ପ୍ଲାଷ୍ଟିକ୍‌ ଦିଅ, ଟଙ୍କା ନିଅ

ସୌମ୍ୟା ପରିଡ଼ା
ପିଲାଦିନେ ବର୍ଷେ ଦୁଇ ବର୍ଷ ଓଡ଼ିଶୀ ନାଚ ଶିଖୁଥିଲି। ଘରଠୁ ତିନି କିଲୋମିଟର ସାଇକେଲ୍‌ରେ ଯିବାକୁ ପଡ଼ୁଥିଲା। ସପ୍ତାହକୁ ବୋଉ ପାଖରୁ ପାଞ୍ଚ ଟଙ୍କା ମିଳୁଥିଲା। ଅଧିକାଂଶ ସମୟରେ ସେ ପାଞ୍ଚ ଟଙ୍କିଆ ନୋଟ୍‌ଟା ମୋର ମୃଦୁପାନୀୟ ପିଇବାରେ ସରୁଥିଲା। ସେତେବେଳେ ମୃଦୁପାନୀୟ ପିଇସାରି କାଚବୋତଲଟା ଫେରେଇଲେ ପାଞ୍ଚଟଙ୍କା ଆଉ ନ ଫେରାଇବା ଦରଟି ସାତଟଙ୍କା ପାଖାପାଖି ଥିଲା। ତେଣୁ ନିହାତି ଦରକାର ନ ଥିଲେ ଲୋକମାନେ ବୋତଲ ସହ କିଣୁ ନ ଥିଲେ। ଆଉ କିଣିଲେ ବି ପୁଣିଥରେ ଦୋକାନରେ ଫେରେଇବାକୁ ସାଇତି ରଖୁଥିଲେ। ସେ ପୁରୁଣା ବୋତଲଗୁଡ଼ିକ ସଫାହୋଇ ପୁଣିଥରେ ବ୍ୟବହୃତ ହେଉଥିଲା। ଦରକାର ବେଳେ ରିସାଇକ୍ଲିଂ କରାଯାଉଥିଲା। ମୃଦୁପାନୀୟ ପିଇ ଦେହ ଅସୁସ୍ଥ ହେଉ ପଛେ, ହେଲେ ତା’ର ପ୍ୟାକିଂକୁ ନେଇ ପରିବେଶ ଖରାପ ହେଉ ନ ଥିଲା। ହେଲେ ଯହୁଁ ଯହୁଁ ବଡ଼ ହେଲୁ, କାଚର ଜାଗା ପ୍ଲାଷ୍ଟିକ୍‌ ନେଇ ଚାଲିଲା। ନାଲି, ନୀଳ, ହଳଦିଆ ରଙ୍ଗବେରଙ୍ଗର ଡବା, ବୋତଲ, ନିତିଦିନିଆ ବ୍ୟବହାର୍ଯ୍ୟ ଜିନିଷ ଦେଖି ଆମେ ଖୁସିରେ ନାଚିଲୁ। ପରିସ୍ଥିତି ନେଡ଼ିଗୁଡ଼ କହୁଣିକୁ ବୋହିଗଲା ପରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ବନ୍ଦ ହେବା ଜରୁରୀ ବୋଲି ଆମକୁ ଲାଗିଲା।
ଏବେ କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର, ପଲିଥିନ୍‌ ବନ୍ଦ କର କହୁଛନ୍ତି। ହେଲେ ପଲିଥିନ୍‌ ବନ୍ଦ ନାଁରେ ଗରିବ ପରିବାବିକାଳି, ଛୋଟମୋଟ ଦୋକାନୀଙ୍କ ଉପରେ ଚଢ଼ାଉକରି ଫାଇନ୍‌ ଆଦାୟ କରୁଛନ୍ତି। ପରେ ପୁଣି ସେସବୁ ବନ୍ଦ। ସଚେତନତା କାର୍ଯ୍ୟକ୍ରମ ନୁହେଁ ତ ବରଂ ଇଭେଣ୍ଟ ପ୍ଲାନିଂ। ଆଜି ଗଛକଥା କହିବୁ, କାଲି ପାଣିକଥା କହିବୁ, ତହିଁଆର ଦିନ ପଲିଥିନ୍‌ ବନ୍ଦକଥା କହିବୁ, ତା’ପର ଦିନ ପୁଣି ଟ୍ରାଫିକ୍‌ ନିୟମକଥା କହିବୁ। ଆଉ ଏମିତି ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ ହେଉଥିବ, ତା’ ବାଟରେ ସିଏ ହଜିଯାଉଥିବ। ତେଣୁ ଲମ୍ବା ଚାଲିଲେ ସିନା ବହୁକଥା ଭାବିବାକୁ ପଡ଼ିବ। କିହୋ ଯଦି ପଲିଥିନ୍‌ମୁକ୍ତ ଭାରତ କି ଓଡ଼ିଶା କରିବାର ଅଛି ତା’ହେଲେ ସବୁବେଳେ ଲୋକାଭିମୁଖୀ ଯୋଜନା କରୁନ! ଅନ୍ତଃରାଷ୍ଟ୍ରୀୟ କମ୍ପାନୀକୁ, ବଡ଼ବଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଠିକାକାମ ଦେଇ, ନିଜ କାମର ତର୍ଜମା କରିବା ଦାୟିତ୍ୱ ତାଙ୍କ ହାତରେ ଟେକିଦେବା ବନ୍ଦ କରିବାକୁ ପଡ଼ିବ। ରାସ୍ତାକଡ଼ର ଛୋଟ ଠେଲାଦୋକାନୀ ପାଖରୁ ଫାଇନ୍‌ ଆଦାୟ କରିବା ପୂର୍ବରୁ ବଡ଼ ଦୋକାନ ଓ ମଲ୍‌ଗୁଡ଼ିକର ହଜାର ହଜାର ସଂଖ୍ୟକ ଚିପ୍‌ସ, ଚକୋଲେଟ୍‌, ବିସ୍କୁଟ୍‌ ପ୍ୟାକେଟ୍‌ ସହ ଘରର ଆସବାବ ଜିନିଷରେ ସାମିଲ ପ୍ଲାଷ୍ଟିକ୍‌, ପଲିଥିନ୍‌ ବିଷୟରେ ଭାବିବାକୁ ପଡ଼ିବ।
ବିଭିନ୍ନ କମ୍ପାନୀ ଦାବି କରିପାରନ୍ତି ଯେ, ସେମାନେ ବ୍ୟବହାର କରୁଥିବା ପଲିଥିନ୍‌ ପ୍ୟାକେଟ୍‌ ସବୁ ରିସାଇକ୍ଲିଂ ଉପଯୋଗୀ। ହେଲେ ପ୍ରକୃତରେ କ’ଣ ସେଗୁଡ଼ିକ ରିସାଇକ୍ଲିଂ ଜାଗାରେ ପହଞ୍ଚିପାରେ! ଆଉ ଯଦି ପହଞ୍ଚେ, କେତେ ପ୍ରତିଶତ ପହଞ୍ଚେ ତା’ର ହିସାବ କିଏ ରିଖିଛି? ସେମିତି ଦିନକୁ ଲକ୍ଷଲକ୍ଷ ସଂଖ୍ୟକ ପିଇବା ପାଣିବୋତଲ ବିକ୍ରିହୁଏ। କମ୍ପାନୀମାନେ ବି ନିଜ ଦୋଷ ଛଡ଼େଇବାକୁ ହେଉ କି ବିକ୍ରିର ମାତ୍ରା ବଢ଼େଇବାକୁ ହେଉ, ସମୟେ ସମୟେ ବିଭିନ୍ନ ଖବରକାଗଜ ଓ ଟେଲିଭିଜନ ବିଜ୍ଞାପନ ଜରିଆରେ ତାଙ୍କ ପାଣିବୋତଲଟି କିଣିବା ପରିବେଶ ପ୍ରଦୂଷଣ ଶ୍ରେଣୀ ଅନ୍ତର୍ଭୁକ୍ତ ନୁହେଁ ବୋଲି ସୂଚାନ୍ତି। ହେଲେ ପ୍ରକୃତରେ କେତେ ପ୍ରତିଶତ ପାଣିବୋତଲ ରିସାଇକ୍ଲିଂ ଯାଏ ପହଞ୍ଚେ? ପ୍ରତିଦିନ ଲକ୍ଷଲକ୍ଷ ସଂଖ୍ୟକ ଚିପ୍‌ସ ପ୍ୟାକେଟ୍‌, ମୃଦୁପାନୀୟ, ପାଣି ଓ ଜୁସ୍‌ ବୋତଲ ସେମିତି ପଡ଼ିରହେ। ଆଉ ପଡ଼ିଥିବା ଜାଗାରୁ ମ୍ୟୁନିସିପାଲିଟି ଗାଡ଼ି, ଆଉ ସେଠୁ ଅଧିକାଂଶ ସମୟରେ ନଦୀ, ନାଳ, ଡ୍ରେନେଜ୍‌ ଜାଗାକୁ ଜାମ୍‌ କରିବା କାମ କରେ ସିନା ହେଲେ ରିସାଇକ୍ଲିଂ ଜାଗା ଯାଏ ପହଞ୍ଚିପାରେ ନାହିଁ। ଏପରିକି ଦେଶର କମର୍ସିଆଲ୍‌ କ୍ୟାପିଟାଲ୍‌ ମୁମ୍ବାଇରେ ବି ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଏହି ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ।
ତେବେ କଥା ଉଠୁଛି ଯଦି ସରକାର ସତରେ ସଚେତନ ତା’ହେଲେ କ’ଣ ଏ ଅବସ୍ଥାରେ ସୁଧାର ଆସିପାରିବନି? ଆଗରୁ ମୃଦୁପାନୀୟ ପିଇ କାଚବୋତଲ ଫେରାଇଲେ ଦୋକାନୀଙ୍କଠୁ ଯେମିତି କିଛି ଟଙ୍କା ଫେରସ୍ତ ମିଳୁଥିଲା, ଏବେ ସେମିତି କିଛି କରାଯାଉ। ଫଳରେ ଲୋକମାନେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦକରିବା ଆରମ୍ଭ କରିବେ। ହୋଇଥାଉ ପଛେ ଅତି କମ୍‌ ପଇସା ହେଲେ ସେଇ ବାହାନାରେ ଲକ୍ଷ ଲକ୍ଷ, କୋଟି କୋଟି କ୍ଷୀର ପ୍ୟାକେଟ୍‌, ନୁଡ଼ୁଲ୍‌ସ ପ୍ୟାକେଟ୍‌, ପାଣି ବୋତଲ ରିସାଇକ୍ଲିଂ ଜାଗାରେ ପହଞ୍ଚିପାରିବ। ଦିଲ୍ଲୀରେ କେଜ୍‌ରିଓ୍ବାଲ୍‌୍‌ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଯୋଜନା କରି ସେମାନଙ୍କୁ ପବ୍ଲିକ ଟ୍ରାନ୍‌ସପୋର୍ଟ ପ୍ରତି ଆଗ୍ରହୀ କରିବା ଭଳି ସାରାଦେଶରେ କିଛି ଲୋକାଭିମୁଖୀ ଯୋଜନା କରିବାକୁ ପଡ଼ିବ। ପ୍ରଦୂଷଣ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ନାଁରେ କୋଟି କୋଟି ଟଙ୍କା ସାରିବା ଅପେକ୍ଷା କିଛି ଅର୍ଥ ବ୍ୟୟରେ ଏମିତି ଯୋଜନା ହାତକୁ ନେବାକୁ ପଡ଼ିବ, ଯାହାଦ୍ୱାରା ମୂଳରୁ ହିଁ ଏଥିନେଇ ସଚେତନତା ସୃଷ୍ଟି କରାଯାଇପାରିବ। ସମୟ ନଷ୍ଟ ନ କରି ସାଧାରଣ ଲୋକଙ୍କୁ ସେମାନଙ୍କ କର୍ତ୍ତବ୍ୟ ପ୍ରତି ଅବଗତ କରାଯାଇପାରିବ। ଯଦି ପ୍ରତି ଗଳିରେ ବ୍ୟାଙ୍କ୍‌ଟିଏ ଏଟିଏମ୍‌ ଖୋଲିପାରୁଛି, ପାଣିବୋତଲ ବିକ୍ରି କରାଯାଇପାରୁଛି, ତା’ହେଲେ ପ୍ରତି ଜାଗାରୁ ଦୈନନ୍ଦିନ ଜୀବନରେ ବ୍ୟବହୃତ ପଲିଥିନ୍‌, ପ୍ଲାଷ୍ଟିକ୍‌ କାହିଁକି ଆଦାୟ କରାଯାଇପାରିବ ନାହିଁ। ଯଦି ପ୍ଲାଷ୍ଟିକ୍‌ ପାଣିବୋତଲ ଦେଶର କୋଣଅନୁକୋଣରେ ପହଞ୍ଚିପାରୁଛି, ତା’ହେଲେ ସରକାର ବି ସେମିତି କିଛି ଯୋଜନା ବିଷୟରେ ଭାବିବା କଥା, ଯାହାଦ୍ୱାରା ପ୍ରତି ଗାଁଗଣ୍ଡା, ସହର, ଗଳିକନ୍ଦିରେ ମାଗଣାରେ ପିଇବା ପାଣି ମିଳିପାରିବ। ଅଧିକାଂଶ ବଡ଼ବଡ଼ କମ୍ପାନୀ ବିଭିନ୍ନ ହେରାଫେରି କରି ସିଏସ୍‌ଆର୍‌ ଫଣ୍ଡ୍‌ ନାଁରେ ରାଜନୈତିକ ଦଳ, ସ୍ଥାନୀୟ ଦଲାଲଙ୍କୁ ମାଲାମାଲ୍‌ କରିବା ଅପେକ୍ଷା ଏମିତି ପଦକ୍ଷେପ ନେବା ହଜାରେ ଗୁଣରେ ଭଲ। ହୋଇଥାଉ ପଛେ ଦଶ ପଇସା ହେଲେ ସେଇ ବାହାନାରେ ଲକ୍ଷ ଲକ୍ଷ, କୋଟି କୋଟି କ୍ଷୀର ପାଉଚ୍‌, ଚକୋଲେଟ୍‌ ର଼୍ୟାପର୍‌, ପ୍ଲାଷ୍ଟିକ୍‌ ପାଣିବୋତଲ ରିସାଇକ୍ଲିଂ ଜାଗାରେ ପହଞ୍ଚିପାରିବ। ଲୋକମାନେ ବି ବଡ଼ ଆଗ୍ରହର ସହ ବଦଳେଇବା ପାଇଁ ପୁରୁଣା ଖବରକାଗଜ ପରି ତାକୁ ସାଇତି ରଖିବେ। ସେମିତି କନା ବ୍ୟାଗ୍‌ ବ୍ୟବହାର ସପକ୍ଷରେ ପ୍ରଚାର ହେବ, ହେଲେ ପ୍ରଚାର ଜାଗାରେ ଯେଉଁ ମଞ୍ଚ ହେବ ତା’ ପଛପଟେ ଗଦାଗଦା ପ୍ଲାଷ୍ଟିକ୍‌ ହୋର୍ଡ଼ିଙ୍ଗ୍‌ ଲାଗିବ। ଅନ୍ତଃରାଷ୍ଟ୍ରୀୟ ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ସରକାରଙ୍କ ସହ ମିଶି ବଡ଼ବଡ଼ ହୋଟେଲ୍‌ରେ ଲୋକଦେଖାଣିଆ କର୍ମଶାଳା ହେବ। ବର୍ଷକ ଭିତରେ ଆମେ ଏତିକି କାର୍ଯ୍ୟକ୍ରମ କଲୁ, ଆଉ ଏତିକି ଲୋକଙ୍କୁ ସଚେତନ କଲୁ। ହୋଇଥାଉ ପଛେ ସେଇଟା କେବଳ ନେଟ୍‌ୱର୍କିଂ ପାଇଁ ସାଧାରଣ ଭୋଜି। ତଳସ୍ତରରେ କାମ କରୁଥିବା ଲୋକଙ୍କୁ ଏଥିରେ କ୍ୱଚିତ୍‌ ସାମିଲ୍‌ କରାଯାଏ। ହେଲେ ବିଦେଶୀ ନାଗରିକଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣଙ୍କୁ ମଞ୍ଚରେ ବସାଇ କର୍ମଶାଳାକୁ ଅନ୍ତର୍ଜାତୀୟ ମାନ୍ୟତା ଦିଆଯାଏ।
ପ୍ଲାଷ୍ଟିକ୍‌ ପ୍ରଦୂଷଣ ଯୋଗୁ ପାଖିପାଖି ସାତ ଶହ ପ୍ରଜାତିର ଜୀବଜନ୍ତୁ ତଥା ପାଣିରେ ରହୁଥିବା ଜୀବ ଏବେ ସଙ୍କଟରେ। ଯଦି ପ୍ଲାଷ୍ଟିକ୍‌ ବ୍ୟବହାର ଓ ପ୍ରଦୂଷଣକୁ ଠିକ୍‌ ଭାବରେ ତଦାରଖ କରା ନ ଗଲା, ଠିକ୍‌ ଭାବେ ରୋକା ନ ଗଲା, ତେବେ ୨୦୨୫ବେଳକୁ ସମୁଦ୍ରରେ ପ୍ରତି ତିନି ଟନ୍‌ ମାଛ ପିଛା ଏକ ଟନ୍‌ ପ୍ଲାଷ୍ଟିକ୍‌ ଥିବ। ପରିବେଶରେ ଅସନ୍ତୁଳନ ଏବେଠୁ ଦେଖାଗଲାଣି। ଖରା, ବର୍ଷା, ଶୀତ ଆଉ ଠିକ୍‌ ସମୟରେ ହେଉନାହିଁ। ଡିସେମ୍ବର ମାସରେ ବି ଅସହ୍ୟ ଗରମ ସାଙ୍ଗକୁ ବେଳେବେଳେ ବର୍ଷା ହେଉଛି। ଏସବୁର ଏବେ ଆରମ୍ଭ ମାତ୍ର। ହେଲେ ବେଳ ଥାଉ ଥାଉ ଏହାକୁ ରୋକା ନ ଗଲେ ପୃଥିବୀପୃଷ୍ଠରୁ ଦିନେ ଯେ ଜୀବଜନ୍ତୁ ଲୋପ ପାଇବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୁମ୍ବାଇ, ମୋ- ୯୩୩୮୫୬୬୫୮୭, saumya.consultant@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri