗରା ପାଲଟିଗଲା ସବୁଜ ଖେତ। ପ୍ଲାଷ୍ଟିକ୍‌ ଆବର୍ଜନାର ବାଧା ଅତିକ୍ରମ କରି ସମ୍ପୂର୍ଣ୍ଣ ନିମ୍ନଗାମୀ ହୋଇପାରିଲାନି ଭୂପୃଷ୍ଠ ଜଳ। ପୁନଃଭରଣା ନ ହୋଇପାରିବା କାରଣରୁ ହ୍ରାସ ପାଇବାକୁ ଲାଗିଲା ଭୂତଳ ଜଳସ୍ତର। ନାଳନର୍ଦ୍ଦମାରେ ପଡ଼ିରହିଥିବା ପ୍ଲାଷ୍ଟିକ୍‌ ଆବର୍ଜନା ଭିତରେ ବଂଶବୃଦ୍ଧି କରିଚାଲିଲେ ମ୍ୟାଲେରିଆ ଓ ଡେଙ୍ଗୁ ଆଦି ରୋଗର ବାହକ। ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ଅବରୋଧ ହେଲା ନଦୀନାଳର ପଥ। ସୃଷ୍ଟି ହେଲା କୃତ୍ରିମ ବିପର୍ଯ୍ୟୟ। ଏ ସମ୍ପର୍କରେ ‘ପ୍ରକୃତିକୁ ଆମେ ଯାହା ଦେଇଥିଲେ (କପ୍‌, ପ୍ଲେଟ, ବୋତଲ ଆଦି ପ୍ଲାଷ୍ଟିକ ବର୍ଜ୍ୟ) ପ୍ରକୃତି ତାହା ଆମକୁ ଫେରାଇ ଦେଇଛି’ ଶୀର୍ଷକ ଏକ ବିମର୍ଶକର ଖବର ଓ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଗତବର୍ଷ କେରଳ ବନ୍ୟା ପରେ। ଏଥିରେ ପ୍ରଦର୍ଶିତ ପ୍ଲାଷ୍ଟିକ୍‌ ଆବର୍ଜନା ଭର୍ତ୍ତି ପୋଲଟି ଥିଲା ଏର୍ନାକୁଲମ୍‌ ଜିଲାର ମାଲାୟାଟୁର-କୋଡ଼ାନାଡ଼ ପୋଲ। ଆବର୍ଜନା ଦ୍ୱାରା ପୋଲଟି ଏମିତି ଆଚ୍ଛାଦିତ ହୋଇପଡ଼ିଥିଲା ଯେ, ଆଦୌ ଦିଶୁ ନ ଥିଲା ତା’ର କଂକ୍ରିଟ୍‌ ଅଂଶ। ଅର୍ଥାତ୍‌ ଏ ବନ୍ୟା ତାଣ୍ଡବ ମୂଳରେ କେବଳ ପ୍ରକୃତିର କ୍ରୋଧ ନ ଥିଲା, ଏଥିସହିତ ଥିଲା ପ୍ଲା୍‌ଷ୍ଟିକ୍‌ ଆବର୍ଜନାର ଏକ ବିଶେଷ ଯୋଗଦାନ।
ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ଯୋଗୁ କେବଳ ପରିବେଶ ପ୍ରଦୂଷଣ ନୁହେଁ, ଆମ ଶରୀର ଭିତରେ ବଢ଼ିବାରେ ଲାଗିଛି ପ୍ଲାଷ୍ଟିକ୍‌ ବର୍ଜ୍ୟର ବିଷ। କିଛିମାସ ତଳେ ଆମେରିକାର ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶ ପାଇଥିବା ଏକ ସୂଚନା ଅନୁସାରେ ୟୁଜ୍‌ ଆଣ୍ଡ ଥ୍ରୋ କପ୍‌ ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏଥିରେ ଗରମ ଚା ବା କଫି ପିଇଲେ ତା’ର କିଛି ଅଂଶ ତରଳିଯାଇ ପାନୀୟ ସହିତ ମିଶି ପେଟ ଭିତରକୁ ଯାଏ ଏବଂ ଆମ ଶରୀରରେ ସୃଷ୍ଟିକରେ ମାରାତ୍ମକ ରୋଗ। ଆମେ ବ୍ୟବହାର କରୁଥିବା ପଲିଥିନ୍‌ ଥଳି ବିଶେଷ କରି ମାଛ, ମାଂସ ଓ ଫଳ ଆଣିଲା ବେଳେ ଦୋକାନୀ ଯେଉଁ କଳା ରଙ୍ଗର ପତଳା ପଲିଥିନ୍‌ ଥଳି ଦେଉଛି, ତାହା ଏତେ ମାରାତ୍ମକ ଯେ ସେଥିରେ ବେଶି ସମୟ ରହିଲେ ବିଷାକ୍ତ ହୋଇଯାଏ ଖାଦ୍ୟ ପଦାର୍ଥ। ବିଶେଷଜ୍ଞଙ୍କ ମତରେ ଏଭଳି ଜରିରେ ରହୁଥିବା ଖାଦ୍ୟପଦାର୍ଥ ନିୟମିତ ଖାଇଲେ ବଢ଼ିଯାଏ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା। ବୁଲା ଗୋରୁ ଓ ଅନ୍ୟ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ଘାତକ ସାବ୍ୟସ୍ତ ହୋଇଛି ପଲିଥିନ୍‌। ଖାଦ୍ୟ ପଦାର୍ଥ ଲାଗିଥିବା ପଲିଥିନ୍‌ ଥଳି ଏଣେତେଣେ ପଡ଼ିବା ଦ୍ୱାରା ତାକୁ ଗୋରୁ ଖାଇ ଯାଆନ୍ତି, ଯାହା ତାଙ୍କ ପାକସ୍ଥଳୀରେ ଜମାହୋଇ ବନ୍ଦ କରିଦିଏ ହଜମ ପ୍ରକ୍ରିୟା। ଏହାଦ୍ୱାରା ସେମାନେ ଆଉ ଖାଦ୍ୟ ଖାଇପାରନ୍ତିନି ଓ ମୃତ୍ୟୁବରଣ କରନ୍ତି ଅକାଳରେ। ଗଣମାଧ୍ୟମରେ ପ୍ରକାଶିତ ସୂଚନାନୁସାରେ ଏହି କାରଣରୁ ପ୍ର୍ରତିମାସରେ ହାରାହାରି ଦୁଇଟି ଷଣ୍ଢ ମରୁଛନ୍ତି କେବଳ ରାଜଧାନୀ ଭୁବନେଶ୍ୱରରେ। ପ୍ଲାଷ୍ଟିକ୍‌ର ସହନଶୀଳତା ଏତେ ବେଶି ଯେ ଶହଶହ ବର୍ଷ ପର୍ଯ୍ୟନ୍ତ ତା’ର ବିଘଟନ ଘଟେନି ମାଟିରେ। ତାକୁ ନିଆଁରେ ପୋଡ଼ିଲେ ସେଥିରୁ ନିର୍ଗତ ଧୂଆଁ ବି ପଲିଥିନ୍‌ଠାରୁ ଅଧିକ ବିଷାକ୍ତ। ଅଧିକଦିନ ଖରାବର୍ଷା ସଂସ୍ପର୍ଶରେ ଆସିଲେ ପ୍ଲାଷ୍ଟିକ୍‌ ଭାଙ୍ଗିବାକୁ ଆରମ୍ଭକରେ ଏବଂ କ୍ରମଶଃ ଅତି କ୍ଷୁଦ୍ର ଅଣୁରେ ପରିଣତ ହୋଇ ମିଶିଯାଏ ପାଣି ଓ ପବନରେ। ଅର୍ଥାତ୍‌ ନଦୀରୁ ପାଇପ୍‌ ଯୋଗେ ଆସୁଥିବା ଆମ ପାନୀୟ ଜଳ ଏପରି କି ଆମେ ଶ୍ୱାସକ୍ରିୟା କରୁଥିବା ପବନରେ ବି ପ୍ଲାଷ୍ଟିକ୍‌ ଅଣୁ ଅଦୃଶ୍ୟ ଭାବରେ ବିଦ୍ୟମାନ। ସେହି ଦୂଷିତ ପାଣି ଓ ପବନ ବ୍ୟବହାର କରି ନୀରବ ମୃତ୍ୟୁ ଆଡ଼କୁ ଗତିକରୁଛି ମଣିଷ। ଏବେ ପୃଥିବୀରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ପ୍ଲାଷ୍ଟିକ୍‌ ଜାହିର କରୁନି ତା’ର ସ୍ଥିତି। ମେରୁ ଅଞ୍ଚଳଠାରୁ ଅତଳ ସମୁଦ୍ର ଯାଏ ପ୍ଲାଷ୍ଟିକ୍‌ ଆବର୍ଜନାରେ ଅଣନିଃଶ୍ୱାସୀ ହୋଇଗଲାଣି ପୃଥିବୀ। ଗାଁ ସହର ବିଲବାଡ଼ି ରାସ୍ତାଘାଟ ନଈନାଳ ଡେଇଁ ସମୁଦ୍ରକୁ ସମାଧି ବନେଇ ସାରିଲାଣି ଗଦାଗଦା ପ୍ଲାଷ୍ଟିକ୍‌ ବର୍ଜ୍ୟ। ତଥ୍ୟ କହେ ପ୍ରତି ମିନିଟ୍‌ରେ ସମୁଦ୍ରରେ ମିଶୁଛି ଗୋଟିଏ ଟ୍ରକ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ। ପ୍ଲାଷ୍ଟିକ୍‌ ଟୁକୁରା ଖାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି ଅସଂଖ୍ୟ କଇଁଛ, ଡଲଫିନ୍‌ ଓ ପେଙ୍ଗୁଇନ୍‌ ଆଦି ସାମୁଦ୍ରିକ ଜୀବ। ପ୍ଲାଷ୍ଟିକ୍‌ ସଂସ୍ପର୍ଶରେ ଆସିଥିବା ମାଛକୁ ଧରିଆଣି ଖାଇବା ଦ୍ୱାରା ରୋଗକୁ ଆମନ୍ତ୍ରଣ କରୁଛି ମଣିଷ। ଏତଦ୍‌ଭିନ୍ନ ସମୁଦ୍ର ଓ ହ୍ରଦ ଜଳରୁ ପ୍ରସ୍ତୁତ ଲୁଣରେ ବି ମିଶୁଛି ପ୍ଲାଷ୍ଟିକ୍‌କଣିକା। ବଜାରରେ ଉପଲବ୍ଧ ନାମୀଦାମୀ କମ୍ପାନୀର ଲୁଣରେ ମିଳୁଛି ପ୍ଲାଷ୍ଟିକ୍‌ ଅଣୁର ସନ୍ଧାନ। ଅର୍ଥାତ୍‌ ଆମକୁ ଚାରିପଟରୁ ଘେରିଗଲାଣି ପ୍ଲାଷ୍ଟିକ୍‌ବଳୟ। ମାଟିପାଣିପବନ ସବୁଥିରେ ଭରିଗଲାଣି ବିଷ। ସାଂଘାତିକ ହେଲାଣି ସ୍ଥିତି। ଏ ସମସ୍ତ ଅସ୍ବସ୍ତିକର ଖବର ଭିତରେ ଭଲ ଖବରଟି ହେଉଛି ଗତ ଅକ୍ଟୋବର ୨ରୁ ପଲିଥିନ୍‌ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି ସରକାର। ଏହି ପରିପ୍ରେକ୍ଷୀରେ ଆମେ ଜାଣିରଖିବା ଦରକାର କୌଣସି ଦେଶଭକ୍ତିଠାରୁ ବି କିଛି କମ୍‌ ନୁହେଁ ପରିବେଶ ସୁରକ୍ଷା। ସେଥିପାଇଁ ପରିବେଶ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ସେ କହୁଥିଲେ, ସ୍ବଚ୍ଛ ଭାରତ ହିଁ ସୁଖୀ ଭାରତ ଗଠନର ସମୃଦ୍ଧ ଆଧାର। ଏହି ଆହ୍ବାନକୁ ନିଷ୍ଠାର ସହିତ ଗ୍ରହଣ କଲେ ପ୍ଲାଷ୍ଟିକ୍‌ ଦାନବ କବଳରୁ ମୁକ୍ତ ହେବ ମଣିଷ। ଯେହେତୁ ପ୍ଲାଷ୍ଟିକ୍‌ ଦାନବର ମୃତ୍ୟୁ ନାହିଁ, ତାକୁ ଆମ ଜୀବନଶୈଳୀରୁ ବାଦ୍‌ ଦେବା ହିଁ ସମୟର ଆହ୍ବାନ। ଏ ଆହ୍ବାନ କେବଳ ଓଡ଼ିଶା କିମ୍ବା ଭାରତବାସୀଙ୍କ ପାଇଁ ନୁହେଁ ସମଗ୍ର ମାନବ ଜାତି ପାଇଁ। ଏ ଆହ୍ବାନକୁ ନିଷ୍ଠାର ସହିତ ଗ୍ରହଣ ନ କଲେ ପ୍ଲାଷ୍ଟିକ୍‌ ପଞ୍ଝାରୁ କେବେ ବି ମୁକୁଳିପାରିବନି ପୃଥିବୀ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ,
ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?