ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଦାଲତ ଅବମାନନା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦେଶର ସର୍ବୋଚ୍ଚ ଅଦାଲତ ଦ୍ୱାରା ବିଚାରଣା ଏବଂ ଦୋଷୀ ସାବ୍ୟସ୍ତକୁ ନେଇ ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ରର କ୍ଷମତାସୀନ ଦଳ ସହିତ ସମ୍ପୃକ୍ତ ନେତା ଓ ବୁଦ୍ଧିଜୀବୀମାନେ ଅଦାଲତର ରାୟକୁ ସ୍ବାଗତ କରିଥିବା ବେଳେ ଦେଶର ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଓକିଲ ଏପରି କି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଅନେକ ପୂର୍ବତନ ବିଚାରପତି ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ଖୋଲାଖୋଲି ଭାବେ ଠିଆହେବା ଦେଖାଯାଇଛି। ସାରା ଦେଶରେ ଗତ କିଛିଦିନ ଧରି ଓକିଲ ଏବଂ ସାମାଜିକ ଓ ରାଜନୈତିକ କର୍ମୀମାନେ ମତ ପ୍ରକାଶର ଅଧିକାରକୁ ସମର୍ଥନ କରି ହଜାର ହଜାର ସଂଖ୍ୟାରେ ରାସ୍ତା ଉପରକୁ ଆସିବାର ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ପ୍ରଶାନ୍ତ ଭୂଷଣଙ୍କ ମାମଲା ବାହାନାରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଦାଲତ ଅବମାନନାର ପ୍ରାସଙ୍ଗିକତାକୁ ନେଇ ପୁଣିଥରେ ଏକ ବିତର୍କର ସୂତ୍ରପାତ ହୋଇଛି।
ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନାର ମାମଲାଟି ଗତ ଜୁନ ୨୭ ଓ ୨୯ରେ ସେ କରିଥିବା ଦୁଇଟି ଟୁଇଟ୍‌କୁ ଆଧର କରି ହୋଇଛି। ପ୍ରଥମଟିରେ ସେ କହିଥିଲେ ଯେ, ଆନୁଷ୍ଠାନିକ ଭାବେ ଜରୁରୀ ପରିସ୍ଥିତି ନ ଥାଇ ବି ଗତ ଛଅବର୍ଷ ମଧ୍ୟରେ କିପରି ଗଣତନ୍ତ୍ରକୁ ଧ୍ୱଂସ କରାଯାଇଛି ତା’ରି ସମ୍ପର୍କରେ ଭବିଷ୍ୟତରେ ଐତିହାସିକମାନେ ଯଦି ଦେଖିବେ ତା’ହେଲେ ସେଥିରେ ସୁପ୍ରିମ୍‌କୋର୍ଟ ଏବଂ ବିଶେଷ କରି ଶେଷ ଚାରି ଜଣ ମୁଖ୍ୟ ବିଚାରପତିଙ୍କ ଭୂମିକାକୁ ଚିହ୍ନିତ କରିବେ। ସେହିପରି ଦ୍ୱିତୀୟ ଟୁଇଟ୍‌ରେ ସେ ଲେଖିଛନ୍ତି, ”ସୁପ୍ରିମ୍‌କୋର୍ଟକୁ ଲକ୍‌ଡାଉନ୍‌ ମୋଡ଼ରେ ରଖିବା ଯୋଗୁ ଜନଗଣଙ୍କୁ ନ୍ୟାୟ ପାଇବାର ମୌଳିକ ଅଧିକାରରୁ ବଞ୍ଚତ୍ତ କରିଥିବା ମୁଖ୍ୟ ବିଚାରପତି, ନାଗପୁରର ରାଜଭବନଠାରେ ଜନୈକ ଭାଜପା ନେତାଙ୍କ ୫୦ ଲକ୍ଷ ଟଙ୍କାର ହାର୍ଲେ ଡିଭିଡ଼ସନ୍‌ ମୋଟରସାଇକେଲକୁ ବିନା ମାସ୍କ ଏବଂ ହେଲମେଟ୍‌ରେ ଚଢ଼ୁଛନ୍ତି।“
ଉପରୋକ୍ତ ଦୁଇଟି ଟୁଇଟ୍‌କୁ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ, ଅଦାଲତର ଅବମାନନା ବୋଲି ମନେକରି ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଅଙ୍ଗ ରୂପେ ପରିଚିତ ନ୍ୟାୟପାଳିକାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଜଣେ ବ୍ୟକ୍ତିର ଦୁଇଟି ମାତ୍ର ଟୁଇଟ୍‌କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଏତେ ବ୍ୟସ୍ତ କାହିଁକି ? ଦେଶରେ ଅନେକ ବଡ଼ ବଡ଼ ତଥା ଜରୁରୀ ପ୍ରସଙ୍ଗ ବିଚାର ପାଇଁ ସ୍ଥଗିତ ରହିଥିବା ବେଳେ ସୁପ୍ରିମକୋର୍ଟ ଯେଉଁଭଳି ତରବରିଆ ଭାବେ ଏହି ମାମଲାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି ତାକୁ ନେଇ ସବୁଆଡ଼େ ସନ୍ଦେହ ପ୍ରକାଶ ପାଇଛି। ଯଦି କୋର୍ଟ ନିଜର ରାୟ ଅନୁଯାୟୀ ସତରେ ଏହି ଟୁଇଟ୍‌ ପଛରେ କୌଣସି ଗଭୀର ଷଡ଼ଯନ୍ତ୍ର ରହିଥିବା କଥା ଭାବୁଛନ୍ତି, ତା’ହେଲେ ଏ ନେଇ ତଥ୍ୟ ଏବଂ ପ୍ରମାଣ ରଖିବା କଥା। କିନ୍ତୁ ସେପରି କରିନାହାନ୍ତି। ବରଂ ନିଜର ୧୩୦ ପୃଷ୍ଠାର ଜବାବରେ ପ୍ରଶାନ୍ତ ଭୂଷଣ ଗତ ଛଅ ବର୍ଷ ମଧ୍ୟରେ କିପରି ଗତ ଚାରି ଜଣ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଉଦ୍ୟମ ହୋଇଛି ତଥ୍ୟ ଓ ପ୍ରମାଣ ସହିତ ତା’ର ଏକ ତାଲିକା ପ୍ରଦାନ କରିଛନ୍ତି।
ତେବେ ଅଦାଲତ ଅବମାନନାର ଅଭିଯୋଗଟି କେବଳ ପ୍ରଶାନ୍ତ ଭୂଷଣଙ୍କଠାରେ ହିଁ ସୀମିତ ରହିନି। ଦୁଇ ବର୍ଷ ତଳେ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ତତ୍କାଳୀନ ଭାଜପା ସଭାପତି ଖୋଲାଖୋଲି ସମାଲୋଚନା କରିଥିଲେ ମଧ୍ୟ ଅଦାଲତ ତାକୁ ଅବମାନନା ରୂପେ ନେବା ଦେଖାଯାଇନି। ଏପରି କି ଆଜିକୁ ୨୮ ବର୍ଷ ତଳେ ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ବାବ୍ରୀ ମସଜିଦ୍‌ର ସୁରକ୍ଷା ପାଇଁ ଖୋଦ୍‌ ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ କରି ପରେ ତା’ର ଅବମାନନା କରିଥିଲେ ମଧ୍ୟ ଏଯାଏ ସେଥିପାଇଁ ତାଙ୍କର ବିଚାରଣା ହୋଇପାରିଲାନି।
ଆମ ଦେଶରେ ଅଦାଲତ ଅବମାନନାଟି ସିଭିଲ ଓ ଫୌଜଦାରି ପରି ଦୁଇ ପ୍ରକାରର। କୋର୍ଟର ନିର୍ଦ୍ଦେଶ ବା ରାୟକୁ ନ ମାନିବା ସିଭିଲ ଅବମାନନା ପର୍ଯ୍ୟାୟଭୁକ୍ତ ହୋଇଥାଏ। ଏହି କ୍ଷେତ୍ରରେ ଖୋଦ୍‌ ସରକାର ହିଁ ସବୁଠାରୁ ବଡ଼ ଅଭିଯୁକ୍ତ। ଖୋଦ୍‌ ସୁପ୍ରିମକୋର୍ଟର ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ଦେଶରେ ଏଭଳି ୯୬,୩୧୦ଟି ଅବମାନନାର ଅଭିଯୋଗ ରହିଥିଲା। ସେହିଭଳି ଫୌଜଦାରି ଅବମାନନାର ବି ଦେଶରେ ୭୦୦ରୁ ଅଧିକ ମାମଲା ପଡ଼ି ରହିଛି। କିନ୍ତୁ କୋର୍ଟ ସେସବୁ ମାମଲାରେ ଯେଉଁଭଳି ତପତ୍ରତା ଦେଖାଇବା କଥା ଦେଖାଯାଉନି।
ଅସଲ କଥା ହେଉଛି, ନ୍ୟାୟପାଳିକାର ସମ୍ମାନଟି ଜଣେ ବ୍ୟକ୍ତିର ଟୁଇଟ୍‌ ଉପରେ ନିର୍ଭର କରେନାହିଁ। ବରଂ ନ୍ୟାୟପାଳିକାର କାର୍ଯ୍ୟକଳାପର ଆଧାରରେ ହିଁ ତା’ର ସମ୍ମାନରେ ବୃଦ୍ଧି କିମ୍ବା ହ୍ରାସ ହୋଇଥାଏ। ଭଲ ଭଲ ରାୟ ନ୍ୟାୟାପାଳିକାର ସମ୍ମାନକୁ ବୃଦ୍ଧି କରୁଥିବା ବେଳେ ପକ୍ଷପାତପୂର୍ଣ୍ଣ ରାୟ ଅଥବା କାର୍ଯ୍ୟାନୁଷ୍ଠାନ ଶୂନ୍ୟତା ତା’ର ସମ୍ମାନକୁ କ୍ଷୁଣ୍ଣ କରିଥାଏ। ଗତ କିଛି ବର୍ଷ ମଧ୍ୟରେ ଏପରି ଅନେକଗୁଡ଼ିଏ ଘଟଣା ହୋଇଛି, ଯାହା କି ସର୍ବୋଚ୍ଚ ଅଦାଲତର ସମ୍ମାନକୁ କ୍ଷୁଣ୍ଣ କରିଛି। ଏହା କେବଳ ପ୍ରଶାନ୍ତ ଭୂଷଣ ହିଁ କହି ନାହାନ୍ତି, ଖୋଦ୍‌ ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ବିଧିବଦ୍ଧ ତଥା ଅଭୂତପୂର୍ବ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି। ସେମାନେ ଖୋଲାଖୋଲି ଭାବେ ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ଉପରେ ଅଭିଯୋଗ ଆଣି କିଛି ସ୍ପଷ୍ଟକାତର ନିର୍ଦ୍ଦିଷ୍ଟ ମାମଲାର ଏକ ନିର୍ଦ୍ଦିଷ୍ଟ ପରିଣାମ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଖଣ୍ଡପୀଠକୁ ଦିଆଯାଉଥିବା କଥା କହିଥିଲେ। ବର୍ଷ ବର୍ଷ ଧରି ସୁପ୍ରିମକୋର୍ଟର କାର୍ଯ୍ୟକାରିତା ନେଇ ଅନେକଙ୍କ ମନରେ ଯେଉଁସବୁ ପ୍ରଶ୍ନ ଆସୁଥିଲା ତାକୁ ହିଁ ସେମାନେ ଏକରକମ ସ୍ବୀକାର କରିଥିଲେ।
ସେ ନିର୍ବାଚନ ବଣ୍ଡ ମାମଲା ହେଉ କିମ୍ବା ବିଚାରପତିଙ୍କ ସମ୍ପତ୍ତି ତାଲିକା ହେଉ ଅଥବା ହିବଅସ୍‌ କର୍ପସ୍‌ ପରି ଜରୁରୀ ମାମଲାରେ ବର୍ଷ ବର୍ଷ ଧରି ଶୁଣାଣି ନ କରି ପକେଇ ରଖିବା ଜରିଆରେ ହେଉ, ଏସବୁ ଦ୍ୱାରା ଖୋଦ୍‌ ନ୍ୟାୟପାଳିକା ନିଜ ପ୍ରତି ଲୋକଙ୍କର ସନ୍ଦେହକୁ ବଢ଼ାଇବା ଦେଖାଯାଇଛି। ଏପରି କି ବାରମ୍ବାର ସରକାର ସପକ୍ଷରେ ଅନେକ ଅସ୍ବାଭାବିକ ରାୟ ଦେବା ପରେ ସମ୍ପୃକ୍ତ ମୁଖ୍ୟ ବିଚାରପତି ଅବସର ନେବାର ତିନି ମାସ ନ ପୂରୁଣୁ ସେହି ସରକାର ଦ୍ୱାରା ରାଜ୍ୟ ସଭାର ସଦସ୍ୟ ରୂପେ ମନୋନୀତ ହେବା ନ୍ୟାୟାଳୟର ବିଶ୍ୱସନୀୟତାକୁ କଦାପି ବୃଦ୍ଧି କରୁନି। ଅତଏବ ନ୍ୟାୟାଳୟ କାହାରିକୁ ମାତ୍ର କିଛି ପଦ ସମାଲୋଚନା ପାଇଁ ଦଣ୍ଡ ଦେଇ ବା ନିଜର କ୍ଷମତାକୁ ପ୍ରଦର୍ଶନ ଜରିଆରେ ନୁହେଁ ବରଂ ନିଜର କାର୍ଯ୍ୟ ବିଶେଷ କରି ସକ୍ରିୟତା, ପାରଦର୍ଶିତା ଏବଂ ନିରପେକ୍ଷତା ଜରିଆରେ ହିଁ ସମ୍ମାନକୁ ବଢ଼ାଇ ପାରିବ।
ପ୍ରଶାନ୍ତ ଭୂଷଣଙ୍କ ବାହାନାରେ ଅଦାଲତ ଅବମାନନା ପ୍ରସଙ୍ଗ ନେଇ ବିତର୍କ ସୃଷ୍ଟି ହେବା ଭଲ କଥା। କାରଣ ବିଶ୍ୱର ଉନ୍ନତ ଗଣତନ୍ତ୍ର କୁହାଯାଉଥିବା ଦେଶମାନଙ୍କରେ ଏହାକୁ ଗଣତନ୍ତ୍ର ପାଇଁ ଏକ ଅନାବଶ୍ୟକ କଥା ବୋଲି ବିଚାର କରିଥାନ୍ତି। ଯେଉଁ ବ୍ରିଟିଶ ଆଇନ ଦ୍ୱାରା ଅନୁପ୍ରାଣୀତ ହୋଇ ଆମେ ଆମର ସମ୍ବିଧାନରେ ଏହି ବ୍ୟବସ୍ଥାକୁ ରଖିଛୁ ତାକୁ ସେମାନେ ହିଁ ୨୦୧୩ ମସିହାରୁ ନିଜ ସମ୍ବିଧାନରୁ ଉଚ୍ଛେଦ କରି ସାରିଛନ୍ତି। ଏପରି କି ଏହି ଆଇନ ଥିବାବେଳେ ବି ନିଜର ସମାଲୋଚନା ନେଇ ସେଠାକାର ବିଚାର ବ୍ୟବସ୍ଥାର ଉଦାରତାର ଅନେକ ଉଦାହରଣ ରହିଛି।
ପ୍ରଶାନ୍ତ ଭୂଷଣ ନିଜର ଗତ ୩୦ ବର୍ଷର ଓକିଲାତିରେ ଅଗଣିତ ଥର ସାଧାରଣ ଲୋକଙ୍କ ପକ୍ଷ ରଖିଛନ୍ତି। ପୂର୍ବର ଉପା ସରକାରଠାରୁ ଆରମ୍ଭ କରି ବର୍ତ୍ତମାନର ସରକାର ସମୟରେ ହୋଇଥିବା ଅନେକ ଭ୍ରଷ୍ଟାଚାରକୁ ଉଜାଗର କରିବାରେ ତାଙ୍କର ଏକ ପ୍ରମୁଖ ଭୂମିକା ରହି ଆସିଛି। ତାଙ୍କ ଦ୍ୱାରା ଦାଏର ଜନସ୍ବାର୍ଥ ମାମଲାରେ ଲକ୍ଷ ଲକ୍ଷ ସାଧାରଣ ଲୋକ ଲାଭାନ୍ବିତ ହୋଇଛନ୍ତି। ଅତଏବ ତାଙ୍କ ଦ୍ୱାରା କରାଯାଇଥିବା ନ୍ୟାୟପାଳିକାର ସମାଲୋଚନା ଏକ ସୁସ୍ଥ ସମାଲୋଚନା ମାତ୍ର। ଗଣତନ୍ତ୍ରରେ ଏଭଳି ସମାଲୋଚନା ବିଚାର ବ୍ୟବସ୍ଥାକୁ ଦୁର୍ବଳ କରି ନ ଥାଏ ବରଂ ସେଥିରେ ରହିଥିବା ତ୍ରୁଟିକୁ ସୁଧାରିବା ପାଇଁ ଏକଦମ୍‌ ଜରୁରୀ । ବରଂ ଅଦାଲତ ଅବମାନନା ନାଁରେ ମତ ପ୍ରକାଶର ଅଧିକାରକୁ ସଙ୍କୁଚିତ କରିବାର ଉଦ୍ୟମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହିଁ ଦୁର୍ବଳ କରିଦେବ।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri