ଛାଡ଼ଖାଇ ମାହାତ୍ମ୍ୟ

ଡ଼. କୁଳାଙ୍ଗାର

ଛାଡ଼ଖାଇ ଶବ୍ଦଟି ଉଚ୍ଚାରଣ ମାତ୍ରେ ସଂଖ୍ୟାଧିକ ଲୋକଙ୍କର ପାଟିରେ ପାଣି ଭରିଯାଏ। ନ ହୁଅନ୍ତା ବା କିପରି? ମଣିଷ ମାତ୍ରେ ହିଁ ଆଇଁଷିଆ ଯେ! ସେହି ଆଇଁଷିଆମାନଙ୍କର ମହାପର୍ବ ହେଉଛି ଛାଡ଼ଖାଇ। ଏଇଦିନ ସମସ୍ତେ ଖୁସ୍‌। ମାସସାରା ଆଇଁଷ ଛାଡ଼ିଥାଆନ୍ତୁ କି ନ ଛାଡ଼ିଥାଆନ୍ତୁ ଏଇଦିନ କିନ୍ତୁ ଅଧିକାଂଶ ସାଦା ଖାଇବା ଛାଡ଼ି ଦେଇଥାଆନ୍ତି।
ତେବେ ଏ ଛାଡ଼ଖାଇ ଶବ୍ଦଟି ଓଡ଼ିଆଙ୍କଠାରେ ଭରି ରହିଥିବା ମସଗୁଲିଆ ଭାବକୁ ପ୍ରକାଶ କରିଥାଏ। ଛାଡ଼ଖାଇ କହିଲେ ନ ଜାଣିଥିବା ଲୋକଟି ଭାବିବ ବୋଧେ ଏଇଟା ଖାଇବା ଛାଡ଼ିବାର ଦିନ ହୋଇଥିବ! ଯୋଉ ଦିନଟି ଲୋକେ ଖାଇବା ଛାଡ଼ି ଦେଉଥିବେ!! ପ୍ରକୃତରେ କିନ୍ତୁ ଏଇଦିନ ବେଶି ଖିଆଖିଇ!!!
ନାଆଁଟି ସିନା ଛାଡ଼ଖାଇ; ଏଇ ଦିନଟି କାହାକୁ କିନ୍ତୁ ଛାଡ଼ନାଇଁ। ବୋଧ ହୁଏ ସେଇଥି ପାଇଁ ଏଇ ଦିନଟିର ନାମଟି ଛାଡ଼ଖାଇ! ଏମିତି ହୋଇଥାଇ ପାେରେ; ପଶୁପକ୍ଷୀମାନେ କହୁଥିବେ କାହାକୁ ବାହାରକୁ ଛାଡ଼ନାଇଁ ମଣିଷମାନେ ଖାଇଦେବେ।
ପୂର୍ବରୁ ଲୋକେ ତୃଣଭୋଜୀ ଥିବେ। ଦିନ ଦିନ ଧରି ସାଦା ଖାଇ ଆସିଥିବେ। ହଠାତ୍‌ ଲୋକଙ୍କ ଭିତରେ ଜଣେ ଆଇଁଷିଆଙ୍କର ଆବିର୍ଭାବ ହୋଇଥିବ। ସିଏ ବହୁ ଆନ୍ଦୋଳନ କରିବା ପରେ ଏଇ ଦିନ ବୋଧ ହୁଏ ସଫଳ ହୋଇଥିବେ! ଭାରତଛାଡ ଆନ୍ଦୋଳନ ପରି ଏଇଦିନଟି ସାଦାଛାଡ଼ ଦିବସ ରୂପେ ସେଇ ଦିନଠାରୁ ପାଳନ ହେଉଥାଇ ପାରେ। ଛାଡ଼ଭାଇ ଆଜିଠୁ ଆଇଁଷ ଖାଇବା ବୋଲି ଏ ଦିବସଟି ସ୍ମରଣୀୟ ହୋଇଥାଇ ପାରେ।
ତାହାକୁ ସ୍ମରଣୀୟ କରିବା ପାଇଁ ଏବଂ ପୂର୍ବ ପୁରୁଷଙ୍କ ସ୍ମୃତିରେ ଆମେ ପୂର୍ବ ମାସଟିକୁ ପୁଣ୍ୟ ଓ ପବିତ୍ର ମାସ ଭାବରେ ସାଦା ଖାଇ ପାଳନ କରୁଥାଇ ପାରୁ।
ଏହାକୁ ସୁଚାରୁ ରୂପେ ପାଳନ କରିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଉପାୟମାନ ଅବଲମ୍ବନ କରିଥାଆନ୍ତି। କେତେ ଲୋକ ତ କାର୍ତ୍ତିକ ମାସ ଆରମ୍ଭରୁ ସାଦା ଖାଇବା ସହିତ ଘରେ ଛେଳି, ମେଣ୍ଢା ଅବା ଘୁଷୁରିଟିଏକୁ ଛାଡ଼ଖାଇ ପାଳନ କରିବା ଉଦ୍ଦେଶ୍ୟରେ ପାଳନ କରିଥାଆନ୍ତି। ବହୁଲୋକ ପଞ୍ଚକ ପାଞ୍ଚଦିନଟି ହିଁ ସାଦା ଖାଇ ପାଳନ କରିଥାଆନ୍ତି ।
କିନ୍ତୁ ଜଣାପଡେନି କେତେବେଳେ ଏଇ ପାଞ୍ଚଦିନ ଛାଡ଼ଖାଇ ପାଳନ ଯୋଗାଡ଼ରେ ବିତି ଯାଇଥାଏ।
ହତ୍ୟା କରିବା ମଣିଷର ସହଜାତ ପ୍ରବୃତ୍ତି। ଏହାକୁ ଖୋଲାଖୋଲି ପ୍ରଦର୍ଶନ କରିବାର ପର୍ବଟି ହେଲା ଛାଡ଼ଖାଇ। ଏହା ନିରୀହ ଉପରେ ସବଳ ବିଜୟ ରୂପେ ପାଳନ ହେଉଅଛି । ଛାଡ଼ଖାଇ ପୂର୍ବଦିନ ଛେଳି ତା’ ଛୁଆମାନଙ୍କୁ ଧରି ମେଁ ମେଁ କରି କାନ୍ଦିଲା!
ଛୁଆ ପଚାରିଲେ- ମାଆଲୋ ମାଆ… ତୁ କାନ୍ଦୁଚୁ କିଆଁ? ମାଆଛେଳି କହିଲା- କାଲି ମଣିଷମାନେ ଛାଡ଼ଖାଇ ପାଳିବେ ତେଣୁ ମୁଁ ମରିବି। ଛୁଆମାନେ କହିଲେ- ଆଉ ଆମେ? ମାଆଛେଳି କହିଲା- ତମେ ଛୋଟଗୁଡା ଆରବର୍ଷକୁ ତମ ପାଳି। ସେତେବେଳକୁ ତୁମ ମାନଙ୍କର ଛୁଆ ହୋଇ ସାରିଥିବେ। ଛୁଆମାନେ କହିଲେ- ଓହ… ଛୁଆଙ୍କୁ ଛାଡ଼ି ମାଆକୁ ମାରିବା ପର୍ବକୁ ତା’ହେଲେ ଛାଡ଼ଖାଇ କହନ୍ତି!!
ପର୍ବରେ ବଳି ପଡ଼ିବା ତ ଆମର ପୁରାତନ ପ୍ରଥା ା ଏ ଛାଡ଼ଖାଇ ପର୍ବରେ ତେଣୁ ଅସଂଖ୍ୟ ପଶୁପକ୍ଷୀ ବଳି ପଡ଼ିଥାଆନ୍ତି ା ତଫାତ୍‌ ଏତିକି ଅନ୍ୟ ପର୍ବମାନଙ୍କରେ ଠାକୁର ଠାକୁରାଣୀ ନାମରେ ପଶୁପକ୍ଷୀକୁ ହତ୍ୟାକରି ତାହାକୁ ପ୍ରସାଦ ରୂପେ ଭକ୍ଷଣ କରୁଥିବା ବେଳେ ଛାଡ଼ଖାଇ ପର୍ବରେ କିନ୍ତୁ ମଣିଷ ନିଜରୂପ ପ୍ରଦର୍ଶନ କରି ନିଜ ପାଇଁ ହିଁ ହତ୍ୟା କରି ତାହାଙ୍କୁ ଭୋଜନ କରିଥାଏ ା ଅତଏବ ଏହା ମଣିଷ ହୃଦୟରେ ଧର୍ମାନ୍ଧତା ଓ କପଟତା ପରି ମାରାତ୍ମକ ଗୁଣକୁ ରୋକିବାରେ ସହାୟକ ହୋଇଥାଏ।
କାର୍ତ୍ତିକ ମାସରେ ପାର୍ଟ ଟାଇମ୍‌ ନିରାମିଷାଶୀଙ୍କ ସଂଖ୍ୟା ବଢିବାରୁ ଚାରିଆଡେ ଛେଳି, ମେଣ୍ଢା, ଘୁଷୁରି, କୁକୁର, ମାଙ୍କଡ଼, ବିରାଡ଼ି, କୁକୁଡ଼ା, ବଗ, କାଉ, ପାରା, ବଣି, ମୂଷା ଆଦିଙ୍କର ସଂଖ୍ୟା ବହୁ ଗୁଣିତ ହୋଇଥାଏ ା କିନ୍ତୁ ଛାଡ଼ଖାଇ ପାଳନ ହେବାଦ୍ୱାରା ଏପରି ପଶୁପକ୍ଷୀମାନେ ଏକା ଥରକରେ ଧ୍ୱଂସ ପାଇଯାଇଥାଆନ୍ତି। ଫଳରେ ମଣିଷଠାରେ ଭୟ କମିବା ସହିତ ପରିବେଶ ସ୍ବଚ୍ଛ ରହିବାରେ ସହାୟକ ହୋଇଥାଏ। ମାଂସ କ୍ରୟ ଏବଂ ଭକ୍ଷଣରେ ଯଦିଓ ଆମେ ତାହାକୁ କେବଳ ମଟନ ଓ ଚିକେନ ଏଇ ଦୁଇଟି ବର୍ଗରେ ବିଭକ୍ତ କରିଛୁ, ଅସଲରେ କିନ୍ତୁ ଆମେ ଛାଡ଼ଖାଇରେ ବହୁ ପ୍ରକାର ମାଂସ ଖାଇ ଥାଉ। ଖାଇବାକୁ ବାଧ୍ୟ ହୋଇଥାଉ। କାରଣ ଏକାବେଳକେ ଏତେ ଲୋକ ଯଦି ଅଉଲୁ ମାଂସ ଚାହିଁବେ ବିଚରା ମାଂସ ଦୋକାନୀ ଏତେ ବୋଦା ଓ କୁକୁଡ଼ା ଆଣିବ କୋଉଠୁ? କାହାକୁ ଯଦି ମନା କରିଦେଲା ତେବେ ତାଆର ମନଦୁଃଖ ହେବ। ଅତଏବ ଏପରି ନାନା ରକମର ପଶୁହତ୍ୟା ବହୁଜନ ହିତାୟ, ବହୁଜନ ସୁଖାୟ! ତା’ ଛଡ଼ା ଏପରି ମାଂସ ଭକ୍ଷଣ କରିବା ଦ୍ୱାରା ମଣିଷଠାରେ ଗୁଣକାରୀ ନିରପେକ୍ଷତା ଭାବ ପ୍ରକାଶ ପାଇଥାଏ।
ମାଛରେ ଅବଶ୍ୟ ବିଶେଷ ଗଫଲତି ନାହିଁ। ଖାଲି ଯାହା ମାସେ ତଳର ବରଫଦିଆ ମାଛ ଉପରେ ସବୁଜ ଦଳକିଛି ପକେଇ ଦେଇ ପୋଖରୀରୁ ଧରା ହୋଇଥିବା ଦେଶୀମାଛ କହି ବିକିଦେବା କଥା। ନ ବିକିବେ ବା କାହିଁକି? ଆହେ ଆମେ ମାସେକାଳ ଆମିଷ ତ ଖାଇଲେ ନାଇଁ! ସେତେବେଳେ ଆନ୍ଧ୍ରରୁ ଆସିଥିବା ଟ୍ରକ୍‌ ଟ୍ରକ୍‌ ମାଛକୁ ବ୍ୟବସାୟୀମାନେ କ’ଣ ଫୋପାଡିବେ ନା କ’ଣ? ବହୁ ପରିମାଣରେ ଓଡ଼ିଆମାନେ ଆନ୍ଧ୍ରାମାଛ ଖାଇବା ଦ୍ୱାରା ଏହା ଆମଠାରେ ଭାରତର ମହାନ୍‌ ସଂଘୀୟ ଭାବନା ପ୍ରକଟିତ କରାଇଥାଏ।
ଏହିଦିନ ବହୁତ ପରିମାଣରେ ଆମିଷ ବିକ୍ରି ହେବା ସହିତ ଆଳୁ, ପିଆଜ, ରସୁଣ, ଅଦା, ଟମାଟୋ ଓ ମସଲା ମସଲି ବିକ୍ରି ହୋଇଥାଏ। ଆମିଷ ଖାଇବା କାରଣରୁ ମଦ ପିଇବା ମଧ୍ୟ ବଢିଥାଏ। ଉଭୟ ବାଟରେ ଆମ ରାଜକୋଷକୁ ବେଶ୍‌ ମୋଟା ଅଙ୍କର ଅର୍ଥ ଯାଇଥାଏ; ଯାହା ସାମୂହିକ ବିକାଶ କାର୍ଯ୍ୟରେ ଲାଗିଥାଏ। ଅତଏବ ଛାଡ଼ଖାଇ ପର୍ବ ପାଳନ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥାଏ।
ଧୀରେ ଧୀରେ ଏହାର ମାହାତ୍ମ୍ୟକୁ ବୁଝି ବହୁସ୍ଥାନରେ ଛାଡ଼ଖାଇ ମହୋତ୍ସବମାନ ଆୟୋଜନ ହୋଇଗଲାଣି। ଯେଉଁଠି କାର୍ତ୍ତିକ ପୂର୍ଣ୍ଣିମା ସନ୍ଧ୍ୟାରୁ ହିଁ ଲୋକେ ଛାଡ଼ଖାଇ ପାଳନ ଆରମ୍ଭ କରିଦେଇଥାଆନ୍ତି। ମଞ୍ଚରେ ବହୁ କଳାକାର ପୂର୍ଣ୍ଣ ପରିଧାନ ଛାଡ଼ି ଦେଇଥାଆନ୍ତି। ମାଇକି ଆଗରେ ବକ୍ତା ଭାଷଣ ଛୋଟ କରିବା ଛାଡ଼ କରିଦେଇଥାଆନ୍ତି। ଛାଡ଼ିବା ଆମ ଜାତକରେ ନାଇଁ, ତେଣୁ ପ୍ରତିବର୍ଷ ଆମେ କାର୍ତ୍ତିକରେ ଯେତିକି ପୁଣ୍ୟ ଅର୍ଜନ କରୁ ଛାଡ଼ଖାଇ ଦିନଟିରେ ପାପ ମାଧ୍ୟମରେ ସେତକକୁ ଛାଡିଦେଉ।
ନରସିଂହପୁର, କଟକ
ମୋ- ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri