ଡିଜିଟାଲ ପ୍ରଚାର

କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ସମେତ ବିଶ୍ୱବ୍ୟାପୀ ସାଧାରଣ ଚଳପ୍ରଚଳ ଅଚଳ ହୋଇପଡ଼ିଛି। ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଲୋକଙ୍କ ଭିତରେ ଶାରୀରିକ ଦୂରତା ବଢ଼ିଚାଲିଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁ ଅନ୍‌ଲାଇନ୍‌ ମାଧ୍ୟମ ଭାବେ ଉଭା ହୋଇଛି। ନିର୍ବାଚନ ସଭା ହେଉ ବା କୌଣସି ସାମାଜିକ କାର୍ଯ୍ୟକ୍ରମରେ ପୂର୍ବରୁ ଯେଭଳି ଭିଡ଼ ଦେଖିବାକୁ ମିଳୁଥିଲା ସେଥିରେ ଯଥେଷ୍ଟ ପରିବର୍ତ୍ତନ ହେବାର ଆଭାସ ମିଳିଲାଣି। ଆସନ୍ତା ଅକ୍ଟୋବରରେ ବିହାର ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ରାଜନୈତିକ ଦଳଗୁଡ଼ିକ କସରତ ଆରମ୍ଭ କଲେଣି। ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ୭ ଜୁନ୍‌ରେ ଭର୍ଚୁଆଲ ର଼୍ୟାଲି ମାଧ୍ୟମରେ ମୋଦି ସରକାରଙ୍କ ୨.୦ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନା କରିବା ସହ ବିହାରରେ ନିର୍ବାଚନ ବିଗୁଲ ବଜାଇଛନ୍ତି। ସେହିପରି କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଭିଡିଓ କନଫରେନ୍ସ ମାଧ୍ୟମରେ ସେମାନଙ୍କ କର୍ମୀମାନଙ୍କ ସହ ଯୋଗାଯୋଗରେ ରହୁଛନ୍ତି। ଏପରି କି ଲକ୍‌ଡାଉନ୍‌ ହେଉ ବା ଶଟ୍‌ଡାଉନ ସଂକ୍ରାନ୍ତ ନିଷ୍ପତ୍ତି ଲାଗି ପ୍ରଧାନମନ୍ତ୍ରୀ ଯେତେବେଳେ ଘୋଷଣା କରିବାକୁ ଚାହୁଁଛନ୍ତି, ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରୁଛନ୍ତି। କୋଭିଡ୍‌-୧୯ ବିଷୟରେ ଯେଭଳି ରିପୋର୍ଟ ଦିନକୁ ଦିନ ଆସିବାରେ ଲାଗିଛି ଓ ଏହି ସଂକ୍ରମଣ ଆଗାମୀ କିଛି ବର୍ଷ ପାଇଁ ବଳବତ୍ତର ରହିବ ବୋଲି ସୂଚନା ମିଳୁଛି, ସେଥିରୁ ଅନୁମାନ କରାଯାଇପାରେ ଯେ ସାମାଜିକ ଦୂରତାର ଧାରା ଢେର ବର୍ଷ ଲାଗି ରହିବ। ଏହି ପରିପ୍ରେକ୍ଷୀରେ ଜନବହୁଳ ଭାରତବର୍ଷକୁ ଦେଖିଲେ ଯେଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସାଧାରଣ କାର୍ଯ୍ୟକଳାପ ଆଗକୁ ଯଥେଷ୍ଟ କମିଯିବ। ଉଲ୍ଲେଖଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେଣି ଯଦି ଠିକ୍‌ ଭାବେ ଟେଷ୍ଟିଂ କରାଯାଏ, ତାହା ହେଲେ ଭାରତ ଓ ଚାଇନାରେ ଆମେରିକାଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ରହିବ।
ଏହି ପରିପ୍ରେକ୍ଷୀରେ ଭାରତରେ ଆଗାମୀ ଦିନର ନିର୍ବାଚନ ଦୃଶ୍ୟପଟ କିଭଳି ରହିବ ତା’ ଉପରେ ଦୃଷ୍ଟି ପକାଯାଇପାରେ। ପାର୍ଲାମେଣ୍ଟ ନିର୍ବାଚନ ପରେ ରାଜ୍ୟଗୁଡ଼ିକର ବିଧାନସଭା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥାଏ। ନେତାମାନେ ବହୁ ଥାଟ୍ଟବାଟରେ ଯାଇ ନିର୍ବାଚନ ପ୍ରଚାର କରିଥାଆନ୍ତି। ଶହ ଶହ ଗାଡ଼ିମୋଟର ସେମାନଙ୍କ ପଛରେ ଛୁଟେ। ସଭା କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରାଯିବା ଲାଗି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବାଠାରୁ ଆରମ୍ଭ କରି ଲୋକ ଯୋଗାଡ଼ ଯାଏ ନେତାଙ୍କ ସମର୍ଥକମାନେ ଲାଗି ପଡ଼ିଥାଆନ୍ତି। କୋଭିଡ୍‌-୧୯ ସଂକ୍ରମଣଜନିତ କାରଣରୁ ଆଗକୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଲା ଭଳି ମନେହେଉ ନାହିଁ। କିଛିମାସ ପରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଏକ ଟେଷ୍ଟିଂ ଗ୍ରାଉଣ୍ଡ ବା ପରୀକ୍ଷଣ ପଡ଼ିଆ ପାଲଟିବ। ଫଳରେ ନିର୍ବାଚନ କମିଶନ ଭିନ୍ନ ଭିନ୍ନ ରାଜନୈତିକ ଦଳ ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରକାର ବିଚାରବିମର୍ଶ ଉପରେ ଆଲୋକପାତ କରିବାକୁ ବାଧ୍ୟ ହେବେ। ବର୍ତ୍ତମାନର ପରିସ୍ଥିତିକୁ ଦେଖି ନିର୍ବାଚନ ଦୀର୍ଘଦିନ ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇପାରିବ ନାହିଁ। ତେଣୁ ନିର୍ବାଚନ ପ୍ରଚାର ପଦ୍ଧତିରେ ଅନେକ ସଂସ୍କାର ଦେଖାଦେଇପାରେ।
ନିର୍ବାଚନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଲେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଭାବିତ କରିବ। ପଞ୍ଚାୟତ ସ୍ତରରୁ ଆରମ୍ଭ କରି ପାର୍ଲାମେଣ୍ଟ ଯାଏ ସବୁଥିରେ ଭିନ୍ନତା ପରିଲକ୍ଷିତ ହୋଇପାରିବ। ଅବଶ୍ୟ ଏଭଳି ସଂସ୍କାର କେତେ ଦିନ ବଳବତ୍ତର ରହିବ ତାହା ଆକଳନ କରିବା କଷ୍ଟକର। ତଥାପି ଏବର ସ୍ଥିତି ଦେଖିଲେ ଲୋକମାନେ ପରସ୍ପରର ନିକଟତର ନ ହେବାକୁ ବାଧ୍ୟ ହେବେ। ସମ୍ଭବତଃ ଭାରତୀୟ ରାଜନୈତିକ ଇତିହାସରେ ଏଭଳି ଦେଖାଯାଇ ନ ଥିଲା। ଯଦି ଭାରତୀୟ ରାଜନେତାଙ୍କ ଚରିତ୍ରକୁ ଦେଖିବା ତାହା ହେଲେ ନିର୍ବାଚନ ସମୟରେ ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନରେ ଅନେକ ରାଜନୈତିକ ବ୍ୟକ୍ତି ଅପାର ଆନନ୍ଦ ପାଇଥାଆନ୍ତି। ଫଳରେ ଜଣେ ଯୋଗ୍ୟ ବ୍ୟକ୍ତି ହୋଇଥିଲେ ମଧ୍ୟ ଯଦି ସେ ବିରାଟବଡ଼ ଭିଡ଼ ସୃଷ୍ଟି କରିବାରେ ଅସଫଳ ହୁଅନ୍ତି, ତାହା ହେଲେ ନିର୍ବାଚନରେ ପରାସ୍ତ ହେବାର ଆଶଙ୍କା ରହିଛି। ନିର୍ବାଚନ ପ୍ରସ୍ତୁତିରେ ପ୍ରତିଦ୍ୱନ୍ଦ୍ୱୀମାନେ ବିରାଟକାୟ ପଟୁଆର ଧାରଣ କରିବାକୁ ଯେଭଳି ପ୍ରମୁଖ ଉପାଦାନ ଭାବେ ଧରିନେଇଥିବା ଲକ୍ଷ୍ୟ କରାଯାଇଥାଏ। ଅନ୍ୟ ଏକ ଦିଗକୁ ଦେଖିଲେ ନିର୍ବାଚନ କମିଶନ ପ୍ରତ୍ୟେକ ପ୍ରାର୍ଥୀ କେତେ ଅର୍ଥ ବ୍ୟୟ କରିପାରିବେ ଓ ପ୍ରସ୍ତୁତି କିଭଳି ଧରଣର ହେବ, ସେଥିଲାଗି ନିୟମ ସ୍ଥିର କରିଥାଅନ୍ତି। ଏହା ସତ୍ୟ ଯେ କୌଣସି ପ୍ରାର୍ଥୀ ଠିକ୍‌ ତଥ୍ୟ ଦେଇ ନ ଥାଆନ୍ତି। ଅର୍ଥାତ୍‌ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡଠାରୁ ପ୍ରାର୍ଥୀମାନେ କାହିଁ କେତେ ଅଧିକ ଖର୍ଚ୍ଚ କରୁଥିବା ଦେଖାଯାଏ।
ଯଦି ବାସ୍ତବରେ କୋଭିଡ-୧୯ ଜନସାଧାରଣଙ୍କୁ ଦୂରତା ବଜାୟ ରଖିବାକୁ ଯାଇ ଲୋକଭିଡ଼ଠାରୁ ଅଲଗା କରିବାରେ ସମର୍ଥ ହୁଏ, ତେବେ ଭାରତୀୟ ଗଣତନ୍ତ୍ରରେ ବଡ଼ ପରିବର୍ତ୍ତନ ଆସିପାରିବ। ଏହାଦ୍ୱାରା ନିର୍ବାଚନ ପ୍ରଚାରରେ ହେଉଥିବା ବ୍ୟାପକ ଅର୍ଥନିବେଶକୁ କେବଳ ଯେ ରୋକାଯାଇପାରିବ ତାହା ନୁହେଁ, ଅର୍ଥର ଭୂମିକା ମଧ୍ୟ ନଗଣ୍ୟ ହୋଇଯାଇପାରେ। ସେଭଳି ସ୍ଥଳେ ଭାରତୀୟ ରାଜନେତା ଜନସାଧାରଣଙ୍କୁ ଲୋଭ ଓ ମାଗଣା ପଦାର୍ଥ ଦେବାର ଆକର୍ଷଣରୁ ଦୂରେଇ ଯାଇ ଅଧିକ ନୀତି ଓ ଯୋଜନା ବା କାର୍ଯ୍ୟକ୍ରମ ବିଷୟରେ କହିବାକୁ ବାଧ୍ୟ ହେବେ। ଏଭଳି ପରିବର୍ତ୍ତନ ମନ୍ଥର ଗତିରେ ହୋଇପାରେ, କିନ୍ତୁ ଦେଶର ନାଗରିକଙ୍କ ପାଇଁ ଏକ ସୁସମୟ ଆସିପାରେ। ଏହି ପରିସ୍ଥିତି ଯଦି ଦୀର୍ଘମିଆଦୀ ହେବ, ତାହା ନିଶ୍ଚିତ ଭାବେ ଭାରତ ପାଇଁ ଏକ ଶୁଭ ସଙ୍କେତ ଆଣିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri