ଏକ ଅମୃତ ଅନୁଭବ

ସଂଗ୍ରାମ କେଶରୀ ପୃଷ୍ଟି

ଏସୃଷ୍ଟିର ପାଳନକର୍ତ୍ତା ପ୍ରଭୁ ବିଷ୍ଣୁ ଦାନ କରିବାକୁ ସଂକଳ୍ପ ନେଲେ। ଏ ଖବର ପ୍ରଚାରିତ ହେବା ପରେ ବିଷ୍ଣୁଲୋକରେ ଦେବ, ଦାନବ, ଗନ୍ଧର୍ବ ଓ କିନ୍ନରମାନଙ୍କର ଗହଳି ଲାଗିଲା। ସମସ୍ତେ ନିଜର ଇଚ୍ଛା ମୁତାବକ ଧନଧାନ୍ୟ, ଶକ୍ତି-ସାମର୍ଥ୍ୟ, ସମ୍ପତ୍ତି-ପ୍ରତିପତ୍ତି, ବିଳାସବ୍ୟସନ, ସନ୍ତାନସନ୍ତତି ଓ ଯଶଖ୍ୟାତି ମାଗିନେଲେ। ଅକୁଣ୍ଠିତ ଚିତ୍ତରେ ସମସ୍ତଙ୍କ ଈପ୍‌ସିତ କାମନା ପୂରଣ କଲେ ବିଷ୍ଣୁ ଭଗବାନ। ଅଳ୍ପ୍ବ ସମୟ ମଧ୍ୟରେ ବୈକୁଣ୍ଠପୁରର ଏତେବଡ଼ କୋଷାଗାର ଶୂନ୍ୟ ହେବାକୁ ଲାଗିଲା। ମା’ ଲକ୍ଷ୍ମୀ ନିକଟରେ ଥାଇ ଏସବୁ ଦୃଶ୍ୟ ଅବଲୋକନ କରୁଥାନ୍ତି। ପ୍ରଭୁଙ୍କ ଦାନ ଓ କୋଷାଗାର ଶୂନ୍ୟ ହେବାର ଦେଖି ନିଜକୁ ସେ ସମ୍ଭାଳି ପାରିଲେ ନାହିଁ। ଏଣୁ ସେ ବ୍ୟସ୍ତହୋଇ ବିଷ୍ଣୁଙ୍କ ପାଖରେ ଆପତ୍ତି କଲେ- ”ହେ ପ୍ରଭୁ। ଏମିତି ଦାନ କରି ଚାଲିଲେ ଆମ କୋଷାଗାର ଶୂନ୍ୟ ପଡ଼ିଯିବ। ସୁଖଶାନ୍ତି ଆମଠୁ ଦୂରେଇଯିବ।“
ଏ କଥା ଶୁଣି ବିଷ୍ଣୁ ଆଶ୍ୱାସନା ଦେଲେ- ଏଥିପାଇଁ ଚିନ୍ତା କରନାହିଁ ଦେବି! ଆମ ଭଣ୍ଡାରଘରୁ ସବୁକିଛି ଚାଲିଗଲା ପରେ ମଧ୍ୟ ଗୋଟିଏ ଜିନିଷ ସୁରକ୍ଷିତ ହୋଇ ରହିଛି। ଏଯାବତ୍‌ ଏହାକୁ କେହି ମାଗିନାହାନ୍ତି ବା ମାଗିବାର ସମ୍ଭାବନା ନାହିଁ। ଯେପର୍ଯ୍ୟନ୍ତ ଏହା ଆମ ପାଖରେ ଥିବ, ସେ ପର୍ଯ୍ୟନ୍ତ ଆମର ଅସୁବିଧା କିଛି ହେବନାହିଁ। ସେ ଜିନିଷଟି ହେଉଛି ଶାନ୍ତି। ତା’ ପାଖରେ ଦୁନିଆର ସକଳ ଐଶ୍ୱର୍ଯ୍ୟ, ପ୍ରତିପତ୍ତି, ବିଳାସବ୍ୟସନ ଓ ଯଶଖ୍ୟାତି ମୂଲ୍ୟହୀନ। ଶାନ୍ତି ହିଁ ଅମୂଲ୍ୟ ନିଧି।
ଶାନ୍ତିର ମହତ୍ତ୍ୱକୁ ସେଦିନ ଯଥାର୍ଥରେ ଅନୁଭବ କରିପାରିଥିଲେ ମା’ ଲକ୍ଷ୍ମୀ। ବାସ୍ତବରେ ଶାନ୍ତି ହେଉଛି ଏକ ମାନସିକ ସ୍ଥିତି, ଯାହା ଆତ୍ମାର ସ୍ଥିରତାରୁ ହିଁ ଆସିଥାଏ। ଜୀବନକୁ ସରସ ସୁନ୍ଦର କରି ଗଢ଼ିତୋଳିବାରେ ଏହାର ବିଶେଷ ଭୂମିକା ରହିଛି। ଶାନ୍ତି ଏକ ଅମୃତ ଅନୁଭବ, ଯାହାକି ଦେଇଥାଏ ପରମ ଓ ଅନ୍ତିମ ସୁଖ।
ସାଧାରଣତଃ ଶାରୀରିକ ଓ ମାନସିକ ସ୍ତରରେ ଶାନ୍ତିକୁ ଅନୁଭବ କରିହୁଏ। ପାର୍ଥିବ ଜୀବନରେ ସୁଖ, ସମ୍ପତ୍ତିଠାରୁ ବେଶ୍‌ ଆନନ୍ଦ ଓ ଆତ୍ମତୃପ୍ତି ଏହା ପ୍ରଦାନ କରିଥାଏ। ସାଂସାରିକ ବନ୍ଧନକୁ ସୁଦୃଢ଼ କରାଇବାରେ ଏହାର ବିଶେଷ ଭୂମିକା ରହିଛି। ଶାନ୍ତିବିହୀନ ଜୀବନ ଏକ ଜୀବନ ନୁହେଁ। ଗୌତମ ବୁଦ୍ଧଙ୍କ ଭାଷାରେ- ”ସଂସାର ଦୁଃଖମୟ। ଦୁଃଖର କାରଣ କାମନା। କାମନାର ବିନାଶରେ ଦୁଃଖର ବିନାଶ ଓ ନିର୍ବାଣପ୍ରାପ୍ତି।“ ହେଲେ ମଣିଷ କାମନାର କେବେ ଅନ୍ତ ଥାଏ କି! ଜୀବନସାରା ଉପାର୍ଜିତ ସମ୍ପତ୍ତିର ସୁରକ୍ଷା ପାଇଁ ହଜିଯାଏ ନିଦ, ଚାଲିଯାଏ ସମୟ। ପୁନଶ୍ଚ କାର୍ଯ୍ୟର ବ୍ୟସ୍ତତା ଓ ମାନସିକ ଚାପ ଏଥିରେ ବାଧକ ସାଜେ। ଶାନ୍ତି ପାଇବା ଆଶାରେ ମଣିଷ ବିଷୟ ବାସନା ପଛରେ ଗୋଡ଼େଇ ଗୋଡ଼େଇ ଯାହାକୁ ଜାବୁଡି ଧରିଥାଏ ସେ ହେଉଛି ଅଶାନ୍ତି। କାରଣ ଯଦି ସମ୍ମାନ ସହିତ ଶାନ୍ତି ଏକାଠି ରହି ନ ପାରିଲା, ତା’ହେଲେ ତାକୁ କଦାପି ଶାନ୍ତି କୁହାଯାଇପାରିବ ନାହିଁ।
ମଣିଷ ସତ୍‌ ଉପାୟରେ ଯାହା କିଛି ଅର୍ଜନ କରେ, ସେଥିରେ ସନ୍ତୁଷ୍ଟ ହୋଇ ଅଧିକ କାମନା ନ କରିବାକୁ ‘ସନ୍ତୋଷ’ କୁହାଯାଏ। ଏହାହିଁ ଶାଶ୍ୱତ ଶାନ୍ତିର ମୂଳ ଉତ୍ସ। କିନ୍ତୁ ଏ ସଂସାରରେ ଅଳ୍ପରେ ସନ୍ତୁଷ୍ଟ ହେଉଥିବା ଲୋକଙ୍କ ସଂଖ୍ୟା ନିହାତି କମ୍‌। କେବେ ସନ୍ତୁଷ୍ଟ ହୋଇପାରୁ ନ ଥିବା ବ୍ୟକ୍ତି ଜୀବନରେ ଶାନ୍ତି ମିଳିବା କଷ୍ଟକର ହୋଇପଡ଼େ। ଧନ-ଜନ-ଗୋପ-ଲକ୍ଷ୍ମୀ ଏ ସମସ୍ତଙ୍କ ବହୁ ଊର୍ଦ୍ଧ୍ୱରେ ଥାଏ ଶାନ୍ତିର ସ୍ଥାନ। ଏସବୁ ପାଇଲେ ମଧ୍ୟ ହୁଏ ତ ଶାନ୍ତି ମିଳି ନ ପାରେ, ମାତ୍ର ଏ କଥା ସତ ଯେ, ଶାନ୍ତି ଥିଲେ ଏସବୁ ମିଳିବା କିଛି ଅସମ୍ଭବ ନୁହେଁ। ଶାନ୍ତି ପାଖରେ ପ୍ରାଚୁଯର୍ର୍‌ୟ ମୂଲ୍ୟହୀନ। ସେଥିପାଇଁ ତ ଶାନ୍ତିକୁ ଅମୂଲ୍ୟନିଧି କୁହାଯାଏ।
କାମ, କ୍ରୋଧ, ଲୋଭ, ମୋହ, ମଦ (ଅହଂକାର, ଗର୍ବ ବା ଔଦ୍ଧତ୍ୟ), ମାତ୍ସର୍ଯ୍ୟ (ପରଶ୍ରୀକାତରତା ବା ଈର୍ଷା, ମାନ ବା ମିଥ୍ୟା-ସମ୍ମାନ)-ଏହି ଛଅଟି ଗୁଣ ହେଉଛି ମନୁଷ୍ୟର ଅନ୍ତଃଶତ୍ରୁ। ଏହାକୁ ଷଡ଼ରିପୁ କୁହାଯାଏ। ଏଥିମଧ୍ୟରୁ କେଉଁ ଗୋଟିକୁ ହୃଦୟରେ ଧାରଣ କଲେ ମଣିଷର ସାମଗ୍ରିକ ଜୀବନ ପ୍ରଭାବିତ ହୋଇଥାଏ, ସୁଖ-ଶାନ୍ତିରେ ବ୍ୟାଘାତ ଘଟିଥାଏ, ପ୍ରକୃତ ଶାନ୍ତି ମିଳିପାରି ନ ଥାଏ। ଦାର୍ଶନିକ ରାଲ୍ଫ ଓ୍ବାଲ୍ଡୋ ଏମର୍ସନଙ୍କ ମତରେ କ୍ରୋଧରେ ରହିବା କାରଣରୁ ପ୍ରତ୍ୟେକ ମିନିଟ୍‌ରୁ ଆମେ ୬୦ ସେକେଣ୍ଡର ମାନସିକ ଶାନ୍ତି ହରାଇ ବସିଥାଉ। ଅର୍ଥାତ୍‌ ମନରେ କ୍ରୋଧ ଥିବା ପର୍ଯ୍ୟନ୍ତ ମାନସିକ ଶାନ୍ତି ମିଳିପାରି ନ ଥାଏ। ସେହିପରି ଈର୍ଷା ଅନ୍ୟର ସଫଳତାରେ ନିଜକୁ ଜଳାଇ ଶାନ୍ତିକୁ ନଷ୍ଟ କରିଦିଏ। ଲୋଭ ତ ସୀମାହୀନ ସାଗର। ତାହା ଶାନ୍ତିକୁ ନୁହେଁ ବରଂ ମୃତ୍ୟୁ ଆଡ଼କୁ ବାଟ କଢ଼ାଇ ନେଇଥାଏ।
ଷଡ଼ରିପୁକୁ ପରିତ୍ୟାଗ କଲେ ହିଁ ହୃଦୟ ଭିତରେ ଶାନ୍ତିର ଆବିର୍ଭାବ ଘଟିଥାଏ। ସନ୍ତୋଷ କାରଣରୁ ହୃଦୟରେ ସକାରାତ୍ମକ ଗୁଣର ପରିପ୍ରକାଶ ଘଟେ। ପ୍ରେମ, ଦୟା, କ୍ଷମା, ତ୍ୟାଗ, ସହିଷ୍ଣୁତା ଓ ସେବା ପରି ଐଶ୍ୱରୀୟ ଦିବ୍ୟଗୁଣ ବ୍ୟକ୍ତିତ୍ୱକୁ ଉଦ୍‌ଭାସିତ କରିଥାଏ। ଯେଉଁଠାରେ ଏସବୁ ଗୁଣ କ୍ରିୟାଶୀଳ ଥାଏ ସେଠାରେ ଅଶାନ୍ତି ସୃଷ୍ଟି କରୁଥିବା କାମନା ସହଜରେ ପ୍ରବେଶ କରିପାରେନାହିଁ। ଆତ୍ମ-କଲ୍ୟାଣ ବିରୋଧୀ କାମନାଗୁଡ଼ିକୁ ମୁହୂର୍ତ୍ତକ ମଧ୍ୟରେ ବିନାଶ କରିଦିଏ। ଫଳରେ ଶାନ୍ତି ମିଳିଥାଏ। ଜେରାଲ୍ଡ ଜମ୍ପୋଲେସବୀଙ୍କ ମତରେ- ମୋତେ ମାନସିକ ଶାନ୍ତି କେବଳ ସେତେବେଳେ ମିଳିଥାଏ, ଯେତେବେଳେ ମୁଁ କାହାକୁ ପରୀକ୍ଷା କରିବା ବଦଳରେ କ୍ଷମା କରିଦିଏ। ସେବା ଓ ତ୍ୟାଗକୁ ନିଜ ଜୀବନର ଆଦର୍ଶ କରି ଗଢ଼ିତୋଳିଥିବା ଗାନ୍ଧୀ, ଗୋପବନ୍ଧୁ, ଗୌତମ ବୁଦ୍ଧ, ମଦର ଟେରେସା, ଦାନୀ ହରିଶ୍ଚନ୍ଦ୍ରଙ୍କ ପରି ବ୍ୟକ୍ତିତ୍ୱ ଆମର ଆଦର୍ଶ ହେବା ଉଚିତ।
‘ମୁଁ ଏବଂ ମୋର’- ଏ ଦୁଇଟି ହେଉଛି ଅହଂର ପ୍ରତୀକ। ଏହାକୁ ଧାରଣ କରିଥିବା ବ୍ୟକ୍ତି ଜୀବନରେ ଶାନ୍ତି ପାଇପାରି ନ ଥାଏ। ତେଣୁ ଭଗବତ୍‌ ଗୀତାରେ କୁହାଯାଇଛି- ଯିଏ ନିଜର ସବୁ ଇଚ୍ଛା (କାମନା)କୁ ତ୍ୟାଗ କରିଦେଇଥାଏ ଏବଂ ‘ମୁଁ’ ଓ ‘ମୋର’ ଲାଳସା ତଥା ଭାବନାରୁ ମୁକ୍ତ ହୋଇଥାଏ, ସେ ଶାନ୍ତି ପାଇଥାଏ।
ସେହିପରି ଈଶ୍ୱର ଉପାସନା ଦ୍ୱାରା ଅଖଣ୍ଡ ଶାନ୍ତି ମିଳିଥାଏ। ଯେତେବେଳେ ନିଜ ହୃଦୟରେ ଶାନ୍ତି ଆସେ ସେତେବେଳେ ସାରା ବିଶ୍ୱ ଶାନ୍ତିମୟ ଅନୁଭୂତ ହୋଇଥାଏ। ବାସ୍ତବିକ ଓ ସ୍ଥାୟୀ ବିଜୟ ଯୁଗେ ଯୁଗେ ଶାନ୍ତିର ହିଁ ହୋଇଥାଏ, ଯୁଦ୍ଧର ନୁହେଁ। ସୁତରାଂ ଆତ୍ମାର ଅମଙ୍ଗଳ ଘଟାଉଥିବା ଅନାବଶ୍ୟକ କାମନାକୁ କଠୋର ଭାବରେ ଦମନ କଲେ ଯାଇ ଶାନ୍ତିର ସ୍ବର୍ଗୀୟ ଆନନ୍ଦ ଉପଲବ୍ଧି କରାଯାଇପାରିବ। ଫଳରେ ଜୀବନ ହୋଇଉଠିବ ସୁନ୍ଦର ଓ ମଧୁମୟ।
ରାଜକିଶୋରନଗର, ଅନୁଗୋଳ,
ମୋ-୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri