ପ୍ରଶ୍ନବାଚୀରେ ପଞ୍ଜିକା ସ୍ବୀକୃତି

ହରିଶଙ୍କର ମିଶ୍ର

ଶ୍ରୀମନ୍ଦିରସ୍ଥ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ଓଡ଼ିଶାବାସୀ ଧାର୍ମିକ ବିଚାରାଳୟ ଓ ବ୍ୟବସ୍ଥା ସଭା ଭାବେ ଗ୍ରହଣ କରିଥାନ୍ତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାୟୀ ସଭାପତିତ୍ୱରେ ଗଠିତ ପଣ୍ଡିତ ସଭା କୌଣସି ଧାର୍ମିକ ସଙ୍କଟରେ ପରାମର୍ଶ ଦେବା ସହ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହାଙ୍କର ପ୍ରତିନିଧିତ୍ୱ ରହିଛି। ବିବିଧ ଶାସ୍ତ୍ର ବିଶାରଦଙ୍କ ମିଳନସ୍ଥଳୀ ଭାବେ ଏହାର ନାମ ଉଚ୍ଚାରଣରେ ସ୍ବତଃ ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ମୁକ୍ତିମଣ୍ଡପ ପଣ୍ଡିତ ସଭାର ସିଦ୍ଧାନ୍ତ ଓ ବ୍ୟବସ୍ଥାକୁ ଗଭୀର ବିଶ୍ୱାସ ସହ ଗ୍ରହଣ କରାଯାଉଥିବାରୁ ଏହାଙ୍କ ଦ୍ୱାରା ସ୍ବୀକୃତ ପଞ୍ଜିକାକୁ ମଧ୍ୟ ତ୍ରୁଟିଶୂନ୍ୟ ମନେ କରାଯାଏ। ମାତ୍ର ଗତ ଦୁଇ ଦଶନ୍ଧି ଧରି ପ୍ରତ୍ୟେକବର୍ଷ ପଣ୍ଡିତ ସଭା ସ୍ବୀକୃତ ପଞ୍ଜିକାରେ ରହୁଥିବା ଗୁରୁତର ଗାଣିତିକ ତ୍ରୁଟି ସମାଲୋଚିତ ହୋଇ ଆସୁଥିଲେ ବି ପଣ୍ଡିତସଭାରେ କୌଣସି ଜ୍ୟୋତିଷ ବିଶାରଦ ନ ଥିବାରୁ ସେମାନେ ନୀରବ ରହୁଛନ୍ତି। ମାତ୍ର ପଞ୍ଜିକା ଅନୁସରଣକାରୀ ଦ୍ୱନ୍ଦ୍ୱମୁକ୍ତ ହୋଇପାରୁନାହାନ୍ତି। ବେଦର ଛଅଟି ଅଙ୍ଗ ମଧ୍ୟରୁ ଚକ୍ଷୁ ଭାବେ ବିବେଚିତ ଜ୍ୟୋତିଷଶାସ୍ତ୍ରରେ ଗଣିତ ଜ୍ୟୋତିଷକୁ ସିଦ୍ଧାନ୍ତ ଓ ଫଳିତ ଜ୍ୟୋତିଷକୁ ହୋରା କୁହାଯାଏ ଏବଂ ମନୁଷ୍ୟର ଆଚାର, ବ୍ୟବହାର ସଂଯମ ସହ ଶୃଙ୍ଖଳିତ ଓ ନିରାମୟ ଜୀବନଚର୍ଯ୍ୟା ପାଇଁ ଉପାଦେୟ ତଥ୍ୟ ସଂହିତାରୁ ହିଁ ମିଳିଥାଏ। ଗ୍ରହଗଣିତ ଦ୍ୱାରା ଅନ୍ତରୀକ୍ଷରେ ଘୂରି ବୁଲୁଥିବା ଗ୍ରହମାନଙ୍କର ଗତି ସ୍ଥିତି ନିର୍ଣ୍ଣୟ ସହ ପଞ୍ଚାଙ୍ଗ ବ୍ୟାପ୍ତି ଯଥା- ତିଥି, ରାଶି, ନକ୍ଷତ୍ର, ଯୋଗ, କରଣ ଠିକ୍‌ ନିର୍ଦ୍ଧାରିତ ହେଲେ ପଞ୍ଜିକା ତ୍ରୁଟିଶୂନ୍ୟ ହୋଇଥାଏ। ତେବେ ରାଶି, ନକ୍ଷତ୍ର ଓ ଯୋଗର ବ୍ୟାପ୍ତି ଅୟନାଂଶ ଦ୍ୱାରା ନିର୍ଦ୍ଧାରିତ ହେଉଥିବା ବେଳେ ତିଥି ଓ କରଣର ବ୍ୟାପ୍ତି ପୃଥିବୀସାରା ସର୍ବତ୍ର ସମାନ। ଏହା ପଣ୍ଡିତସଭାକୁ ବାରମ୍ବାର ଅବଗତ କରାଯାଇଥିଲେ ବି ପୂର୍ବବର୍ଷ ଭଳି ଏବର୍ଷ ତାଙ୍କ ଦ୍ୱାରା ସ୍ବୀକୃତ ରାଧାରମଣ ପ୍ରେସ୍‌ ଦ୍ୱାରା ପ୍ରକାଶିତ ପଞ୍ଜିକାରେ ଅନେକ ତ୍ରୁଟି ରହିଛି।
ପଣ୍ଡିତସଭା ସ୍ବୀକୃତ ପଞ୍ଜିକା ବ୍ୟତୀତ ଅନେକ ପୁରାତନ ପଞ୍ଜିକା ଓ ନୂତନ ସୌରବିଜ୍ଞାନ ଆଧାରରେ ଅନେକ ପଞ୍ଜିକା ବଜାରରେ ଉପଲବ୍ଧ ହେଉଛି। ତୁଳନାତ୍ମକ ଭାବେ ଅନ୍ୟ ପଞ୍ଜିକା ଗଣନାରେ ସମତା ରହୁଥିବା ବେଳେ ପଣ୍ଡିତସଭା ସ୍ବୀକୃତ ପଞ୍ଜିକା ଗଣନାରେ ଭିନ୍ନତା ରହୁଛି। ବର୍ଷାରମ୍ଭ ଅର୍ଥାତ୍‌ ତା୧୪ା୪ା୧୯ରିଖରେ ଅନ୍ୟାନ୍ୟ ପଞ୍ଜିକାରେ ନବମୀ ତିଥିର ବ୍ୟାପ୍ତି ଦିନ ଘ୯ା୩୫ ପର୍ଯ୍ୟନ୍ତ ଦର୍ଶାଇଥିବା ବେଳେ ପଣ୍ଡିତସଭା ସ୍ବୀକୃତ ପଞ୍ଜିକାରେ ଦିନ ଘ୯ା୧୧ ରହିଛି। ତିଥିର ବ୍ୟାପ୍ତି ଶ୍ରାଦ୍ଧ ଦିବସ ନିରୂପଣ, ମୃତେ ପୁଷ୍କର ଦୋଷ, ନିଷିଦ୍ଧ ଖାଦ୍ୟକୁ ପ୍ରଭାବିତ କରେ ଓ ଅକାଳରେ କୌଣସି କାର୍ଯ୍ୟ ଫଳପ୍ରଦ ହୁଏନାହିଁ। ତେବେ ବର୍ଷାରମ୍ଭରେ ଏଇ ଚବିଶ ମିନିଟ ତଫାତ୍‌ ଥିବାବେଳେ ବର୍ଷ ମଧ୍ୟରେ ୪୩ ମିନିଟ୍‌ ଫରକ ମଧ୍ୟ ଦେଖିବାକୁ ମିଳୁଛି। ରାଶି ନକ୍ଷତ୍ର ବ୍ୟାପ୍ତିରେ ଅନ୍ୟ ପଞ୍ଜିକାମାନଙ୍କଠାରୁ ମଧ୍ୟ ଏଥିରେ ଭିନ୍ନତା ରହିଥିବାରୁ ଏହାର ଗଣନା କେତେ ଠିକ୍‌ ତାହା ବିଚାରଯୋଗ୍ୟ। ଜନ୍ମଜାତକ ପ୍ରସ୍ତୁତିରେ ଗ୍ରହମାନଙ୍କର ସ୍ଥିତି ସହ ଲଗ୍ନ ନିର୍ଣ୍ଣୟ ପାଇଁ ପଞ୍ଜିକା ଅନୁସରଣ କରାଯାଏ। ମାତ୍ର ପଣ୍ଡିତସଭା ସ୍ବୀକୃତ ରାଧାରମଣ ପ୍ରେସ୍‌ ପଞ୍ଜିକାନୁଯାୟୀ ସୂର୍ଯ୍ୟୋଦୟ ସହ ଲଗ୍ନ ଭୋଗ ମିଶାଇଲେ ତାହା ପଞ୍ଜିକା ପ୍ରଦତ୍ତ ସୂର୍ଯ୍ୟାସ୍ତ ସମୟଠାରୁ ଢେର୍‌ ତଫାତ୍‌ ରହୁଛି।
ଗ୍ରହଚଳନ ଦେଖିଲେ ଶନି ଚଳନ ମକର ରାଶିକୁ ଅନ୍ୟାନ୍ୟ ପଞ୍ଜିକାରେ ତା୨୪ା୧ା୨୦ରିଖ ଦିବା ଘ୯ା୫୬ ରହିଥିବା ବେଳେ ରାଧାରମଣ ପ୍ରେସ୍‌ ପଞ୍ଜିକାରେ ତା୨୬ା୧ା୨୦ରିଖ ରାତି ଘ୯ା୪୦ ରହିଛି। ବୃହସ୍ପତି ଚଳନ ଅନ୍ୟ ପଞ୍ଜିକାନୁଯାୟୀ ଯଥାକ୍ରମେ ବିଛା ଓ ଧନୁ ରାଶିକୁ ତା୨୨ା୪ା୧୯ରିଖ ରାତି ଘ୧ା୧୧ ଓ ତା୪ା୧୧ା୧୯ରିଖ ନିଶାନ୍ତ ଘ୫ା୧୭ ରହିଥିବା ବେଳେ ପଣ୍ଡିତସଭା ସ୍ବୀକୃତ ପଞ୍ଜିକାରେ ଦିନ ଠିକ୍‌ ଥାଇ ଯଥାକ୍ରମେ ରାତ୍ରି ଘ୪ା୦୪ ଓ ରାତ୍ରି ଘ୯ା୧୨ ରହିଛି। ବୃହସ୍ପତିଙ୍କର ପୁନଃ ମକର ରାଶିକୁ ଚଳନ ଅନ୍ୟାନ୍ୟ ପଞ୍ଜିକାରେ ତା୨୯ା୩ା୨୦୨୦ରିଖ ରାତି ଘ୩ା୫୪ ସ୍ଥଳେ ଏହି ପଞ୍ଜିକାରେ ତା୩୦ା୩ା୨୦୨୦ ଦିବା ଘ୨ା୪୧ ରହିଛି। ମଙ୍ଗଳ, ବୁଧ ଓ ଶୁକ୍ରଙ୍କ ଚଳନର ଦିନ ଅନ୍ୟାନ୍ୟ ପଞ୍ଜିକା ସହ ରାଧାରମଣ ପ୍ରେସ୍‌ ପଞ୍ଜିକାର ସମାନ ଥିଲେ ବି ସମୟରେ ବ୍ୟାପକ ଅମେଳ ରହିଛି। ଅୟନାଂଶରେ ଅମେଳ ଯୋଗୁ ପ୍ରତ୍ୟେକ ସଂକ୍ରାନ୍ତି ଦିନର ରବି ଚଳନ ସମୟ ଦୃକ୍‌ସିଦ୍ଧ ଓ ପାରମ୍ପରିକ ଗଣନାରେ ପ୍ରାୟ ଆଠ ଘଣ୍ଟା ଫରକ ରହୁଛି। ତାତ୍ପର୍ଯ୍ୟପୂର୍ଣ୍ଣ କଥା ଏହିକି ଯେ ଉପରୋକ୍ତ ଗଣନା ତ୍ରୁଟି ସତ୍ତ୍ୱେ ଅନ୍ୟାନ୍ୟ ପଞ୍ଜିକାରେ ପ୍ରଦତ୍ତ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସମୟ ସହ ଏହି ପଞ୍ଜିକା ପ୍ରଦତ୍ତ ସମୟ ସମାନ ରହିବା ଗଣନାର ଭିନ୍ନ ଦିଗକୁ ସୂଚାଉଛି। ପଞ୍ଜିକା ଗଣନା ବା ସଂଶୋଧନ ପାଇଁ ଆବଶ୍ୟକ ପାଣ୍ଡିତ୍ୟର ଅଭାବ ଏହାର ମୁଖ୍ୟ କାରଣ।
ଏହା ସତ୍ୟ ଯେ ପଣ୍ଡିତ ସଭାରେ ଏଥିପାଇଁ କିଛି ବାହାର ବ୍ୟକ୍ତିଙ୍କୁ ସଂଶ୍ଳିଷ୍ଟ କରାଇ ପଞ୍ଜିକା ସଂଶୋଧନ କରାଯାଇଥିବା ପଞ୍ଜିକା ପ୍ରଦତ୍ତ ସଂଶୋଧନକାରୀଙ୍କ ଫଟୋରୁ ସ୍ପଷ୍ଟ ହୋଇଛି। ଆମର ପଣ୍ଡିତ ସଭା ପ୍ରତି ରହିଥିବା ପୂର୍ବାଗ୍ରହକୁ ଉପଯୋଗ କରି କେବଳ ପଞ୍ଜିକା ଶୁଳ୍କ ବିନିମୟରେ ସ୍ବୀକୃତିପତ୍ର ପ୍ରଦାନ କରାଯାଉଥିବାରୁ ତାହା ଆମ୍ଭକୁ ବିଭ୍ରାନ୍ତ କରାଉଛି। ପଣ୍ଡିତ ସଭା ମଧ୍ୟ ଦକ୍ଷ ଗଣକ ପରିବର୍ତ୍ତେ ପ୍ରକାଶକଙ୍କୁ ଗୁରୁତ୍ୱ ଦେଉଥିବାରୁ କିଛି ବ୍ୟବସାୟୀ ନିଜର ବ୍ୟବସାୟିକ ସଫଳତା ପାଇଁ ଏହାକୁ ଉପଯୋଗ କରୁଛନ୍ତି। ଗଣନାର ଭିନ୍ନତା ସତ୍ତ୍ୱେ ଅର୍ଥ ବିନିମୟରେ ସ୍ବୀକୃତିପତ୍ର ପ୍ରଦାନ ପଣ୍ଡିତ ସଭାର ଗରିମା ପ୍ରତି ପ୍ରଶ୍ନ ଉଠାଉଥିବା ବେଳେ ପଣ୍ଡିତ ସଭା ଏଥିପାଇଁ ସାମାନ୍ୟ ଯତ୍ନବାନ୍‌ ନ ହେବା ପରିତାପର ବିଷୟ। ସିଦ୍ଧାନ୍ତ ଦର୍ପଣର ପ୍ରଣେତା ସାମନ୍ତ ଚନ୍ଦ୍ରଶେଖର ଓଡ଼ିଶାରେ ଘଟିଥିବା ନଅଙ୍କ ଦୁର୍ଭିକ୍ଷର କାରଣ ଖୋଜି ଗ୍ରହ ଗଣିତରେ ତା’ର ସମାଧାନ ପାଇଥିଲେ। ଆମ୍ଭର ପୂର୍ବସୂରୀ ଜଳବାୟୁ, କୃଷି ଶସ୍ୟାଦିର ଆୟ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଜ୍ୟୋତିଷଶାସ୍ତ୍ର ଆଧାରରେ ନିର୍ଣ୍ଣୟ କରୁଥିଲେ। ଗ୍ରହଗଣନା ନିର୍ଭୁଲ ରହିଲେ ଏହି ଗଣନାଗୁଡ଼ିକ ତ୍ରୁଟିଶୂନ୍ୟ ହୋଇପାରିବ। ଏଭଳି ଏକ ଶାସ୍ତ୍ରକୁ ଅବହେଳା କରାଯିବା ଠିକ୍‌ ହେଉନାହିଁ। ପଣ୍ଡିତ ସଭା ବର୍ତ୍ତମାନ କିଛି ଜ୍ୟୋତିଷ ଶାସ୍ତ୍ରାନଭିଜ୍ଞ ଅବସରପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ଭବିଷ୍ୟତରେ ମଧ୍ୟ ଠିକ୍‌ ପଞ୍ଜିକା ସଂଶୋଧନ ଆଶା କରି ହୁଏ ନାହିଁ। ଜଗନ୍ନାଥଙ୍କ ବିବିଧ ବେଶ, ପର୍ବ ସହ ସମସ୍ତ ଶୁଭାଶୁଭ କାର୍ଯ୍ୟ ପାଇଁ ଆମକୁ ପଞ୍ଜିକା ସହାୟକ ହେଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ନିର୍ଭୁଲ ଦୃକ୍‌ସିଦ୍ଧ ପଞ୍ଜିକା ପ୍ରସ୍ତୁତ କରାଇବା ଅତ୍ୟାବଶ୍ୟକ ମନେହୁଏ। ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଯୋଗ୍ୟ ଦକ୍ଷ ପଣ୍ଡିତଙ୍କୁ ଆମନ୍ତ୍ରଣ କରି ଏହାର ବ୍ୟବସ୍ଥାସଭାକୁ ସୁପରିଚାଳନା କରିବା ଏକାନ୍ତ ଜରୁରୀ ମନେହୁଏ।
୧୧୩, ଗୁଣ୍ଡିଚା ବିହାର, ସର୍ବୋଦୟ ନଗର, ପୁରୀ, ମୋ-୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri