କରୋନା ଏବଂ କୃଷି ବିବିଧତା

ଚିନ୍ମୟ ରଞ୍ଜନ କୁମାର

କରୋନାର ବିଭୀଷିକାକୁ ପ୍ରାୟ ସମସ୍ତେ ହୃଦୟଙ୍ଗମ କରିସାରିଲେଣି। ଏହାର ମୁକାବିଲା ବିଶ୍ୱର ସବୁ ଦେଶ ପାଇଁ ଯେତିକି ଆହ୍ବାନ ସୃଷ୍ଟି କରିଛି, ତା’ସହ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ପରିବର୍ତ୍ତନର ଆଭାସ ମଧ୍ୟ ଦେଇଛି। କରୋନାର ପ୍ରଭାବ ସବୁ ବର୍ଗର ଲୋକଙ୍କ ଉପରେ ପଡିଥିବା ବେଳେ ମୁଖ୍ୟତଃ ଦିନମଜୁରିଆ, ଶ୍ରମିକ ଏବଂ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଗଭୀର ସଙ୍କଟ ଆଣିଦେଇଛି। ଯେ କୌଣସି ବିପର୍ଯ୍ୟୟରେ କୃଷିକ୍ଷେତ୍ର ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଓଡ଼ିଶାରେ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଉଭୟ ଚାଷ ଏବଂ ଚାଷୀ ବିଶେଷ ପ୍ରଭାବିତ ହୋଇଥାନ୍ତି ଏବଂ ଜୀବନ ଜୀବିକାରେ ବହୁ ଅସୁବିଧା ଦେଖା ଦେଇଥାଏ। କହିବାକୁ ଗଲେ କୃଷିକ୍ଷେତ୍ର ବିଭିନ୍ନ ସମସ୍ୟା ପାଇଁ ଏବେ ବିପଦସଙ୍କୁଳ ସ୍ଥିତିରେ ରହିଛି।
ଏହା ସତ୍ତ୍ୱେ କୃଷି ଉପରେ ରାଜ୍ୟର ଦୁଇତୃତୀୟାଂଶ ଲୋକ ନିିର୍ଭରଶୀଳ। କରୋନା ଯୋଗୁ ରାଜ୍ୟ ଓ ଦେଶ ବାହାରୁ ଶ୍ରମିକ ତଥା ଦିନମଜୁରିଆ ରୋଜଗାର ହରାଇ ଏବେ ନିଜ ଘରକୁ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ ଅଛନ୍ତି। ଓଡ଼ିଶା ଏକ ଉତ୍ପାଦନକାରୀ ରାଜ୍ୟ ହୋଇ ନ ଥିବାରୁ ସେମାନଙ୍କୁ ରୋଜଗାର ଯୋଗାଇଦେବାର ବିକଳ୍ପ ଥିଲାଭଳି ମନେ ହେଉନାହିଁ। ଏତେମାତ୍ରାରେ ଲୋକ ବେକାର ବା ବେରୋଜଗାର ହୋଇ ରହିଲେ, ଏହା ରାଜ୍ୟ ପାଇଁ ଉତ୍କଟ ସମସ୍ୟା ସୃଷ୍ଟି କରିବ। ତେଣୁ ଆମକୁ ପୁଣି ସେହି କୃଷି ଉପରେ ଭରସା ରଖି ଏହିସବୁ ପ୍ରବାସୀଙ୍କୁ ନିୟୋଜିତ କରିବାର ଏକ ସ୍ଥାୟୀ ସମାଧାନ ଖୋଜିବାକୁ ପଡ଼ିବ। ଅର୍ଥଶାସ୍ତ୍ରୀମାନଙ୍କର ଯୁକ୍ତି ହୋଇପାରେ ଯେ, କେବଳ କୃଷି ଓଡ଼ିଶାର ଅର୍ଥବ୍ୟବସ୍ଥାକୁ ସୁଧାରି ପାରିବା ସମ୍ଭବ ମନେ ହୁଏ ନାହିଁ। ଏହା ମଧ୍ୟ ତର୍କଯୋଗ୍ୟ। କିନ୍ତୁ କୃଷିବିବିଧତା ଏକ ନୂଆ ସୁଯୋଗ ଆଣି ଦେବା ସହ କରୋନା ପରବର୍ତ୍ତୀ ନିମ୍ନଗାମୀ ଅର୍ଥବ୍ୟବସ୍ଥାକୁ ସୁଧାରିବା ଓ ଆର୍ଥିକ ସମସ୍ୟାର ସମାଧାନ କରିବାରେ ସକ୍ଷମ। କୃଷିବିବିଧତା ସେମାନଙ୍କ ପାଇଁ ରୋଜଗାର ଯୋଗାଇବାର ସୁଯୋଗ ସୃଷ୍ଟି କରିବା ସହ ଆୟବୃଦ୍ଧିର ଏକ ନୂଆ ପଦ୍ଧତି। କୃଷି ସହ ପଶୁପାଳନ, ମତ୍ସ୍ୟଚାଷ, କୁକୁଡାଚାଷ, ମହୁଚାଷ, ଫୁଲଚାଷ, ଉଦ୍ୟାନକୃଷି ଏବଂ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ଉତ୍ପାଦନ ରୋଜଗାର ବଢ଼ାଇବାରେ ଅଧିକ ସହାୟକ ହେବ। ଏହାଦ୍ୱାରା ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗଢିଉଠିବ ଏବଂ ଏହା କୃଷି ବ୍ୟବସାୟକୁ ଅଧିକ ପ୍ରୋତ୍ସାହିତ କରିବ। କୃଷି ମୂଲ୍ୟ ଶୃଙ୍ଖଳ, ଶୀତଳ ଭଣ୍ଡାର ଏବଂ ବଜାରକୁ ସୁଦୃଢ଼ କଲେ ଏହା ଅଧିକ ସହଜ ହୋଇପାରିବ।
ଆମ ରାଜ୍ୟର ଅଧିକାଂଶ ଚାଷୀ ଧାନଚାଷ କରୁଥିବା ଯୋଗୁ ଆମେ କୃଷି ବିବିଧତାର ସବୁଠୁ ତଳେ ଥିବାବେଳେ କର୍ନାଟକ ଶୀର୍ଷରେ ଅଛି। ତା’ ପଛକୁ ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟ ରହିଛନ୍ତି। ସେମାନେ କୃଷି ଓ ଶିଳ୍ପ ମଧ୍ୟରେ ସମନ୍ବୟ ରଖି ଉତ୍ପାଦନ କରିଚାଲିଛନ୍ତି। ସେମାନେ ଅଧିକ ଅର୍ଥକରୀ ଫସଲ ଉତ୍ପାଦନ କରି କୃଷିକୁ ଏକ ଲାଭଜନକ ଜୀବିକା ହିସାବରେ ଗ୍ରହଣ କରିଛନ୍ତି। ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟ କୃଷି ବିବିଧତାରେ ବହୁ ଆଗରେ ଏବଂ ସେମାନେ ଆମକୁ ନିତ୍ୟ ଆବଶ୍ୟକ ବହୁ ଖାଦ୍ୟପଦାର୍ଥ ଯଥା- ମାଛ, ମାଂସ, ଅଣ୍ଡା, ଫଳ, ପନିପରିବା ଇତ୍ୟାଦି ବର୍ଷସାରା ଯୋଗାଇ ଆସୁଛନ୍ତି। ଆମ ରାଜ୍ୟ ଭିତରେ ଦକ୍ଷିଣ ଓଡ଼ିଶାର ଜିଲାଗୁଡିକ କୃଷି ବିବିଧତାରେ ଆଗରେ ଥିବାବେଳେ ଉପକୂଳବର୍ତ୍ତୀ ଜିଲାଗୁଡିକ ଅଧିକାଂଶ ଧାନଚାଷ ପାଇଁ ପଛରେ ଅଛନ୍ତି। ତେଣୁ ସମୟ ଆସିଛି, ଆତ୍ମନିର୍ଭରଶୀଳ ହେବା ଏବଂ କୃଷି ବିବିଧତାକୁ ଆମ ରାଜ୍ୟରେ ଅଧିକରୁ ଅଧିକ ବ୍ୟାପକ କରିବା।
ଏଥିପାଇଁ ବିଭିନ୍ନ ପଦକ୍ଷେପର ଆବଶ୍ୟକତା ଥିବାବେଳେ ସରକାରଙ୍କ ନୀତି ପ୍ରଣୟନରେ ସୁଧାର ଆଣି ଜିଲା ଏବଂ ବ୍ଲକ୍‌ଗୁଡ଼ିକ ନିଜର ସୁବିଧା ଅନୁଯାୟୀ ନିର୍ଦ୍ଦିଷ୍ଟ ଚାଷ ଉପରେ ଦୃଷ୍ଟି କେନ୍ଦ୍ରିତ କରିବା ଉଚିତ। କାରଣ କୃଷି ଜଳବାୟୁ କ୍ଷେତ୍ର ଏବଂ ମୃତ୍ତିକା ଅନୁସାରେ ଚାଷୀଙ୍କୁ ବିଭିନ୍ନ ପ୍ରକାର କୃଷି ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ଆମ ରାଜ୍ୟରେ ୧୦ ପ୍ରକାର କୃଷି ଜଳବାୟୁ କ୍ଷେତ୍ର ଥିବା ବେଳେ ବିଭିନ୍ନ ପ୍ରକାର ମୃତ୍ତିକା ମଧ୍ୟ ଅଛି। ତେଣୁ ଉପଯୁକ୍ତ ଜଳବାୟୁ ଓ ମୃତ୍ତିକା ଅନୁସାରେ କୃଷି କାର୍ଯ୍ୟ କଲେ ଏହା ଅଧିକ ଫଳପ୍ରଦ ହେବ। ଉଦାହରଣ ସ୍ବରୂପ, ଉପକୂଳ ଜିଲାଗୁଡିକରେ ମତ୍ସ୍ୟଚାଷକୁ ପ୍ରାଧାନ୍ୟ ଦେଲେ ଆମକୁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ନ୍ତା ନାହିଁ। ସେହିପରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକ ପାର୍ବତ୍ୟାଞ୍ଚଳ ଓ ଜଙ୍ଗଲ ଘେରରେ ରହୁଥିବାରୁ ବିଭିନ୍ନ ପ୍ରକାର ପଶୁପକ୍ଷୀ ପାଳନ ଏବଂ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ କରିବା ସହଜ ହୋଇପାରିବ। ଗୋପାଳନକୁ ଅଧିକରୁ ଅଧିକ ବ୍ୟାପକ କରାଗଲେ ଗ୍ରାମାଞ୍ଚଳ ଲୋକମାନେ ସହଜରେ ବିଭିନ୍ନ ଦୁଗ୍ଧଜାତୀୟ ଦ୍ରବ୍ୟ ପାଇପାରିବେ ଏବଂ ଏହାଦ୍ୱାରା ଗ୍ରାମାଞ୍ଚଳ ଶିଶୁମାନଙ୍କଠାରେ ଦେଖାଦେଉଥିବା ଅପପୁଷ୍ଟି ହାରକୁ ମଧ୍ୟ କମାଯାଇପାରନ୍ତା।
ବର୍ତ୍ତମାନ ସମୟରେ ଲୋକମାନଙ୍କର ଖାଦ୍ୟ ପ୍ରଣାଳୀରେ ବହୁତ ପରିବର୍ତ୍ତନ ଦେଖାଦେଇଛି। ଖାଦ୍ୟଶସ୍ୟଜନିତ ଖାଦ୍ୟପଦାର୍ଥକୁ କମାଇ ଲୋକମାନେ ଅଧିକ ପନିପରିବା, ଫଳ, ଦୁଗ୍ଧଜାତୀୟ ଦ୍ରବ୍ୟ, ମାଛ, ମାଂସ ଓ ଅଣ୍ଡା ଇତ୍ୟାଦି ଖାଦ୍ୟପଦାର୍ଥକୁ ଅପଣାଇଛନ୍ତି। ଆହୁରି ମଧ୍ୟ ଆଜିକାଲି ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥର ଚାହିଦା ବଢ଼ିବାରେ ଲାଗିଛି। କୃଷି ବିବିଧତା ଖାଦ୍ୟ ସୁରକ୍ଷା ଯୋଗାଇ ଦେବାରେ ସହାୟକ ହେବା ସହ ପୋଷଣ ସୁରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରୁଛି। ଏହା ବଜାର ମୂଲ୍ୟ ଅସ୍ଥିରତାକୁ କମାଇବାରେ ସହାୟତା କରୁଛି, କାରଣ ଏହା ଅଧିକ ଅମଳ ସମୟରେ ଅଭାବୀ ବିକ୍ରି ଏବଂ କମ୍‌ ଅମଳ ସମୟରେ ଅଧିକ ଦର ବୃଦ୍ଧି ଭଳି ସମସ୍ୟାର ଏକ ସମାଧାନ। ଏହା ମାଟିର ଉର୍ବରତା ବଢ଼ାଇବା ସହ ମିଶ୍ରିତ କୃଷିର ପ୍ରଭାବରେ ଉତ୍ପାଦକତାକୁ ବଢାଇବାରେ ସହାୟକ ହେଉଥିବା ବେଳେ ଜୈବବିବିଧତାର ମଧ୍ୟ ସୁରକ୍ଷା କରିଥାଏ।
ପରିଶେଷରେ ଏହା କୁହାଯାଇପାରେ ଯେ, କରୋନା ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ଏକ ନୂଆ ଦିଗକୁ ନେଇଯିବାକୁ ହେଲେ, ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଓ କୃଷି ବିବିଧତାକୁ ଆପଣାଇବାର ସମୟ ଆସିଛି। ଏହା ମଧ୍ୟ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ କୃଷିକ୍ଷେତ୍ରକୁ ସୁରକ୍ଷିତ ରଖିବାର ଏକ ବିକଳ୍ପ ପରି ମନେହୁଏ। ଏହି ବିପତ୍ତିଗୁଡିକର ପ୍ରଭାବ ସହର ଅପେକ୍ଷା ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତିକୁ ଅଧିକ ବିଗାଡି ଦେଇଥାଏ। ତେଣୁ ସମୟାନୁଯାୟୀ ଆମକୁ ଗ୍ରାମାଭିମୁଖୀ ହୋଇ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାର ଅଛି। ରୋଜଗାର ହରେଇ ଫେରି ଆସିଥିବା ଓଡ଼ିଆ ଏବଂ ଗ୍ରାମାଞ୍ଚଳର ଅର୍ଦ୍ଧଶିକ୍ଷିତ ବେକାର ଯୁବକମାନଙ୍କୁ ଉନ୍ନତ କୃଷିପ୍ରଣାଳୀକୁ ଆପଣାଇବା ଲାଗି ତାଲିମ ଦେବା ପାଇଁ କୃଷି-ବ୍ୟବସାୟିକ ଅନୁଷ୍ଠାନ ଖୋଲାଗଲେ, ସେମାନଙ୍କୁ କୃଷି ବିବିଧତା ଆଡ଼କୁ ଆକୃଷ୍ଟ କରାଯାଇପାରିବ। କୃଷି ବିବିଧତା ବଢ଼ିଲେ, ଆପେ ଆପେ ବିଭିନ୍ନ କୁଟୀରଶିଳ୍ପ ଗଢ଼ି ଉଠିବ ଏବଂ ବହୁ ଚାଷୀ, ଶ୍ରମିକ ଓ ମହିଳା ମଧ୍ୟ ରୋଜଗାରକ୍ଷମ ହେବେ। ଏହା ଓଡ଼ିଶା ଭଳି କୃଷିପ୍ରଧାନ ରାଜ୍ୟର କରୋନା ପରବର୍ତ୍ତୀ ସ୍ଥିତିକୁ ସମ୍ଭାଳିବା ସହ ରାଜ୍ୟକୁ ଆତ୍ମନିିର୍ଭଳଶୀଳ ହେବାରେ ସହାୟକ ହେବ। ଏତଦ୍‌ବ୍ୟତୀତ ଏହାଦ୍ୱାରା ଚାଷୀ, ଶ୍ରମିକ ଓ ବେକାରଙ୍କୁ ରୋଜଗାର ଯୋଗାଇ ଦାରିଦ୍ର୍ୟ ଦୂରୀକରଣ ମଧ୍ୟ କରାଯାଇପାରିବ ବୋଲି ଅନେକ ଗବେଷକଙ୍କ ମତ ଓ ବିଶ୍ୱାସ।
ସିନିୟର ରିସର୍ଚ୍ଚ ଫେଲୋ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ମୋ- ୭୫୦୪୫୧୬୦୯୦


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?