ଆଦିବାସୀ ଅଞ୍ଚଳରେ ଶିକ୍ଷା

ସବ୍ୟସାଚୀ ଅମିତାଭ
ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଗତି କୁଆଡେ। ସରକାର କହୁଛନ୍ତି, ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ହେଲେ ଆଦିବାସୀବହୁଳ ଜିଲାଗୁଡ଼ିକରେ ଶିକ୍ଷାର ବାସ୍ତବ ଚିତ୍ର କିନ୍ତୁ ପୂରାପୂରି ଓଲଟା। କିଛିଦିନ ତଳେ ରାୟଗଡ଼ାର ଏକ ଆଦିବାସୀ ଗାଁକୁ ଯିବାର ସୁଯୋଗ ମିଳିଥିଲା। ଜାଗାଟି ହେଉଛି ବଣପାହାଡ଼ଘେରା ଅଞ୍ଚଳ। ଏଠାରେ ରହିଥିବା ସ୍କୁଲଟି ହେଉଛି ଶେଖାଲ ପ୍ରାଥମିକ ସ୍କୁଲ। ଜିଲା ସଦରମହକୁମାଠାରୁ ସ୍ଥାନଟିର ଦୂରତା ପ୍ରାୟ ୧୫ କିମି। ୧୯୨୬ ମସିହାରେ ପ୍ରତିଷ୍ଠିତ ସ୍କୁଲଟିର ଏବେ ଜରାଜୀର୍ଣ୍ଣ ଅବସ୍ଥା। ୧୯୮୭ରେ ସ୍କୁଲଟି ୪୦ ଆସନ ବିଶିଷ୍ଟ ଆବାସିକ ସ୍କୁଲରେ ପରିଣତ ହୋଇଥିଲା। ଏବେ ପିଲାଙ୍କ ସଂଖ୍ୟା ୮୧। ଆଖପାଖ ୪-୫ଟି ପଞ୍ଚାୟତର ପିଲା ଏଇ ସ୍କୁଲ ହଷ୍ଟେଲରେ ରହି ପଢ଼ନ୍ତି। ଖାଇବା ପାଇଁ ଦିନକୁ ତିନି ବେଳା ମିଲ୍‌। ସ୍କୁଲର ଶିକ୍ଷକ ତିନି ଜଣ । ଡାଇନିଙ୍ଗ ହଲ୍‌ କଥା ଛାଡନ୍ତୁ, ପିଲାଙ୍କ ପାଇଁ ଶୌଚାଳୟଟିଏ ବି ସ୍ବପ୍ନ। ରାଜ୍ୟର ଅନ୍ୟ ଆଦିବାସୀ ଅଞ୍ଚଳର ସ୍କୁଲଗୁଡ଼ିକର ଚିତ୍ର କିପରି ହୋଇଥିବ ତାହା ଏହି ସ୍କୁଲ୍‌କୁ ଦେଖି ଅନୁମାନ କରିହେଉଛି।
ଶେଖାଲ୍‌ ପ୍ରାଥମିକ ସ୍କୁଲଠାରୁ କେଇ କିମି ଦୂରରେ ରହିଛି ଗୋଟିଏ ଗାଁ ରାଣାଗୁଡ଼ା। ନାଗାବଳୀ ନଦୀ ଡେଇଁ ଗାଁକୁ ଯିବାକୁ ପଡ଼େ। ୩୫ଟି କନ୍ଧ ପରିବାରକୁ ନେଇ ଏଇ ଗାଁ। ଏଠାରେ ବି ଗୋଟିଏ ପ୍ରାଥମିକ ସ୍କୁଲ ଥିଲା। ପିଲାସଂଖ୍ୟା ମାତ୍ର ୨ ହୋଇଥିବାରୁ ନିକଟରେ ଏଇ ସ୍କୁଲକୁ ବନ୍ଦ କରିଦିଆଯାଇଛି। ୨୦୧୮ରେ ରାଜ୍ୟର ୮୨୮ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ବନ୍ଦ ହୋଇଯାଇଛି, କାରଣ ଏଇ ସବୁ ସ୍କୁଲରେ ପିଲାସଂଖ୍ୟା ୧୦ରୁ କମ୍‌। କମ୍‌ ପିଲା କାରଣରୁ ବନ୍ଦ ହୋଇଥିବା ରାଣାଗୁଡା ସ୍କୁଲ ହୁଏ ତ ଓଡିଶାରେ ପ୍ରଥମ ନୁହେଁ। କିନ୍ତୁ ଏହା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଥିବା ଫାଙ୍କଟିକୁ ସାମ୍‌ନାକୁ ଆଣୁଛି।
ରାୟଗଡା ହେଉ କି କନ୍ଧମାଳ ପରି ଆଦିବାସୀ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳର ପିଲାମାନଙ୍କୁ ଆବାସିକ ସ୍କୁଲରେ ରଖି ପଢ଼ାଇବା ପାଇଁ ଜୋର ଦିଆଯାଉଛି। ଏହି ଦୁର୍ଗମ ଅଞ୍ଚଳଗୁଡ଼ିକରେ ଶିକ୍ଷା ସୁବିଧା ଉପଲବ୍ଧ କରାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଏପରି କି ଯେଉଁ ପିଲାମାନେ ଅଧାରୁ ପାଠ ଛାଡିଛନ୍ତି ସେମାନଙ୍କୁ ପୁଣି ଥରେ ସ୍କୁଲ ସହ ଯୋଡ଼ିବା ପାଇଁ ଅନେକ ବ୍ୟବସ୍ଥା ବି ରହିଛି। ହେଲେ ଏହି ଯୋଜନା ସବୁ ସଫଳ ନ ହେବାର ଏକମାତ୍ର କାରଣ ହେଲା, ଆଦିବାସୀ ଇଲାକାରେ ଶିକ୍ଷା ବିକାଶ ପାଇଁ ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷଙ୍କ ଆନ୍ତରିକତାର ଅଭାବ ଓ ଅଣଦେଖା ମନୋବୃତ୍ତି।
ଆଦିବାସୀବହୁଳ ଇଲାକାରେ ଥିବା ସରକାରୀ ପ୍ରାଥମିକ ସ୍କୁଲକୁ ପିଲା କ’ଣ ପାଇଁ ଆସୁନାହାନ୍ତି ତାହାର କାରଣ କେହି ଖୋଜୁ ନାହାନ୍ତି। ପିଲା କିପରି ସ୍କୁଲମୁହାଁ ହେବେ ସେ ନେଇ ବି ପଦକ୍ଷେପ ନିଆଯାଉନି। ଉପରଠାଉରିଆ ଭାବେ କାଗଜକଲମରେ କାମ ସାରିଦେଉଛନ୍ତି ସମସ୍ତେ। ଯଦି ଗତବର୍ଷର ତଥ୍ୟ ଅନୁଧ୍ୟାନ କରାଯାଏ, ଜଣାପଡ଼େ ଅର୍ଥନୈତିକ ସ୍ତରରେ ପଛୁଆ ତଥା ଖଣିଜ ସମ୍ପଦ ଭରପୂର ରାୟଗଡ଼ା ଜିଲାରେ ୧୨୪ଟି ସରକାରୀ ସ୍କୁଲ ବନ୍ଦ ହୋଇଯାଇଛି। ସେହିପରି ଆଉ ୨୬୮ଟି ସ୍କୁଲ ଚିହ୍ନଟ କରାଯାଇଛି, ଯାହାକୁ ଆଗାମୀ ଦିନରେ ବନ୍ଦ କରିଦିଆଯିବ। ଏପଟେ କନ୍ଧମାଳରେ ବି ୧୦୧ଟି ସରକାରୀ ସ୍କୁଲରେ ତାଲା ପଡ଼ିଗଲାଣି। ୧୦ରୁ କମ୍‌ ଛାତ୍ରୀଛାତ୍ର ଥିବା ସ୍କୁଲକୁ ଏକ କିଲୋମିଟର ଦୂରରେ ଥିବା ପ୍ରାଥମିକ ସ୍କୁଲ ଅବା ତିନି କିଲୋମିଟର ଦୂରରେ ଥିବା ଉଚ୍ଚପ୍ରାଥମିକ ସ୍କୁଲରେ ମିଶ୍ରଣ ପାଇଁ ସରକାର କିଛି ବର୍ଷ ତଳେ ନୀତିଗତ ନିଷ୍ପତ୍ତି ନେଇଥିଲେ।
ଯେଉଁ ଆଦିବାସୀ ଅଞ୍ଚଳରେ ସାକ୍ଷରତା ହାର କମ୍‌ ରହିଛି ସେହି ଅଞ୍ଚଳରେ ଆଦିବାସୀ ଆବାସିକ ସ୍କୁଲ ପ୍ରତିଷ୍ଠା ସରକାରୀ ଯୋଜନାର ଅଂଶବିଶେଷ। ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ମୋଟ ସାକ୍ଷରତା ହାର ୭୨.୮୭ ପ୍ରତିଶତ ଥିବାବେଳେ ସେଇ ତୁଳନାରେ ତଫସିଲଭୁକ୍ତ ଜନଜାତିଙ୍କ ସାକ୍ଷରତା ହାର ରହିଛି ୫୨.୨୪ ପ୍ରତିଶତ।
ଯଦି ଆମେ ତୃଣମୂଳ ସ୍ତରରେ ଶିକ୍ଷାର ପ୍ରକାରଭେଦକୁ ପରଖିବା, ତାହାହେଲେ ଦେଖିବା ହାଇସ୍କୁଲରୁ ଆଶ୍ରମ ସ୍କୁଲ ଯାଏ ମୌଳିକ ଶିକ୍ଷା ସେବାଶ୍ରମଗୁଡିକ ପ୍ରାଥମିକ ଶିକ୍ଷାର ଅଂଶବିଶେଷ। ଏହାଛଡ଼ା କେନ୍ଦ୍ର ସରକାରଙ୍କ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କିଛି ସ୍ଥାନରେ ରହିଛି। ଗୋଟିଏ ପଟେ ସରକାରୀ ସେବାଶ୍ରମ ବା ଆଦିବାସୀ ସ୍କୁଲ ଅବସ୍ଥା ଦୁର୍ବଳ ହେଉଥିବା ବେଳେ ଘରୋଇ ଆବାସିକ ସ୍କୁଲଗୁଡ଼ିକ ମୋଟା ହେବାରେ ଲାଗିଛନ୍ତି। ବ୍ୟବସ୍ଥାରେ ଥିବା ଦୁର୍ବଳତାରୁ ଫାଇଦା ନେଇ ଏହି ଘରୋଇ ଆବାସିକ ଅନୁଷ୍ଠାନଗୁଡିକ ଦ୍ରୁତବେଗରେ ବଢ଼ିବାରେ ଲାଗିଛନ୍ତି। ଏମାନେ ଲୋଭିଲା ପ୍ରତିଶ୍ରୁତି ଦେଖାଇ ନିରୀହ ଆଦିବାସୀ ପିଲାମାନଙ୍କୁ ନିଜ ସଂସ୍ଥାଗୁଡ଼ିକରେ ଭର୍ତ୍ତି କରୁଛନ୍ତି। ସରକାର ସବୁ ଜାଣି ବି ଚୁପ୍‌ ବସୁଛନ୍ତି। ନିଜ ଅନୁଷ୍ଠାନକୁ ମାରି ଘରୋଇ ଅନୁଷ୍ଠାନକୁ ପ୍ରୋତ୍ସାହନ ଦେଉଛନ୍ତି।
ସରକାର ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକ ଭିତରୁ ପ୍ରାୟ ୮୫ ପ୍ରତିଶତ ସ୍କୁଲରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ନାହିଁ। ସେହିପରି ୯୫ ପ୍ରତିଶତ ସ୍କୁଲରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏ ଶିକ୍ଷକ ନାହାନ୍ତି। ତଥ୍ୟ ଅନୁସାରେ, ରାଜ୍ୟରେ ୩୩,୩୯୮ଟି ପ୍ରାଥମିକ ସ୍କୁଲ ଥିବାବେଳେ ସେଥିରୁ ମାତ୍ର ୧୪୪୮ଟିରେ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏ ଶିକ୍ଷକ ଓ ୪୦୩୨ ସ୍କୁଲରେ ପ୍ରତି ଶ୍ରେଣୀ ଲାଗି ବଖରାଏ କରି ଶ୍ରେଣୀ ଗୃହ ରହିଛି। ଏଇ ଅବସ୍ଥା ଉଚ୍ଚ ପ୍ରାଥମିକ ସ୍କୁଲଗୁଡିକରେ। ରାଜ୍ୟରେ ୧୭,୬୯୬ ଉଚ୍ଚପ୍ରାଥମିକ ସ୍କୁଲ ଥିବାବେଳେ ସେଥିମଧ୍ୟରୁ ୫,୩୭୪ଟିରେ ପ୍ରତି ଶ୍ରେଣୀ ପାଇଁ ଜଣେ ଲେଖାଏ ଶିକ୍ଷକ ଓ ୫,୮୮୬ଟିରେ ପ୍ରତି ଶ୍ରେଣୀ ପାଇଁ ବଖରାଏ ଲେଖାଏ ଘର ରହିଛି। ଏହି ତଥ୍ୟଟି ମୋଟାମୋଟି ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରତି ଏକ ସତର୍କ ଘଣ୍ଟି କହିଲେ ଭୁଲ୍‌ ହେବନି। କାରଣ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂଆ ରାହା ଦେବା ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବା ଦର୍ଶାଉଛନ୍ତି। ହେଲେ ସ୍ଥଳ ବିଶେଷରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବାଟହୁଡା ଓ ବିପର୍ଯ୍ୟୟ ଆଡକୁ ମୁହାଁଇ ସାରିଲାଣି। ରାୟଗଡ଼ା ହେଉ କି କନ୍ଧମାଳ ଏ କେବଳ ଗୋଟେ ଗୋଟେ ଉଦାହରଣ ହୋଇପାରନ୍ତି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସ୍ଥିତି ପରଖିବା ପାଇଁ, ହେଲେ ସାମଗ୍ରିକ ଭାବେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ଏବେ ଓଲଟା ଦିଗରେ ଗତିକଲାଣି।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri