ତାଲା-ବନ୍ଦର ପୀଡ଼ା ଆହୁରି ଅଛି

ବିମଳ ପାଣ୍ଡିଆ

ଅନ୍ତର୍ଜାତୀୟ ବ୍ୟାଙ୍କ ‘ବର୍କଲେ’ର ଅନୁମାନ ଅନୁସାରେ କୋଭିଡ୍‌ ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ‘ଲକ୍‌-ଡାଉନ’ କାରଣରୁ ଭାରତର ଜିଡିପିରେ ୮.୧%ର ମାଡ଼ ପଡ଼ିବାକୁ ଯାଉଥିବା ବେଳେ ସୋନପୁର ଜିଲାର ଗୌଡ଼ଗାଁର ତରଭୁଜ ଚାଷୀ ଅଚ୍ୟୁତ ଭୋଇ କିନ୍ତୁ ଲାଭପାଇବେ କ’ଣ, ନିଜ ମୋଟ ପୁଞ୍ଜିର ବଡ ଭାଗ ହରାଇ ସାରିଲେଣି। ବର୍କଲେ କହିଛି ଯେ, ଚଳିତବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ‘ଶୂନ’ ରହିବ। ଦେଶର ସିନା ଆର୍ଥିକ ସ୍ଥିତି ଗତବର୍ଷ ଯାହା ଥିଲା ସେତିକି ରହିବ, ମହାରାଷ୍ଟ୍ରର ସାଙ୍ଗଲି ଜିଲାର ଅଙ୍ଗୁର ଚାଷୀ ହର୍ଷଦା ଚାଭନଙ୍କ ଆର୍ଥିକ ସ୍ଥିତି କିନ୍ତୁ ଅନେକ ବର୍ଷ ତଳକୁ ଖସିଯିବା ନିଶ୍ଚିତ। ଅଚ୍ୟୁତଙ୍କ ବିଲରେ ପାକଳ ତରଭୁଜ ଫାଟି ମାଟିରେ ମିଶି ସାରିଲାଣି। ହର୍ଷଦା କିନ୍ତୁ ଶଢ଼ିବାକୁ ବସିଥିବା ଅଙ୍ଗୁରକୁ ଜମିରେ ନଷ୍ଟ ହେବା ପାଇଁ ଛାଡି ବି ପାରିଲେନି। ଜମିରେ ଛାଡିଲେ ଜମି ହିଁ ନଷ୍ଟ ହେବାର ଆଶଙ୍କାରେ ସେ ଫସଲ ଅମଳ କରି ତାହାକୁ ବାହାରେ ଫୋପାଡିବାର ଅତିରିକ୍ତ ଖର୍ଚ୍ଚ ବି ବୋହିଲେ। ଅଚ୍ୟୁତ ଓ ହର୍ଷଦାଙ୍କ ଭଳି ଲକ୍ଷଲକ୍ଷ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଅନେକ ଖରାପ କରିସାରିଛି କୋଭିଡ୍‌ ‘ଲକ୍‌-ଡାଉନ୍‌’। କ୍ଷତିଗ୍ରସ୍ତଙ୍କ ସୂଚୀର ତାହା ଅନ୍ତ ନୁହେଁ, ଆରମ୍ଭ ମାତ୍ର। ଅନେକ ବ୍ୟବସାୟ ଅଛି, ଯାହା ବନ୍ଦ ହେଲେ ଖାଲି ଲାଭର ସମ୍ଭାବନା ଲିଭି ନ ଥାଏ, କ୍ଷତି ବି ହୋଇଥାଏ କାରଣ ସେହିଭଳି ବ୍ୟବସାୟ ଚଳାଇ ରଖିବା ପାଇଁ ଅନେକ ଖର୍ଚ୍ଚ ଜାରି ରଖିବାକୁ ପଡିଥାଏ। ଦୁଗ୍ଧ ବ୍ୟବସାୟୀ ଦୁଗ୍ଧ ବିକି ନ ପାରିଲେ ବି ଗାଈଙ୍କୁ ଦାନା ଦେବାକୁ ହିଁ ପଡିବ। ହୋଟେଲ ବା ସିନେମାହଲ ମାଲିକ ହୋଟେଲ ବା ସିନେମା ହଲକୁ ବନ୍ଦ ରଖିଲେ ବି କର୍ମଚାରୀଙ୍କୁ ରଖିବାକୁ ପଡିବ, ଭିତ୍ତିଭୂମି ଓ ଆସବାବର ନିୟମିତ ଯତ୍ନ ନେବାକୁ ହେବ। ସୁନା ଦୋକାନୀ ହୁଏତ ଦୋକାନ ବନ୍ଦ କରିପାରେ କିନ୍ତୁ ଦୋକାନର ଭଡା ତ ବୋହିବାକୁ ପଡିବ। ବିମାନ କମ୍ପାନୀ ବିମାନ ସିନା ଉଡ଼ାଇବ ନାହିଁ କିନ୍ତୁ ତାହାର ନିୟମିତ ଖର୍ଚ୍ଚକୁ ବନ୍ଦ କରିପାରିବ ନାହିଁ। ମିଡିଆ ଓ ଖବରକାଗଜ କମ୍ପାନୀଙ୍କୁ ନିଜର ପ୍ରସାରଣ ଓ ପ୍ରକାଶନ ଜାରି ରଖିବା ପାଇଁ କେବଳ ଅଧିକ ଶ୍ରମ ଓ ବ୍ୟୟ କରିବାକୁ ପଡୁନି, ତାଙ୍କର ଆମଦାନୀ ବି ଅନେକ କମିଛି। ନିର୍ମାଣ କ୍ଷେତ୍ରରେ ଥିବା କମ୍ପାନୀ ଓ ଠିକାଦାରଙ୍କ କାମ ବନ୍ଦ ହୋଇଥିଲେ ବି ତାଙ୍କର ଅନେକ ସ୍ଥାୟୀ ବ୍ୟୟରେ ବିରାମ ଲାଗି ନାହିଁ। ଅନ୍ୟ ଭାବରେ କହିଲେ, ଏହିଭଳି ବର୍ଗର ବ୍ୟକ୍ତି ଓ କମ୍ପାନୀଙ୍କ କେବଳ କ୍ଷତି ହିଁ ହେଉଛି। ପ୍ରାୟ ସମସ୍ତ କର୍ମଚାରୀ ଏବେ ଘରୁ କାମ କରୁଛନ୍ତି। କିଛି କାମ ଘରୁ ହୁଏ, ଅନେକ ହୁଏ ନାହିଁ। ଅନେକ ଅଫିସ ଓ କମ୍ପାନୀର କାମ ପ୍ରାୟ ଠପ ହୋଇଯାଇଛି ବା ଉତ୍ପାଦନ ଢେର କମି ଯାଇଛି। ‘ଲକ୍‌-ଡାଉନ୍‌’ ବା ତାଲାବନ୍ଦୀ ସହିତ ଏମାନଙ୍କର ‘ଲକ୍‌’ ବା ଭାଗ୍ୟ ‘ଡାଉନ୍‌’ ବା ତଳମୁହାଁ ହୋଇଚାଲିଛି। ସେମିତି ଭାବରେ କ୍ଷତିଗ୍ରସ୍ତ ବର୍ଗ ଓ କ୍ଷେତ୍ରର ସୂଚୀ ଭୀଷଣ ଲମ୍ବା। ଆଉ ଏକ ବର୍ଗର ବ୍ୟକ୍ତି ଓ କ୍ଷେତ୍ର ଅଛନ୍ତି, ଯାହାଙ୍କର ଆୟର ମାର୍ଗ ହୁଏତ ବର୍ତ୍ତମାନ ବନ୍ଦ ହୋଇଯାଇଛି କିନ୍ତୁ ତାଙ୍କର ବିଶେଷ କ୍ଷତି ହେଉନି କାରଣ ତାଙ୍କର ସ୍ଥାୟୀ ବ୍ୟୟ ବିଶେଷ ନାହିଁ। ତେଣୁ ଲାଭ ବା ଆୟ ହେଉ ନ ଥାଇପାରେ କିନ୍ତୁ କ୍ଷତି ହେଉନି, ଅନ୍ତତଃ ଏଯାଏ। ଚାକିରି ବା ଆୟର ସୁଯୋଗ ହରାଇଥିବା ଚାକିରିଜୀବୀ, ଶ୍ରମଜୀବୀ, ଛୋଟ ଦୋକାନୀ, ଓକିଲ, କାରିଗର, ଅଭିନେତା/ଅଭିନେତ୍ରୀ ଆଦି ହୁଏତ ଏହି ବର୍ଗରେ ଆସିବେ। ଆର୍ଥିକ କ୍ଷତି ଏକ ବଡ ମାନଦଣ୍ଡ ଅବଶ୍ୟ; କିନ୍ତୁ ଦୁଃସ୍ଥିତି ଓ ଦୁର୍ଗତି ମାପିବାର ଏହା ଏକମାତ୍ର ମାନଦଣ୍ଡ ନୁହେଁ। ଆୟ ନ ହେବା ବି ଏକ ମସ୍ତବଡ ଦୁର୍ଦ୍ଦଶା। ଚରମ ପୀଡାରେ କବଳିତ ହୋଇ ହଜାର ହଜାର ଲୋକ ଚାଲିଚାଲି ବା ସାଇକେଲରେ ଶହଶହ କିଲୋମିଟର ଦୂରରେ ଥିବା ନିଜର ଗନ୍ତବ୍ୟ ସ୍ଥଳକୁ ଯିବାର ବିକଳ ପ୍ରୟାସ ତାହାର ଉଦାହରଣ। ଏବେ ଭାରତର ଅଧିକାଂଶ ଲୋକ ଲକ୍‌-ଡାଉନ୍‌ ପୀଡ଼ାରେ ପୀଡ଼ିତ।
ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର ଏହି ବିଷମ ପରିସ୍ଥିତିକୁ ଅବଶ୍ୟ ହୃଦୟଙ୍ଗମ କରିଛନ୍ତି ଓ ଦୁଃଖକୁ ଲାଘବ କରିବାର ପ୍ରୟାସ କରୁଛନ୍ତି। ଓଡ଼ିଶା ସରକାର ରାଶନ କାର୍ଡଧାରୀଙ୍କୁ ତିନି ମାସର ଚାଉଳ ଅଗ୍ରିମ ଦେବା ସହ ସହ କାର୍ଡ ପ୍ରତି ୧,୦୦୦ ଟଙ୍କା ଦେଉଛନ୍ତି। ଚାଉଳ ତାଙ୍କର ପ୍ରାପ୍ୟ ଥିଲା, ଦୁଇମାସର ଚାଉଳ ଆଗୁଆ ଦେଲେ। ସେହିଭଳି ପ୍ରତି ପଞ୍ଚାୟତରେ ଭୋକିଲାଙ୍କୁ ତଥା ଅନ୍ୟସ୍ଥାନରୁ ଆସି ଫସି ରହିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ, ଚାରି ମାସର ବାର୍ଦ୍ଧକ୍ୟ ଭତ୍ତା ଅଗ୍ରିମ, ସହରାଞ୍ଚଳର ବୁଲା ବିକାଳିଙ୍କୁ ୩,୦୦୦ ଟଙ୍କା, ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧,୫୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ପରିବାରକୁ ଆସନ୍ତା ତିନି ମାସ ପାଇଁ ମାଗଣାରେ ମୁଣ୍ଡପିଛା ୫ କିଲୋ ଚାଉଳ ବା ଅଟା ଓ କିଲେ ଡାଲି, କିଷାନ ଯୋଜନାରେ ୨,୦୦୦ ଟଙ୍କା ଏବଂ ଉଜ୍ଜ୍ୱଳା ଯୋଜନାରେ ତିନି ମାସ ପାଇଁ ଗ୍ୟାସ ସିଲିଣ୍ଡରର ପଇସା ଦେବେ। ଅଗ୍ରିମ ଭତ୍ତା, ଚାଉଳ ଓ କିଛି ପଇସା ହୁଏତ ଅଳ୍ପଦିନ ପାଇଁ ଗରିବ ପରିବାରଙ୍କ ଖାଦ୍ୟ ଚିନ୍ତାକୁ ସମ୍ଭାଳି ନେବ। ତେବେ, ଏତିକି ବି ଅନେକ ଲୋକଙ୍କ ଭାଗ୍ୟରେ ଜୁଟି ପାରିନାହିଁ। ସୋନପୁର ଜିଲାର ଡାଳଡବା ଗ୍ରାମର ବୀର ଭୋଇ ମୂଲ ଲାଗିଲେ ହିଁ ଚଳନ୍ତି କିନ୍ତୁ ତାଙ୍କର ନାଁ ନିର୍ମାଣ ଶ୍ରମିକ ଭାବରେ ପଞ୍ଜୀକରଣ ହୋଇନାହିଁ। ପଞ୍ଜୀକରଣ ବେଳେ ବାବୁମାନେ କୁଆଡେ ୫୦୦ଟଙ୍କା ଲେଖାଏ ପକେଟ ଖର୍ଚ୍ଚ ମାଗୁଥିଲେ। ଯିଏ ଦେଲେ ତାଙ୍କର କାର୍ଡ ହେଲା, ଯିଏ ଦେଇପାରିଲେନି ସିଏ ରହିଲେ। ବୀର ଭୋଇ ରହିଗଲେ। ତାଙ୍କ ଯୋଗରେ ଏବେ ସରକାର ଦେଇଥିବା ୧,୫୦୦ ଟଙ୍କା ଜୁଟିଲାନି। ସେହି ଗାଁରେ ବୀର ଭୋଇ ଏକା ନାହାନ୍ତି, ସେହିଭଳି ଅନେକ ଅଛନ୍ତି କାରଣ ପଞ୍ଜୀକରଣ କରୁଥିବା ବାବୁମାନଙ୍କୁ ସାମାନ୍ୟ ୫୦୦ ଟଙ୍କାର ଖୋରାକି ଦେବାର ବି ତାଙ୍କର ସାମର୍ଥ୍ୟ ନ ଥିଲା।
ବର୍ତ୍ତମାନ କିଛି ଠିକ୍‌ ନ ଥିବା ବେଳେ ଭବିଷ୍ୟତ ଅନ୍ଧାର ହିଁ ଦିଶୁଛି। ଭୟଙ୍କର ରୋଜଗାର ହାନି ଓ ଛଟେଇର ଆଶଙ୍କା ଜଳଜଳ ଦିଶିଲାଣି। ଅଳ୍ପ ଟିକେ ରୋଜଗାର ପାଇଁ ବହୁ ଦୂରାନ୍ତକୁ ଧାଇଁ ବର୍ତ୍ତମାନ ପୀଡ଼ା ଭୋଗୁଥିବା ଲୋକେ ପ୍ରଥମ ଅବସରରେ ହିଁ ଘରକୁ ଲେଉଟିବା ପାଇଁ ଟାକି ବସିଛନ୍ତି। ଅସଂଗଠିତ କ୍ଷେତ୍ରରେ ରୋଜଗାର ପ୍ରାୟ ଉଜୁଡ଼ିବା ସ୍ଥିତିରେ ଥିବା ବେଳେ, ସଂଗଠିତ କ୍ଷେତ୍ରରେ ମଧ୍ୟ ଅବସ୍ଥା ଭୀଷଣ ହେବାକୁ ଯାଉଛି। ‘ନ୍ୟାଶନାଲ ସାମ୍ପଲ ସର୍ଭେ’ ଓ ‘ପିରିଓଡିକ୍‌ ଲେବର ଫୋର୍ସ ସର୍ଭେ’ର ତଥ୍ୟକୁ ଅନୁଶୀଳନ କରି ମିଣ୍ଟ ପତ୍ରିକାର ଜାତୀୟ ସମ୍ପାଦକ ଲେଖିଥିବା ଏକ ଆଲେଖ୍ୟ ଅନୁସାରେ ଏକା ଅଣ-କୃଷି କ୍ଷେତ୍ରରେ ୧୩ କୋଟି ୬୦ ଲକ୍ଷ ଚାକିରି ବା ରୋଜଗାର ସଂକଟରେ ପଡି ସାରିଛି। ଏହାର ପ୍ରଥମ ମାଡ଼ ପଡ଼ିଛି ଦିନ ମଜୁରିଆଙ୍କ ଉପରେ। ପରେ ଆସିବେ ଅନ୍ୟମାନେ, ଯାହାଙ୍କ ଚାକିରି ଚୁକ୍ତିନାମାର ଅବଧି ଛୋଟ। ଏହି ସ୍ଥିତି ସୁଧୁରିବା ପାଇଁ ଲମ୍ବା ସମୟ ଲାଗିପାରେ କାରଣ ସାରା ବିଶ୍ୱ କରୋନାରେ କବଳିତ। ଏଭଳି ବିକଟ ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚଳିତବର୍ଷର ବଜେଟକୁ ଆଉଥରେ ପ୍ରସ୍ତୁତ କରିବା ଦରକାର। ସେଥିରେ ଲୋକଙ୍କ ଆୟ ଓ ରୋଜଗାର ଫେରାଇ ଆଣିବା ତଥା କୃଷି, ସେବା ଓ ଉତ୍ପାଦନ କ୍ଷେତ୍ରକୁ ସାହାରା ଦେବା ପ୍ରଥମ ଧ୍ୟେୟ ହେବା ଦରକାର। ଏହା ସହଜ ନୁହେଁ କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri