ଇନ୍ଦ୍ରଧନୁର ସେତୁ

ଡ. ହୃଷୀକେଶ ମଲ୍ଲିକ
ନଭେମ୍ବର ୨୪। ଏଇ ଦିନଟି ଆସିଗଲେ ବା ଆସିବାର ଠିକ୍‌ ଆଗରୁ ଅନନ୍ତ ଅତୀତର ଅନ୍ଧକାର ଭିତରୁ ଯେଉଁ ଦିବ୍ୟ ମୁଖମଣ୍ଡଳଟି ଉଦ୍‌ଭାସିତ ହୋଇଉଠେ, ତାହା ଆଉ କାହାରି ନୁହେଁ; ତାହା ମଣିଷ ଓ ସର୍ବୋପରି ପୃଥିବୀର ମହିମ୍ନ ରୂପାନ୍ତରର ସ୍ବପ୍ନ ଦେଖି ଆମକୁ ଏକ ଅନନ୍ୟ ଆସନ୍ତାକାଲିର ଆହ୍ଲାଦରେ ବାତୁଳ କରି ଯାଇଥିବା ଯୋଗସିଦ୍ଧ କବି ଓ ଦ୍ରଷ୍ଟା ଶ୍ରୀଅରବିନ୍ଦଙ୍କର। ଭାରତୀୟ ସଂସ୍କୃତି, ଦର୍ଶନ, ଭାଷା ଓ ସାହିତ୍ୟର ଅଭୂତପୂର୍ବ ରୂପକାର ସେ। ପ୍ରେମ ଓ ଆନନ୍ଦର ତପସ୍ବୀ। ବିଗତ ସମୟର ସାମୂହିକ ଋଷିଦୃଷ୍ଟିକୁ ଆପଣାର ଅନୁଭବରେ ଏକତ୍ର କରି ସମକାଳର ପିଚ୍ଛିଳ ସରଣୀରେ ଅନାଗତର ଦିଗନ୍ତ ଆଡ଼େ ଗତିଶୀଳ ମହାଚେତନାର ପ୍ରତିଭୂ। ଅନ୍ତରରେ ପୀଡ଼ିତ ଓ ଅବସନ୍ନ ପୃଥିବୀକୁ ବହନ କରି ଅଭ୍ୟୁତ୍ଥାନର ଯୋଗଯାତ୍ରାରେ ଦୃଢ଼ବ୍ରତ, ନିଃସଙ୍ଗ ଏହି ପଥଚାରୀଙ୍କ ଜୀବନ କଥା ଭାବି ବସିଲେ ଅପାର ବିସ୍ମୟରେ ବୁଡ଼ିମରେ ପାର୍ଥତ୍ବ ମାନବ-ଚିତ୍ତ।
ସୁଲେଖକ ଗୌତମ ଘୋଷାଲ ଶ୍ରୀଅରବିନ୍ଦ ଓ ରବୀନ୍ଦ୍ରନାଥଙ୍କର ଏକ ବିନମ୍ର ତୁଳନା କରିବାକୁ ଯାଇ ଅତି ଅମୂଲ୍ୟ ବହି ଖଣ୍ଡିଏ ଲେଖିଛନ୍ତି, ଯାହାର ଶିରୋନାମା ସେ ରଖିଛନ୍ତି ‘ଇନ୍ଦ୍ରଧନୁର ସେତୁ’ (The Rainbow Bridge)। ବହିଟିରେ ଉଭୟ ଯୋଗଜନ୍ମା କିପରି ଉଭୟର ପରିପୂରକ, ତାହା ସେ ଦର୍ଶାଇଛନ୍ତି। କଲିକତାରେ ୧୯୦୬ରେ ଯେତେବେଳେ ଜାତୀୟ ଶିକ୍ଷା ପରିଷଦ ଦ୍ୱାରା ପ୍ରତିଷ୍ଠିତ ହେଲା ‘ଜାତୀୟ ମହାବିଦ୍ୟାଳୟ’, ତା’ର ପ୍ରଥମ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ ଶ୍ରୀଅରବିନ୍ଦ। ଏଥି ସହିତ ସେ ଥିଲେ ଇତିହାସର ପ୍ରଫେସର। ଏହି ମହାବିଦ୍ୟାଳୟରେ ସଂଯୋଗବଶତଃ ରବୀନ୍ଦ୍ରନାଥ ଥିଲେ ବଂଗଳା ଭାଷା-ସାହିତ୍ୟର ପ୍ରଫେସର। ‘ବନ୍ଦେ ମାତରମ୍‌’ ପତ୍ରିକା ବିରୁଦ୍ଧରେ ଆଗତ ରାଜଦ୍ରୋହ ମାମଲାରେ ପତ୍ରିକାର ସଂପାଦକ ଭାବେ ଶ୍ରୀଅରବିନ୍ଦ ଗିରଫ ହେବା ପରେ ତହିଁରେ ମର୍ମାହତ ରବୀନ୍ଦ୍ର ତାଙ୍କ ଉଦ୍ଦେଶ୍ୟରେ ଯେଉଁ କାଳୋତୀର୍ଣ୍ଣ ‘ନମସ୍କାର’ କବିତାଟି ଲେଖିଥିଲେ, ତାହା ଆଜି ବହୁଚର୍ଚ୍ଚିତ, ଯାହାର ପୁନରାବୃତ୍ତି ଅନାବଶ୍ୟକ।
୧୯୧୦ରେ ରାଜନୀତିରୁ ସନ୍ନ୍ୟାସ ନେଇ ଶ୍ରୀଅରବିନ୍ଦ ବିଧିନିରୂପିତ ତାଙ୍କ ତପୋପୀଠ ପଣ୍ଡିଚେରୀକୁ ଚାଲିଯିବା ପରେ ୧୯୨୮ ଯାଏ ଏ ଦୁଇ ସମଧର୍ମା ସହକର୍ମୀଙ୍କର ପରସ୍ପର ସହ ଆଉ ସାକ୍ଷାତ୍‌ ହୋଇନାହିଁ। କଲମ୍ବୋ ଯିବା ବାଟରେ ଶ୍ରୀଅରବିନ୍ଦଙ୍କୁ ସାକ୍ଷାତ୍‌ କରିବାର ଅଭିଳାଷ ନେଇ ରବୀନ୍ଦ୍ରନାଥ ଶ୍ରୀଅରବିନ୍ଦଙ୍କ ପାଖକୁ ଏକ ଟେଲିଗ୍ରାମ୍‌ ପଠାଇଥିଲେ। ତାହା ଥିଲା ବହିର୍ଜନଙ୍କୁ ଶ୍ରୀଅରବିନ୍ଦ ସାକ୍ଷାତ୍‌ ଦେବାର ଏକାନ୍ତ ଅବେଳ, କାରଣ ୧୯୨୬ରୁ ବହିର୍ଜଗତରୁ ନିଜକୁ ସଂପୂର୍ଣ୍ଣ ଅପସାରିତ କରିନେଇ ତପୋସାଧନା ପାଇଁ ସେ ଅନ୍ତରାଳକୁ ଚାଲି ଯାଇଥିଲେ। ଏହି ସମୟରେ ଶତ ଅନୁରୋଧ ସତ୍ତ୍ୱେ ଯାହାଙ୍କ ଦର୍ଶନକୃପାରୁ ବଞ୍ଚତ୍ତ ହୋଇଥିଲେ ଖୋଦ୍‌ ମହାତ୍ମା ଗାନ୍ଧୀ, ବିଧିର ବିଚିତ୍ର ବିଧାନ ଯେ, ରବୀନ୍ଦ୍ରଙ୍କୁ ସାକ୍ଷାତ୍‌ ଦେବାକୁ ସମ୍ମତ ହୋଇଥିଲେ ଶ୍ରୀଅରବିନ୍ଦ। ୧୯୨୮ ମସିହା ମେ ୨୯ ତାରିଖରେ ଦୁହିଁଙ୍କର ଏଇ ସର୍ବଶେଷ ଦୁର୍ଲଭ ସାକ୍ଷାତ୍‌ ସମ୍ଭବ ହୋଇଥିଲା ମାତ୍ର ଅଧଘଣ୍ଟାଏ ପାଇଁ, ଯାହାର ନିମିତ୍ତ ଥିଲେ ଆଶ୍ରମର ସଂପାଦକ ନଳିନୀକାନ୍ତ ଗୁପ୍ତ।
ଶ୍ରୀଅରବିନ୍ଦଙ୍କୁ ଭେଟିବାର ବିରଳ ଅନୁଭୂତିକୁ ବର୍ଣ୍ଣନା କରି ପରେ ରବୀନ୍ଦ୍ରନାଥ ବଂଗଳା ଓ ଇଂଲିଶ୍‌ରେ ଦୁଇଟି ପ୍ରବନ୍ଧ ଲେଖିଥିଲେ, ଯାହା ‘ପ୍ରବାସୀ’ ଓ ‘ଦ ମଡର୍ଣ୍ଣ ରିଭ୍ୟୁ’ରେ ପ୍ରକାଶ ପାଇଥିଲା। ଉଭୟ ପତ୍ରିକାର ସଂପାଦକ ଥିଲେ ରମଣାନନ୍ଦ ଚାଟାର୍ଜୀ। ରବୀନ୍ଦ୍ରନାଥ ଲେଖିଥିଲେ: ”ପ୍ରଥମ ଦୃଷ୍ଟିପାତରେ ମୋର ଅନୁଭବ ହୋଇଥିଲା ଯେ, ଶ୍ରୀଅରବିନ୍ଦ ଯେଉଁ ଆତ୍ମାର ସନ୍ଧାନ ପାଇଁ ବ୍ୟଗ୍ର, ତାହା ସେ ପ୍ରାପ୍ତ। ଉପଲବ୍ଧିର ଦୀର୍ଘ ଯାତ୍ରାରେ ସେ ଅର୍ଜନ କରିଛନ୍ତି ପ୍ରେରଣାର ନୀରବ ଶକ୍ତି। ଅନ୍ତରାଲୋକର ଦୀପ୍ତିରେ ତାଙ୍କ ମୁଖମଣ୍ଡଳ ଉଦ୍ଭାସିତ।“ ସେ ଆହୁରି ଲେଖିଥିଲେ: ”ମୁଁ ଅନୁଭବ କଲି, ତାଙ୍କ ଭିତରୁ କଥା କହୁଛନ୍ତି ଭାରତୀୟ ହିନ୍ଦୁ ଋଷିସକଳ, ଯହିଁରେ ଭରି ରହିଛି ସକଳ ଭୂତରେ ମାନବାତ୍ମାର ଅବାଧ ଅଭିଗମନର ପ୍ରତିଶ୍ରୁତି।“ ଶ୍ରୀଅରବିନ୍ଦଙ୍କ ଦର୍ଶନରେ ଅଭିଭୂତ ରବୀନ୍ଦ୍ର ଶ୍ରୀଅରବିନ୍ଦଙ୍କୁ କହିଥିଲେ: ”କେବଳ ଆପଣଙ୍କଠାରେ ହିଁ ନିହିତ ସେଇ ସିଦ୍ଧାନ୍ତ, ଯାହାର ପ୍ରାପ୍ତି ପାଇଁ ଆମେ ପ୍ରତୀକ୍ଷାରତ। ଆପଣଙ୍କ କଣ୍ଠରେ ବିଶ୍ୱକୁ କଥା କହିବ ଭାରତ।“
ଶ୍ରୀଅରବିନ୍ଦ ଥିଲେ ‘ପ୍ରକୃତି-ଯୋଗୀ’ (Nature-mystic)। ସମକାଳରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ସବୁଠୁଁ ଜାଗ୍ରତ ପହରାଦାର। ପ୍ରାଚ୍ୟର ଆଧ୍ୟାତ୍ମିକତା ଓ ପାଶ୍ଚାତ୍ୟର ବସ୍ତୁବାଦ-ଉଭୟକୁ ଗଭୀର ଭାବେ ବୁଝି ତା’ର ସମନ୍ବୟ ପ୍ରତିଷ୍ଠାରେ ସଦା ତତ୍ପର ସାଧକ। ସମନ୍ବିତ ଓ ପୂର୍ଣ୍ଣାଙ୍ଗ ଜାତୀୟ ଶିକ୍ଷାର ବିଶ୍ୱସ୍ତ ଉଦ୍‌ଗାତା। ସମାଜରେ ଏକ ଶୃଙ୍ଖଳିତ, ସାମୂହିକ ଜୀବନ ପ୍ରବାହର ପ୍ରତିଷ୍ଠା ପାଇଁ ବ୍ୟକ୍ତି-ଭୂମିକା ଯେ ଅପରିହାର୍ଯ୍ୟ, ତାହା ସେ ବୁଝିଥିଲେ। ଜାଣିଥିଲେ, ପରମ ଆଡ଼େ ଜଗତକୁ ଅଡ଼େଇ ନେବାର ଦୁଇଟି ରାସ୍ତା- ‘ପ୍ରେମ’ ଓ ‘ଆନନ୍ଦ’। ଏକ ଆଦର୍ଶ ସମାଜ ଓ ଏକ ଅଭିନବ ମାନବ-ପ୍ରଜାତିର ସୃଷ୍ଟି ଥିଲା ତାଙ୍କର ଲକ୍ଷ୍ୟ।
ଶ୍ରୀଅରବିନ୍ଦ ନାନା କ୍ଷେତ୍ରରେ କାହିଁକି ଅଦ୍ୱିତୀୟ, ତା’ର ବହୁ ସୂକ୍ଷ୍ମ କାରଣ ରହିଛି ଓ ସେ ସମ୍ପର୍କରେ ବିଭିନ୍ନ ସାଧକ ତଥା ଅନୁଗାମୀ ବିଭିନ୍ନ ଅବକାଶରେ ଗଭୀର ଆଲୋକପାତ କରିଛନ୍ତି। ପଣ୍ଡିଚେରୀକୁ ନିଜର ସାଧନାପୀଠ ଓ ଶ୍ରୀଅରବିନ୍ଦଙ୍କୁ ଚୂଡ଼ାନ୍ତ ଗୁରୁ ଭାବେ ବରଣ କରିବା ପୂର୍ବରୁ ଶ୍ରୀମା’ଙ୍କ ନିକଟରେ ବି ଅନ୍ୟ ବିକଳ୍ପ ଉପଲବ୍ଧ ଥିଲା। ଆଗ ରବୀନ୍ଦ୍ରନାଥ ଶ୍ରୀମା’ଙ୍କୁ ତାଙ୍କ ଶିକ୍ଷାନୁଷ୍ଠାନ ଶାନ୍ତିନିକେତନର ଭାର ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ମା’ କବିଙ୍କର ଏହି ଅନୁରୋଧକୁ ଅବଲୀଳାକ୍ରମେ ଏଡ଼ାଇ ଯାଇଥିଲେ। ସମ୍ଭବତଃ ଆଧ୍ୟାତ୍ମିକ ସାଧନା ପାଇଁ ରବୀନ୍ଦ୍ରନାଥଙ୍କ ଅପେକ୍ଷା ଶ୍ରୀଅରବିନ୍ଦ ମା’ଙ୍କୁ ଅଧିକ ନିର୍ଭରଯୋଗ୍ୟ ମନେ ହୋଇଥିଲେ। ୧୯୧୯ରେ ଜାପାନର କ୍ୟୋଟୋଠାରେ ରବୀନ୍ଦ୍ରଙ୍କୁ ନେଇ ମା’ଙ୍କର ଏକ ବିଚିତ୍ର ଅନୁଭୂତି ହୋଇଥିଲା। ରବୀନ୍ଦ୍ରନାଥ ମା’ଙ୍କୁ କହିଥିଲେ- ‘ନିର୍ବାଣର ପ୍ରଶାନ୍ତିରେ ମୁଁ ଉପନୀତ।’ କବିଙ୍କର ଏହି କଥାର ସତ୍ୟତା ପରଖିବା ପାଇଁ ମା’ଙ୍କ ମନରେ କୌତୂହଳ ଜାତ ହୋଇଥିଲା। ମା’ଙ୍କ ଅନୁରୋଧ ରଖି ରବୀନ୍ଦ୍ର ମା’ଙ୍କ ସହ ଧ୍ୟାନରେ ବସିଥିଲେ। ଧ୍ୟାନରେ ତାଙ୍କୁ ଅନୁସରଣ କରି ମା’ ଦେଖିଥିଲେ ଯେ ତାଙ୍କ ସାଧନା କେବଳ ପ୍ରାଣ ଓ ମନର ପାଖାପାଖି ହୋଇଛି। ସେଇଠୁ ସେ ଆଉ ଆଗେଇ ପାରୁନାହାନ୍ତି, ଅଥଚ ତାଙ୍କର ଧାରଣା ଜନ୍ମିଛି ଯେ, ସେ ନିର୍ବାଣରେ ପହଞ୍ଚତ୍ ଯାଇଛନ୍ତି। ଏହି ଘଟଣା ମା’ଙ୍କୁ ହୁଏତ ନିରାଶ କରିଥିବ ଓ ସେ ଗୁରୁ ଭାବେ ନିଃସଂଶୟରେ ଶ୍ରୀଅରବିନ୍ଦଙ୍କୁ ହିଁ ବାଛିଥିବେ।
ପଣ୍ଡିଚେରୀ ଯିବାକୁ ଶ୍ରୀଅରବିନ୍ଦ ଯେତିକି ଉଦ୍ୟତ ଥିଲେ, ପଣ୍ଡିଚେରୀ ବି ତାଙ୍କ ଆଗମନ ପାଇଁ ସେତିକି ତୃଷିତ ଥିଲା। କାରଣ ଏହା ସାଧାରଣ ଭୂଖଣ୍ଡ ମାତ୍ର ନ ଥିଲା, ଥିଲା ଅଗସ୍ତି ମୁନିଙ୍କର ପବିତ୍ର ସାଧନ-ଭୂମି। ଶ୍ରୀଚୈତନ୍ୟ ବଂଗର ନବଦ୍ୱୀପରୁ ଆକର୍ଷିତ ହୋଇ ଆସିଥିଲେ ଏଇ ଭୂମିକୁ। ପୁଣି, ପଣ୍ଡିଚେରୀର ଯେଉଁ ଘରେ ଶ୍ରୀଅରବିନ୍ଦ ପ୍ରଥମେ ଆଶ୍ରୟ ନେଇଥିଲେ, ସେଇ ଘରେ ଏକଦା ବିବେକାନନ୍ଦ ଅବସ୍ଥାନ କରିଥିଲେ। ମା’ କହିଥିଲେ: ”ଯେତେବେଳେ ମୁଁ ଏ ଭୂଇଁରେ ପ୍ରଥମେ ପାଦ ଥାପିଲି, ଦେଖିଲି ଯେ ବିପୁଳ ଏକ ଆଲୋକରାଶି ଏହି ସ୍ଥାନକୁ ଆବୋରି ରହିଛି।“ କେବଳ ରବୀନ୍ଦ୍ରନାଥ କି ବିବେକାନନ୍ଦ ନୁହନ୍ତି, ଶ୍ରୀଅରବିନ୍ଦ ତାଙ୍କ ସାଧନାର ବିଜନ ଯାତ୍ରାରେ ଅତୀତ ବିଶ୍ୱର ବହୁ ସନ୍ଥ ଓ ସନ୍ନ୍ୟାସୀଙ୍କୁ ସହଗାମୀ କରାଇଛନ୍ତି। ନାନା ବିରୋଧାଭାସରେ ସମୁଜ୍ଜ୍ୱଳ ଏକ ପୁରୋଦୃଷ୍ଟିର ସାମଗ୍ରିକତାକୁ ସମ୍ଭାଳିବା ପାଇଁ ନିଜକୁ ସଶକ୍ତ ସେତୁଟିଏ କରିଛନ୍ତି, ଯେଉଁଥିରେ ଭରି ରହିଛି ଶତ ଇନ୍ଦ୍ରଧନୁର ଦ୍ୟୁତି। ସିଦ୍ଧି ଦିବସର ପୁଣ୍ୟ ଅବସରରେ ତାଙ୍କୁ ଧରିତ୍ରୀର ନତଶିର ପ୍ରଣାମ।
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri