ନିର୍ଭୀକା ନନ୍ଦିନୀ

ଡ. ପ୍ରଫୁଲ୍ଲ କୁମାର ସାହୁ

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ନିର୍ଭୀକତା, ସାହସିକତା ଓ ବେସାଲିସ୍‌ପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ ଓ କିମ୍ବଦନ୍ତୀ। ୧୯୫୧ ମସିହା ଜୁଲାଇ ୧୯ ତାରିଖର ଘଟଣା। ଛାତ୍ରଛାତ୍ରୀଙ୍କ ମାସିକ ଦେୟ ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଚାଲିଥାଏ ଆନ୍ଦୋଳନ। ରେଭେନ୍ସା କଲେଜ ଥିଲା ଆନ୍ଦୋଳନର କେନ୍ଦ୍ର, ଯେଉଁଠି ସେତେବେଳେ ଚାଲୁଥିଲା ଓଡ଼ିଶା ବିଧାନସଭା। ଆନ୍ଦୋଳନର ନେତୃତ୍ୱ ନେଉଥିଲେ ଏମ୍‌.ଏ. ଶ୍ରେଣୀର ଛାତ୍ରୀ ତଥା ଛାତ୍ର ସଂଘର ତତ୍କାଳୀନ ସମ୍ପାଦିକା ନନ୍ଦିନୀ ଶତପଥୀ। ସଂଘର ଦାବି ପ୍ରତି ସରକାର କର୍ଣ୍ଣପାତ ନ କରିବାରୁ କଲେଜ ଫାଟକ ଆଗରେ ଚାଲିଲା ବିକ୍ଷୋଭ ଓ ଧାରଣା। ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଜେ ଧାରଣା ସ୍ଥଳରେ ପହଞ୍ଚତ୍ ଯେତେ ବୁଝାଇଲେ ବି ନନ୍ଦିନୀଙ୍କର ସେହି ଗୋଟିଏ ଜିଦ୍‌, ଛାତ୍ର ସଂଘର ଦାବି ସରକାର ନ ମାନିବା ପର୍ଯ୍ୟନ୍ତ ହଟିବନି ଧାରଣା। ଶେଷରେ ଛାତ୍ର ସଂଘର ଦାବି ମାନିବାକୁ ବାଧ୍ୟ ହେଲେ ସରକାର।
ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ(୧୧ା୧ା୧୯୬୬) ପରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ମୋରାରଜୀ ଦେଶାଇ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଚାଲିଲା ଛକାପଞ୍ଝା। ଏହାକୁ କେନ୍ଦ୍ରକରି ଜାତୀୟ କଂଗ୍ରେସରେ ଦୁଇଟି ଗୋଷ୍ଠୀର ଉଦ୍ଭବ ହେଲା, ଯା’ର ପ୍ରଭାବ ପଡ଼ିଥିଲା ଓଡ଼ିଶା ରାଜନୀତିରେ। ବିଜୁ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଡାକି ମୋରାରଜୀ ଦେଶାଇଙ୍କ ସପକ୍ଷରେ ଭୋଟ ଦେବା ପାଇଁ କହିଥିଲେ, ଯାହାକୁ ଅନ୍ୟମାନେ ମାନିନେଇଥିଲେ ବି ରୋକ୍‌ଠୋକ୍‌ ଭାବେ ମନାକରିଥିଲେ ନନ୍ଦିନୀ ଶତପଥୀ। ତାଙ୍କର ଉତ୍ତର ଥିଲା- ବିବେକର ଅନୁମୋଦନକ୍ରମେ ମୁଁ ଇନ୍ଦିରା ଗାନ୍ଧୀଙ୍କୁ ଭୋଟ ଦେବା ପାଇଁ ସ୍ଥିର କରିସାରିଛି ମାନେ ଏହା ସହ ଯୋଡ଼ି ହୋଇ ରହିଛି ମୋର ସ୍ବାଭିମାନ।
ସତୁରି ଦଶକରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲା ଓ ଓଡ଼ିଶାର କୋରାପୁଟ ଜିଲାରେ ବଢ଼ିଚାଲିଥାଏ ନକ୍ସଲଙ୍କ ପ୍ରାଦୁର୍ଭାବ। ଦୃଢ଼ ହସ୍ତରେ ନକ୍ସଲ ଦମନ ପାଇଁ ସବୁଆଡ଼ୁ ଉଠୁଥାଏ ଦାବି। ନନ୍ଦିନୀଦେବୀ ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଦୁର୍ବଳର ପକ୍ଷ ନେଇ ଲଢ଼ିବା ଥିଲା ତାଙ୍କ ରାଜନୀତିର ମୂଳମନ୍ତ୍ର। ସେ ଜାଣିଥିଲେ ନକ୍ସଲଙ୍କ ମଧ୍ୟରୁ ଅଧିକାଂଶ ନିରୀହ ଆଦିବାସୀ, ଯେଉଁମାନେ ଅକଥନୀୟ ଅତ୍ୟାଚାର ଶୋଷଣ ବିରୋଧରେ ବାଧ୍ୟ ହୋଇ ବାଛିନେଇଛନ୍ତି ଏମିତି ପନ୍ଥା। ତେଣୁ ସେ ଚାହିଁଲେ ସେମାନଙ୍କ ସହ ଆଲୋଚନା ପାଇଁ। ସେ ଜାଣିଥିଲେ ଆଲୋଚନା ପାଇଁ ସେମାନେ କେବେବି ଆସିବେନି ସରକାର ପ୍ରତି ଅନାସ୍ଥାଭାବ ଯୋଗୁ। ଏଭଳି ସ୍ଥିତିରେ ସେ ଏକୁଟିଆ ସେମାନଙ୍କ ପାଖକୁ ଯିବାପାଇଁ ଘୋଷଣା କଲେ। ବହୁ ଅଫିସର ନକ୍ସଲମାନଙ୍କୁ ନରରାକ୍ଷସ ସହିତ ତୁଳନା କରି ଭୟ ସୃଷ୍ଟି କରିବାକୁ ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କ ମନରେ। ମାତ୍ର ଅଫିସରମାନଙ୍କୁ ସେ ରୋକ୍‌ଠୋକ୍‌ ଶୁଣେଇଦେଲେ- ସବୁବେଳେ ଯେଉଁ ମୃତ୍ୟୁ ଆମ ପାଖେ ପାଖେ ଜଗିରହିଛି, ତାକୁ ପୁଣି ଏତେ ଭୟ କାହିଁକି? ଶେଷରେ କାହାରି କଥା ନ ଶୁଣି ସେ ନକ୍ସଲ ଆଡ୍ଡାରେ ଏକା ଏକା ପ୍ରବେଶ କଲେ ନିର୍ଭୀକ ଭାବରେ। ସେମାନଙ୍କୁ ଜଙ୍ଗଲ ଭିତରେ ବସେଇ ଆରମ୍ଭ କଲେ ସଭା। ସମସ୍ତଙ୍କୁ ସମ୍ବୋଧନ କରି କହିଲେ, ତମମାନଙ୍କ ଶୋଷଣ କଷଣର କାରଣ ମୁଁ ଜାଣିଛି। କିନ୍ତୁ ତମେମାନେ ହିଂସାକୁ ସମାଧାନର ପନ୍ଥା ବୋଲି ଭାବି ଯାହା କିଛି କରୁଛ, ତାହା ସମ୍ପୂର୍ଣ୍ଣ ଭୁଲ୍‌। ହିଂସା କେବଳ ବିକାଶର ବାଧକ। ମଣିଷର ଶତ୍ରୁ। ତେଣୁ ହିଂସା ପରିବର୍ତ୍ତେ ତମେ ଆପଣେଇ ନିଅ ସଦ୍ଭାବନାର ସୂତ୍ର। ତମକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସରକାର ତମର ଦାବି ମାନିନେବାକୁ ପ୍ରସ୍ତୁତ। କୁହ, ତମ ପାଇଁ ପ୍ରଥମେ କ’ଣ କରିବା ଦରକାର। ଏକ ସ୍ବରରେ ସେମାନେ କହିଲେ, ବେଠି ପ୍ରଥା ଉଚ୍ଛେଦ ଆମର ଦାବି। ତାଙ୍କ କଥାରେ ମୁଖ୍ୟମନ୍ତ୍ରୀ ଏକମତ ହେଲେ ଏବଂ ସେମାନଙ୍କ ବିକାଶ ପାଇଁ ପ୍ରସ୍ତୁତ କଲେ ଯୋଜନା। ସମାଜର ପ୍ରଭାବଶାଳୀ ବର୍ଗର ବିରୋଧ ସତ୍ତ୍ବେ କାର୍ଯ୍ୟକାରୀ ହେଲା ଭୂସଂସ୍କାର ଓ ମହାଜନୀ ବ୍ୟବସ୍ଥା ଉଚ୍ଛେଦ ଆଇନ।
୧୯୭୩ ମସିହା କଥା। ସେତେବେଳେ ମୁଖ୍ୟମନ୍ତ୍ରୀ ଭାବରେ ନନ୍ଦିନୀଦେବୀଙ୍କର ପ୍ରଥମ ପାଳି। ଦିନେ ସଚିବାଳୟରେ ବସି ଫାଇଲ୍‌ ଦେଖୁଥିବା ବେଳେ ଭିତରକୁ ଆସିଲେ କେତେଜଣ ଜଙ୍ଗଲ ଅଧିକାରୀ। ସେମାନଙ୍କ ଭିତରୁ ସରୋଜ ଚୌଧୁରୀଙ୍କ ହାତରେ ଥିଲା ବିଲେଇ ପରି ଦିଶୁଥିବା ବାଘ ଛୁଆଟିଏ। ସେଇଟା କ’ଣ ବୋଲି ପଚାରିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ଟେବୁଲ ଉପରେ ବାଘ ଛୁଆଟିକୁ ରଖିଦେଇ କହିଲେ, ମାଡାମ୍‌ ବାଘଛୁଆ। ଖଇରୀ ନଦୀକୂଳରୁ ମିଳିଛି। କେବଳ ଆପଣଙ୍କୁ ଦେଖେଇବା ପାଇଁ ଆଣିଛୁ।
ନନ୍ଦିନୀଦେବୀ ହାତରେ ଧରି ତାକୁ ବହୁତ ଗେଲ କଲେ ଏବଂ ଆଉଁଶି ଦେଉ ଦେଉ କହିଲେ, ଖଇରୀ ନଦୀକୂଳରୁ ମିଳିଥିବାରୁ ତା’ର ନାମ ରଖାଯାଉ ଖଇରୀ। ତା’ପରେ ଖଇରୀ ରହିଲା ବାରିପଦାରେ, ଚୌଧୁରୀ ବାବୁଙ୍କ ତତ୍ତ୍ବାବଧାନରେ। କେବେକେବେ ବିଲେଇ ପରି ଦିଶୁଥିବା ତା’ର ଚେହେରାଟା ଭାସିଉଠେ ନନ୍ଦିନୀଦେବୀଙ୍କ ସ୍ମୃତିପଟରେ। ଇତିମଧ୍ୟରେ ବିତିଗଲା ତିନିବର୍ଷ। ତାଙ୍କ ଦ୍ବିତୀୟ ପାଳିର ଶାସନ। ଖଇରୀ ପାଲଟି ସାରିଛି ମହାବଳ ବାଘୁଣୀ। ତା’ ସମ୍ପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ବି ଅନେକ। ଖଇରୀକୁ ଭେଟିବା ପାଇଁ ନନ୍ଦିନୀଦେବୀଙ୍କର ଇଚ୍ଛା ଥିଲେ ବି ତାହା ଚାପି ହୋଇ ରହିଯାଏ ବ୍ୟସ୍ତତାର ବୋଝ ତଳେ।
ତାଙ୍କ ମନକଥା ବୋଧହୁଏ ଜାଣିପାରିଲେ ଚୌଧୁରୀ ବାବୁ। ଥରେ ସେ ଖଇରୀକୁ ସାଙ୍ଗରେ ଧରି ଭୁବନେଶ୍ୱରରେ ପହଞ୍ଚତ୍ଲେ ଏବଂ ଏହି ଖବର ପାଇବାମାତ୍ରେ ନନ୍ଦିନୀଦେବୀ ଖୁବ୍‌ ଉତ୍କଣ୍ଠାର ସହିତ ଆସିଲେ ଖଇରୀକୁ ଦେଖିବା ପାଇଁ। ତାକୁ ଗୋଟେ ଅଧା ଆବଦ୍ଧ ଘର ଭିତରେ ରଖାଯାଇଥାଏ ପିଞ୍ଜରାବଦ୍ଧ ଅବସ୍ଥାରେ। ନନ୍ଦିନୀଦେବୀ ଖଇରୀ ପାଖରେ କିଛି ସମୟ ଏକୁଟିଆ ବସିବା ପାଇଁ ଚାହିଁଲେ ଏବଂ ନିର୍ଦ୍ଦେଶ ଦେଲେ ପିଞ୍ଜରା ଫାଟକ ଖୋଲିଦେବା ପାଇଁ। ଏକଥା ଶୁଣି ହତବମ୍ବ ହୋଇଗଲେ ସମସ୍ତେ। ଏହା କେମିତି ସମ୍ଭବ? ସେଦିନ ବିଲେଇ ଭଳି ଦିଶୁଥିବା ଖଇରୀ ଯେ ଏବେ ମହାବଳ ବାଘୁଣୀ! କିନ୍ତୁ ତାଙ୍କୁ ଏକଥା ବୁଝେଇବ କିଏ? ଯେତେ ଯାହା କହି ଭୟ ଦେଖେଇଲେ ବି ତାଙ୍କ ଜିଦ୍‌ରେ ସେ ଅଟଳ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ କେତେଜଣ ବନ୍ଧୁକଧାରୀ ସଜାଗ ହୋଇ ରହିବା ପରେ ଖୋଲାଗଲା ପଞ୍ଜୁରି ଫାଟକ। ଖଇରୀ ଫାଟକ ବାହାରକୁ ଆସି ଚାରିଆଡ଼େ ଆଖି ବୁଲେଇଲା। ବାଘୁଣୀ ଧୀରେ ଧୀରେ ଆଗକୁ ବଢ଼ିବା ଦେଖି ଥରିବାକୁ ଲାଗିଲା ଦୂରେଇ ଠିଆ ହୋଇଥିବା ଅଫିସରମାନଙ୍କ ଛାତି। ଟ୍ରିଗର ଉପରେ ଶକ୍ତ ହୋଇଉଠିଲା ବନ୍ଧୁକଧାରୀଙ୍କ ଆଙ୍ଗୁଠି। ଏତିକିବେଳେ ସବୁ ଉତ୍କଣ୍ଠା ଓ ଆଶଙ୍କାର ଅବସାନ ଆଣି ଖଇରୀ ଚୁପ୍‌ଚାପ ଶୋଇଗଲା ନନ୍ଦିନୀଙ୍କ ପାଦ ପାଖରେ। ସତେ ଯେମିତି ତା’ ଆଗରେ ବାଟ ଓଗାଳି ଠିଆ ହୋଇଥିଲା ଗୋଟେ ମାତୃ ହୃଦୟର ବିଶାଳତା।
କଲିକତାର ଏକ ସମ୍ବାଦପତ୍ରରେ ଓଡ଼ିଆଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା କିଛି ଅରୁଚିକର ମନ୍ତବ୍ୟକୁ ନେଇ ସେଠାରେ ଓଡ଼ିଆ ଓ ବଙ୍ଗାଳୀଙ୍କ ଭିତରେ ଚାଲିଲା କଥା କଟାକଟି। ତାହା କ୍ରମଶଃ ବଢ଼ିବାକୁ ଲାଗିଲା ଏବଂ ତା’ର ପ୍ରଭାବ ଦେଖିବାକୁ ମିଳିଲା ଓଡ଼ିଶାରେ। ପୁରୀରେ ବଙ୍ଗାଳୀଙ୍କ ଉପରେ ଆକ୍ରମଣ ଆଶଙ୍କା କରି ବିଶେଷତଃ ମହିଳାମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପଶ୍ଚିମବଙ୍ଗ ପଠେଇ ଦିଆଗଲା ଏକ ସ୍ବତନ୍ତ୍ର ରେଳଗାଡ଼ିରେ। ମାତ୍ର ଖୋର୍ଦ୍ଧା ଷ୍ଟେଶନରେ କିଛି ଲୋକ ରେଳ ଭିତରେ ପଶି ମହିଳାମାନଙ୍କୁ ଆକ୍ରମଣ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ବାଧାଦେବାରୁ ଓଲଟା ଆକ୍ରମଣ ହେଲା ପୋଲିସ ଉପରେ। ଘଟଣା ଏତେ ଉଗ୍ର ରୂପ ନେଲା ଯେ କିଛି ଲୋକ ଆହତ ହେବା ସହିତ ପୋଲିସ ଗୁଳିରେ ତିନି ଜଣ ମରି ଶୋଇଲେ ଘଟଣା ସ୍ଥଳରେ। ଏହି ଘଟଣାକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଚାଲିଲା ବିକ୍ଷୋଭ ଓ ନାରାବାଜି। ବିନା ପୋଲିସ ସହାୟତାରେ ଘରୁ ବାହାରି ବିକ୍ଷୋଭକାରୀଙ୍କ ଭିତରକୁ ପଶିଆସିଲେ ନନ୍ଦିନୀଦେବୀ। ଲୋକେ ତାଙ୍କୁ ଘେରି ଯାଇ ପଚାରିଲେ, ଯେଉଁ ତିନିଜଣ ଲୋକ ମଲେ ସେଥିପାଇଁ ଦାୟୀ କିଏ? ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଥିଲା- ଜଣେ ମହିଳାର ଇଜ୍ଜତ ରକ୍ଷା କରିବା ପାଇଁ ତିନିଜଣ କାହିଁକି, ତିନିଶହ ଲୋକଙ୍କୁ ମାରିଦେବା ପାଇଁ ଆଦେଶ ଦେବାରେ ମୋର ଆପତ୍ତି ନାହିଁ।
ଲୋକେ ପ୍ରଶ୍ନ କଲେ- ପଡ଼ୋଶୀ ରାଜ୍ୟରେ ଓଡ଼ିଆଙ୍କ ଉପରେ ହେଉଥିବା ଆକ୍ରମଣ ଆପଣ ସହୁଛନ୍ତି କେମିତି? ତାଙ୍କର ଉତ୍ତର ଥିଲା- ତା’ର ଅର୍ଥ ନୁହେଁ ଯେ ପଡ଼ୋଶୀ ରାଜ୍ୟର ଶାସନ ବ୍ୟବସ୍ଥା ଯଦି ବିଗିଡ଼ିଯାଏ, ପ୍ରତିବାଦ ସ୍ବରୂପ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେବା। ଏହାପରେ ନୀରବ ହୋଇଗଲେ ବିକ୍ଷୋଭକାରୀ। ତାଙ୍କ ନିର୍ଭୀକତା ଓ ଲଢ଼ୁଆପଣକୁ ନେଇ ଏମିତି ଅନେକ ଘଟଣା ରହିଛି, ଯାହା ଫଳରେ କିଏ ତାଙ୍କୁ ବହ୍ନି କନ୍ୟା କହେ ତ କିଏ କହେ ଲୌହମାନବୀ।
ଅବସରପ୍ରାପ୍ତ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri