ଜନଜାତି ସଂସ୍କୃତିରେ ନାରୀ

ଡ. ପ୍ରଫୁଲ୍ଲ କୁମାର ସାହୁ
ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି। ପ୍ରକୃତିର ମନୋଜ୍ଞ ପରିବେଶରେ ଜୀବନ ଧାରଣ କରି ଏକ ସୁଦୀର୍ଘ ସାଂସ୍କୃତିକ ପରମ୍ପରା ସୃଷ୍ଟିକରିଥିବା ଆଦିବାସୀମାନେ ହିଁ ଏ ଦେଶର ମୂଳ ବାସିନ୍ଦା ବା ଆଦିମ ଅଧିବାସୀ। ଜନଜାତି ମଣିଷ ପ୍ରକୃତିର ସନ୍ତାନ। ପ୍ରକୃତି ଏମାନଙ୍କ ଜୀବନ ଓ ଜୀବିକାର ଆଧାର। ବଡ଼ ସରଳ ଓ ନିଷ୍ପାପ ଏମାନେ। ବଣ ଝରଣା ପରି ଏମାନଙ୍କ ମନ ସ୍ବଚ୍ଛ ଓ ପ୍ରବାହଧର୍ମୀ। ହୃଦୟ ତାଙ୍କର ଆକାଶ ପରି ଉଦାର ଓ ବିସ୍ତୃତ। ସହରୀ ମଣିଷ ପରି ଏମାନେ ଜାଣନ୍ତିନି ହିଂସାବାଦ ଓ ଛନ୍ଦକପଟ। ଅରଣ୍ୟ ପରି ଜାଙ୍ଗଲିକ ଏମାନଙ୍କ ଜୀବନଚର୍ଯ୍ୟା। ଆପଣା ଐତିହ୍ୟପୂର୍ଣ୍ଣ ରୀତିନୀତି, ଚାଲିଚଳନ, ବେଶପୋଷାକ, ଖାଦ୍ୟପେୟ, ସଂସ୍କାର ଓ ଧର୍ମ ବିଶ୍ୱାସକୁ ଜାବୁଡ଼ି ଧରି ଏମାନେ ଗୋଷ୍ଠୀବଦ୍ଧ ଜୀବନ ଅତିବାହିତ କରନ୍ତି ହସଖୁସିରେ। ଜୀବନରେ ଦୁଃଖ ଆସେ, ଯନ୍ତ୍ରଣା ଆସେ, ହେଲେ ସେଥିରେ ଆଦୌ କାତର ହୁଏନି ଅରଣ୍ୟ ଓ ପର୍ବତ ଖୋଲରେ ବାସ କରୁଥିବା ଆଦିମ ମଣିଷ। ମହୁଲ ଫୁଲର ମହକ ଓ ସଲପର ମାଦକତା ଭିତରେ ସେମାନେ ଅନୁଭବ କରନ୍ତି ପ୍ରାଚୁର୍ଯ୍ୟମୟ ଜୀବନର ଉଲ୍ଲାସ। ସଭ୍ୟତାର ମାପକାଠିରେ ସେମାନେ ହୋଇପାରନ୍ତି ଅନୁନ୍ନତ ଓ ଅସବର୍ଣ୍ଣ, ମାତ୍ର ସେମାନଙ୍କ ସାଂସ୍କୃତିକ ପରମ୍ପରା ଯେମିତି ବୈଚିତ୍ର୍ୟମୟ, ସାମାଜିକ ଜୀବନବୋଧ ସେମିତି ସୌହାର୍ଦ୍ଦ୍ୟପୂର୍ଣ୍ଣ। ବିଶେଷକରି ଜନଜାତି ସଂସ୍କୃତିରେ ନାରୀର ସ୍ଥିତି, ସୁରକ୍ଷା ଓ ସ୍ବାଧୀନତା ପ୍ରସଙ୍ଗ ଆସିଲେ ଖୁବ୍‌ ଉଚ୍ଚାଙ୍ଗ ମନେହୁଏ ସେମାନଙ୍କ ସାଂସ୍କୃତିକ ପରମ୍ପରା ଓ ସାମାଜିକ ବିଚାରଧାରା।
ଆଦିବାସୀ ଲଳନା ପାହାଡ଼ ଦେଶର ଶ୍ରୀ ଓ ଶୋଭା। ସେମାନେ ପ୍ରକୃତି ପରି ସୁନ୍ଦର ଓ ମାଟି ମା’ପରି ମମତାମୟୀ। ସେମାନଙ୍କ ଚାଲିରେ ଥାଏ କବିତାର ଛନ୍ଦ ଓ କଥାରେ ସଙ୍ଗୀତର ମାଧୁରିମା। ଓଠରେ ଚହଟୁଥାଏ ବେଣାଫୁଲର ଲମ୍ବଲାଞ୍ଜ ଚଅଁର ପରି ଧଳା ଧୁଆପୋଛା ହସ। ପାହାଡ଼ୀ କନ୍ୟା ଯେତିକି ସୁନ୍ଦର ସେତିକି ବେପରୁଆ। ପ୍ରକୃତି କନ୍ୟା ହୋଇଥିବାରୁ ନିଜସ୍ବ ସୌନ୍ଦର୍ଯ୍ୟ ଓ ଲାଳିତ୍ୟରେ ସେମାନେ ସ୍ବୟଂସମ୍ପୂର୍ଣ୍ଣ। ତଥାପି ସଜେଇ ହେବାରେ ଥାଏ ସେମାନଙ୍କର ଆନନ୍ଦ। ମନ ଓ ହୃଦୟ ପରି ବେଶଭୂଷା ସେମାନଙ୍କର ସରଳ ଓ ନିରାଡ଼ମ୍ବର। ମୋଟା ସୂତାର ଶାଢ଼ି ଏମାନଙ୍କ ପରିଧାନ। ଦେହ ପ୍ରାୟ ଅଧା ଫୁଙ୍ଗୁଳା। ଜଡ଼ାତେଲ ଲଗେଇ ଖୋସା ବାନ୍ଧନ୍ତି ଏବଂ ସେଥିରେ ଧୋବ ଫରଫର ଫୁଲପେନ୍ଥା ଖୋସନ୍ତି ଅତି ଯନତ୍ର ସହିତ।
ଆଦିବାସୀ ସମାଜରେ ନାରୀ ଓ ପୁରୁଷ ବିଭିନ୍ନ ନୁହନ୍ତି, ବରଂ ମନୁଷ୍ୟ ଭାବରେ ସମାନ। ଏହି ବିଚାରବୋଧ ଯୋଗୁ ଜନଜାତି ସମାଜରେ ଦେଖିବାବୁ ମିଳେନି ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟାଭଳି ଘୃଣ୍ୟ ବ୍ୟବସ୍ଥା। ପରିବାରକୁ କନ୍ୟା ସନ୍ତାନଟିଏ ଆସିଲେ ତାକୁ ସେମାନେ ବୋଝ ବୋଲି ଭାବନ୍ତିନି କି ଲିଙ୍ଗଗତ ବୈଷମ୍ୟର ଶିକାର ହୋଇ କନ୍ୟାସନ୍ତାନକୁ ଭୋଗିବାକୁ ପଡ଼େନି ମାନସିକ ନିର୍ଯାତନା। ବଣ ଝରଣାର ଅମାନିଆ ଗତି ପରି ସ୍ବଚ୍ଛନ୍ଦ ଓ ସାବଲୀଳ ଭାବରେ ସେ ଅତିବାହିତ କରେ ତା’ର ଶୈଶବ ଓ କୈଶୋର। ଆଦିବାସୀ ଝିଅ (ଧାଙ୍ଗଡ଼ୀ) ପ୍ରକୃତି କୋଳର ମୁକ୍ତନାରୀ। ଜ୍ୟୋତ୍ସ୍ନା ଭଳି ନିର୍ମଳ, ପବନ ଭଳି ଉଦାର, ଝରଣା ଭଳି ଚଞ୍ଚଳ ଓ ବଣର ପକ୍ଷୀପରି ସେ ମୁକ୍ତ ଓ ସ୍ବାଧୀନ। ତା’ର ଇଚ୍ଛା ଉପରେ ନ ଥାଏ କାହାରି ଲଗାମ। ଦେହ ଉପରେ ଯୌବନର ରଙ୍ଗ ବୋଳି ହୋଇଗଲେ ମନରେ ଲାଗିଯାଏ କଳ୍ପନାର ଡେଣା। ଧାଙ୍ଗଡ଼ୀ ଜୀବନରେ ଆରମ୍ଭ ହୁଏ ଯୌବନର ଉପାସନା। ନୃତ୍ୟଗୀତ ପ୍ରତି ଆଦିବାସୀ ଯୁବତୀର ଦୁର୍ବାର ଆକର୍ଷଣ। ନୃତ୍ୟଗୀତ ତା’ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଧାଙ୍ଗଡ଼ା ଓ ଧାଙ୍ଗିଡ଼ୀ ଏକାଠି ମିଶି ଗୋଜିଆ ପର୍ବତର ସରୁ ଚଟାଣ ଉପରେ ଛାଡ଼ି ଦିଅନ୍ତି ଗୀତର ଲହରୀ। ପୁଷ୍‌ ପୁନେଇଁ ଓ ଚଇତି ପରବ ବେଳେ ଧାଙ୍ଗଡ଼ା ବସାରୁ ଭାସିଆସେ ଗୀତ ଓ ବାଜାର ଧୁନ୍‌। ସେ ଧୁନ୍‌ରେ ଥାଏ ଧାଙ୍ଗଡ଼ୀମାନଙ୍କ ପ୍ରତି ଆଦର, ସ୍ନେହ ଓ ମଧୁର ସମ୍ବୋଧନ। ସେଥିରେ ଫାଟି ପଡ଼େ ଧାଙ୍ଗଡ଼ୀ ମନର ସରାଗ। ଆଖିରେ ଆଖିଏ ସ୍ବପ୍ନ ନେଇ ସେ ଧାଙ୍ଗଡ଼ା ବସା ଆଡ଼କୁ ଧାଏଁ ତୋଫା ଜହ୍ନ ଆଲୁଅରେ। ଧାଙ୍ଗଡ଼ା ସହ ବାହୁରେ ବାହୁ ଛନ୍ଦି, ହୃଦୟରେ ହୃଦୟ ଯୋଡ଼ି ଝୁଲି ଝୁଲି ନାଚେ ଡୁଙ୍ଗ୍‌ ଡୁଙ୍ଗାର ତାଳେ ତାଳେ। ଏଥିରେ ଯୋଗ ଦିଅନ୍ତି ଗାଁର ସମସ୍ତେ। ବୁଢ଼ାମାନେ ସାଜନ୍ତି ଦେଖଣାହାରୀ। ଥରେ ନାଚଗୀତ ଆରମ୍ଭ ହୋଇଗଲେ ରାତି ପାହିଯାଏ, ହେଲେ ଥକି ପଡ଼େନି ଧାଙ୍ଗଡ଼ୀର ପାଦ। ବରଂ ଦେହରେ ଭୋକ ଘାରେ। ମନ ଭିତରେ ଚେଇଁ ଉଠେ ଉଦ୍ଦାମ ପାଶବିକତା। ତାକୁ ସେ ନିଜ ଭିତରେ ବିଲୀନ ହେବାକୁ ନ ଦେଇ ସ୍ବୀକାର କରିନିଏ ବଣର ଝୋଲା କୂଳରେ କିମ୍ବା ଢେଉଢେଉକା ପାହାଡର ଡ଼ଙ୍ଗର ଉପରେ।
ଫଗୁଣର ଜହ୍ନ ଆଲୁଅରେ ହେଉ କି କୁରେଇ ଫୁଲର ବାସ୍ନାରେ ଦେହଭୋଗୀ ଲାଳସାକୁ ସେମାନେ ଚରିତାର୍ଥ କରନ୍ତି ଏମିତି କେତେ ବାଗରେ। ଧାଙ୍ଗଡ଼ା ଧାଙ୍ଗିଡ଼ୀମାନଙ୍କ ପ୍ରାଣରେ ଏହି ଅଦମ୍ୟ ବାସନା, ସତେଯେମିତି ପ୍ରକୃତି ଓ ପୁରୁଷର ସ୍ବାଭାବିକ ଜୀବନ ପ୍ରକ୍ରିୟା। ସେଥିରେ ନ ଥାଏ କୃତ୍ରିମତା ବା ପ୍ରବଞ୍ଚନା। ଏହା କେବଳ ଆନନ୍ଦର ଉଦ୍‌ବୋଧନ। ଅମୃତର ଅନ୍ବେଷଣ। ବିବାହ ନ ସରିବା ଯାଏ ଆକଟ କରେନି ସମାଜ। ପରମ୍ପରାର ପଥର ପାଚେରି ଭିତରେ ଥାଇ ଧାଙ୍ଗଡ଼ା ଧାଙ୍ଗଡ଼ୀ ଅନୁଭବ କରନ୍ତି ମିଳନର ଆନନ୍ଦ, ପ୍ରେମର ସାର୍ଥକତା। ସେ ପ୍ରେମରେ କିନ୍ତୁ ନ ଥାଏ ସାମାନ୍ୟତମ ଆବିଳତା। ଧାଙ୍ଗଡ଼ା ଏଠି ଧାଙ୍ଗଡ଼ୀର ମନ ଜିଣେ ନାନା ଉପାୟରେ। ସେ ଗୀତ ଗାଏ, ବାଜା ବଜାଏ ଓ ମିଠା ମିଠା କଥା କହେ ଧାଙ୍ଗଡ଼ୀର ମନ ମୋହିବା ପାଇଁ। ସବୁ ସତ୍ତ୍ୱେ ଧାଙ୍ଗଡ଼ୀର ମନ ଜିଣି ନ ପାରିଲେ ସେ ଫେରିଯାଏ, ହେଲେ ଆଦିବାସୀ ସମାଜରେ କେବେ ଘଟେନି ବଳାତ୍କାର ଭଳି ଅସାମାଜିକ ଘଟଣା। ପ୍ରେମ ଏଠି ଅବାଧ। ମାତ୍ର ସେ ପ୍ରେମରେ ଦେହର ଦାବି ଅପେକ୍ଷା ହୃଦୟର ଆହ୍ବାନ ବେଶି। ସେଥିପାଇଁ ସକାଳର ଶାଳପତ୍ରରେ ବିନ୍ଦୁଏ ବର୍ଷାଜଳ ପରି ସର୍ବଦା ଚିକ୍‌ ଚିକ୍‌ କରୁଥାଏ ଆଦିବାସୀ ଯୁବତୀର ନିର୍ଭେଜାଲ ମନ ଓ ଶୁଦ୍ଧ ସତୀତ୍ୱ।
ଆଦିବାସୀ ନାରୀ ଜୀବନରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ ହେଉଛି ବିବାହ। ସେମାନଙ୍କ ସମାଜରେ ଝିକାଟଣା ବିବାହ, ପ୍ରେମ ବିବାହ ଓ ପ୍ରାୟୋଜିତ ବିବାହ ଆଦି ନାନା ପ୍ରକାର ବିବାହ ପ୍ରଚଳିତ ଥିଲେ ବି ପ୍ରେମ ବିବାହକୁ ଅଧିକ ପସନ୍ଦ କରେ ଆଦିବାସୀ ଯୁବତୀ। ନାଚଗୀତ ମାଧ୍ୟମରେ ଏମାନେ ବ୍ୟକ୍ତ କରନ୍ତି ମନର ଭାବ। ବିଭିନ୍ନ ପର୍ବପର୍ବାଣି ଅବସରରେ ଆୟୋଜିତ ନାଚଗୀତରେ ମନ ଆକର୍ଷିତ ହେଲେ ବଣକୁ ପଳେଇ ଯାଆନ୍ତି ପ୍ରେମିକ ପ୍ରେମିକା। ପରସ୍ପରକୁ ବିବାହ କରନ୍ତି ଏବଂ ଏହି ଉଦୁଉଦିଆ (ପ୍ରେମ ବିବାହ)କୁ ସ୍ବୀକୃତି ଦିଏ ସମାଜ। ସେମାନଙ୍କ ବାହାଘରରେ ଯୌତୁକ ପ୍ରଥା ନାହିଁ, ବରଂ ଏଠି ବରପକ୍ଷକୁ ଦେବାକୁ ହୁଏ କନ୍ୟାସୁନା। ବିଧବା ନାରୀକୁ ଅଶୁଭ ସଂକେତ ବୋଲି କେବେ ବିବେଚନା କରେନି ଆଦିବାସୀ ସମାଜ। ଏଠି ବିଧବା ବିବାହ ଏକ ସାଧାରଣ କଥା। ଛାଡ଼ପତ୍ର ବ୍ୟବସ୍ଥାଟି ମଧ୍ୟ ଖୁବ୍‌ ସହଜ। ସ୍ବାମୀ ସ୍ତ୍ରୀ ଯେ କେହି ଚାହିଁଲେ ଅପରକୁ ପରିତ୍ୟାଗ କରି ଦ୍ୱିତୀୟ ବିବାହ କରିପାରେ ନିଜ ଇଚ୍ଛାରେ। ମାତ୍ର ଆଦିବାସୀ ସମାଜରେ ଛାଡ଼ପତ୍ର ସଂଖ୍ୟା ଖୁବ୍‌ ସୀମିତ।
ପୁରୁଷର ଉପାର୍ଜନ ଉପରେ ନିର୍ଭର କରି ଘରେ ଶୋଇଶୋଇ ଦିନ କାଟେନି ଆଦିବାସୀ ରମଣୀ। ସେ କେତେବେଳେ ଘରେ ରନ୍ଧାବଢା କରେ ତ କେତେବେଳେ ଚାଷ କାମରେ ଲାଗିଥାଏ ଖରାବର୍ଷାକୁ ଖାତିର ନ କରି। କଠିନ ପରିଶ୍ରମ କରି ବଞ୍ଚତ୍ବାରେ ଥାଏ ସେମାନଙ୍କର ଆନନ୍ଦ। ତେଣୁ ବିବାହ ବେଳେ ସେମାନେ କେବେ ବିଚାର କରନ୍ତିନି ବରର ଆର୍ଥିକ ସ୍ବଚ୍ଛଳତା କଥା। ଆଦିବାସୀ ସ୍ତ୍ରୀ ଜୀବନର ବନ୍ଧୁର ପଥରେ ପୁରୁଷର ସହଯାତ୍ରୀ, ସହକର୍ମିଣୀ ଓ ସାହାଯ୍ୟକାରିଣୀ। ମାତ୍ର ତା’ର ଯେତେ ଯାହା ପରିଶ୍ରମ ସବୁ ତା’ର ପୁରୁଷ ପିଲାକୁ ଆବୋରିଧରି। ସେ ପସରା ମୁଣ୍ଡାଏ ସିନା ଦାୟିତ୍ୱ ମୁଣ୍ଡାଏ ନାହିଁ। ସେ ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କଲେ ବି ପରିବାର ଭିତରେ ଜାହିର କରେନି ମୁରବିପଣିଆ। ଆପଣା ପୁରୁଷ ହିଁ ଆଦିବାସୀ ନାରୀ ଜୀବନର ସର୍ବସ୍ବ। ସେଥିପାଇଁ ପୁରୁଷ ପ୍ରତି ନିଜର ଆନୁଗତ୍ୟରେ ସେ ପରିତୃପ୍ତ। ଏହି ମାନସିକତା ଯୋଗୁ ନିଜର ସାମର୍ଥ୍ୟ ଓ ସ୍ବାତନ୍ତ୍ର୍ୟ ସତ୍ତ୍ୱେ କୌଣସି କ୍ଷେତ୍ରରେ ସ୍ବାମୀକୁ କେବେ ଅବହେଳା ଓ ଅବମାନନା କରିବାକୁ ଚାହେଁନି ଆଦିବାସୀ ନାରୀ। ଏହି ଦୃଷ୍ଟିରୁ ଆଦିବାସୀ ସମାଜ ପୁରୁଷପ୍ରଧାନ ହେଲେ ବି ନାରୀର ସମ୍ମାନ ପ୍ରତି ଏଠି ଆଦୌ ଊଣା ନୁହେଁ ପୁରୁଷର ପ୍ରତିବଦ୍ଧତା। ନାରୀକୁ ସମ୍ମାନ ଓ ସୁରକ୍ଷା ସେଠାରେ ସ୍ଲୋଗାନ ନୁହେଁ, ବରଂ ଏକ ସାଂସ୍କୃତିକ ଅକଲବନ୍ଦୀ, ଏକ ସାମାଜିକ ଦାୟିତ୍ୱବୋଧ। ଏହି ଦାୟିତ୍ୱ ପ୍ରତି ପୁରୁଷର ଅମାପ ଅଙ୍ଗୀକାରବନ୍ଧତା ଯୋଗୁ ଆଦିବାସୀ ନାରୀ ସ୍ବାଧୀନ ଓ ସୁରକ୍ଷିତ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri