ପ୍ରାଣୀଙ୍କ ସାମାଜିକ ଜୀବନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପିମ୍ପୁଡ଼ି ଓ ମହୁମାଛିମାନେ ଏକ ବ୍ୟବସ୍ଥାର ଅଂଶବିଶେଷ ଯେଉଁମାନେ ବିନା କେନ୍ଦ୍ରୀୟ ନିୟନ୍ତ୍ରଣରେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରନ୍ତି। ବୁଦ୍ଧିମତ୍ତା (Intelligence) ଶୀର୍ଷସ୍ଥାନୀୟ ଜଣଙ୍କ ପାଖରେ ଠୁଳ ହୋଇ ନ ଥାଏ ବରଂ ଏହା ସମଗ୍ର ଗ୍ରୁପ୍‌ ଭିତରେ ବାଣ୍ଟି ହୋଇଯାଇଥାଏ। ଗୋଟିଏ ଗ୍ରୁପ୍‌ ଭିତରେ ଦୁଇ ପ୍ରକାର ବୁଦ୍ଧିମତ୍ତା କାମ କରେ। ଗୋଟିଏ ହେଉଛି ଆଡାପ୍ଟିଭ୍‌, ଯାହାର ଅର୍ଥ ପରସ୍ପର ସହ ଭାବର ଆଦାନ ପ୍ରଦାନ ମାଧ୍ୟମରେ ନିଷ୍ପତ୍ତି ନିଆଯିବା ଏବଂ ଦ୍ୱିତୀୟଟି ହେଉଛି କଲେକ୍ଟିଭ୍‌, ଯାହାର ଅର୍ଥ ଏକ ସଜ୍ଞାନାତ୍ମକ ୟୁନିଟ୍‌ ଭାବେ ଏକତ୍ର କାମ କରୁଥିବା ଏଜେଣ୍ଟଙ୍କ ଗ୍ରୁପ୍‌। ଜନ୍ମରୁ ପ୍ରତିଦ୍ୱନ୍ଦ୍ୱିତାପରାୟଣ ହେଲେ ମଧ୍ୟ ଏମାନଙ୍କ ଭିତରେ ବ୍ୟାପକ ସହଯୋଗ ଦେଖିବାକୁ ମିଳେ। ଜିନ୍‌ଗୁଡ଼ିକ ଜିନୋମ୍‌ ବା ଜିନ୍‌ସମୂହରେ ସହଯୋଗ କରେ, କୋଷଗୁଡ଼ିକ ପେଶୀରେ ସହଯୋଗ କରନ୍ତି ଏବଂ ବ୍ୟଷ୍ଟିଗୁଡ଼ିକ ସମାଜରେ ପରସ୍ପର ସହ ସହଯୋଗ କରନ୍ତି। ମଣିଷ ସମାଜ ସୃଷ୍ଟି ହେବା ପୂର୍ବରୁ ଶହ ଶହ ଶତାବ୍ଦୀ ଧରି ଏମାନେ ପ୍ରତିଷ୍ଠା ଲାଭ କରିଆସିଛନ୍ତି।
ପ୍ରାଣୀମାନେ ପାରସ୍ପରିକ ଆକର୍ଷଣ ଦ୍ୱାରା ଏକତ୍ରିତ ହୁଅନ୍ତି ବା ସୀମିତ ଖାଦ୍ୟ ଉତ୍ସ ପ୍ରତି ଆକର୍ଷିତ ହୋଇ ଏକତ୍ରିତ ହୁଅନ୍ତି। ବାର୍କ ବିଟିଲମାନେ ତଳେ ପଡ଼ିଥିବା ଏକ କାଠଗଣ୍ଡିର ଛେଲି ପ୍ରତି ପାରସ୍ପରିକ ଆକର୍ଷଣ ଦ୍ୱାରା ଆକର୍ଷିତ ହୋଇ ଏକତ୍ରିତ ହୁଅନ୍ତି। ସେମାନେ ମଧ୍ୟ ନିଜ ନିଜ ପ୍ରଜାତିର ଗନ୍ଧ ଦ୍ୱାରା ଆକର୍ଷିତ ହୁଅନ୍ତି। ଥରେ ପ୍ରାଣୀମାନେ ଦଳବଦ୍ଧ ହୋଇଗଲା ପରେ ସେମାନେ ଏକାଠି ଜୀବନଧାରଣ କରନ୍ତି। କେତେକ ଟ୍ରିହପରଙ୍କ ଗୋଷ୍ଠୀରେ ଶୂକଗୁଡ଼ିକ ଶିକାରୀ ପ୍ରାଣୀଙ୍କ ଉପସ୍ଥିତି ବିଷୟରେ ଏକ ପ୍ରକାର କମ୍ପନ ମାଧ୍ୟମରେ ପରସ୍ପରକୁ ଅବଗତ କରାନ୍ତି। ମଣିଷମାନେ ବୈଦ୍ୟୁତିକ ଯନ୍ତ୍ର ସାହାଯ୍ୟରେ ଏ ବିଷୟରେ ଜାଣିପାରନ୍ତି। ଇଷ୍ଟର୍ନ ଟେଣ୍ଟ କାଟରପିଲାର (ଶଁବାଳୁଆ ବିଶେଷ) ନିଜ ଦ୍ୱାରା ତିଆରି କରାଯାଇଥିବା ଟେଣ୍ଟରେ ଦଳବଦ୍ଧ ହୋଇ ରହନ୍ତି। ସେମାନଙ୍କ ସଂଖ୍ୟାବୃଦ୍ଧି ସହ ସିଲ୍‌କର ପରିମାଣ ବୃଦ୍ଧିପାଏ ଓ ଟେଣ୍ଟର ଆକାର ବଢ଼େ। କଲୋନୀର ସଦସ୍ୟମାନେ ଖାଦ୍ୟ ସନ୍ଧାନରେ କିଛି ସମୟ ପାଇଁ ଟେଣ୍ଟରୁ ବାହାରକୁ ଯାଆନ୍ତି ଏବଂ ଦଳର ଅନ୍ୟମାନଙ୍କୁ ସୂଚନା ଦେବା ପାଇଁ ଏକ ପ୍ରକାର ରାସାୟନିକ ବ୍ୟବହାର କରନ୍ତି। କ୍ଲିଫ୍‌ ସ୍ବାଲୋ (ଚାତକ ପକ୍ଷୀ ବିଶେଷ) ପରି କଲୋନୀ ପକ୍ଷୀମାନଙ୍କ ଭିତରେ ଅସଫଳ ଯେଉଁମାନେ, ସେମାନେ ସଫଳ ପକ୍ଷୀମାନଙ୍କୁ ଅନୁସରଣ କରି ସେମାନେ କିପରି ଖାଦ୍ୟ ସଂଗ୍ରହ କରି ବସାକୁ ଫେରୁଛନ୍ତି ତାହା ଦେଖନ୍ତି। ସେଥିରୁ ସେମାନେ ଖାଦ୍ୟ ମିଳୁଥିବା ସ୍ଥାନଗୁଡ଼ିକ ବିଷୟରେ ଜାଣନ୍ତି। ହେଟା ବା ଗଧିଆମାନେ ଗୋଟିଏ ଜେବ୍ରାକୁ ଟାଣି ଟାଣି ଆଣିବାରେ ପରସ୍ପରକୁ ସାହାଯ୍ୟ କରନ୍ତି।
ବିଭିନ୍ନ ପ୍ରାଣୀଙ୍କ ଦଳ ଖାଦ୍ୟ ସନ୍ଧାନରେ ଦୂର ସ୍ଥାନ ଭ୍ରମଣ କରନ୍ତି ଏବଂ ଏଥିରେ ବହୁ ସଂଖ୍ୟକ ପ୍ରାଣୀ ଅଂଶଗ୍ରହଣ କରନ୍ତି। ପ୍ରାୟ ଏକ ନିୟୁତରୁ ଅଧିକ ବ୍ଲୁ ଓ୍ବିଲଡେବିଷ୍ଟ (ମଇଁଷି ପରି ତୃଣଭୋଜୀ ପ୍ରାଣୀ) ପୂର୍ବ ଆଫ୍ରିକାର ସମତଳ ଭୂମିରେ ଘାସ ସନ୍ଧାନରେ ଦକ୍ଷିଣାବର୍ତ୍ତରେ ଭ୍ରମଣ କରନ୍ତି ଏବଂ ବର୍ଷକ ଭିତରେ ସେମାନେ ପ୍ରାୟ ୨,୫୦୦ କିମିରୁ ଅଧିକ ଭ୍ରମଣ କରନ୍ତି। ଆଫ୍ରିକୀୟ ମରୁଭୂମି ପଙ୍ଗପାଳ ନିୟୁତ ନିୟୁତ ସଂଖ୍ୟାରେ ୨୦୦ ବର୍ଗ କିମି ଅଞ୍ଚଳ ଅକ୍ତିଆର କରି ସଂଘବଦ୍ଧ ହୋଇ ଖାଦ୍ୟ ଅନ୍ବେଷଣରେ ଭ୍ରମଣ କରନ୍ତି। ପାସେଞ୍ଜର ପିଜନ (ପାରା ବିଶେଷ) ନିୟୁତ ନିୟୁତ ସଂଖ୍ୟାରେ ଖାଦ୍ୟ ସନ୍ଧାନରେ ଭ୍ରମଣ କରୁଥିଲେ। ମଣିଷର ମନୋରଞ୍ଜନ ପାଇଁ ବ୍ୟାପକ ସଂଖ୍ୟାରେ ଶିକାର କରାଯିବା ଯୋଗୁ ସେମାନେ ଏବେ ଏକପ୍ରକାର ଲୋପ ପାଇଗଲେଣି।
ସ୍ଥିର ସାମାଜିକ ଗୋଷ୍ଠୀରେ ରହୁଥିବା ପ୍ରାଣୀମାନେ ଅନେକ ସମୟରେ ପରର ଉପକାର କରିବା ପାଇଁ ପରସ୍ପର ସହ ଭାବର ଆଦାନ ପ୍ରଦାନ କରିଥାନ୍ତି। ଉଦାହରଣସ୍ବରୂପ ଭୂମିରେ ବାସ କରୁଥିବା ଗୁଣ୍ଡୁଚିମୂଷା ବିପଦର ସୂଚନା ପାଇଲେ ଏକପ୍ରକାର ଶବ୍ଦ କରି ଗୋଷ୍ଠୀର ଅନ୍ୟମାନଙ୍କୁ ସତର୍କ କରାଇଦିଅନ୍ତି। ଏହାଦ୍ୱାରା ସେମାନେ ନିଜ ପ୍ରତି ବିପଦକୁ ଡାକିଆଣନ୍ତି। ସେହିପରି ନିଜେ ଛୁଆ ଜନ୍ମ କରିବାକୁ ଯାଉଥିବା ମାଈ ମିରକଟ ଅନ୍ୟ ଗୋଷ୍ଠୀର ଛୁଆଙ୍କୁ ଖାଇବାକୁ ଦେଇଥାନ୍ତି।
ସମୟକ୍ରମେ ପ୍ରାଣୀମାନଙ୍କ ସାମାଜିକ ଜୀବନ ସେମାନଙ୍କୁ ନୂଆ ପ୍ରକାର ବ୍ୟବହାର ଶିଖାଇଥାଏ। ସ୍ବଜନ ପକ୍ଷପାତ କେବଳ ମଣିଷଙ୍କ ଭିତରେ ଦେଖିବାକୁ ମିଳେ ନାହିଁ। ବଣମଣିଷ, ମାଙ୍କଡ଼, କୁକୁଡ଼ାମାନେ ମଧ୍ୟ ନିଜ କୁଟୁମ୍ବ, ସମ୍ପର୍କୀୟମାନଙ୍କ ପ୍ରତି ସେପରି ବ୍ୟବହାର କରିଥାନ୍ତି। ମଣିଷ ପରି ପ୍ରାଣୀମାନଙ୍କର ଜଟିଳ ସମାଜ ଥାଏ। ବ୍ୟବସାୟିକ ସୁବିଧା ସୁଯୋଗକୁ ନେଇ ମାଛମାନେ ମଧ୍ୟ ଦଳ ଗଠନ କରିଥାନ୍ତି। ପ୍ରବାଳ ପାହାଡ଼ରେ ସଫେଇ ମାଛମାନେ ବଡ଼ ମାଛଙ୍କ ଦେହରେ ଲାଗିଥିବା ପରଜୀବୀମାନଙ୍କୁ ଖାଇ ସଫା କରିଦିଅନ୍ତି। ବର୍ଷ ବର୍ଷ ଧରି ସେମାନେ ଅଲଗା ବାରିହୋଇ ପଡ଼ିବା ପାଇଁ ସ୍ବତନ୍ତ୍ର ନୀଳ-ହଳଦିଆ ୟୁନିଫର୍ମ ରଙ୍ଗ ଧାରଣ କରିଥାନ୍ତି। ଏହି ସଫେଇ ମାଛମାନଙ୍କର ଏକ ସ୍ବତନ୍ତ୍ର କଷ୍ଟମର ସର୍ଭିସ୍‌ କୋଡ୍‌ ରହିଛି। ଯଦି ସେମାନେ ଭୁଲକ୍ରମେ ପରଜୀବୀଙ୍କୁ ଖାଇବା ବଦଳରେ ଗ୍ରାହକଙ୍କୁ କାମୁଡ଼ିଦିଅନ୍ତି, ତା’ହେଲେ ତାଙ୍କର ଏହି ଦାୟିତ୍ୱହୀନତା ପାଇଁ ଅନ୍ୟ ସଫେଇ ମାଛଙ୍କଠାରୁ ଦଣ୍ଡ ଭୋଗ କରିବାକୁ ପଡ଼େ।
ଶିମ୍ପାଞ୍ଜିମାନେ ଏକ ଦକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଉଗାଣ୍ଡାର ଦଳେ ଶିମ୍ପାଞ୍ଜିଙ୍କ ଉପରେ ୧୦ ବର୍ଷ ଧରି ଗବେଷଣା କରି ଜଣାଗଲା ଯେ, ଦଳେ ଅଣ୍ଡିରା ଶିମ୍ପାଞ୍ଜି ସେମାନଙ୍କ ଅଞ୍ଚଳ ଓ ପଡ଼ୋଶୀ ଅଞ୍ଚଳର ସୀମାରେ ପହରା ଦିଅନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜଣେ ଲୁଚି ଲୁଚି ଜଙ୍ଗଲରେ ପ୍ରବେଶ କରନ୍ତି। ସେହି ସମୟରେ ସେମାନେ ପ୍ରାୟ କିଛି ଖାଆନ୍ତି ନାହିଁ କି ସାମାଜିକ ଭାବେ କାହା ସହ ମିଳାମିଶା କରନ୍ତି ନାହିଁ। ସେମାନେ ପଡ଼ୋଶୀ ରାଜ୍ୟର ବାସିନ୍ଦାଙ୍କ ମଳ, ପରିତ୍ୟକ୍ତ ଉଇ-ଶିକାର ଯନ୍ତ୍ର ଆଦି ସତର୍କତାର ସହ ପରୀକ୍ଷା କରନ୍ତି। ସେମାନେ ଯଦି ପଡ଼ୋଶୀ ରାଜ୍ୟର କୌଣସି ସଦସ୍ୟଙ୍କୁ ଦେଖନ୍ତି, ତେବେ ସେଇଠି ତାଙ୍କୁ ସିଧା ମାରିଦିଅନ୍ତି। ଏହା ସେମାନଙ୍କର ଏକ ପ୍ରକାର ଯୁଦ୍ଧ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସେମାନେ ନିଜ ଦେଶ ପାଇଁ ସୁସଙ୍ଗଠିତ ଭାବରେ ଯୁଦ୍ଧ କରନ୍ତି। ତାଞ୍ଜାନିଆରେ ଶିମ୍ପାଞ୍ଜିଙ୍କ ଗୋଟିଏ ବଡ଼ ଦଳରୁ ବାହାରି ଯାଇଥିବା କିଛି ଶିମ୍ପାଞ୍ଜି ଅନ୍ୟମାନଙ୍କ ସହ ଯୁଦ୍ଧ କରିବା ଦେଖାଯାଇଛି, ଯାହାକୁ ଗୃହଯୁଦ୍ଧ ବୋଲି କୁହାଯାଇପାରେ। ପାଞ୍ଚବର୍ଷ ଭିତରେ ଏହି ଗୋଷ୍ଠୀଛଡ଼ା ଦଳ ମୂଳ ଦଳ ସହ ସୁସଙ୍ଗଠିତ ଭାବରେ ଯୁଦ୍ଧ କରି ସେମାନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲେ।
ମାଙ୍କଡ଼ମାନେ ଅନ୍ୟ ମାଙ୍କଡ଼ ଦେହରୁ ଉକୁଣି ବାଛିବା ଦେଖାଯାଏ। ମାତ୍ର ଏଥିରେ କେବଳ ଅନ୍ୟର ଉପକାର କରିବାର ଉଦ୍ଦେଶ୍ୟ ନ ଥାଏ। ମାଈ ମାଙ୍କଡ଼ମାନେ ଯୌନ ମିଳନ ପାଇଁ ବି ଏପରି କରିଥାନ୍ତି। ମାଈ ମାଙ୍କଡ଼ମାନେ ଆଠ ମିନିଟ ଉକୁଣି ବାଛିବା ପରେ ଉକ୍ତ ମାଙ୍କଡ଼ ସହ ଶୋଇବାର ଗବେଷକମାନେ ଦେଖିଛନ୍ତି। ଯୋଗାଣ ଓ ଚାହିଦା ନିୟମ ମଧ୍ୟ ଏଠି କାମ କରେ। ଯେତେବେଳେ ମାଈ ମାଙ୍କଡ଼ଙ୍କ ସଂଖ୍ୟା କମ୍‌ ଥାଏ, ସେତେବେଳେ ଯୌନ ମିଳନ ପାଇଁ ଗୋଟିଏ ମାଈ ମାଙ୍କଡ଼କୁ ଆଠ ମିନିଟ ବଦଳରେ ୧୬ ମିନିଟ ଧରି ଉକୁଣି ବାଛିବାକୁ ପଡ଼େ। ମାଈ ମାଙ୍କଡ଼ମାନେ କେବଳ ଯୌନ ମିଳନ ପାଇଁ ଉକୁଣି ବାଛନ୍ତି ନାହିଁ। ନିଜ ପିଲାକୁ ଧରିବାରେ ସାହାଯ୍ୟ କରିବା ପାଇଁ ସେମାନେ ଅନ୍ୟ ମାଈ ମାଙ୍କଡ଼ର ମଧ୍ୟ ଉକୁଣି ବାଛିଦିଅନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri