ଆମ ବୈଷୟିକ ଶିକ୍ଷା

ହରିହର ତ୍ରିପାଠୀ

ବୈଷୟିକ ଶିକ୍ଷା ଏବେ ସଙ୍କଟରେ। ଧୀରେ ଧୀରେ ଇଞ୍ଜିନିୟରିଂ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ କମୁଛି। ସେଥିନିମନ୍ତେ ଗତ କିଛିବର୍ଷ ହେଲା ରାଜ୍ୟର ଇଞ୍ଜିନିୟରିଂ କଲେଜଗୁଡ଼ିକରେ ହଜାର ହଜାର ସିଟ୍‌ ଫାଙ୍କା ପଡ଼ୁଛି । ଏହା ଭିତରେ ଏକ ନୂଆ ଖବର ଆସିଛି ଯେ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଅଫ୍‌ ଟେକ୍‌ନିକାଲ ଏଜୁକେଶନ (ଏଆଇସିଟିଇ) ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ଶିକ୍ଷାବର୍ଷରେ ସାରା ଦେଶରେ ୧୩୦୧ଟି ବୈଷୟିକ କଲେଜକୁ ବନ୍ଦ କରାଯାଇଛି। ଇଞ୍ଜିନିୟରିଂ ସମେତ ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଥିବା ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଥର ନାମଲେଖା ହେବ ନାହିଁ । ଏଥିସହ ୨୨୨୯ଟି ପାଠ୍ୟକ୍ରମ ବନ୍ଦ ହୋଇଛି, ଯେଉଁଥିରେ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ୩୮ଟି ପାଠ୍ୟକ୍ରମ ରହିଛି।
ଖୋର୍ଦ୍ଧା ଜିଲାର ବିଭିନ୍ନ କଲେଜରେ ୩୨ଟି ପାଠ୍ୟକ୍ରମ ବନ୍ଦ ହୋଇଥିବା ବେଳେ ରାୟଗଡ଼ାରେ ଥିବା ଏକ ଶିକ୍ଷାନୁଷ୍ଠାନର ୫ଟି ଓ ଢେଙ୍କାନାଳରେ ଥିବା ଏକ କଲେଜର ଗୋଟିଏ ପାଠ୍ୟକ୍ରମକୁ ବନ୍ଦ କରି ଦିଆଯାଇଛି । ସେହିପରି ବିଭିନ୍ନ ପାଠ୍ୟକ୍ରମରେ ୧ ଲକ୍ଷ ୨୧ ହଜାର ୧୯୧ ସିଟ୍‌ ହ୍ରାସ କରାଯାଇଛି ।
ଏଆଇସିଟିଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ ଶିକ୍ଷାବର୍ଷରେ ୧୦ ହଜାର ୯୯୨ ବୈଷୟିକ ଶିକ୍ଷାନୁଷ୍ଠାନର ୩୨ ଲକ୍ଷ ୯ ହଜାର ୭୦୩ ସିଟ୍‌ରେ ନାମଲେଖା ଲାଗି ଅନୁମତି ମିଳିଥିଲା।
୨୦୨୦-୨୧ ଶିକ୍ଷାବର୍ଷରେ ୯ ହଜାର ୬୯୧ ଶିକ୍ଷାନୁଷ୍ଠାନର ୩୦ ଲକ୍ଷ ୮୮ ହଜାର ୫୧୨ ସିଟ୍‌ରେ ନାମଲେଖା ପାଇଁ ଅନୁମତି ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ,୧୭୯ ଶିକ୍ଷାନୁଷ୍ଠାନ ନିଜ ଆଡ଼ୁ ବନ୍ଦ କରିବାକୁ ଆବେଦନ କରିଥିଲେ। ଏହି ଶିକ୍ଷାନୁଷ୍ଠାନଗୁଡ଼ିକରେ ୩୪ ହଜାର ୫୫୩ ସିଟ୍‌ ଥିଲା।
ପିଲା ହେଉ ନ ଥିବାରୁ ୭୬୨ଟି ଶିକ୍ଷାନୁଷ୍ଠାନର ୬୯ ହଜାର ୯୬୫ସିଟ୍‌ ହ୍ରାସ କରାଯାଇଛି। ବିଗତ କିଛି ବର୍ଷ ହେଲା ଇଞ୍ଜିନିୟରିଂ ଓ ଅନ୍ୟ ବୈଷୟିକ ଶିକ୍ଷାରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଆସୁଛି। ପିଲାମାନେ ବୈଷୟିକ ଶିକ୍ଷା ସମାପ୍ତି ପରେ ଉପଯୁକ୍ତ ନିଯୁକ୍ତି ପାଉ ନ ଥିବା ଏହାର ପ୍ରମୁଖ କାରଣ ପାଇବେ ବୋଲି କୁହାଯାଉଛି। ଯେଉଁମାନେ ବି ନିଯୁକ୍ତି ପାଉଛନ୍ତି ସେମାନେ ପାଉଥିବା ଦରମା ସାଧାରଣ ଶିକ୍ଷା ସମାପ୍ତ କରି କାର୍ଯ୍ୟକରୁଥିବା ପିଲାମାନଙ୍କ ଦରମା ତୁଳନାରେ କମ୍‌ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ଲକ୍ଷ୍ୟକରି ଅଭିଭାବକମାନେ ଆଉ ବୈଷୟିକ ଶିକ୍ଷାରେ ଟଙ୍କା ଖର୍ଚ୍ଚ କରିବାକୁ ଉଚିତ ମଣୁ ନାହାନ୍ତି। ଏହା ବ୍ୟତୀତ ପିଲାମାନେ ମଧ୍ୟ ଟେକ୍‌ନିକାଲ ଶିକ୍ଷା ବଦଳରେ ଜେନେରାଲ ଶିକ୍ଷା ଆଡ଼କୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି ।
ଏସବୁକୁ ଆଖିଆଗରେ ରଖି ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟ ସେମାନଙ୍କର ସିଟ୍‌ସଂଖ୍ୟା ହ୍ରାସ କରିବାକୁ ଆବେଦନ କରିଆସୁଛନ୍ତି। ଏଆଇସିଟିଇ ସୂତ୍ରରୁ ଜଣାପଡ଼ିଛି, ୧୩୪ଟି ଶିକ୍ଷାନୁଷ୍ଠାନ ଅନୁମୋଦନ ଲାଗି ପୁନଃ ଆବେଦନ କରିନାହାନ୍ତି; ଯେଉଁଥିପାଇଁ ଏହି ଶିକ୍ଷାନୁଷ୍ଠାନରେ ଥିବା ୪୦ ହଜାର ୫୭୮ ସିଟ୍‌କୁ କମାଇ ଦିଆଯାଇଛି।
ଏହାବ୍ୟତୀତ ଲଗାତର ଭାବେ ୫ ବର୍ଷ ଧରି ଅନୁମୋଦିତ ସିଟ୍‌ର ୩୦ ପ୍ରତିଶତରୁ କମ୍‌ ଛାତ୍ରୀଛାତ୍ର ନାମ ଲେଖାଇବା ହେତୁ ଏଆଇସିଟିଇ ପକ୍ଷରୁ ୪୪ ଶିକ୍ଷାନୁଷ୍ଠାନରେ ୮୮୩୧ ସିଟ୍‌ ହ୍ରାସ କରାଯାଇଛି ।
ପିଲା ହେଉ ନ ଥିବାରୁ ଗୋଟିଏ ପଟେ କଲେଜ ବନ୍ଦ ହେଉଥିବା ବେଳେ ଅନ୍ୟପଟେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ୧୬୪ଟି ଶିକ୍ଷାନୁଷ୍ଠାନରେ ୩୯ ହଜାର ୬୫୬ ସିଟ୍‌ ଖୋଲିବାକୁ ଅନୁମତି ମିଳିଛି। ଦେଶର ୧୩୧୧ଟି ଶିକ୍ଷାନୁଷ୍ଠାନ ନୂଆ ପାଠ୍ୟକ୍ରମ ଖୋଲିବା ଲାଗି ଆବେଦନ କରିଥିଲେ । ଏଆଇସିଟିଇ ପକ୍ଷରୁ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ୧ ଲକ୍ଷ ୨ ହଜାର ୩୯୭ଟି ସିଟ୍‌କୁ ଅନୁମତି ଦିଆଯାଇଛି। ଏଆଇସିଟିଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ଆର୍କିଟେକ୍‌ଚର ଓ ଫାର୍ମାସୀ ପାଠ୍ୟକ୍ରମ ଲାଗି ଏଆଇସିଟିଇର ଅନୁମତି ଦରକାର ନାହିଁ।
ଆର୍କିଟେକ୍‌ ପାଠ୍ୟକ୍ରମ ଖୋଲିବାକୁ ଚାହୁଁଥିବା କଲେଜଗୁଡ଼ିକ ‘କାଉନ୍‌ସିଲ୍‌ ଅଫ୍‌ ଆର୍କିଟେକଚର’ ଓ ଫାର୍ମାସୀ କଲେଜ ଲାଗି ‘ଫାର୍ମାସୀ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ’ର ଅନୁମୋଦନ ନିହାତି ଆବଶ୍ୟକ । ସମ୍ପୃକ୍ତ ପାଠ୍ୟକ୍ରମ ଲାଗି ଏଣିକି ଉକ୍ତ ଦୁଇଟି କାଉନ୍‌ସିଲ୍‌ର ଅନୁମତି ଦରକାର । କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏଥର ଆବେଦନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ତଥାପି ମେ’ ମାସରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍‌ ଶେଷ ସୁଦ୍ଧା ଶେଷ ହୋଇଥିଲା।
ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାପ୍ରଦାନ ନିମନ୍ତେ କେବଳ ଅନୁଷ୍ଠାନ ଖୋଲିଦେଲେ ଶିକ୍ଷିତ ମାନବସମ୍ବଳ ସୃଷ୍ଟି ହୋଇଯିବେ ସିନା, ମାତ୍ର ସେମାନଙ୍କୁ ଯଦି ନିଯୁକ୍ତି ଦିଆଯାଇ ନ ପାରିଲା ତେବେ ସେମାନେ ସରକାରଙ୍କ ଲାଗି ବୋଝ ପାଲଟିଯିବେ। ଓଡ଼ିଶା ବର୍ତ୍ତମାନ ସେମିତି ସ୍ଥିତିକୁ ସାମ୍ନା କରିବାକୁ ଯାଉଛି । ରାଜ୍ୟରେ ବର୍ତ୍ତମାନ ଲକ୍ଷାଧିକ ଇଞ୍ଜିନିୟର ବେକାର । ଏମାନଙ୍କ ନିକଟରେ କାମ ନାହିଁ । ବିଭିନ୍ନ ବିଭାଗରେ ଡିପ୍ଲୋମା ଓ ଡିଗ୍ରୀ ଇଞ୍ଜିନିୟରିଂ ପାସ୍‌ କରି ଘରେ ବସି ରହିଛନ୍ତି ହଜାର ହଜାର ଛାତ୍ରୀଛାତ୍ର ।
ବୈଷୟିକ ଶିକ୍ଷାରେ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଏମାନଙ୍କ ଭିତରୁ ଅନେକ କିରାଣି ଚାକିରି ନିମନ୍ତେ ଆବେଦନ କରୁଛନ୍ତି, ଛୋଟମୋଟ ସଂସ୍ଥାରେ ସୁପରଭାଇଜର ରହୁଛନ୍ତି, ଏମିତି କି ଅନେକ ଶିକ୍ଷିତ ବେକାର ଯୁବକ ଚତୁର୍ଥଶ୍ରେଣୀ ପଦବୀ ଲାଗି ମଧ୍ୟ ଆବେଦନ କରୁଛନ୍ତି। ଆଗରୁ ଅଶିକ୍ଷିତ ଲୋକେ ଦାଦନ ଖଟିବାକୁ ରାଜ୍ୟ ଛାଡ଼ୁଥିଲେ ଏବେ ବହୁସଂଖ୍ୟାରେ ଶିକ୍ଷିତ ଯୁବତୀଯୁବକ ରାଜ୍ୟ ଛାଡୁଛନ୍ତି। ଅଭିଯୋଗ ଆସୁଛି ଯେ, ଆମର ପିଲାମାନେ ଶିକ୍ଷା ସମାପ୍ତି ପରେ ନିଯୁକ୍ତିଯୋଗ୍ୟ ହୋଇପାରୁନାହାନ୍ତି। ଗୋଟିଏ ପଟେ ସରକାର ଆତ୍ମନିର୍ଭର ଭାରତ କଥା କହୁଥିଲା ବେଳେ ବୈଷୟିକ ଶିକ୍ଷାରେ ଦେଖାଦେଇଥିବା ଏ ସଙ୍କଟ ଭିନ୍ନ ଚିତ୍ର ଉପସ୍ଥାପନ କରୁଛି। ଏହା ସ୍ପଷ୍ଟ କରୁଛି ଆମର ଯୋଜନା ଓ କାର୍ଯ୍ୟାନ୍ବୟନ ଭିତରେ ନିଶ୍ଚିତ କେଉଁଠି ଫାଙ୍କ ରହିଛି।
ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା
ମୋ:୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri