ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପି.ସି କାରବାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଖୋଦ ବରଗଡ଼ ଲୋକ ସଭା ଏମ୍ପି(MP) ପ୍ରଦୀପ ପୁରୋହିତ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରି ଚାଲିଛନ୍ତି। ବିଗତ ଦିନରେ ପୁରୋହିତ ବରଗଡ଼ ଟାଉନ ଥାନା ସମ୍ମୁଖ ଧନୁଯାତ୍ରା ସ୍ବାଗତ ତୋରଣ ଭାଙ୍ଗିବା ସମୟରେ ପି.ସି କାରବାର କଥା ଉଠାଇଥିଲେ। ଏପର୍ଯ୍ୟନ୍ତ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ସମ୍ପୃକ୍ତ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ ହୁଅନ୍ତୁ, ସମସ୍ତେ ସୁରକ୍ଷିତ ଅଛନ୍ତି। ଥାନାରେ ଏତଲା ହୋଇଛି ସତ, ମାତ୍ର ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଅନ୍ୟପକ୍ଷରେ ଶୁକ୍ରବାର ବରଗଡ଼ ଗସ୍ତରେ ଆସି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ୩୪୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଉତ୍ସବରେ ଏମ୍ପି ପୁରୋହିତ ଯୋଗଦେଇ ମନ୍ତ୍ରୀଙ୍କ ସମ୍ମୁଖରେ ବିଭାଗୀୟ ଅଧିକାରୀଙ୍କୁ କଡ଼ା ତାଗିଦ କରିଛନ୍ତି। ସେ ଉଦ୍ବୋଧନ ଦେଇ କହିଥିଲେ, ପୂର୍ବ ସରକାରକୁ ଠିକାଦାରପ୍ରେମୀ କୁହାଯାଉଥିଲା। ଏଥିପାଇଁ ସେହି ସରକାର ବଦନାମ ହେଉଥିଲା। ଏବେ ମୋହନ ମାଝୀଙ୍କ ସରକାର ଚାଲିଛି। ଠିକାଦାରପ୍ରେମୀ ହୋଇ ଅଧିକାରୀମାନେ ଏଭଳି ଏକ ଭଲ ସରକାରକୁ ବଦନାମ କରନ୍ତୁ ନାହିଁ । ପି.ସି ଚକ୍କରରେ ମାତନ୍ତୁ ନାହିଁ ବୋଲି ପୁରୋହିତ ପୂର୍ତ୍ତ ଓ ଅନ୍ୟ ବିଭାଗ ଅଧିକାରୀଙ୍କୁ ତାଗିଦ କରିଥିଲେ। ମୋହନଙ୍କ ସରକାର ବରଗଡ଼ ଜିଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଟଙ୍କା ଦେଉଛନ୍ତି। ଭଲ କାମ କରାଯାଉ, କାମର କିଛି କମ୍ପରମାଇଜ କରା ନ ଯାଉ ବୋଲି ସେ କହିଥିଲେ। ଏମ୍ପିଙ୍କ ଏହି ବୟାନ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

