Posted inବରଗଡ଼

ଧାନବିକ୍ରି ନ ସରୁଣୁ ଟୋକନ ଗାଏବ, ମଣ୍ଡିରେ ଭିଜୁଛି ଧାନ

ବରଗଡ଼ ଅଫିସ୍‌,୧୬।୬- ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟବସ୍ଥିତ ହୋଇ ପଡ଼ିଛି। ଜିଲାର ବିଭିନ୍ନ ମଣ୍ଡିରେ ସଂଗୃହୀତ ବହୁ ପରିମାଣର ଧାନ ବିକ୍ରି ହୋଇ ପାରି ନାହିଁ । କେତେକ ମଣ୍ଡିକୁ ମିଲର୍ସ ଆସୁ ନ ଥିବାରୁ ସେଠାରେ ଧାନ ଉଠାଣ ବନ୍ଦ ରହିଥିବାବେଳେ ଚାଷୀଙ୍କ ଟୋକନ ଗାଏବ ସମସ୍ୟା ଏବେ ଜଟିଳ ହୋଇ ପଡ଼ିଛି। ଏଥିପାଇଁ ଜିଲାର ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି । ଅନ୍ୟପଟେ ଜିଲାକୁ ମୌସୁମୀ ପ୍ରବେଶ କରିସାରିଛି । ତୁହାକୁ ତୁହା ବର୍ଷା ହେଉଛି । ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହିଥିବା ଧାନ ଭିଜି ନଷ୍ଟ ହେବାରେ ଲାଗିଛି । ଏପରିକି ପୂର୍ବରୁ ହୋଇଥିବା ବର୍ଷାରେ କେତେକ ସ୍ଥାନରେ ଧାନ ଗଜା ହୋଇଛି । ଏହା ଚାଷୀ ପାଇଁ ଚିନ୍ତାର କାରଣ ପାଲଟି ଥିବାବେଳେ ବେପାରୀ, ମିଲର୍ସମାନେ ଦିନକୁ ଦିନ କଟନୀଛଟନୀ ପ୍ରକ୍ରିୟାକୁ ଜୋରଦାର କରିବାରେ ଲାଗିଛନ୍ତି ।
ଗତ ଏପ୍ରିଲ ମାସ ୮ତାରିଖରୁ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାର ୫୧ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ୧୩ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଧାନକିଣାରେ ସାମିଲ ହୋଇଛନ୍ତି। ଧାନ ବିକିବା ପାଇଁ ୭୨ହଜାର ୨୩ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଏପର୍ଯ୍ୟନ୍ତ ୬୩ହଜାର ୩୯୧ଜଣ ଚାଷୀ ୫୧ଲକ୍ଷ ୩୨ହଜାର ୬୪୨ କୁଇଣ୍ଟାଲ ଧାନ ବିକିଛନ୍ତି । ମଣ୍ଡି ଖୋଲିବା ଆରମ୍ଭରୁ କିଛିଦିନ ଧରି ଅଚଳାବସ୍ଥା ଜାରି ରହିଥିଲା । ପରବର୍ତ୍ତୀ ସମୟରେ ଧାନ ଉଠାଣ ଚାଲିଥିଲେ ହେଁ ପରେ ତାହା ମନ୍ଥର ହୋଇଥିଲା । ତେବେ ମଣ୍ଡିକୁ ଆସୁଥିବା ଧାନ ବଦଳରେ ଫଲ୍ସ ଏଣ୍ଟ୍ରି କରି ଧାନ କିଣାଯାଇ ତାହା ସିଧାସଳଖ ରାଇସ୍‌ ମିଲ୍‌କୁ ଯାଉଥିବା ଭଳି ଅଭିଯୋଗ ହୋଇଆସୁଛି । ସେହିପରି କାଳବୈଶାଖୀ ପରେ ଏବେ ଜିଲାକୁ ମୌସୁମୀ ପ୍ରବେଶ ବେପାରୀଙ୍କୁ ବେଶ୍‌ ସୁହାଇଛି । ବର୍ଷା ଆଶଙ୍କା ଯେତେ ବଢ଼ି ଚାଲିଛି, ମିଲର୍ସ ଓ ବେପାରୀମାନେ ସେତେ ସକ୍ରିୟ ହୋଇ ଉଠୁଛନ୍ତି । ଜାଣିଶୁଣି ମଣ୍ଡିରୁ ଧିମା ଗତିରେ ଧାନ ଉଠାଣ ହେଉଥିବାବେଳେ ଅନେକ ମଣ୍ଡିକୁ ଦୀର୍ଘଦିନ ଧରି ମିଲର୍ସଙ୍କ ପାଦ ପଡୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ଜିଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା, ଭେଡ଼େନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଭଳି ମଣ୍ଡିରେ ବହୁ ପରିମାଣରେ ଧାନ ବିକ୍ରି ହୋଇ ନ ପାରି ପଡ଼ି ରହିଛି । ଖୋଲା ଆକାଶ ତଳେ ରହିଥିବା ସେହି ଧାନକୁ ଚାଷୀମାନେ ତାରପୋଲିନ ଘୋଡ଼ାଇ ଦିନରାତି ଜଗି ରହୁଛନ୍ତି।
ଏଭଳି ପରିସ୍ଥିତିରେ ଅନେକ ଚାଷୀଙ୍କ ଟୋକନ ନମ୍ବର ଗାଏବ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଜିଲାର ପ୍ରଧାନପାଲି ଗ୍ରାମରେ ପ୍ରାୟ ୪୦ଜଣ ଚାଷୀଙ୍କ ଟୋକନ ନମ୍ବର କମ୍ପ୍ୟୁଟରରୁ ଉଡ଼ିଯିବା ଭଳି ପରିସ୍ଥିତି ଉପୁଜିବାରୁ ସେମାନେ ଧାନବିକ୍ରିରୁ ବଞ୍ଚିତ ହୋଇଥିବା କହିଛନ୍ତି । କେବଳ ପ୍ରଧାନପାଲି ନୁହେଁ, ଜିଲାର ଅନ୍ୟ କେତେକ ଅଞ୍ଚଳର ଚାଷୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ସବୁ ସମୟରେ ପ୍ରଶାସନ, ଧାନକ୍ରୟ ସଂସ୍ଥା, ମିଲର୍ସ ମିଲିଭଗତରେ ଜାଣିଶୁଣି ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ କରାଉଛନ୍ତି । ଏବେ ଟୋକନ ଗାଏବ ତାର ପ୍ରମାଣ । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଦୁର୍ଗା ଚରଣ ଭେସ୍ରାଙ୍କୁ ପଚାରିବାରୁ ଅଳ୍ପ କିଛି ଚାଷୀଙ୍କ କ୍ଷେତ୍ରରେ ସେଭଳି ସମସ୍ୟା ଉପୁଜିଛି । ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ସେଭଳି ହୋଇଥିବା ସେ କହିଛନ୍ତି । ମାତ୍ର ତାହା ଯଥାଶୀଘ୍ର ଠିକ୍‌ ହୋଇଯିବ ଏବଂ ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିନି, ମାତିଲେଣି ବେପାରୀ

ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଛି। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।…

ପିସି କାରବାର: ପୁଣି ଗର୍ଜିଲେ ବରଗଡ଼ ଏମ୍‌ପି, ଅଧିକାରୀଙ୍କୁ ତାଗିଦ୍‌ କରି କହିଲେ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପି.ସି କାରବାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଖୋଦ ବରଗଡ଼ ଲୋକ ସଭା ଏମ୍‌ପି(MP) ପ୍ରଦୀପ ପୁରୋହିତ…

ବରଗଡ଼ ଗସ୍ତରେ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ୩୮୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ…

ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଶୁକ୍ରବାର ଦିନିକିଆ ବରଗଡ଼ ଗସ୍ତରେ ଆସି ଜିଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ…

ବରଗଡ଼ରେ ମଧୁବାବୁ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ: ୧୫୨୭୭ ଜଣଙ୍କୁ ପେନ୍‌ସନ୍‌ ବାଣ୍ଟିଲେ ମନ୍ତ୍ରୀ

ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଯଦୁମଣି ଅଡିଟୋରିୟମରେ ଗୁରୁବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?