ପିଲାଙ୍କୁ ଅବୋଧ୍ୟ ବୁଢ଼ାଙ୍କ ଭାଷା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ
ବେଳେ ବେଳେ ଆମେ ଶୁଣିବା ପୁରୁଖା ଲୋକମାନେ ଏହିପରି କଥାବାର୍ତ୍ତା ହେଉଥିବେ- ଆଗେ ଶସ୍ତା ଯୁଗ ଥିଲା। ଭରଣେ ଧାନ ବିକିଲେ ଭରିଏ ସୁନା କିଣି ହେଉଥିଲା। ଏସନ ପାଳକ ଏପରି ହେଲା ଲଘୁଧାନ ଅମଳ ୮ ଅଣା ମାଡ଼ ଖାଇଗଲା ଓ ଝିଅ ପାଇଁ ରତିଏ ସୁନା କିଣି ପାରିଲିନି। ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ମହଣ ମହଣ ସୁନା ଅଛି। ଆମେ ବିନା ରାସାୟନିକ ସାରରେ ଉତ୍ପାଦିତ ଶସ୍ୟ ଓ ପନିପରିବା ଖାଇ ଦେହରେ ଏତେ ତାକତ ଥିଲା ଯେ ଆମ ଘରଠାରୁ ଶ୍ରୀମନ୍ଦିର ୮ କୋଶ ବାଟ ହେଲେ ମଧ୍ୟ ମୁଁ ଝିଟ୍‌ଝିଟିଆରୁ ଘରୁ ବାହାରି ପୁରୀରେ ଦିପହର ଆଗରୁ ପହଞ୍ଚି, ସେଠାରେ ଜଗନ୍ନାଥ ଦର୍ଶନ ସାରି ଖରାବେଳେ ବାହାରି ଗୋଧୂଳି ବେଳକୁ ଗାଁରେ ପହଞ୍ଚୁଥିଲି। ସେମାନେ କଥା ହେଉଥିବା ଭରଣେ, ଭରିଏ, ୮ ଅଣା, ମହଣ, କୋଶ, ଝିଟ୍‌ଝିଟିଆ, ଦିପହର, ଖରାବେଳ, ଗୋଧୂଳି ଇତ୍ୟାଦି ଶବ୍ଦ ଏବର ଯୁବପିଢ଼ିକୁ ଅବୋଧ୍ୟ ହେବ। ଏ ପ୍ରକାର ଓଜନ ମାପ ପ୍ରଣାଳୀ ୧୯୭୦ ଦଶକ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ଏ ଓଜନ ମାପ ପ୍ରଣାଳୀକୁ କୁହାଯାଉଥିଲା ଫୁଟ୍‌-ପାଉଣ୍ଡ-ସେକେଣ୍ଡ ବା ଏଫ୍‌ପିଏସ୍‌ ମାପ ପ୍ରଣାଳୀ। ଏବେ ଯେଉଁ ମାପ ପ୍ରଣାଳୀରେ କାରବାର ଚାଲିଛି, ତାକୁ କୁହାଯାଉଛି, ମିଟର-କିଲୋଗ୍ରାମ୍‌-ସେକେଣ୍ଡ ବା ଏମ୍‌କେଏସ୍‌ ମାପ ପ୍ରଣାଳୀ ବା ମେଟ୍ରିକ ପ୍ରଣାଳୀ।
ପୂର୍ବେ ଏଫ୍‌ପିଏସ୍‌ ପ୍ରଣାଳୀରେ ଦୈର୍ଘ୍ୟ ବା ଦୂରତା ମାପର ଏକକ ଥିଲା ଫୁଟ। ଦୂରତା ମପା ଯାଉଥିଲା ଫୁଟର ଗୁଣିତକ ଗଜ, ମାଇଲରେ। ଯେପରି ୩ ଫୁଟରେ ହେଉଥିଲା ଏକ ଗଜ ଓ ୧୭୬୦ ଗଜରେ ହେଉଥିଲା ଏକ ମାଇଲ। କମ୍‌ ଦୈର୍ଘ୍ୟ ମପାଯାଉଥିଲା ଫୁଟର ଭଗ୍ନାଂଶରେ, ଯେପରି ଫୁଟକର ୧୨ ଭାଗରୁ ଭାଗେ ଏକ ଇଞ୍ଚ। ଛୋଟ ଦୈର୍ଘ୍ୟ ମପାଯାଉଥିଲା ୬ ଫୁଟିଆ ଫିତାରେ ବା ଫୁଟିକିଆ ସ୍କେଲରେ। ବଡ଼ ଦୈର୍ଘ୍ୟ ମପାଯାଉଥିଲା ଚେନ୍‌ରେ। ଏ ଚେନ୍‌କୁ କୁହାଯାଏ ଗଣ୍ଟର ଚେନ୍‌ ବା ଜମିବାଡ଼ି ମାପ ଚେନ୍‌। ଏ ଚେନ୍‌ର ଲମ୍ବ ୬୬ ଫୁଟ୍‌ ଓ ଏଥିରେ ଥିଲା ୧୦୦ଟି କଡ଼ି। ୮୦ ଚେନ୍‌ରେ ହୁଏ ଏକ ମାଇଲ। ଦେଢ଼ ମାଇଲକୁ କୁହାଯାଉଥିଲା ଏକ କୋଶ। ହାଟ ବଜାରରେ ଗାମୁଛା, ଧୋତି, ଶାଢ଼ି ଇତ୍ୟାଦି ଲୋକେ ମାପୁଥିଲେ ହାତ କହୁଣିରେ, ଯେପରି ଚାରିହାତି ଗାମୁଛା, ଛଅହାତି ଧୋତି, ୧୦ ହାତି ଶାଢ଼ି ଇତ୍ୟାଦି। ଦେଢ଼ ଫୁଟ୍‌ରେ ଏକ ହାତ ଧରୁଥିଲେ। ଦୁଇ ଚାଖଣ୍ଡରେ ଏକ ହାତ ହୁଏ। ଜଣେ ମଣିଷର ଉଚ୍ଚତା ତା’ ହାତରେ ଚଉଦ ପା ଅର୍ଥାତ୍‌ ସାଢ଼େ ତିନି ହାତ ବା ତିନି ହାତ ଏକ ଚାଖଣ୍ଡ। ଜଳାଶୟରେ ଜଳର ଗଭୀରତା ପ୍ରକାଶ କରିବାକୁ କହୁଥିଲେ- ଆଣ୍ଠୁଏ, ଜଙ୍ଘେ, ଅଣ୍ଟାଏ, ଛାତିଏ, ପୁରୁଷେ ବା କାତେ ପାଣି, ନଈରେ ଡଙ୍ଗା ଚଲାଯାଏ ବାଉଁଶ କାତରେ ଓ କାତର ଲମ୍ବ ପ୍ରାୟ ୧୨ ଫୁଟ୍‌।
ଜମିବାଡ଼ିର ଦୈର୍ଘ୍ୟ, ପ୍ରସ୍ଥ ମପାଯାଉଥିଲା ୬୬ ଫୁଟିଆ ଚେନ୍‌ରେ। କ୍ଷେତ୍ରଫଳ ପ୍ରକାଶ କରାଯାଏ ଏକର, ଗୁଣ୍ଠ, ବିଶ୍ୱା ଓ ଡିସିମିଲରେ। ଏକ ଏକର ୨୫ ଗୁଣ୍ଠ, ଗୁଣ୍ଠକ ୧୬ ବିଶ୍ୱା। ଏକ ଏକର ୧୦୦ ଡିସିମିଲ ଓ କେଉଁଠି କେଉଁଠି ହଜାରେ ଡିସିମିଲ ଧରୁଥିଲେ। ୧୦ ଚେନ୍‌ ଲମ୍ବ ଓ ଏକ ଚେନ୍‌ ପ୍ରସ୍ଥ ଜମିର କ୍ଷେତ୍ରଫଳ ଏକ ଏକର ହୁଏ। ଖୋଳାଯାଇଥିବା ମାଟି, ବାଲି ବା ଟ୍ରକ ଡାଲାର ଆୟତନ ମପାଯାଉଥିଲା ସିଏଫ୍‌ଟି ବା ଘନଫୁଟ୍‌ରେ। ଖଣିଜତୈଳ, ଜଳ, କ୍ଷୀର ମପାଯାଉଥିଲା ଗ୍ୟାଲେନରେ। ଦଶ ପାଉଣ୍ଡ ଓଜନ ଜଳର ପରିମାଣକୁ କୁହାଯାଉଥିଲା ଏକ ଗ୍ୟାଲେନ। ସେତେବେଳେ ବୈଜ୍ଞାନିକ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଓଜନର ଏକକ ଥିଲା ପାଉଣ୍ଡ। ହଜାରେ ପାଉଣ୍ଡ ଓଜନକୁ କୁହାଯାଉଥିଲା ଏକ ଟନ୍‌। ହାଟ ବଜାରରେ ଖାଇବା ତେଲ, ଘିଅ, କ୍ଷୀର ଇତ୍ୟାଦି ତରଳ ପଦାର୍ଥକୁ ଏକ ବାଉଁଶ ନଳା ବା ଟିଣ ପଳାରେ ମାପ କରାଯାଉଥିଲା। ଏକ ସେର ଓଜନ ପାଣି ଧରୁଥିବା ନଳାକୁ ଏକ ସେରିଆ ନଳା କୁହାଯାଉଥିଲା। ଏକ ସେରିଆର ଅଧାକୁ ଅଧସେରିଆ, ଏକ ସେରିଆର ଏକ ଚତୁର୍ଥାଂଶକୁ ପାଆକିଆ ଓ ଏକ ସେରିଆର ୧୬ ଭାଗରୁ ଏକ ଭାଗକୁ ଛଟାଙ୍କିଆ ନଳା କୁହାଯାଉଥିଲା।
ନିକିତି ଓ ବଟକରାରେ କାରବାର ହେଉଥିବା ପଦାର୍ଥ ହେଲା ଚାଉଳ, ଡାଲି, ମସଲା, ପରି ଯାବତୀୟ ତେଜରାତି ପଦାର୍ଥ, ମିଠା ଜିନିଷ, ପନିପରିବା, ମାଛଶୁଖୁଆ, ଫଳମୂଳ ଇତ୍ୟାଦି। ବ୍ୟବହାର ହେଉଥିବା ବଟକରା ଥିଲା ସେର, ଅଧସେର, ପାଆ, ଛଟାଙ୍କି ଓ ତୋଳା। ସେତେବେଳେ ପ୍ରଚଳିତ ବଡ଼ ଏକଟଙ୍କିଆ ମୁଦ୍ରା ଓଜନକୁ କୁହାଯାଉଥିଲା ଏକ ତୋଳା ବା ଏକ ଭରି। ୧୦୫ ତୋଳା ଓଜନକୁ କୁହାଯାଉଥିଲା ଏକ ସେର। ଦେଢ଼ସେର ଓଜନକୁ କୁହାଯାଉଥିଲା ଏକ ବିଶା। ବଡ଼ ମାଛ ଶୁଖୁଆ, ଖମ୍ବଆଳୁ, ସାରୁ, କଖାରୁ ଇତ୍ୟାଦିକୁ ମପା ଯାଉଥିଲା ବିଶାରେ। ବଡ଼ ବଡ଼ ଭୋଜି ପାଇଁ ବା ବନ୍ଧୁବାନ୍ଧବଙ୍କ ଘରକୁ ପଠାଯାଉଥିବା ପରିବା ମପାଯାଉଥିଲା ଅଙ୍ଗାରେ। ପାଖାପାଖି ୧୦ ସେର ଓଜନର ପରିବା ଧରୁଥିବା ଟୋକେଇକୁ କୁହାଯାଉଥିଲା ଅଙ୍ଗାକିଆ ଟୋକେଇ। ଦୁଇ ଅଙ୍ଗାରେ ହୁଏ ଏକ ଭାର। ୪୦ ସେରରେ ହୁଏ ଏକ ମହଣ। କୋଇଲା, ଜାଳେଣି କାଠ, ଚାଉଳ ବସ୍ତା, ଲୁହାଛଡ଼, କଡ଼ି, ବର୍ଗା ଇତ୍ୟାଦି ଓଜନିଆ ପଦାର୍ଥକୁ ମପାଯାଉଥିଲା ମହଣରେ। ସୁନା, ରୁପା ପରି ଦାମିକା ଧାତୁ ବା ଗହଣା ଓଜନ ହେଉଥିଲା ଭରି (ତୋଳା), ରତି, ଧାନରେ। ଭରିକର ଏକ ଅଷ୍ଟମାଂଶ ହେଉଥିଲା ଏକ ରତି ଓ ରତିକର ଏକ ଚତୁର୍ଥାଂଶ ହେଉଥିଲା ଏକ ଧାନ। ଜଳରେ କ୍ଷୁଦ୍ରାତିକ୍ଷୁଦ୍ର ପଦାର୍ଥ ଓ ବାଷ୍ପ ଦ୍ରବୀଭୂତ ହୋଇଥାଏ। ତାକୁ ମପା ଯାଉଥିଲା ପିପିଏମ୍‌ (ପାର୍ଟସ ପର୍‌ ମିଲିୟନ)ରେ। ଯଦି କୁହାଯାଉଥିଲା ଜଳରେ ଅମ୍ଳଜାନ ଭାଗ ୮ ପିପିଏମ୍‌, ତେବେ ବୁଝିବାକୁ ହେଉଥିଲା ଜଳର ଏକ ନିୟୁତ ଭାଗରୁ ୮ ଭାଗ ହେଉଛି ଅମ୍ଳଜାନ। କୁହାଯାଏ ପାନୀୟଜଳରେ ଦେଢ଼ ପିପିଏମ୍‌ରୁ ଅଧିକ ଭାଗ ଫ୍ଲୋରାଇଡ ପଦାର୍ଥ ଥିଲେ, ସେ ଜଳ ପାନ କଲେ ଗଳଗଣ୍ଡ ରୋଗ ଧରେ।
ଅମଳ ଧାନ ମପାଯାଉଥିଲା ଭରଣ ଓ ଗୌଣୀରେ। ବେତରେ ତିଆରି ଗୌଣୀରେ ଧରୁଥିଲା ୪ ସେର ଓଜନର ଧାନ। ୮୦ ଗୌଣୀ ଧାନରେ ହେଉଥିଲା ଏକ ଭରଣ। ଧାନ, ଚାଉଳ, ଚୁଡ଼ା, ମୁଢ଼ି ଇତ୍ୟାଦି ମପାଯାଉଥିଲା ବେତ ତିଆରି ମାଉଣୀରେ। ଏକ ମାଉଣୀ ଚାଉଳର ଓଜନ ଥିଲା ଏକ ସେର। ଗ୍ରାମଗୁଡ଼ିକରେ ଚାଉଳ, ମୁଗ, ବିରି, ମୁଢ଼ି, ଚୁଡା ଇତ୍ୟାଦି ବିକ୍ରି ଖର୍ଦ୍ଦି ହେଉଥିଲା ବିଶେଷକରି କାଠ ତିଆରି ଅଢ଼ାରେ। ଏକ ଅଢ଼ା ଚାଉଳର ଓଜନ ଥିଲା ୪ ଛଟାଙ୍କି। ଦେଶୀ ଆମ୍ବ ବିକ୍ରି ହେଉଥିଲା ପଣରେ। ୮୦ଟା ଆମ୍ବକୁ କୁହାଯାଉଥିଲା ଏକ ପଣ ଆମ୍ବ। ୪ଟା ଆମ୍ବକୁ କୁହାଯାଉଥିଲା ଏକ ଗଣ୍ଡା ବା ଏକ ପୁଞ୍ଜା ଆମ୍ବ। ପର୍ବପର୍ବାଣିରେ ଯୋଗୀ, ଭିକାରି, ଚାକରବାକର ଗୃହସ୍ଥଙ୍କ ଘରକୁ ଯାଇ ମାଗନ୍ତି ପୁଞ୍ଜାଏ ମଣ୍ଡାପିଠା। କଦଳୀ, ଅଣ୍ଡା ଇତ୍ୟାଦି ବିକ୍ରି ହେଉଥିଲା ଡଜନରେ। ୧୨ଟାକୁ କୁହାଯାଏ ଡଜନେ। ପାନପତ୍ର ବିକ୍ରି ହୁଏ କଡ଼ା ଓ ଯୋଡ଼ାରେ। ଏକକଡ଼ା ପାନ କହିଲେ ୨୫ ଯୋଡ଼ା ବା ୫୦ଟା ପାନପତ୍ର।
ଜଳାଶୟର ଜଳ ଧାରଣ କ୍ଷମତା ପ୍ରକାଶ କରାଯାଉଥିଲା ଏକର-ଫୁଟରେ। ୫ ଏକର ଜଳାଶୟରେ ୨ ଫୁଟ ଗଭୀରର ଜଳ ଥିଲେ, ସେ ଜଳାଶୟର କ୍ଷମତା ୫x୨=୧୦ ଏକର ଫୁଟ। ନଦୀରେ ବା ପୋଲ ଫୁକାରରେ ବା ନଦୀବନ୍ଧ ଗେଟ୍‌ରେ ପ୍ରବାହିତ ଜଳକୁ ମପାଯାଉଥିଲା କ୍ୟୁସେକରେ, ଯାହାର ଅର୍ଥ ସେକେଣ୍ଡକୁ କେତେ ଘନଫୁଟ ଜଳ ପ୍ରବାହିତ ହେଉଛି। ଭାରି ପଦାର୍ଥ ଉଠାଇବାକୁ ବଳ ମପାଯାଉଥିଲା ପାଉଣ୍ଡରେ। ଗାଁ ଗଣ୍ଡାରେ ପାଉଣ୍ଡ ଜାଗାରେ ସେର ଓ ବିଶା ବ୍ୟବହାର ହୁଏ। ରାମାୟଣରେ ବର୍ଣ୍ଣିତ ଅଛି- ହନୁମାନ ଲଙ୍କାଗଡ଼ର କାଳୀଠାକୁରାଣୀଙ୍କ ପିଠିରେ ବିଶାବଳି (ଏକ ବିଶା ଓଜନ) ବିଧା ମାରିଥିଲେ।
ପ୍ରେସର ବା ଚାପ ମପାଯାଉଥିଲା ପାଉଣ୍ଡ/ବର୍ଗଇଞ୍ଚରେ। ପୃଥିବୀପୃଷ୍ଠରେ ବାୟୁମଣ୍ଡଳୀୟ ଚାପ ବର୍ଗଇଞ୍ଚକୁ ୧୪.୭ ପାଉଣ୍ଡ କୁହାଯାଉଥିଲା। ବାୟୁର ଚାପକୁ ମଧ୍ୟ ଇଞ୍ଚ ଓ ଫୁଟରେ ପ୍ରକାଶ କରାଯାଉଥିଲା। ବାୟୁମଣ୍ଡଳୀୟ ଚାପ ହେଉଥିଲା ୩୦ ଇଞ୍ଚ ପାରଦ ବା ୩୪ ଫୁଟ ଜଳ। ଅର୍ଥାତ୍‌ ଏକ ଜଳାଶୟରେ ଆମେ ନଳୀଟିଏ ରଖି ୪୦ ଫୁଟ ଉପରୁ ଶୋଷିଲେ ନଳୀରେ ଜଳ ମାତ୍ର ୩୪ ଫୁଟ ଉପରକୁ ଉଠିବ, ତା’ଠାରୁ ଅଧିକ ଉଚ୍ଚ ଉଠିବନି। ଏପରି ପାଣିପମ୍ପ ଉଦ୍ଭାବନ ହୋଇପାରିବ ନାହିଁ ଯେ ୩୪ ଫୁଟରୁ ଅଧିକ ତଳୁ ପାଣି ଉଠାଇପାରିବ। କିନ୍ତୁ ପମ୍ପଟିଏ ଶହ ଶହ ଫୁଟ ଉପରକୁ ପାଣି ଠେଲି ଫିଙ୍ଗିଦେବ।
ପୂର୍ବେ କିଣାବିକାରେ ଯେଉଁ ମୁଦ୍ରା ପ୍ରଚଳନ ଥିଲା, ସେଗୁଡିକ ଥିଲା ଟଙ୍କା, ଅଧୁଲି, ସିଉକି, ଦୋଅଣି, ଅଣି ବା ଅଣା, ପଇସା, ଅଧଲା ଓ ପାହୁଲା, ଟଙ୍କାର ଅଧାକୁ ଅଧୁଲି, ଅଧୁଲିର ଅଧାକୁ ସିଉକି, ସିଉକିର ଅଧାକୁ ଦୋଅଣି, ଦୋଅଣି ଅଧାକୁ ଏକ ଅଣି ବା ଏକ ଅଣା କୁହାଯାଉଥିଲା। ଏକ ଅଣାକୁ ଚାଲି ପଇସା, ଏକ ପଇସାକୁ ଦୁଇ ଅଧଲା ଓ ଏକ ପଇସାକୁ ତିନି ପାହୁଲା ହେଉଥିଲା। ଏକ ଟଙ୍କାକ ୧୬ ଅଣାର ବ୍ୟବହାର ଏତେ ବହୁଳ ଥିଲା ଯେ ସେତେବେଳେ ପ୍ରତିଶତ ବା ଶତକଡା ବଦଳରେ ଲୋକେ ଅଣାରେ କହୁଥିଲେ। ଯଦି ଫସଲ ହାନି ୫୦ ପ୍ରତିଶତ ହେଉଥିଲା, ଲୋକେ କହୁଥିଲେ ୮ ଅଣା ଫସଲ ମାଡ଼ ଖାଇଗଲା। ଏକ ଟଙ୍କା ୧୬ ଅଣା ପରି ଏକ ସେର ୧୬ ଛଟାଙ୍କି। ବିକ୍ରି ଖର୍ଦ୍ଦି ସମୟରେ ୧୬ର ଗୁଣିତକ ଓ ଗୁଣନୀୟକର ବହୁଳ ବ୍ୟବହାର ହେଉଥିଲା। ଓଜନ ପରି ସଉଦା କିଣାବିକାରେ ଚଟାପଟ ହିସାବ ପାଇଁ ପଣିକିଆରେ ଘୋଷା ଯାଉଥିଲା କାହାଣପଣ। ୧୬ ପଣରେ ହୁଏ ଏକ କାହାଣ। ପଣିକିଆରେ ବୋଲା ଯାଉଥିଲା, ଛଅ ଚଉ ଚବିଶ ପଣ = କାହାଣେ ଆଠପଣ। କାହାଣେ ଆଠପଣ ଲେଖାଯାଉଥିଲା ଏହିପରି- ୧୍ୟ, ୨୪ ଅଣା ମଧ୍ୟ ଲେଖାଯାଉଥିଲା ସେହିପରି- ଟ୧୍ୟ।
କୋଟିତୀର୍ଥ, ଭୁବନେଶ୍ୱର, ମୋ-୭୦୦୮୮୪୬୨୭୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?