କର୍ମ ନେଇ ଫଳ

ରମେଶ ଚନ୍ଦ୍ର ସାମଲ
ପିମ୍ପୁଡି ରୁଖା ଉପରକୁ ଉଠିଗଲେ ଭାବେ ତା’ ମୁଣ୍ଡ ସ୍ବର୍ଗରେ ଲାଗିଛି। ସମାଜର ପ୍ରତ୍ୟେକ ସ୍ତରରେ ଏହା ଦେଖିବାକୁ ମିଳୁଛି। ଯିଏ ସଫଳତାର କିଛି ପାହାଚ ଆଗେଇ ଗଲା ସେ ଭାବୁଛି ସେ ସବୁ ଜାଣିବାର, ସବୁ ପାରିବାର। ଦୁନିଆରେ ତା’ଠୁଁ ବଳି କେହି ନାହାନ୍ତି। ଅନ୍ୟମାନଙ୍କୁ ସେ ନୀଚ ଦୃଷ୍ଟିରେ ଦେଖୁଛି। ଛୋଟ ପିଲାଟି ଭଲ ପଢି ଭଲ ଟିକେ କହିବୋଲି କିମ୍ବା ଖେଳିପାରିଲେ, ସେ ଅନ୍ୟ ସାଙ୍ଗଙ୍କ ପାଖରେ ଖାତିରି ଦେଖେଇ ହେଉଛି। ମଣିଷ ମନରେ ଗର୍ବଆସେ ଯେତେବେଳେ ସେ ଅନୁଭବ କରେ ଆଖି ଆଗରେ ଥିବା ଅନ୍ୟ ଲୋକଙ୍କଠାରୁ ସେ ଭଲ ସ୍ଥିତିରେ ଅଛି। ସେତେବେଳେ ସେ ଭୁଲିଯାଏ ତା’ଠାରୁ ଅନ୍ୟ କେହି ବହୁ ଧନଜନଗୋପଲକ୍ଷ୍ମୀସମ୍ପନ୍ନ ଲୋକ ଦୁନିଆରେ ଅଛନ୍ତି ବା ଥାଇପାରନ୍ତି। ସ୍ବର୍ଗର ନିର୍ଦ୍ଦିଷ୍ଟ ସୀମାରେଖା ନ ଥିବା ଭଳି ଏସବୁର ସୀମା କଳନା କରିବା ସମ୍ଭବ ନୁହେଁ।
ଧନଜନଗୋପଲକ୍ଷ୍ମୀ କ୍ଷଣିକ- ସ୍ବପ୍ନବତ୍‌। ଲକ୍ଷ୍ମୀଙ୍କୁ କୁହାଯାଏ ଚଞ୍ଚଳା। ସେ କେତେବେଳେ କେଉଁଠିକି ଆସନ୍ତି ପୁଣି ଚାଲିଯାନ୍ତି ତାହା ଭାବନା ଶକ୍ତିର ବାହାରେ। ଆଜି ଧନରତ୍ନରେ ଫାଟି ପଡୁଥିବା ରାଜା ପରି ଲୋକ କାଲି ଦାଣ୍ଡର ଭିକାରି ହୋଇପାରେ। ରାଜା ହରିଶ୍ଚନ୍ଦ୍ର ଶ୍ମଶାନରକ୍ଷକ ହୋଇଥିଲେ ଓ ନଳରାଜା ଘୋଡା ପାଇଁ ଘାସ କାଟିଥିଲେ। ବୁଦ୍ଧିବିଦ୍ୟା କ୍ଷେତ୍ରରେ ମଧ୍ୟ ସେୟା। କେହି କ’ଣ ଛାତିରେ ହାତରଖି କହିପାରେ ସେ ଦୁନିଆରେ ସବୁଠୁଁ ବଳି ବୁଦ୍ଧିମାନ୍‌, ବିଦ୍ୟାବାନ୍‌? ଦୁନିଆରେ ବହୁ ଗୁଣୀ ଜ୍ଞାନୀ ବୈଜ୍ଞାନିକ ଥିଲେ- ଆଜି ମଧ୍ୟ ଅଛନ୍ତି। ଏମାନଙ୍କ ଦ୍ୱାରା ପ୍ରମାଣିତ କେତେକ ତଥ୍ୟ ମଧ୍ୟ ପରପିଢିରେ ଭୁଲ୍‌ କିମ୍ବା ତ୍ରୁଟିପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରିଛି। ଆଗେ ବହୁ ଗୁଣୀ ଜ୍ଞାନୀ ଲୋକ କହିଥିଲେ, ପୃଥିବୀ ସ୍ଥିର ଓ ସୂର୍ଯ୍ୟ ଏହାର ଚାରିପଟେ ଘୂରୁଛି। କିନ୍ତୁ ଏବେ ଏହା ଭୁଲ୍‌ ପ୍ରମାଣିତ ହୋଇଛି। ଆମେ ସମସ୍ତେ ଜାଣୁଛୁ ସୂର୍ଯ୍ୟ ଚାରିପଟେ ପୃଥିବୀ ଆଦି ନବଗ୍ରହ ଘୂରୁଛନ୍ତି।
ଏଣୁ ଧନ, ଗୁଣ ଓ ଜ୍ଞାନକୁ ନେଇ କେହି ଗର୍ବ କରିବା ଉଚିତ ନୁହେଁ। ଏସବୁ ସତ୍ତ୍ୱେ ମଣିଷ ମଣିଷ ଓ ଦେଶ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ବୁଦ୍ଧିଜ୍ଞାନ ବଳରେ ଦିନେ ଭରପୂର ଥିବା ସୋଭିଏଟ୍‌ ରୁଷ୍‌ ଏବେ ଚାଇନା ଓ ଆମେରିକାଠାରୁ ପଛରେ ପଡିଯାଇଛି। ଆମେରିକା, ଚାଇନା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ କେତେ ନୂଆ ଉଦ୍ଭାବନ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବ। ଏବେ ଭାରତ ମଧ୍ୟ ଗୋଟିଏ ନୂଆଶକ୍ତି ହୋଇ ଠିଆ ହେବାକୁ ଯାଉଛି। କବି, ଗାଳ୍ପିକ, ଔପନ୍ୟାସିକ ଓ ସଙ୍ଗୀତଜ୍ଞଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। କାହାକୁ ନୂ୍ୟନ କିମ୍ବା କାହାକୁ ଅଧିକ ବିଚାର କରିବା ଠିକ୍‌ ହେବନି। ଆଜି ଯାହା ଉନ୍ନତ ଓ ଶ୍ରେଷ୍ଠ ବୋଲି ଜନାଦୃତି ଲାଭ କରୁଛି କାଲି ତାହା ନିହାତି ମାମୁଲି ଓ ସାଧାରଣ ବିଚାର କରାଯାଇପାରେ, ଲୋକମାନଙ୍କ ରୁଚି ଆଧାରରେ ଏହାର ଭଲମନ୍ଦ ମୂଲ୍ୟାଙ୍କନରେ ପରିବର୍ତ୍ତନ ଘଟେ। ଦୁନିଆରେ ଏଭଳି ବହୁ ଉପନ୍ୟାସ ଅଛି ଯାହାକୁ ଦିନେ କେହି ଆଡ ଆଖିରେ ଚାହୁଁ ନ ଥିଲେ, ସମୟର ପରିବର୍ତ୍ତନ ଓ ଲୋକମାନଙ୍କ ରୁଚିକୁ ନେଇ ଆଜି ସେସବୁ ଖୁବ୍‌ ଜନାଦୃତ ହୋଇଛି। ସିନେମା, ଯାତ୍ରା ଜଗତରେ ଆଜି ଯାହା ବକ୍ସ ଅଫିସ ହିଟ୍‌ କରେ କାଲି ତାହା ସାଧାରଣ ହୋଇ ସେତେଟା ଜନାଦୃତ ହୋଇପାରେନା। କଥାରେ ଅଛି ”ନୂଆ ନୂଆ ଦିନା କେତେ ବହୁ ଆଦର, ନୂଆଟି ପୁରୁଣା ହେଲେ ତୁଠ ପଥର।“ ଏଣୁ ଏସବୁ କ୍ଷେତ୍ରରେ, ସାମୟିକ ସାଫଲ୍ୟ ପାଇଁ କେହି ଗର୍ବିତ ହେବା ଉଚିତ ନୁହେଁ କିମ୍ବା ଏହାର ନିମ୍ନ ମୂଲ୍ୟାୟନ ହେଲେ ହତୋତ୍ସାହ ହୋଇ ଭାଙ୍ଗିପଡିବା ଉଚିତ ନୁହେଁ। ଏସବୁ ଗତାନୁଗତିକ ବିଚାର କରିବା ବୁଦ୍ଧିମାନର କାମ।
ଆଗକାଳରେ ପୃଥିବୀରେ ଅଧିକାଂଶ ଦେଶରେ ରାଜରାଜୁଡା ଶାସନ ଥିଲା। ସମୟକ୍ରମେ ବହୁ ଗର୍ବୀ, ଉଦ୍ଧତ, ହିଂସ୍ର ରାଜା ଦୁନିଆକୁ ଆସିଛନ୍ତି। ନିଜ ଦେଶର ସୀମାବୃଦ୍ଧି ଓ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସେମାନେ ବହୁ ଅନ୍ୟାୟ ଅତ୍ୟାଚାର କରିଯାଇଛନ୍ତି। ଲୋକେ ସେମାନଙ୍କର ନିନ୍ଦା ଅପବାଦ କରୁଛନ୍ତି। ଉତ୍ତମ ପରୋପକାରୀ ରାଜାମାନେ ସୁଚାରୁରୂପେ ରାଜ୍ୟ ଶାସନ କରି ଲୋକଙ୍କର ବହୁ ଶ୍ରଦ୍ଧା ଓ ପ୍ରିୟଭାଜନ ହୋଇଛନ୍ତି। ଏମାନଙ୍କ ଶାସନକୁ ଲୋକେ ରାମରାଜ୍ୟ କହି ଝୁରି ହେଉଛନ୍ତି। ସଙ୍ଗରେ କେହି କିଛି ନେଇ ଯାଇନାହାନ୍ତି। କାହାର ଗର୍ବ ଔଦ୍ଧତ୍ୟ ରହିନି। ଦିଗ୍‌ବିଜୟୀ ଆଲେକ୍‌ଜାଣ୍ଡର ମରିବା ପୂର୍ବରୁ କହିଥିଲେ, ସେ ମରିଗଲେ ତାଙ୍କ ଶବାଧାର ତଳକୁ ହାତ ଝୁଲାଇ ଦେଇ ଶବ ସତ୍କାର କରିବାକୁ। ଏହାଦ୍ୱାରା ସମସ୍ତେ ଜାଣିବେ ଯେଉଁ ହାତରେ ବହୁ ଦେଶ ଜୟ କରିପାରିଥିଲେ, ମରିଗଲା ପରେ ସେ ହାତ କେତେ ଅସହାୟ। ସେ ନିଜକୁ ମୃତ୍ୟୁମୁଖରୁ ରକ୍ଷା କରି ପାରୁନାହାନ୍ତି। ଜୟ କରିଥିବା କୌଣସି ରାଜ୍ୟ ବା ଧନସମ୍ପଦ ସେ ସାଙ୍ଗରେ ନେଇ ଯାଇପାରୁନାହାନ୍ତି। ରାଜା ଔରଙ୍ଗଜେବ୍‌ ମଧ୍ୟ ମଲା ପୂର୍ବରୁ କହିଥିଲେ, ମୁଁ ଖାଲି ହାତରେ ଆସିଥିଲି, ଖାଲି ହାତରେ ଚାଲିଯାଉଛି। ଏବେ ଦେଶରେ ଗଣତନ୍ତ୍ର ଶାସନ ଚାଲିଛି। ବିଭିନ୍ନ ମନ୍ତ୍ରୀ ବିଭିନ୍ନ ବିଭାଗର ଦାୟିତ୍ୱ ନେଉଛନ୍ତି। ଏମାନେ ଦେଶର କର୍ଣ୍ଣାଧାର, ଶାସନ ଏମାନଙ୍କ ହାତରେ। ଭୋଟ ପୂର୍ବରୁ ଏମାନେ ଯାହା ପାଖକୁ ଭୋଟ ଭିକ୍ଷା ପାଇଁ ଯାଆନ୍ତି ତା’ର ଭଲମନ୍ଦ ପଚାରି ହାତ ଉଠେଇ ନମସ୍କାର କରନ୍ତି। ଲୋକଙ୍କ ଘରେ ଶାଗପଖାଳ ଖାଆନ୍ତି। ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି। ଭୋଟ ପରେ ନିର୍ବାଚିତ ହୋଇ ଥରେ ଗାଦି ମଣ୍ଡନ କରିସାରିବା ପରେ କଥା ବଦଳିଯାଏ। ଯେଉଁ ନେତା ଭୋଟ ପୂର୍ବରୁ ଏତେ ଖାତିରି କରି ଘରେ ଶାଗପଖାଳ ଖାଇଥିଲେ ତାଙ୍କୁ ଦେଖା କରିବାକୁ ଲୋକଙ୍କୁ ଲାଇନ୍‌ ଦେବାକୁ ପଡେ। ସେମାନଙ୍କ ଛାତିକି ଲଙ୍ଗଳ ଦଉଡି ପାଏନି। ପାଞ୍ଚ ବର୍ଷ ସରିଗଲା ପରେ ପୁଣି ଲୋକଙ୍କ ଦୁଆରକୁ ଆସି ଭୋଟ ଭିକ୍ଷା କରନ୍ତି। ଶାସନରେ ଥିବା ବେଳେ ଭୁଲିଯାନ୍ତି-‘ଅଢ଼େଇ ଦିନକୁ ବଡ଼େଇ କାହିଁକି?’
ଭଗବାନ ସବୁ ସହନ୍ତି-ହେଲେ ସେ କାହାର ଗର୍ବ ସହନ୍ତିନି। ଆମେ ଭୁଲିଯାଉଛୁ ଯାହାଦ୍ୱାରା ଆମେ ଏତେ ଉଚ୍ଚାସୀନ ହୋଇପାରିଛେ, ସେ ଚାହିଁଲେ କ୍ଷଣକରେ ଆମର ସୁନାଲଙ୍କା ଚୂନା ହୋଇଯାଇପାରେ ଓ ଆମେ ପୁନର୍ମୂଷିକ ହୋଇଯାଇପାରୁ। ଏଣୁ ସାଧୁ ସାବଧାନ! ‘ବୁଝି ବିଚାରି କାମ କଲେ ବିପଦ ନ ପଡ଼ଇ ଭଲେ’। ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର ନ କରି ଯାହା ସମସ୍ତଙ୍କ ପାଇଁ ମଙ୍ଗଳକର ତାହା କରନ୍ତୁ। କଥାରେ ଅଛି-କର୍ମ ନେଇ ଫଳ, ତୁଠ ନେଇ ଜଳ।
ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡ଼ା, ମୋ-୯୪୩୯୮୭୯୦୨୨


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri