ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଯଦୁମଣି ଅଡିଟୋରିୟମରେ ଗୁରୁବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି।
ସୂଚନା ଅନୁସାରେ ବରଗଡ଼ ଜିଲାରେ ମୋଟ ୧୫,୨୭୭ ଜଣ ନୂତନ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଭତ୍ତା ପ୍ରଦାନ ପରେ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ବିଭିନ୍ନ ସ୍ବାସ୍ଥ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହା ମଧ୍ୟରେ ବରଗଡ଼ କର୍କଟ ଚିକିତ୍ସାଳୟ ପରିସରରେ ୬୦ ଶଯ୍ୟା ବିଶିଷ୍ଟ ସହାୟକ ବିଶ୍ରାମ ଗୃହ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡଭା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତାଲପାଲି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭଟଲି ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅତାବିରାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ବରଗଡ଼ ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ବରଗଡ଼ ଏମ୍ପିଙ୍କ ପ୍ରତିନିଧି ଲିପସିତ୍ ମିଶ୍ର, ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅମ୍ବୁଜାକ୍ଷର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ, ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ଏଣିକି କୌଣସି ପ୍ରତୀକ୍ଷା ତାଲିକା କିମ୍ବା ଖାଲି ପଦବୀ/ସୀମା ଉପରେ ପ୍ରତିବନ୍ଧକ ନରହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଯୋଗ୍ୟ ହିତାଧିକାରୀମାନେ UPMP ଓ୍ବେବ୍ସାଇଟ୍ (https://upmp.odisha.gov.in), ଆପ୍ କିମ୍ବା ନିକଟସ୍ଥ ମୋ’ ସେବା କେନ୍ଦ୍ର ଓ କମନ ସର୍ଭିସ ସେଣ୍ଟର (CSC) ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ସିଧାସଳଖ ଆବେଦନ କରିପାରିବେ ଏବଂ ଆବେଦନ ଯାଞ୍ଚ ହେବାର ଏକ ମାସ ପରେ ପେନସନ୍ ମଞ୍ଜୁରୀ କରାଯିବ। ଅଧିକ ସୂଚନା ପାଇଁ ଜିଲାପାଳ, ଉପଜିଲାପାଳ, ବିଡିଓ କିମ୍ବା ଜିଲା ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ନିଃଶୁଳ୍କ ସହାୟତା ନମ୍ବର ୧୮୦୦-୩୪୫-୭୭୭୦ କିମ୍ବା ୧୫୫୩୩୫ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

