ଗ୍ୟାଙ୍ଗ ଯୁଦ୍ଧ

ଭାରତୀୟ ପରମ୍ପରା ସହିଷ୍ଣୁତାର ଶିକ୍ଷା ଦେଇଥାଏ। ଆମ ଦର୍ଶନ ଓ ସମ୍ବିଧାନରେ ସହିଷ୍ଣୁତାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ଗତ କିଛି ବର୍ଷ ହେବ ଭାରତରେ ଅସହିଷ୍ଣୁତା ଏକ ବିକଟାଳ ରୂପ ଧାରଣ କରିଚାଲିଛି। ଧର୍ମ, ରାଜନୀତି, ସାହିତ୍ୟ, ସଙ୍ଗୀତ, କଳା ଏବଂ ସିନେମାଠାରୁ ଆରମ୍ଭ କରି ଚାଲିଚଳନ ଯାଏ ମଣିଷର ପ୍ରତିଟି କ୍ଷେତ୍ରରେ ଅସହିଷ୍ଣୁତା ବସାବାନ୍ଧି ଗଲାଣି। ସଡ଼କରେ ଗଲା ବେଳେ ଯଦି ଜଣେ ନିୟମ ଭାଙ୍ଗି ଆଗକୁ ଚାଲିଯାଇ ଅନ୍ୟ ଜଣଙ୍କୁ ଧକ୍କା ଦେଉଛି, ସେତେବେଳେ ତାହାକୁ ପ୍ରତିବାଦ କଲେ ବଳବାନ୍‌ ବ୍ୟକ୍ତି ନିଜ ମାଂସପେଶୀର ବ୍ୟବହାର କରୁଛି। କେହି ଯେପରି କାହା ପରିସ୍ଥିତି ବା କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ୨ ନଭେମ୍ବର ୨୦୧୯ରେ ନୂଆଦିଲ୍ଲୀର ତିସ୍‌ ହଜାରି କୋର୍ଟ ପରିସରରେ ଅସହିଷ୍ଣୁତାର ଏକ ବିକୃତ ଚିତ୍ର ଦେଖିବାକୁ ମିଳିଛି। କୋର୍ଟ କମ୍ପ୍ଲେକ୍ସରେ ଜଣେ ଆଇନଜୀବୀ ତାଙ୍କ କାର୍‌କୁ ପାର୍କିଂ କରିବା ବେଳେ ପୋଲିସର ଏକ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ସେତିକିରେ ସବୁକିଛି ବିଗିଡ଼ିଗଲା। ଏହାର ପରିଣତି ଆଇନଜୀବୀ ଓ ପୋଲିସ ସଂଘର୍ଷରେ ରୂପାନ୍ତରିତ ହୋଇଗଲା। ପୋଲିସ ଭ୍ୟାନ୍‌ ପୋଡ଼ାଯିବା ସହିତ ୧୭ଟି ଗାଡ଼ି ଭଙ୍ଗାରୁଜା ହୋଇଛି। ପୋଲିସ ଗୁଳିରେ ଜଣେ ଆଇନଜୀବୀ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୧୦ ଜଣ ପୋଲିସ ଓ ଅନେକ ଓକିଲ ଆହତ ମଧ୍ୟ ହୋଇଛନ୍ତି।
ଭାରତର ସହରାଞ୍ଚଳରେ ପର୍ଯ୍ୟାପ୍ତ ଲୋକଙ୍କ ହାଉଜାଉ ସହ ଗାଡ଼ିମୋଟର ସଂଖ୍ୟା ଯେଭଳି ଭାବେ ବଢ଼ି ଚାଲିଛି, ପାର୍କିଂ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହେବା ସ୍ବାଭାବିକ। ଗାଡ଼ି ରଖିବାକୁ ଜାଗାର ଘୋର ଅଭାବ। ଦେଖାଯାଉଛି ଅନେକ ଘର ମାଲିକ ଯାନ ରଖିବା ଲାଗି ବ୍ୟବସ୍ଥା ନ କରି ତାହାକୁ ରାସ୍ତା ଉପରେ ରଖୁଛନ୍ତି। ଆବାସିକ ଅଞ୍ଚଳରେ ଏଭଳି ଦୁରବସ୍ଥା ଦେଖାଦେଇଥିବା ବେଳେ କାର୍ଯ୍ୟାଳୟଗୁଡ଼ିକ ନିକଟରେ ସ୍ଥାନାଭାବ ଏହି ସମସ୍ୟାକୁ ଅଧିକ ଜଟିଳ କରିଦେଲାଣି। ଏଭଳି କି ସୁପ୍ରିମକୋର୍ଟ ନିକଟରେ ଥିବା କାକାନଗର ଏକ ଆବାସିକ ଅଞ୍ଚଳ ହୋଇଥିବା ବେଳେ ସେଠାରେ ଆଇନଜୀବୀମାନେ ମନଇଚ୍ଛା ଏବଂ ଜୋରଜବରଦସ୍ତ ଗାଡ଼ି ପାର୍କିଂ କରି ବାସିନ୍ଦାମାନଙ୍କୁ ଡରାଇ ରଖିଥିବା ଉଦାହରଣ ବାରମ୍ବାର ଶୁଣିବାକୁ ମିଳେ।
ଓଡ଼ିଶାର କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ରାୟଗଡ଼ା, ଅନୁଗୋଳ, ଯାଜପୁରର କଳିଙ୍ଗନଗର ଭଳି ଅଞ୍ଚଳକୁ ଦେଖିଲେ ସହରାଞ୍ଚଳର ପାର୍କିଂ କେଉଁ ସ୍ତରରେ ରହିଛି ତାହା ଭୁକ୍ତଭୋଗୀ ଅନୁଭବ କରିପାରୁଥିବେ। ଏଠାରେ ପାର୍କିଂଜନିତ ସମସ୍ୟା କିଭଳି ଉଗ୍ର ରୂପ ଧାରଣ କରି କୋର୍ଟ କଚେରି କାର୍ଯ୍ୟକୁ ଦୀର୍ଘଦିନ ଧରି ଅଚଳ କରିପାରେ, ତାହାର ଏକ ଘଟଣା ନଜରକୁ ଆସୁଛି। ଗତବର୍ଷ ଓଡ଼ିଶା ହାଇକୋର୍ଟ ପରିସରରେ ଜଣେ ଆଇନଜୀବୀଙ୍କ ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ଫଳରେ ଓକିଲମାନେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କୋର୍ଟ କାର୍ଯ୍ୟକୁ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବନ୍ଦ କରିଦେଇଥିଲେ। ଏବେ ଦିଲ୍ଲୀର ତିସ୍‌ ହଜାରି କୋର୍ଟ ପରିସରରେ ଘଟିଥିବା ଘଟଣା ଲାଗି ୪ ନଭେମ୍ବରରେ ସେଠାକାର ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇସାରିଲାଣି। ୩ ନଭେମ୍ବରରେ ଦିଲ୍ଲୀ ହାଇକୋର୍ଟ ଏହି ଘଟଣାରେ କେନ୍ଦ୍ର, ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ, ବାର୍‌ କାଉନ୍‌ସିଲ୍‌ ଅଫ୍‌ ଦିଲ୍ଲୀ ଏବଂ ଦିଲ୍ଲୀ ହାଇକୋର୍ଟ ବାର୍‌ କାଉନ୍‌ସିଲ୍‌କୁ ନୋଟିସ ଜାରି କରିଛନ୍ତି। ଏଥିସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ଏଠାରେ ଗୋଟିଏ ବିଷୟ ମନକୁ ଆସେ। ଭାରତର ଐତିହ୍ୟ ଏବଂ ସଂସ୍କୃତି ସମ୍ପର୍କରେ ଅନେକେ ଗୌରବାନ୍ବିତ ହେଉଥିବା ବେଳେ ବାସ୍ତବରେ ତାହା ପ୍ରତିଦିନ ଜୀବନରେ ଦେଖିବାକୁ ମିଳୁନାହିଁ। ଭାରତୀୟଙ୍କ ଚରିତ୍ରରେ ସାହସିକତାର ଘୋର ଅଭାବ ରହିଛି ବୋଲି କୁହାଯାଇପାରେ। ଏହି ଦେଶରେ ଜୋର ଯା’ର ମୁଲକ ତା’ର ଧ୍ୱନିକୁ ଦେଖିଲେ ବୁଝାପଡ଼େ ଯେ ବ୍ୟକ୍ତିଗତ ସାହସ ନୁହେଁ, ଗୋଷ୍ଠୀବଦ୍ଧ ହୋଇ ଜୁଲମ କରିବା ହୋଇଗଲାଣି ଆମ ସମସ୍ତଙ୍କ ଚରିତ୍ର। ଗ୍ରାମାଞ୍ଚଳକୁ ଦେଖିଲେ ଯେଉଁ ପରିବାରରେ ପାଞ୍ଚ ସାତ ଜଣ ଶକ୍ତିଶାଳୀ ପୁତ୍ର, କକା କିମ୍ବା ଦାଦା ଥିବେ, ସେହି ପରିବାର ସମଗ୍ର ଗାଁ ଉପରେ ଅକ୍ତିଆର କରି ବସିପାରୁଛି। କେବଳ ସେତିକି ନୁହେଁ, ମହିଳାମାନଙ୍କୁ ଅସଦାଚରଣ ଏବଂ ଦୁର୍ବଳଙ୍କ ପ୍ରତି ଅନ୍ୟାୟ କଲେ ମଧ୍ୟ ଅନ୍ୟମାନେ ନିରବତାର ସହ ବାଟ ଆଡ଼େଇ ପଳେଇ ଯାଉଛନ୍ତି। ଅସାମାଜିକ ବ୍ୟକ୍ତିମାନଙ୍କ ପାଇଁ ଏକଜୁଟ ହେବା ଆମର ସାମାଜିକ ବାସ୍ତବତା ପାଲଟିଲାଣି। ସମ୍ଭବତଃ ସେଥିପାଇଁ ଦିଲ୍ଲୀ କଚେରିରେ ମଧ୍ୟ କେହି ପ୍ରଶ୍ନ କରିବାକୁ ନାହାନ୍ତି ଯେ କେଉଁ କାରଣରୁ ଓକିଲମାନେ ଏକାଠି ହୋଇ ପୋଲିସ ଉପରେ ଆକ୍ରମଣ କଲେ। ଅନ୍ୟପଟେ ଶାନ୍ତି ରକ୍ଷା କରିବା ପରିବର୍ତ୍ତେ ଏବଂ ପ୍ରୟୋଜନ ହୋଇଥିଲେ ସେହି ସ୍ଥାନରୁ ଓହରି ଯିବା ଭଳି କାର୍ଯ୍ୟ କରିବାକୁ ପୋଲିସ ମଧ୍ୟ ଅନିଚ୍ଛୁକ। କେହି କାହାଠାରୁ କମ୍‌ ନୁହେଁ ବୋଲି ଦେଖେଇ ହେବା ହେଉଛି ଆଧୁନିକ ଭାରତର ଚରିତ୍ର। ଆଜି ଦିଲ୍ଲୀ, ଗତ କିଛିମାସ ପୂର୍ବେ ଓଡ଼ିଶା ଏବଂ ଭବିଷ୍ୟତରେ ଅନ୍ୟ କେଉଁଠି ମଧ୍ୟ ଏହିଭଳି ଅସହିଷ୍ଣୁତାର ଚିତ୍ର ଗ୍ୟାଙ୍ଗ ଯୁଦ୍ଧରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri