ଉତ୍ତର ନ ଥିବା ପ୍ରଶ୍ନ

ଚିତ୍ର ଚରିତ୍ର

ମଣିଷର ଜ୍ଞାନ ବିଜ୍ଞାନ, ବିଦ୍‌ବତ୍ତା ଓ ବୌଦ୍ଧିକତା ଯେତେ ପ୍ରଖର ହେଲେ ବି କିଛି ଆଧିଭୌତିକ ପ୍ରଶ୍ନ ଚିରକାଳ ତା’ ପାଇଁ ରହସ୍ୟ ହୋଇ ରହିଆସିଛି, ଯାହାର ଉତ୍ତର ଖୋଜିବା ତା’ ପାଇଁ ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ମାତ୍ର ପ୍ରଶ୍ନଟି ଯବଭୌତିକ ପର୍ଯ୍ୟାୟର, ତେବେ ତାହାର ଉତ୍ତର ଖୋଜି ପାଇବା ତଥ୍ୟର ପାହାଡ଼ ଉପରେ ବସିଥିବା ବର୍ତ୍ତମାନର ଲୋକଙ୍କ ପାଇଁ ଏକ ଆହ୍ବାନ ନୁହେଁ। ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଏମିତି କିଛି ପ୍ରଶ୍ନ ଅଛି, ଯାହାର ଉତ୍ତର ଯେତେ ସହଜ ଓ ସ୍ବାଭାବିକ ମନେହେଉଥିଲେ ବି ସର୍ବଜନ ସମ୍ମୁଖରେ ପ୍ରକାଶ କରିହୁଏନା। ଉତ୍ତରଟିକୁ ନିଜ ଅନ୍ତରରେ ଅବରୁଦ୍ଧ କରି କେବଳ ପ୍ରଶ୍ନଟିକୁ ବାରମ୍ବାର ପଚାରିବାକୁ ହୁଏ ନିଜେ ନିଜକୁ। ଏମିତି ଏକ ବିଚିତ୍ର ମନସ୍ତାତ୍ତ୍ୱିକ ସ୍ଥିତିକୁ ଏ ଲେଖକ ସାମ୍ନା କରିଥିଲା କେଇଦିନ ତଳେ ତା’ର ଜଣେ ପ୍ରାକ୍ତନ ଛାତ୍ର ସହ ସାକ୍ଷାତ୍‌ ହୋଇଥିଲା ବେଳେ। ପ୍ରକୃତରେ ସେଇ ସାକ୍ଷାତ୍‌ଟି ଥିଲା ଚିନ୍ତା ଉଦ୍ରେକକାରୀ।
ପ୍ରସନ୍ନ ନାମକ ସେଇ ଛାତ୍ରଟି ଥିଲା ଅତ୍ୟନ୍ତ ମେଧାବୀ। ତାଙ୍କ ଜନ୍ମବେଳେ ନିଜ ଲଲାଟରେ ଅଦୃଶ୍ୟ ଭାବେ ଅଙ୍କିତ ମେଧାର ବରଦାନ ବ୍ୟତୀତ ଆଉ ଯାହା ଲେଖାହୋଇଥିଲା, ତାହା ଥିଲା ଅଭିଶପ୍ତ ଅଭାବ। ଚରମ ଦାରିଦ୍ର୍ୟ ଭିତରେ ବଞ୍ଚୁଥିବା ପିତାମାତାଙ୍କ କୋଳରେ ଜନ୍ମ ନେଇଥିବା ହେତୁ ବହୁବାର ବନ୍ଦ ହେଉ ହେଉ ଯେନତେନ ଆଗେଇ ଯାଇଥିଲା ତାଙ୍କ ବିଦ୍ୟାର୍ଥୀ ଜୀବନ। ନିଜର ସକଳ ସାମର୍ଥ୍ୟ ସତ୍ତ୍ୱେ ବ୍ୟୟସାପେକ୍ଷ ମେଡିକାଲ ବା ଇଞ୍ଜିନିୟର ବିଦ୍ୟାଠାରୁ ପ୍ରସନ୍ନ ଥିଲା ଏକ ଅପହଞ୍ଚ ଦୂରତ୍ୱରେ। ବାଧ୍ୟ ହୋଇ ସାଧାରଣ କଳା ପାଠ୍ୟକ୍ରମରେ ନାମ ଲେଖାଇଥିଲା ସେ। ଶିକ୍ଷା ଉପରେ ଅର୍ଥର ଆସୁରିକ ପ୍ରଭାବକୁ ପ୍ରତିହତ କରି ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଦୁଇ ଦୁଇଟି ସ୍ବର୍ଣ୍ଣପଦକରେ ବିଭୂଷିତ ହୋଇଥିଲା ସେ। ବହୁଦିନର ବ୍ୟବଧାନ ପରେ ପ୍ରସନ୍ନ ସହ ସାକ୍ଷାତ୍‌ରୁ ସୃଷ୍ଟି ହୋଇଥିଲା ଏକ ସ୍ବାଭାବିକ ଆନୁଷ୍ଠାନିକ ପ୍ରଶ୍ନ- ‘ଏବେ କ’ଣ କରୁଛୁ ପ୍ରସନ୍ନ!’ ପ୍ରସନ୍ନଙ୍କ ମେଧାପଣ ସହ ତାଙ୍କ ଅନ୍ଧାରି ଅତୀତ ସହ ପରିଚିତ ଥିବା ଏ ଲେଖକ ତାଙ୍କଠାରୁ ଏକ ଆଲୋକିତ ବର୍ତ୍ତମାନର ସନ୍ଦେଶ ପାଇବାକୁ ଅପେକ୍ଷା କରୁଥିଲା ବେଳେ ଉତ୍ତର ମିଳିଲା, ”ଏବେ କିଛି କରୁନାହିଁ ସାର୍‌। ଗୋଟିଏ ଚାକିରି ପାଇଁ ମୋ ଅପେକ୍ଷାର ଅବସାନ ଏଯାଏଁ ବି ହୋଇନାହିଁ।“
ହତାଶାରେ ଭରପୂର ପ୍ରସନ୍ନଙ୍କ ଏହି ଉତ୍ତର ତାଙ୍କ ମେଧାପଣ ସହ ପରିଚିତ ଯେକୌଣସି ଲୋକଙ୍କୁ ସ୍ତବ୍ଧ ଚକିତ କରିଦେବା ପାଇଁ ଯଥେଷ୍ଟରୁ ଅଧିକ ଥିଲା। ଏବେ ସବୁ କଥା ଫିଟାଇ କହିଲେ ପ୍ରସନ୍ନ- ”ତିନୋଟି ସରକାରୀ ଚାକିରି ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବଛା ହୋଇଥିଲେ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ କେଉଁ ରହସ୍ୟମୟ କାରଣ ପାଇଁ କେଜାଣି ମୁଁ ବାଦ୍‌ ପଡ଼ିଯାଉଥିଲି। ମୋ ହାତର ରୋଜଗାରକୁ ଚାହିଁ ଚାହିଁ ଦୁଃଖିନୀ ମାଆ ମୋର ସବୁଦିନ ପାଇଁ ଆଖି ବୁଜିଦେଲା ପରେ ବଡ଼ ଚାକିରିଟିଏ ପାଇବାର ଆଶା ହରାଇ ଅନୁଦାନ ପାଇବାକୁ ତଥାପି ଅପେକ୍ଷା କରିଥିବା ଏକ ଗ୍ରାମ୍ୟ କଲେଜରେ ଅଧ୍ୟାପକ ଭାବେ ଯୋଗଦେଲି। ମୋ ସ୍ବର୍ଣ୍ଣପଦକକୁ ଶତ ଧନ୍ୟବାଦ, ହଜାରେ ଟଙ୍କାର ମାସିକ ବେତନର ଚାକିରି ପାଇଁ ଅନ୍ୟ ଆଶାୟୀମାନଙ୍କୁ ପଚାଶ ହଜାର ଟଙ୍କାର ଡୋନେସନ ଦେବାକୁ ପଡ଼ିଥିବାବେଳେ ମୋ ପାଇଁ ଦଶ ହଜାରରେ ନିଯୁକ୍ତିପତ୍ର ମିଳିଗଲା। ବାପାଙ୍କ ଜମି ବିକି ସେତକ ପଇଠ କରି ଜୀବନର ନିର୍ମମ ବାସ୍ତବତା ସହ ସାଲିସ କରି ଆଣୁଥିଲା ବେଳେ ଆସିଲା କଲେଜର ବାର୍ଷିକ ପରୀକ୍ଷା।“
”ବାର୍ଷିକ ପରୀକ୍ଷାରେ ଆମ ଶିକ୍ଷା ବ୍ୟବସ୍ଥାର ଭିନ୍ନ ଏକ ରୂପ ପ୍ରତ୍ୟକ୍ଷ କରି ମୁଁ ନିଜ ଭିତରେ ବିଦ୍ରୋହୀ ହୋଇ ଉଠିଲି। ପରୀକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷକମାନେ କଳାପଟାରେ ଉତ୍ତର ଲେଖି ଦେଉଥିଲେ ନିର୍ବିକାର ଭାବେ। ସେଇ ମହତ୍‌ କାର୍ଯ୍ୟଟି ସମ୍ପାଦନ କରିବାକୁ ମୋତେ କୁହାଯିବାରୁ ମୁଁ ପ୍ରତିବାଦ କଲି। ଏମିତି ଏକ ଅନୈତିକ କାର୍ଯ୍ୟ ଭବିଷ୍ୟତରେ ବିଷମ ଫଳ ଆଣିବ ବୋଲି ଚେତାଇ ଦେବାରୁ ମୋ ଉପରେ ଅଜାଡ଼ି ପଡ଼ିଲା ଜଗତଯାକର ତାଚ୍ଛଲ୍ୟ। କ୍ରମାଗତ ତିନିଥର ବିଏ ଫେଲ୍‌ ହୋଇ ସରପଞ୍ଚ ହୋଇଥିବା ତଥା କଲେଜ କମିଟିର ସମ୍ପାଦକ ଥିବା ମହାଶୟ ଶୁଣାଇଦେଲେ, ”ଅଧ୍ୟାପକଙ୍କ ବିନା ସହଯୋଗରେ ପିଲାମାନଙ୍କର ପାସ୍‌ କରିବାର ଥିଲେ ସେମାନେ ବଡ଼ ବଡ଼ କଲେଜରେ ନ ପଢ଼ି ଏଠି ପଢ଼ିଥା’ନ୍ତେ କାହିଁକି? କେବଳ ସହଜରେ ପାସ୍‌ କରିବା ପାଇଁ ତ ସେମାନେ ମୋଟା ଅଙ୍କର ଅର୍ଥ ଦେଇ ଏଠାରେ ନାମ ଲେଖାଇଛନ୍ତି ଏବଂ ସେମାନଙ୍କ ଅର୍ଥରୁ ଦରମା ନେଇ ଆପଣ ଅଧ୍ୟାପକ ବୋଲାଉଛନ୍ତି।“ ବାସ୍‌, ତା’ପରେ ନିଷ୍ପତ୍ତି ନେବାର ପାଳି ଥିଲା ମୋର। ଚାକିରି ଛାଡ଼ି ଚାଲିଆସିଲି।“
ଏ ଲେଖକ ଭିତରେ ଏକ ଉତ୍ସୁକ ଶ୍ରୋତାଙ୍କୁ ପାଇ ବଡ଼ ଆବେଗରେ ଗପି ଚାଲିଥିଲେ ପ୍ରସନ୍ନ। ‘ଆମ ସାଙ୍ଗରେ ପଢ଼ୁଥିବା ଅଜୟ କଥା ମନେଅଛି ସାର୍‌? ସେଇ ଅଜୟ, ଯିଏ ପରୀକ୍ଷା ହଲ୍‌ରେ ଜଣେ ନିରୀକ୍ଷକଙ୍କୁ ମାରି ଲହୁଲୁହାଣ କରିଥିବା ଅପରାଧରେ ଜେଲ ଯାଇଥିଲା। ସେଇ ଯେ ତା’ର ଜେଲଯାତ୍ରାର ପ୍ରଥମ ଅଧ୍ୟାୟ ଆରମ୍ଭ ହୋଇଥିଲା, ପରେ ପରେ ହାତରେ ଛୁରି, ଭୁଜାଲି ଧରି କେତେ କାହାକୁ ଲୁଟିଛି ଓ କେତେବାର ଯେ ଜେଲ ଯାଇଛି, ତାହାର ହିସାବ ତା’ ନିଜ ପାଖରେ ମଧ୍ୟ ନ ଥିବ। ସେଇ ଲୁଟ୍‌ ଲବ୍ଧ ଅର୍ଥକୁ ପୁଞ୍ଜି କରି ଏବେ ସେ ଗୋଟିଏ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ତଥା ଗୋଟିଏ ପ୍ରମୁଖ ରାଜନୈତିକ ଦଳର କର୍ମକର୍ତ୍ତା।
ଅଳ୍ପଦିନ ତଳେ ତା’ ସହିତ ଭେଟ ହୋଇଥିଲା। ମୋତେ ବେକାର ଥିବାର ଦେଖି ତା’ ପ୍ରତିଷ୍ଠାନରେ ଚାକିରିଟିଏ ଯାଚୁଥିଲା। ମାତ୍ର ଅନ୍ତରର ଯେଉଁ ଆହ୍ବାନ ଉପରେ ଆସ୍ଥା ରଖି କଲେଜର ଅଧ୍ୟାପକ ଚାକିରି ଛାଡ଼ିଲି, ତାହାକୁ ଜଳାଞ୍ଜଳି ଦେଇ ଅଜୟର ଭେଟି ଗ୍ରହଣ କରିପାରିଥା’ନ୍ତି କିପରି? ଏଇଠି ପ୍ରସନ୍ନଙ୍କ କଥା ଶେଷ ହୋଇଥିଲା ଓ ଆରମ୍ଭ ହୋଇଥିଲା ସେଇ ପ୍ରଶ୍ନ, ଯାହାର କିଛି ଉତ୍ତର ନ ଥିଲା ଏଇ ଲେଖକ ପାଖରେ। ପ୍ରସନ୍ନ ପଚାରୁଥିଲା ”କୁହନ୍ତୁ ତ ସାର୍‌! କଲେଜର ସେଇ ଅଧ୍ୟାପକଙ୍କ ଚାକିରି ଓ ଅଜୟ ଯାଚିଥିବା ଚାକିରି ଛାଡ଼ି ମୁଁ କ’ଣ କିଛି ଭୁଲ୍‌ କରିଛି ?“
ଏକଦା ତାଙ୍କୁ ପାଠ ପଢ଼ାଇଥିବା ଶିକ୍ଷକଙ୍କ ପାଖରୁ ନିଜ ପ୍ରଶ୍ନର କୌଣସି ଉତ୍ତର ନ ପାଇ ପ୍ରସନ୍ନ ସେଦିନ ଫେରିଯାଇଥିଲେ। ହଜିଯାଇଥିଲେ ଦୁନିଆର ଭିଡ଼ ଭିତରେ, ନିଜ ଗଳାରେ ବେକାର ଯୁବକ, ବିତାଡ଼ିତ ଅଧ୍ୟାପକର ପରିଚୟ ଝୁଲାଇ। ନିଜ ବୌଦ୍ଧିକ ଚେତନାର ଶିଖରକୁ ଯାଇ ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତର ଖୋଜୁଥିଲା ଏ ଲେଖକ। ଦାରିଦ୍ର୍ୟର ତୀବ୍ର ତାଡ଼ନା, ନିଷ୍ଫଳା ମେଧାର ଦାରୁଣ ବିଫଳତା, ନୈତିକତା ଓ ସାଧୁତାର ସ୍ପର୍ଶରେ ମ୍ଳାନ ପଡ଼ିଯାଇ ଅନୀତି ଓ ଅସାଧୁତାରେ ଉଜ୍ଜ୍ୱଳ ଦେଖାଯାଉଥିବା ସମାଜର ଉଗ୍ର ବାସ୍ତବତା ମଧ୍ୟରେ ଦୁଇ ଦୁଇଟି ଚାକିରି ଛାଡ଼ି ପ୍ରସନ୍ନ କ’ଣ ଠିକ୍‌ କରିଛି! ଦୀର୍ଘ ଅଧ୍ୟାପନା କାଳର ଶହ ଶହ ଛାତ୍ରୀଛାତ୍ରଙ୍କ ବହୁ ସରଳ ଜଟିଳ ପ୍ରଶ୍ନର ଉତ୍ତର ଦେବାର ସାମର୍ଥ୍ୟ ବହନ କରି ଆସିଥିବା ସତ୍ତ୍ୱେ ସେଦିନ ତା’ର ଜଣେ ପୁରାତନ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ନ ପାରି ନିଜକୁ ବଡ଼ ଅସହାୟ ମଣୁଥିଲା ଏ ଲେଖକ। ସେଦିନରୁ ଏଯାଏ ସେଇ ଛାତ୍ରଟି ପାଖରୁ ମୁହଁ ଫେରାଇ ଚାଲି ଆସିବାର ବହୁଦିନ ବିତିଯାଇଥିଲେ ବି ବହୁବାର ପ୍ରଶ୍ନଟି ସହ ଧକ୍କା ଖାଇ ସେ ଢେର ଆହତ ହେଲାଣି। ଢେର ପୀଡ଼ା ପାଇଲାଣି ତା’ ଭିତରେ ଥିବା ଶିକ୍ଷକଟି। ସେଇ ପୀଡ଼ାର ଉପଶମ ପାଇଁ ଆଜି ଏହି ସ୍ତମ୍ଭର ପାଠିକାପାଠକଙ୍କ ଆଗରେ ସେଇ ପ୍ରଶ୍ନଟିକୁ ପୁନଃ ଉପସ୍ଥାପନ କରାଯାଇଛି। ‘ପ୍ରସନ୍ନ କ’ଣ କିଛି ଭୁଲ୍‌ କରିଛି’!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri