ଓଡ଼ିଶାରେ ଦୋଳଯାତ୍ରା

ଡ. ଭାଗ୍ୟଲିପି ମଲ୍ଲ

ଶୀତ ସରି ସରି ଆସୁଛି। ଖରା ଧରାକୁ ମୁହାଁଇଛି। ସନ୍ଧି ସମୟ। କାଳପ୍ରବାହରେ ମଧୁମାସ। ବସନ୍ତ। ଚାରିଆଡ଼େ ଫୁଲ ଆଉ ଫୁଲ। ଗଛଗଛରେ ନୂଆପତ୍ର, ନୂଆଫୁଲର କଢ଼ି। ପବନରେ ହାଲୁକା ତାତି। ନୂଆ ପ୍ରକୃତିର ଛୁଆଁ ଦେହ ଓ ମନରେ। ପ୍ରକୃତି ଏବଂ ମଣିଷ ଉଭୟ ପୁଲକିତ। ସାଧାରଣ ମଣିଷ ଓ ପ୍ରକୃତିର ଏହି ଅଭିବ୍ୟକ୍ତି ସଞ୍ଚରି ଯାଇଛି ଦେବତାଙ୍କ ପାଖକୁ। ସେ ଦେବତା ରାଧା ଆଉ କୃଷ୍ଣ। ପୂର୍ଣ୍ଣତମ ଓ ପୂର୍ଣ୍ଣତମା। ଓହ୍ଲେଇ ଆସନ୍ତି ଧରାକୁ ବସନ୍ତକୁ ଉପଭୋଗ କରିବାକୁ। ଫୁଲ, ରଙ୍ଗ, ପରାଗ ଓ ସମ୍ମୋହନରେ ସମାହିତ କରିବାକୁ ସକଳ ସୃଷ୍ଟିକୁ।
ସେହି ଦିନକୁ କୁହାଯାଏ ଦୋଳପୂର୍ଣ୍ଣମୀ। ଦୋଳଗୋବିନ୍ଦଙ୍କର ଦୋଳବିମାନରେ ଦୋଳିଖେଳ। ଫଗୁ ଦଶମୀରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ। ପ୍ରମୂର୍ତ୍ତ ବସନ୍ତରେ ପ୍ରକୃତି ସହ ଦେବତା ବି ପୁଲକିତ। ସକଳ ସଂସ୍କାର ବନ୍ଧନରୁ ମୁକ୍ତହୋଇ ପ୍ରକୃତି ସ୍ବରୂପିଣୀ ଶ୍ରୀରାଧା ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ପାଦତଳେ ରଙ୍ଗ ଖେଳିବାକୁ ପ୍ରସ୍ତୁତ। ଶ୍ୟାମ ପ୍ରେମରେ ବିଭୋର ଗୋପାଙ୍ଗନା। ପରମ ପ୍ରେମିକ ଶ୍ରୀକୃଷ୍ଣ ସେମାନଙ୍କ ପ୍ରେମ ସ୍ବୀକାର କରନ୍ତି। ଦୋଳମଣ୍ଡପରେ ଦୋଳବିମାନରେ ବିଜେ କରନ୍ତି।
ରାତିରେ ନିରୂପିତ ହୋଇଥିବା ମେଳଣ ପଡ଼ିଆକୁ ଦୋଳବିମାନରେ ଦୋଳଗୋବିନ୍ଦ ଆସନ୍ତି। ସୁସଜ୍ଜିତ ବିମାନ। ରଙ୍ଗବେରଙ୍ଗ ଚିତ୍ରରେ ଚିତ୍ରାୟିତ। ଫୁଲମାଳରେ ବିମଣ୍ଡିତ। ସେଇଠି ହୁଏ ଦୋଳଗୋବିନ୍ଦଙ୍କ ମହାମିଳନ। ସମବେତ ବିମାନଗୁଡ଼ିକୁ ଧାଡ଼ି ଧାଡ଼ି କରି ସଜେଇ ରଖାଯାଇଥାଏ। ବାଦ୍ୟଯନ୍ତ୍ର, ସଂକୀର୍ତ୍ତନ ଓ ସାଂସ୍କୃତିକ ଅଭିବାଦନରେ ମୁଖରିତ ହୁଏ ମେଳଣପଡ଼ିଆ। ଆରମ୍ଭ ହୁଏ ଫଗୁଖେଳର ପର୍ବ। ରଙ୍ଗର ମଉଛବ। ଶ୍ୟାମ ପ୍ରେମରେ ବିଭୋର ଗୋପାଙ୍ଗନା ଓ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗରେ ଅବିର, ଅଗୁରୁ, ଚନ୍ଦନର ପ୍ରଲେପରେ କରନ୍ତି ମିଳନର ଆବାହନ। ଶ୍ରୀକୃଷ୍ଣ ସେମାନଙ୍କ ପ୍ରେମ ସ୍ବୀକାର କରନ୍ତି। ଜୀବ ଓ ପରମଙ୍କ ଅନୁରାଗରେ ଦୋଳରେ ସିକ୍ତ ହୁଅନ୍ତି ଦୋଳଗୋବିନ୍ଦ।
ଦୋଳବିମାନରେ ବସି କେବଳ ଦୋଳଗୋବିନ୍ଦ ମେଳଣ ପଡ଼ିଆକୁ ଯାଆନ୍ତି ନାହିଁ, ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଏହିଦିନ ଚାଚେରୀ ବେଶରେ ସଜ ହୁଅନ୍ତି। ନାଲିରଙ୍ଗର ବସ୍ତ୍ରରେ ବିମଣ୍ଡିତହୋଇ ଫଗୁଭର୍ତ୍ତି ମୁଣାଧରି ଭକ୍ତଙ୍କୁ ଅପେକ୍ଷା ରଖନ୍ତି। ଦୋଳଉତ୍ସବ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କ ଚଳନ୍ତିପ୍ରତିମା ଶ୍ରୀମଦନମୋହନ ଦୋଳମଣ୍ଡପକୁ ବିଜେ କରନ୍ତି। ଏଣେ ଶ୍ରୀଜଗନ୍ନାଥଙ୍କୁ ପୂର୍ଣ୍ଣମୀ ଦିନ ରାଜବେଶରେ ଭୂଷିତ କରାଯାଏ। ଦୋଳରେ ଦୋଳଗୋବିନ୍ଦଙ୍କ ଲୀଳା ସମ୍ପର୍କରେ ପଦ୍ମପୁରାଣ ଓ ସ୍କନ୍ଦପୁରାଣରେ ବର୍ଣ୍ଣନା ରହିଛି। ଏହିଦିନ ଦୋଳରେ ଠାକୁରଙ୍କୁ ଦର୍ଶନ କଲେ କୁଆଡ଼େ ପୁନର୍ଜନ୍ମ ହୁଏନାହିଁ।
ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଦୋଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୁଏ। ଫାଲ୍‌ଗୁନ ପୂର୍ଣ୍ଣମୀର ଛଅଦିନ ପୂର୍ବରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଦିନ ଶେଷ ହୁଏ। ଦୋଳଗୋବିନ୍ଦଙ୍କ ପ୍ରତିନିଧି ଏଠି ହରିହର। ପ୍ରତିଦିନ ସୁସଜ୍ଜିତ ବିମାନରେ ଦୋଳି ଖେଳି ଖେଳି ହରିହର ନଗର ପରିକ୍ରମା କରନ୍ତି। ଶେଷଦିନ ଫଗୁ ଖେଳିସାରି ଯାତ୍ରା ସାରନ୍ତି। ମନ୍ଦିରର ଉତ୍ତରପଟରେ କାରୁକାର୍ଯ୍ୟମଣ୍ଡିତ ତୋରଣରେ ଦୋଳମଣ୍ଡପ। ସେଇଠି ହୁଏ ହରିହରଙ୍କ ଦୋଳଯାତ୍ରାର ଦୋଳିଖେଳ।
ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପରି ଓଡ଼ିଶାର ବହୁ ସ୍ଥାନରେ ଦୋଳରେ ଦୋଳଗୋବିନ୍ଦ ଦୋଳି ଖେଳନ୍ତି ଦୋଳବିମାନରେ। ବିଶେଷକରି ନେମାଳ ମଠରେ ଦୋଳ ଉତ୍ସବ, ବୟାଳିଶ ମୌଜାର ଗୋପୀନାଥ ଦେବଙ୍କ ଦୋଳ ମେଳଣ, ବାଲିକୁଦା ଚଅଁରପୁର ମାଧୁରୀମଠର ବୈଷ୍ଣବମେଳା, ବ୍ରହ୍ମଗିରିର ହରିହର ଭେଟ, ଅରିଲୋ ଗ୍ରାମର ଶ୍ରୀଯୁଗଳକିଶୋର ଦେବଙ୍କ ଦୋଳଯାତ୍ରା, କରଞ୍ଜିଆର ଦୋଳମେଳଣ, ହରିରାଜପୁରର ଦୋଳଯାତ୍ରା, ବରୁଣା ଗ୍ରାମର ଦୋଳମେଳଣ, କୁଲାଡ଼ର ବ୍ୟାଘ୍ରଦେବୀଙ୍କ ପୀଠର ଦୋଳଯାତ୍ରା, ପାଣ୍ଡୁଆ ଦୋଳ, ଶ୍ରୀବରାହଦେବଙ୍କ ଦୋଳଯାତ୍ରା, ଏରଞ୍ଚତ୍ ଗ୍ରାମର ନୃସିଂହନାଥଙ୍କ ଦୋଳ ଓ ପତରାଜପୁରର ଦୋଳ ଉତ୍ସବ ପ୍ରସିଦ୍ଧ। ମାତ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ରଜଭୂମି ବୃନ୍ଦାବନକୁ କେନ୍ଦ୍ରକରି ଭାରତବର୍ଷର ବହୁ ବୈଷ୍ଣବମଠ ଓ ପୀଠରେ ରାଧାକୃଷ୍ଣଙ୍କ ଲୀଳାର ଉଷ୍ମତା ଅନୁଭବ କରିହୁଏ ଏହି ଅବସରରେ।
ଦୋଳର ଏକ ସମୃଦ୍ଧ ବିଭବ- ରାଧାକୃଷ୍ଣଙ୍କ ହୋଲିଖେଳ। ଏହା ଅହଂର ବିସର୍ଜନ। ସମର୍ପଣ। ସମର୍ପଣର କାରଣ ଭୟ ନୁହେଁ, ସମ୍ମୋହନ। ସମର୍ପଣରେ ଆନନ୍ଦ ଓ ସୁଖ। ପୂର୍ଣ୍ଣ ଆତ୍ମସମର୍ପଣରେ ମହାନନ୍ଦ ଓ ମହାସୁଖ। ଚେତନାରେ ସମ୍ମେଳନର ନାଦ ପ୍ରତିଧ୍ୱନିତ। ମୁକ୍ତ ମିଳନ ପାଇଁ ତ ସେମାନେ ବାହାରି ଆସନ୍ତି ମନ୍ଦିର ଭିତରୁ! ଦୋଳବିମାନରେ ବସି ଭକ୍ତର କାନ୍ଧରେ ଝୁଲି ଝୁଲି ଦୋଳି ଖେଳନ୍ତି। ପ୍ରକୃତିରୂପାମାନଙ୍କ ସହିତ ମିଶି ଯାଆନ୍ତି। ଜୀବଜଗତ ହୋଇଯାଏ ଆତ୍ମ-ଦର୍ଶନ-ଉନ୍ମୁଖ।
ତେବେ ଦୋଳରେ ଦୋଳଗୋବିନ୍ଦଙ୍କୁ ଏପରି ସ୍ବୀକାର କରିବାର ମାନସିକତା ମଣିଷ ଭିତରେ କେବେ ଆସିଲା, ତାହା ନିର୍ଦ୍ଦିଷ୍ଟକରି କହିହେବ ନାହିଁ। ମାତ୍ର ଏହା ଯେ ହଜାରେ ବର୍ଷ ତଳର ପ୍ରାଚୀନ ପର୍ବ, ଏ କଥା ଏକାଦଶ ଶତାବ୍ଦୀରେ ଓଡ଼ିଆ ସ୍ମୃତିକାର ଶତାନନ୍ଦ ଆଚାର୍ଯ୍ୟ ‘ଶତାନନ୍ଦ ସଂଗ୍ରହ’ରେ ଲେଖିଛନ୍ତି। ଭାରତବର୍ଷର ବହୁ ସନ୍ଥ, ସାଧକ ଓ ସୃଜନ-ପ୍ରତିଭା ପୁରୁଷ-ପ୍ରକୃତିଙ୍କ ଏହି ଦିବ୍ୟଲୀଳା ଅନୁଗାମୀ ହୋଇଛନ୍ତି। ଫଗୁଖେଳ ମାଧ୍ୟମରେ କୁହାଯାଇଛି କୃଷ୍ଣ ବା ଦୋଳଗୋବିନ୍ଦ ହିଁ ବ୍ରହ୍ମଙ୍କର ମାନବାୟନ। ଅର୍ଥାତ୍‌ ସେ ଆଚରଣରେ କହିଦେବାକୁ ଚାହାନ୍ତି- ସଂସାରୀର କୌଣସି ସତ୍ତା ମିଛ ନୁହେଁ, ମାତ୍ର ସତ୍ୟ ଅହଂକୈନ୍ଦ୍ରିକ ହୋଇଗଲେ ଆତଙ୍କ ସୃଷ୍ଟି କରେ। ଆଚରଣରେ ଅହଂମୁକ୍ତ ସମ୍ପୃକ୍ତି ହିଁ ସମ୍ପର୍କ। ଏହି ସମ୍ପକର୍ର୍ ବ୍ୟକ୍ତି ଚେତନାକୁ ଶାନ୍ତ ଓ ଉଦ୍‌ବେଗମୁକ୍ତ କରେ। ଏ ସମ୍ପକର୍ର୍ର ଅନ୍ୟ ନାଁ- ଆଧ୍ୟାତ୍ମିକତା।
ଦୋଳବିମାନରେ ବସି ଦୋଳି ଖେଳି ଖେଳି ଦୋଳମଣ୍ଡପରେ ପରମ ରସିକ ଦୋଳଗୋବିନ୍ଦ ଏଇ କଥା ବୁଝେଇ ଦେଇଛନ୍ତି। କହିଛନ୍ତି, କର୍ମ ହିଁ ଏକମାତ୍ର ସତ୍ୟ। କର୍ମ ଭିତରେ ଆତ୍ମଦର୍ଶନ ହିଁ ପ୍ରେମ ଏବଂ ପ୍ରେମ ଏକ ଅମୂର୍ତ୍ତ ଅନୁଭବ।
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri