ଉତ୍କଳ ବିଶ୍ୱବିଦ୍ୟାଳୟ

ଶରତ ଚନ୍ଦ୍ର ମିଶ୍ର

ଅତ୍ୟନ୍ତ ଆନନ୍ଦର କଥା ଯେ, ବାଣୀବିହାରର କେତେଜଣ ପୁରାତନ ଛାତ୍ରୀଛାତ୍ର ସଂଗଠିତ ହୋଇ ଏହାର ହୃତଗୌରବ ଫେରାଇଆଣିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରମାନେ ଏକ ବିଶେଷ ଭୂମିକା ପାଳନ କରନ୍ତି ଓ ବିଶ୍ୱବିଦ୍ୟାଳୟକୁ ବହୁ ଅର୍ଥ ପ୍ରଦାନ କରନ୍ତି। ବାଣୀବିହାରର ପୁରାତନ ଛାତ୍ରମାନଙ୍କର ଉଦ୍ୟମ ସଫଳକାମ ହେବ ବୋଲି ଆଶା। ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ପୀଠସ୍ଥଳୀ। ଏକଦା ସାରା ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ପରିସର ବର୍ତ୍ତମାନ ବାଣୀବିହାରରେ ଶିକ୍ଷାଦାନ ଓ କେତୋଟି ଅନୁବନ୍ଧିତ କଲେଜର ପରୀକ୍ଷା ନିୟନ୍ତ୍ରଣରେ ସୀମିତ। ବର୍ତ୍ତମାନ ପ୍ରାୟ ୨୦ଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେଲାଣି ଓ ପ୍ରଧାନ ପ୍ରଧାନ କଲେଜଗୁଡ଼ିକ ସ୍ବୟଂଶାସିତ କଲେଜର ମାନ୍ୟତା ପ୍ରାପ୍ତ ହେଲେଣି। ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ କିନ୍ତୁ ଗରିମାମୟ। ଏହି ଇତିହାସର କିଛି ସ୍ମୃତିଚାରଣ କରିବାର ପ୍ରୟାସ କରୁଛି।
ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବରେ ଗଠିତ ହେଲା ପରେ ପ୍ରଥମ କଂଗ୍ରେସ ମନ୍ତ୍ରିମଣ୍ଡଳ ଶାସନ ଭାର ଗ୍ରହଣ କଲା ୧୯୩୭ ମସିହାରେ। ଏଇ କଂଗ୍ରେସ ସରକାର ଓଡ଼ିଶାରେ ଗୋଟିଏ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ ଏକ କମିଟି ଗଠନ କଲେ। କମିଟି ବିଶ୍ୱବିଦ୍ୟାଳୟ ଗଠନ ସପକ୍ଷରେ ମତପ୍ରଦାନ କରି, କିପରି ଏହା ଗଠିତ ହେବ ସେ ପରାମର୍ଶ ପ୍ରଦାନ କରିଥିଲା। କଂଗ୍ରେସ ମନ୍ତ୍ରିମଣ୍ଡଳ ୧୯୩୯ରେ ଇସ୍ତଫା ପ୍ରଦାନ କରିବାରୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଦ୍ୱିତୀୟ ମହାଯୁଦ୍ଧ ସମୟରେ ୧୯୪୧ ମସିହାରେ ପାରଳା ମହାରାଜାଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେଲା। ଶିକ୍ଷା ଓ ଅର୍ଥମନ୍ତ୍ରୀ ଥାନ୍ତି ପଣ୍ଡିତ ଗୋଦାବରୀଶ ମିଶ୍ର। ସେ କାଳର ନିୟମ ଅନୁସାରେ ଗଭର୍ନର ମନ୍ତ୍ରିମଣ୍ଡଳ ବୈଠକରେ ସଭାପତିତ୍ୱ କରୁଥିଲେ ଓ ଯୁଦ୍ଧ ସମୟରେ ସରକାର କୌଣସି ବିକାଶମୂଳକ କାର୍ଯ୍ୟରେ ଅର୍ଥବ୍ୟୟ କରିବାକୁ ଅନୁମତି ଦେଉ ନ ଥିଲେ। ଗଭର୍ନରଙ୍କ ଅନାଗ୍ରହ ସତ୍ତ୍ୱେ ପଣ୍ଡିତ ଗୋଦାବରୀଶ ତତ୍କାଳୀନ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ୟାମଚନ୍ଦ୍ର ତ୍ରିପାଠୀଙ୍କ ସାହାଯ୍ୟରେ ବିଶ୍ୱବିଦ୍ୟାଳୟ ସ୍ଥାପନ ଉଦ୍ୟମ କଲେ। ସେତେବେଳକୁ ଓଡ଼ିଶାରେ ମାତ୍ର ତିନୋଟି କଲେଜ, ରେଭେନ୍‌ଶା, ଖଲ୍ଲିକୋଟ ଓ ପାରଳାଖେମୁଣ୍ଡି। ତା’ ବ୍ୟତୀତ ରେଭେନ୍‌ଶା ଗାର୍ଲସ ସ୍କୁଲରେ ଆଇ.ଏ. ଶ୍ରେଣୀ ଓ ବି.ଏଡ୍‌ ଡିପ୍ଲୋମା ପ୍ରଦାନକାରୀ ଶିକ୍ଷକ ଟ୍ରେନିଂ କଲେଜ ଥାଏ। ଗୋଦାବରୀଶ ୧୯୪୪ ମସିହାରେ ପୁରୀ, ବାଲେଶ୍ୱର ଓ ସମ୍ବଲପୁର ହାଇସ୍କୁଲରେ ଇଣ୍ଟରମିଡିଏଟ କଲେଜ ଖୋଲିଲେ। କଟକ ମେଡିକାଲ ସ୍କୁଲକୁ କଲେଜ କଲେ। ରେଭେନ୍‌ଶା ଗାର୍ଲସ ସ୍କୁଲର ଆଇ.ଏ. ଶ୍ରେଣୀକୁ କଲେଜ କଲେ ଓ କଟକର ଖ୍ରୀଷ୍ଟିଆନ ନେତାମାନଙ୍କୁ ପ୍ରବର୍ତ୍ତାଇ ଷ୍ଟୁଆର୍ଟ ଓ ଖ୍ରୀଷ୍ଟ କଲେଜରେ ଇଣ୍ଟରମିଡିଏଟ ଶ୍ରେଣୀ ଖୋଲାଇଲେ। ଗଡ଼ଜାତ ରାଜା ମହାରାଜାଙ୍କୁ ଅନୁରୋଧ କରିବାରେ ବଲାଙ୍ଗୀର ଓ ବାରିପଦାରେ କଲେଜ ଖୋଲିଲା। ୧୯୪୩ ମସିହା ଶେଷ ଭାଗରେ ରେଭେନ୍‌ଶା କଲେଜର ପଶ୍ଚିମ ଛାତ୍ରାବାସରେ ଓ୍ବାଡେନ ଖାଲି କରିଥିବା କ୍ୱାର୍ଟର୍ସରେ ବିଶ୍ୱବିଦ୍ୟାଳୟ ଅଫିସ ଖୋଲିଲା। ରେଭେନ୍‌ଶା ପ୍ରିନ୍ସିପାଲ ଡ. ପ୍ରାଣକୃଷ୍ଣ ପରିଜା ଓ ଇଂରେଜ ଅଧ୍ୟାପକ ଭି. ଭି. ଜନ୍‌ ନିଜ ପଦ ସହିତ କୁଳପତି ଓ କୁଳସଚିବ ହେଲେ।
ବିଶ୍ୱବିଦ୍ୟାଳୟ ପ୍ରଥମେ ହାଇସ୍କୁଲ ଶିକ୍ଷାରେ କେତେକ ସୁଦୂରପ୍ରସାରୀ ପରିବର୍ତ୍ତନ ପ୍ରଚଳନ କଲେ। ସେ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷାବର୍ଷ ଇଂରେଜ ଆଇସିଏସ୍‌ଇ ଢାଞ୍ଚାରେ ଜାନୁୟାରୀରେ ଆରମ୍ଭ ହୋଇ ଡିସେମ୍ବରରେ ସରୁଥିଲା ଓ ବର୍ଷ ମଝିରେ ଗ୍ରୀଷ୍ମ ଛୁଟି ହେଉଥିଲା। ଛାତ୍ରମାନେ ଡିସେମ୍ବରରେ ମାଟ୍ରିକ ପାସ କରି କଲେଜ ଆଡମିଶନ ନିମନ୍ତେ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ବିଶ୍ୱବିଦ୍ୟାଳୟ ସ୍କୁଲ ଶିକ୍ଷାବର୍ଷକୁ କଲେଜ ଶିକ୍ଷାବର୍ଷ ସହ ସମାନ କରି ଜୁଲାଇରୁ ଆରମ୍ଭ କଲେ ଓ ଏକ ଚାରିମାସିଆ କୋର୍ସ ପ୍ରଚଳନ କରି ପିଲାମାନଙ୍କୁ ଜାନୁୟାରୀରୁ ଜୁଲାଇ ମଧ୍ୟରେ ଗୋଟିଏ କ୍ଲାସ୍‌କୁ ପ୍ରମୋଶନ ଦେଲେ। ଦ୍ୱିତୀୟରେ ସ୍କୁଲରେ ଦୁଇଟି ଇଂଲିଶ ପତ୍ର ବ୍ୟତୀତ ବାକି ସମସ୍ତ ବିଷୟ ଓଡ଼ିଆରେ ଶିକ୍ଷାଦାନ ବ୍ୟବସ୍ଥା ପ୍ରଚଳନ ହେଲା। ତା’ ପୂର୍ବରୁ ସ୍କୁଲରେ ଅଷ୍ଟମ ଶ୍ରେଣୀଠାରୁ ସମସ୍ତ ବିଷୟ ଇଂଲିଶରେ ଶିକ୍ଷାଦାନ କରାହେଉଥିଲା। ଏଇ ପ୍ରଥାଟି ପରବର୍ତ୍ତୀ କାଳରେ ଇଂଲିଶ ମାଧ୍ୟମ ସ୍କୁଲ ପ୍ରତି ଆଗ୍ରହ ଓ ଇଂଲିଶ ମାଧ୍ୟମ ସ୍କୁଲ ବୃଦ୍ଧିରେ ସହାୟକ ହୋଇଛି।
କଲେଜ ସ୍ତରରେ ଆଇ.ଏ., ଆଇ.ଏସ୍‌ସି. ଓ ବି.ଏ. କ୍ଲାସ୍‌ରେ ଏମ୍‌ଆଇଏଲ୍‌ ନାମରେ ବାଧ୍ୟତାମୂଳକ ଓଡ଼ିଆ ଶିକ୍ଷାର ପ୍ରବର୍ତ୍ତନ ହେଲା। ସେତେବେଳେ କେବଳ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ୍‌.ଏ. କ୍ଲାସ୍‌ ଥିଲା ଏବଂ ଓଡ଼ିଶାରେ ଓଡ଼ିଆରେ ଏମ.ଏ. ପାସ୍‌ କରିବା ଲୋକ ହାତଗଣତି ଥିଲେ। ଓଡ଼ିଶାରେ ଗୋଟିଏ ଓଡ଼ିଆ ଅଧ୍ୟାପକ ଶ୍ରେଣୀ ସୃଷ୍ଟି ହେଲା ଓ ସେ ଶ୍ରେଣୀ ପରବର୍ତ୍ତୀ କାଳରେ ଓଡ଼ିଆ ସମାଲୋଚନା ସାହିତ୍ୟକୁ ସମୃଦ୍ଧ କଲେ।
ବିଶ୍ୱବିଦ୍ୟାଳୟର ଗୃହ ନ ଥିଲା। ସିନେଟ୍‌ ବୈଠକ ଓ ସମାବର୍ତ୍ତନ ଉତ୍ସବ ରେଭେନ୍‌ଶା କଲେଜରେ ହେଉଥିଲା। କିଛିକାଳ ପରେ ବର୍ଧମାନ କୋଠି (ବର୍ତ୍ତମାନର ମଧୁସୂଦନ ଆଇନ ବିଦ୍ୟାଳୟ ପରିସର)କୁ ବିଶ୍ୱବିଦ୍ୟାଳୟ ଉଠିଗଲା ଓ ପରେ କଟକର ସେସନ୍ସ ଜଜ୍‌ କୋଠି (ବର୍ତ୍ତମାନର ବ୍ଲଡ୍‌ ବ୍ୟାଙ୍କ)କୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତର ହୋଇ ବର୍ଧମାନ କୋଠିରେ ବିଶ୍ୱବିଦ୍ୟାଳୟ ଲାଇବ୍ରେରି, ଫୋର୍ଡ ଫାଉଣ୍ଡେଶନ ଗ୍ରାମ୍ୟ ଅର୍ଥନୀତି ବିଭାଗ ଓ ଆଇନ ବିଦ୍ୟାଳୟ ସ୍ଥାପିତ ହେଲା। ଷାଠିଏ ଦଶକ ପ୍ରାରମ୍ଭରେ ବାଣୀବିହାରର ପରିକଳ୍ପନା ହେଲା ଓ ସେଠାରେ କୋଠାବାଡ଼ି ନିର୍ମାଣ ହେଲା ପରେ ବିଶ୍ୱବିଦ୍ୟାଳୟ ସ୍ଥାୟୀ ଭାବରେ ସେଠାକୁ ଉଠିଗଲା। ପଚାଶ ଦଶକରେ ଉତ୍କଳ ବିଶ୍ୱବିଦ୍ୟାଳୟ ରେଭେନ୍‌ଶା କଲେଜ ପରିସରରେ ପଦାର୍ଥ ବିଜ୍ଞାନ ଓ ଭୂତତ୍ତ୍ୱରେ ଏମ୍‌.ଏସ୍‌ସି. ଓ ନିଜ ପରିଚାଳନାରେ ଗ୍ରାମ୍ୟ ଅର୍ଥନୀତି ଓ ସମାଜ ବିଜ୍ଞାନରେ ଶିକ୍ଷା ଓ ମଧୁସୂଦନ ଆଇନ କଲେଜର ଦାୟିତ୍ୱ ଗ୍ରହଣ କରିଥିଲା। ପ୍ରାରମ୍ଭ କାଳରେ ବିଶ୍ୱବିଦ୍ୟାଳୟର କୁଳପତି ନିର୍ବାଚିତ ହୋଇଥିଲେ। ପ୍ରଥମ ନିର୍ବାଚନରେ ଡ. ପ୍ରାଣକୃଷ୍ଣ ପରିଜା ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ପରାସ୍ତ କରି ଚିନ୍ତାମଣି ଆଚାର୍ଯ୍ୟ କୁଳପତି ହୋଇଥିଲେ ଓ ପୂର୍ଣ୍ଣକାଳୀନ କୁଳସଚିବ ଭାବରେ ଗୋକୁଳ ଚନ୍ଦ୍ର ଶତପଥୀ ନିଯୁକ୍ତ ହେଲେ। ଦ୍ୱିତୀୟ ନିର୍ବାଚନରେ ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ଜଷ୍ଟିସ୍‌ ବୀରକିଶୋର ରାୟଙ୍କୁ ପରାସ୍ତ କରି ଡ. ପର୍ଶୁରାମ ମିଶ୍ର କୁଳପତି ନିର୍ବାଚିତ ହୋଇଥିଲେ। ନିର୍ବାଚନ ପଦ୍ଧତିରେ ଶିକ୍ଷା ଜଗତରେ ରାଜନୀତି ପ୍ରବେଶ କରୁଛି ବୋଲି ଆଶଙ୍କାକରି ସରକାର ଆଇନ କରି ନିର୍ବାଚନ ପ୍ରଥା ବନ୍ଦ କଲେ। ବର୍ତ୍ତମାନ ଓଡ଼ିଶାରେ ବିଧାନ ପରିଷଦ ଗଠନର ଉଦ୍ୟମ ହେଉଛି ଓ ସେଥିରେ ଶିକ୍ଷା ଜଗତର ରାଜନୀତୀକରଣର ଆଶଙ୍କା ବିଦ୍ୟମାନ। ତା’ ପରେ ଓଡ଼ିଶା ଶିକ୍ଷା ବିଭାଗରେ କାମ କରିଥିବା ଅଥବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଥିବା ବ୍ୟକ୍ତିଙ୍କୁ କୁଳପତି ନିଯୁକ୍ତ କରାହେଉଥିଲା। ଏବେ କେତେ ବର୍ଷ ହେଲା ଓଡ଼ିଶା ବାହାରୁ ଅଧ୍ୟାପକ ଆସି କୁଳପତି ହେଉଛନ୍ତି। ସେମାନଙ୍କ ପକ୍ଷରେ ମାତ୍ର ତିନିବର୍ଷ ମଧ୍ୟରେ ସମସ୍ତ ସମସ୍ୟା ସହିତ ପରିଚିତ ହୋଇ ତା’ର ମୁକାବିଲା କରିବା କଷ୍ଟସାଧ୍ୟ ହୋଇପଡୁଛି।
ପଚାଶ ଦଶକର ଶେଷ ବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟ ସକ୍ରିୟ ହୋଇଉଠି ସ୍ନାତକୋତ୍ତର ଶ୍ରେଣୀରେ ନୂତନ ବିଭାଗମାନ ଖୋଲିଲା। ରାଜନୀତି ବିଜ୍ଞାନ (୧୯୫୮), ମନୋବିଜ୍ଞାନ (୧୯୫୯), ଦର୍ଶନ (୧୯୫୯), ପରିସଂଖ୍ୟାନ (୧୯୫୯) ବିଭାଗ ଆଦି ଖୋଲିଲା ଓ ରେଭେନ୍‌ଶା କଲେଜର ବହୁ କୃତବିଦ୍ୟ ଅଧ୍ୟାପକ ଯଥା ଶ୍ରୀରାମଚନ୍ଦ୍ର ଦାସ, ରାଧାନାଥ ରଥ, ଗଣେଶ୍ୱର ମିଶ୍ର, ସାଧୁଚରଣ ଦାସ, ମନ୍ମଥନାଥ ଦାସ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ। ରେଭେନ୍‌ଶାର ପ୍ରାଧାନ୍ୟ ହ୍ରାସ ପାଇ ବିଶ୍ୱବିଦ୍ୟାଳୟ ଓ ପରେ ପରେ ବାଣୀବିହାରର ଯୁଗ ଆରମ୍ଭ ହେଲା। ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ନିଜର ବିସ୍ତୀର୍ଣ୍ଣ କ୍ୟାମ୍ପସ ଆଉ ଶିକ୍ଷାଦାନ ବିଶ୍ୱବିଦ୍ୟାଳୟ ଭାବରେ ଏହା ଓଡ଼ିଶାରେ ପ୍ରଥମ। ଅଳ୍ପ କେତେବର୍ଷ ମଧ୍ୟରେ ଏହା ଭାରତବର୍ଷରେ ସୁନାମ ଅର୍ଜନ କଲା ଓ ବହୁ ଅଧ୍ୟାପକ, ଗବେଷକ, ବୈଜ୍ଞାନିକ, ରାଜନୀତିଜ୍ଞ ଏବଂ ପ୍ରଶାସନିକ ଅଧିକାରୀ ଏହିଠାରୁ ଶିକ୍ଷାପ୍ରାପ୍ତ ହୋଇଛନ୍ତି।
ବିଶ୍ୱବିଦ୍ୟାଳୟ କିନ୍ତୁ ବର୍ତ୍ତମାନ ଭାରତର ପ୍ରମୁଖ ୧୦୦ ବିଶ୍ୱବିଦ୍ୟାଳୟରେ ସ୍ଥାନିତ ନୁହେଁ। ଓଡ଼ିଶାର ଦୁଇଟି ଘରୋଇ ବିଶ୍ୱବିଦ୍ୟାଳୟ ଏହାଠାରୁ ଆଗେଇ ଗଲେଣି। କର୍ପୂର ଉଡ଼ିଗଲାଣି, କନା ପଡ଼ିରହିଛି। ଆଶା କରାଯାଏ ପୁରାତନ ଛାତ୍ରମାନେ ସମ୍ମିଳିତ ଉଦ୍ୟମକରି ବାଣୀବିହାରର ପୂର୍ବତନ ଗରିମା ଫେରାଇ ଆଣିବେ ଓ ପୁଣି ଏହାକୁ ଭାରତର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବରେ ସ୍ଥାନିତ କରି ଓଡ଼ିଶାକୁ ଗୌରବାନ୍ବିତ କରିବେ।
ମୋ-୯୯୩୭୪୨୨୫୨୧


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri