ଏକ ନୂଆ ସକାଳର ପ୍ରତୀକ୍ଷାରେ

ଉପେନ୍ଦ୍ର ବିଶ୍ୱାଳ

ବିଶ୍ୱ ବରେଣ୍ୟ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ କହିଥିଲେ ‘ବ୍ରହ୍ମାଣ୍ଡ ଯେମିତି ଅନନ୍ତ, ମଣିଷର ନିର୍ବୋଧତା ବି ସେମିତି ଅନନ୍ତ।’ ମଣିଷର ଏହି ନିର୍ବୋଧପଣିଆ ହିଁ ତା’ ଦୁଃଖ ଓ ଦୁର୍ଦ୍ଦିନର କାରଣ। ନିର୍ବୋଧତା ହିଁ ମଣିଷର ପତନର ପଥକୁ ପ୍ରଶସ୍ତ କରିଥାଏ। ଠିକ୍‌ ଏହି କଥାକୁ ବି ଆମ ବିଜ୍ଞ ମୁନି-ଋଷିମାନେ ଚେତାଇ ଯାଇଛନ୍ତି ବାରମ୍ବାର। ସେମାନେ ଥିଲେ ଅତିମାନସର ସନ୍ଧାନୀ। ଭୌତିକ ଜଗତର ଊର୍ଦ୍ଧ୍ୱରେ ରହି ଉଚ୍ଚତର ବିଭବକୁ ପ୍ରାପ୍ତ କରିଥିଲେ। ଦୂରଦ୍ରଷ୍ଟା ଏହି ମୁନି-ଋଷିଙ୍କର ଆପ୍ତବାକ୍ୟ ତ ଅକାଟ୍ୟ। ଏପରି ଅତିଭୌତିକ ଜ୍ଞାନୀମାନେ କହନ୍ତି ‘ମଣିଷର ଚେତନାଗତ ବିକୃତି ଭିତରୁ ନୂଆ ନୂଆ ଜୀବାଣୁ ଜନ୍ମ ନେଇପାରନ୍ତି’ (ଅନ୍ତରଙ୍ଗ ଭାରତ, ମନୋଜ ଦାସ, ପୃଷ୍ଠା ୩୫୫)। ଭୂତାଣୁଜନିତ ଆଜିର ବିଭୀଷିକା, ଆମ ବିକୃତିର ସାଙ୍କେତିକ ଇଙ୍ଗିତ ନୁହଁ କି? ସିଧାସିଧା ଆମେ କହିପାରିବା ଆମ ପାପାଚାର ଯୋଗୁଁ ଆଜିର ଭାଇରସ୍‌ର ବ୍ୟୁପତ୍ତ୍ତି। ଠିକ୍‌ ଏହି କଥାକୁ ବି ଭଗବାନ ଶ୍ରୀକୃଷ୍ଣ ଆମକୁ ସୂଚାଇ ଯାଇଛନ୍ତି। ସୃଷ୍ଟିଚକ୍ରର ନିୟମାନୁଯାୟୀ ଦୁନିଆରେ ପାପାଚାର ବଢ଼ିଗଲେ, ଭୟଙ୍କର ସଙ୍କଟ କବଳରୁ ଜଗତକୁ ରକ୍ଷା କରିବାକୁ ଭଗବାନ ସମୁଚିତ ବ୍ୟବସ୍ଥା କରିଥାନ୍ତି। ମଣିଷର ଚେତନା ବିକୃତ ବା କୁଟିଳ ହେଲେ, ସେ ସୈତାନରେ ରୂପାନ୍ତରିତ ହୋଇଯାଏ। ତା’ର ସତ୍ୟାନାଶୀ କ୍ରିୟାକଳାପ ହିଁ ସର୍ବନାଶକୁ ଆମନ୍ତ୍ରଣ କରେ। ବୋଧହୁଏ ଏଇଥିପାଇଁ ପୃଥିବୀର ଭାରସାମ୍ୟ ରକ୍ଷା କରିବାକୁ ବିଧାତାଙ୍କର ଆଜି ଏପରି ଏକ ଲୀଳା ଖେଳା। ଫଳରେ ମଣିଷ ହେଜିବ। ନିଜକୁ ତର୍ଜମା କରିବ ଓ ସଚେତନ ହେବ। ରାମରୁ ମରାକୁ ଆସିଯାଇଥିବା ମଣିଷ ପୁଣି ମରାରୁ ରାମକୁ ଫେରିଆସିବ। ଦସ୍ୟୁରୁ ମହର୍ଷି ହେବ। ଜୀବନର ମହାକାବ୍ୟ ରଚିବ, ଠିକ୍‌ ବାଲ୍ମୀକିଙ୍କ ପରି। ମର୍ଯ୍ୟାଦାଚ୍ଛାଦିତ ମହାର୍ଘ୍ୟ ମୂଲ୍ୟବୋଧଭରା ରାଜ୍ୟଟିଏ ଗଢ଼ିବ। ଅପରାଧୀକୁ ବନ୍ଦୀ କରି ରଖାଯାଏ, କାରଣ ସେ ହୁଏତ ଆମତ୍ଅନୁଶୀଳନ କରିବ, କୃତକର୍ମ ପାଇଁ ପଶ୍ଚାତ୍ତାପ କରିବ। ତା’ପରେ ବନ୍ଦୀମୁକ୍ତ ହୋଇ ସୁସ୍ଥ ଓ ସୁନ୍ଦର ଜୀବନ ଜିଇବ। ଆଜିର ଏ ପରିପ୍ରେକ୍ଷୀରେ ମଣିଷ ହିଁ ଅସଲ ଅପରାଧୀ। ବିଧାତାଙ୍କ ସୁନ୍ଦର ସୃଷ୍ଟିକୁ ବିପର୍ଯ୍ୟସ୍ତ କରିବାରେ, ପ୍ରକୃତି ଓ ପ୍ରାଣୀ ଜଗତକୁ ଜଘନ୍ୟ ଯନ୍ତ୍ରଣାଯୁକ୍ତ କରିବାରେ ମଣିଷର ଭୂମିକା ଅତି ନିନ୍ଦନୀୟ। ମଣିଷ ଯେମିତି ଅମାନିଆ ପ୍ରାଣୀଙ୍କୁ ତୁଣ୍ଡରେ ବାନ୍ଧି ଆୟତ୍ତ କରିବାକୁ ପ୍ରୟାସ କରେ, ଠିକ୍‌ ସେମିତି ଭଗବାନ ମଧ୍ୟ ଆମକୁ ଜବତ୍‌ କରିବାକୁ ମୁହଁରେ ତୁଣ୍ଡି ଓ ବନ୍ଦୀ ଜୀବନର ବ୍ୟବସ୍ଥା କରିଛନ୍ତି। ସୁଧୁରିଯିବା ହିଁ ଭବିଷ୍ୟତ ପାଇଁ ଖୁବ୍‌ ମଙ୍ଗଳପ୍ରଦ। ବିଜ୍ଞାନ ବଳରେ ବଳିଆନ ହୋଇ ମଣିଷ ଭାବୁଥାଏ, ବଞ୍ଚିବା ଓ ବଢ଼ିବାର କାମ କରିଚାଲିଛି। କିନ୍ତୁ ସେ ଜାଣିପାରୁ ନ ଥାଏ ଯେ ତଥାକଥିତ ବଞ୍ଚିବା ଓ ବଢ଼ିବାର ଉପାୟ ଭିତରେ ମରିବାର ବାଟକୁ ବାଛିନେଉଛି ବୋଲି। ସତରେ କି ହୀନସ୍ତା ଭୋଗୁଛି ଏ ମଣିଷ ଆଜି? ବିଶ୍ୱରେ ପ୍ରାୟ ଏଭଳି କୌଣସି ଦେଶ ନାହିଁ କି ଏପରି କେହି ମଣିଷ ନାହାନ୍ତି, ଯିଏ କି କଲବଲ ନ ହେଉଛି, ଏଥିରେ। ଦିନେ ବା ଦୁଇଦିନ ନୁହଁ, ନିଜକୁ ବନ୍ଦୀ କରି ରଖୁଛି ମାସ ମାସ ଧରି।
କେହି ଜଣେ ପ୍ରାଜ୍ଞ ମଣିଷ କହିଥିଲେ, ”ମଣିଷ ଢେର ଉନ୍ନତି କରିଚାଲିଛି, କିନ୍ତୁ ବଞ୍ଚିବାର ବାଟକୁ ଛାଡ଼ି। ଅସୀମ ଉଚ୍ଚ ଆକାଶରେ ପକ୍ଷୀ ପରି ଉଡ଼ିପାରୁଛି, ମାଛ ପରି ଅତଳ ଜଳରେ ସନ୍ତରଣ କରିପାରୁଛି। କିନ୍ତୁ ଧରାପୃଷ୍ଠରେ ମଣିଷ ପରି କେମିତି ବଞ୍ଚିବାକୁ ହୁଏ, ତାହା ସେ ଜାଣିପାରୁନି।“ ମଣିଷ ନିଜର ସ୍ବାର୍ଥ ପାଇଁ ସମଗ୍ର ସୃଷ୍ଟିସତ୍ତାକୁ ବିପର୍ଯ୍ୟସ୍ତ କରିଚାଲିଛି। ଭଗବାନଙ୍କ ସୁନ୍ଦର ଏ ସୃଷ୍ଟି, ଯେଉଁ ପଞ୍ଚ ମହାଭୂତକୁ ନେଇ ଗଠିତ, ତାହା ଆଜି ଭୀଷଣ କ୍ଷତାକ୍ତ। ପଞ୍ଚଭୂତରେ ଗଢ଼ା, ପ୍ରକୃତିରୁ ପାଳିତ-ପୋଷିତ ମଣିଷ ଯେବେ ପ୍ରକୃତି ଛଡ଼ା ହୋଇଯାଏ, ସେତେବେଳେ ବିପର୍ଯ୍ୟୟ ଘନେଇ ଆସେ ଜୀବନରେ। ଗତ ପାଞ୍ଚ ବର୍ଷ ତଳେ ଗୋ-ଋଷି ଦତ୍ତଶରଣାନନ୍ଦ ମହାରାଜ ଏକ ସନ୍ଦର୍ଭରେ ଆଶଙ୍କା ବ୍ୟକ୍ତ କରିଥିଲେ ”ତୀବ୍ର ଗତିରେ ଏଠି ଯେମିତି ବିନାଶ ଲୀଳା ଚାଲିଛି, ପ୍ରକୃତିମାତା ଅସମୟରେ ସୃଷ୍ଟିକୁ ଅସ୍ତବ୍ୟସ୍ତ କରିଦେବେ।“ ପେଟ, ପଇସା, ପ୍ରଜନନ ଜୀବନର ଆବଶ୍ୟକତା ନିଶ୍ଚିତ, କିନ୍ତୁ ଜୀବନର ଲକ୍ଷ୍ୟ ନୁହଁ କି ଆଦର୍ଶ ନୁହଁ। ପେଟ, ପଇସା, ପ୍ରଜନନ ପାଖରେ ଅଟକି ଯିବାଟା ପଶୁ ପ୍ରବୃତ୍ତି। ମାତ୍ର ଉକତ୍ର୍ଷର ଉପଲବ୍ଧି କରିବା, ଅମୃତ ଅନ୍ବେଷୀ ହେବା, ମଣିଷର ପ୍ରକୃତି। ତଥାକଥିତ ସୁଖର ମାୟା ଜାଲରେ ପଡ଼ି ବିଳାସଯୁକ୍ତ ବଞ୍ଚିବାକୁ ଜୀବନ କୁହାଯାଏନି। ଆହୁରି ବି ଜୀବନର ସୁନ୍ଦରତା କେବଳ ବଞ୍ଚିବାରେ ନିହିତ ନୁହେଁ। କରୋନା କବଳିତ ଆଜିର ଦିନ ପରି ଧୂଳି-ଧୂଆଁ ହୀନ ନିର୍ମଳ ଆକାଶର ଜ୍ୟୋତ୍ସ୍ନାର ସୌନ୍ଦର୍ଯ୍ୟଠାରୁ ବି ବଳି ଜୀବନର ସୌନ୍ଦର୍ଯ୍ୟ। ବିଭୂଷିତ ହୋଇ ବଞ୍ଚିବାରେ ହିଁ ନିହିତ ଜୀବନର ସୌନ୍ଦର୍ଯ୍ୟ। ସମଗ୍ର ଦୁନିଆ ଆଜି ଯେତେବେଳେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷରତ, ଅର୍ଥର କ୍ରୀତଦାସ ସାଜିଥିବା ଆମେରିକା ଓ ୟୁରୋପ ଜଗତ ସେତେବେଳେ ତାଲାବନ୍ଦରୁ ମୁକୁଳିବାକୁ ଭାରି ବ୍ୟଗ୍ର। ମହାସଂକଟକୁ ଟାଳିବାକୁ ଖୁବ୍‌ ଧୈର୍ଯ୍ୟର ସହିତ ଯୁଝିଲେ ଯାଇ ଜିତାପଟ ସମ୍ଭବ। ଏ ସମୟରେ ଭାରତ ହେଉଛି ଦୁନିଆ ପାଇଁ ଦିଗ୍‌ଦର୍ଶକ। ବିଧାତା ମଧ୍ୟ ବିଶ୍ୱ ସମୁଦାୟକୁ ଇଙ୍ଗିତ କରୁଛନ୍ତି, ଭାରତ ତଥା ଭାରତୀୟତାକୁ ଆଦର କରିବାକୁ କାରଣ ଭାରତ କେବଳ ଏକ ଭୂମି ମାତ୍ର ନୁହଁ, ଏହା ଏକ ଚେତନଶୀଳ ସତ୍ତା। ଦୀର୍ଘ ନିରାମୟ ଜୀବନ ଓ ଶାନ୍ତି ସହାବସ୍ଥାନର ଶାଶ୍ୱତ ସୂତ୍ର ଭାରତ ଭୂମିରେ ହିଁ ନିହିତ ଅଛି। ଏଠାରେ ଜଡ଼କୁ ଜୀବନ୍ୟାସ ଦିଆଯାଇଥାଏ। ପଥର ଓ ମୂର୍ତ୍ତି ପରି ନିର୍ଜୀବ ବସ୍ତୁ ଭିତରେ ପ୍ରାଣ ସଂଚାର ପୂର୍ବକ ଆରାଧନା କରାଯାଇଥାଏ। ମାତ୍ର ଜୀବକୁ ନିର୍ଜୀବରେ ପରିଣତ କରିବା ବା ପ୍ରାଣସତ୍ତାର ବିଲୁପ୍ତି କରିବା, ଭାରତୀୟ ଚେତନାର ବିପରୀତ ବା ବିକୃତିର ବିଲକ୍ଷଣ। ଏଣୁ ଏଠାରେ ଧ୍ୱଂସ ରଚନା, ହିଂସାମତ୍କ କ୍ରିୟାକଳାପ ଚେତନା ବିରୋଧୀ ଓ ସଂସ୍କୃତିର ପରିପନ୍ଥୀ। ସେଇଥିପାଇଁ ଦୂବଠୁ ଦାରୁ, ପଥଠୁ ରଥ ପର୍ଯ୍ୟନ୍ତ ସବୁଠି ଈଶ୍ୱରଙ୍କ ସତ୍ତା ଅନୁଭୂତ ହୁଏ। ପୁନଶ୍ଚ ଭଗବାନ ଏମିତି ଏକ ମହାମାରୀ ଛାଡ଼ିଲେ ଯେ ଯାହାର ନିଦାନ ଭାରତ ପାଖରେ ଭରପୂର ଅଛି। କରମର୍ଦ୍ଦନ, ଆଲିଙ୍ଗନ ଆଦି ସାବ୍ୟସ୍ତ ହୋଇସାରିଛି ବୁମେରାଂ ଭଳି। ନମସ୍କାର ହିଁ ପାଇଛି ବିଶ୍ୱସ୍ବୀକୃତି, ସୌଜନ୍ୟତାର। କେବଳ ଯୋଗ ବା ନମସ୍କାର ମୁଦ୍ରା ନୁହଁ, ଆମର ପ୍ରତିଟି ଚଳଣି ଓ ପରମ୍ପରାରେ ବିଜ୍ଞାନ ନିହିତ। ମୂଲ୍ୟବୋଧ ଜଡ଼ିତ। ଭାରତୀୟମାନଙ୍କୁ ଭଗବାନ ବି ଏହି ସନ୍ଧିକ୍ଷଣରେ ଚେତାଇ ଦେଉଛନ୍ତି, ଉକତ୍ର୍ଷଭରା ଏପରି ସଂସ୍କୃତି ପ୍ରତି ବୀତସ୍ପୃହ ଭାବ ରଖିଲେ, ସଂସ୍କୃତି ବିଚ୍ୟୁତ ମଣିଷର ଅଧପତନ ଅବଶ୍ୟମ୍ଭାବୀ। ଅତଏବ ସମାଜ ସରୋବରର ପଙ୍କ ଅର୍ଥାତ୍‌ ଭୂତାଣୁ ଜନିତ ଏ ପୀଡ଼ନ ଭିତରୁ ବିକଶିତ ହେଉ ଚେତନାର କମଳ। ଭାରତୀୟ ଚେତନାର ଦୀପ୍ତିରେ ଆଲୋକିତ ହେଉ ଆଗାମୀ ଦୁନିଆ। ଆସନ୍ତୁ ପ୍ରସ୍ତୁତ ରହିବା, ଏକ ନୂଆ ସକାଳର ସ୍ବାଗତ ଅପେକ୍ଷାରେ।

ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ-୯୪୩୭୪୩୬୦୭୩
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri