ଆଜିର ନାରୀ ପ୍ରତିଭା

ବୈକୁଣ୍ଠନାଥ ମିଶ୍ର
ନାରୀ ଆଉ ଅସୂର୍ଯ୍ୟଂପଶ୍ୟା, ଦୁର୍ବଳା ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟିକରି ତାକୁ ସମାଜର ମହାସ୍ରୋତରେ ଅଗ୍ରଗଣ୍ୟା କରିବାରେ ସହାୟକ ହୋଇଛି। ଦିନ ଥିଲା ସେ ଏକ ମୂକ ଗୋମାତା ସଦୃଶ ବିବେଚିତ ହେଉଥିଲା। ତା’ର ଇଚ୍ଛା ଅନିଚ୍ଛା ପ୍ରତି ଏ ପୁରୁଷପ୍ରଧାନ ସମାଜ ଆଖିବୁଜି ଦେଉଥିଲା। ଏକ ଯନ୍ତ୍ରମାନବ ରୂପେ ତାକୁ ବ୍ୟବହାର କରାଯାଉଥିଲା।
ସମାଜର ବର୍ବରତାର ଶିକୁଳି ମଧ୍ୟରୁ ମୁକ୍ତ ହୋଇ ଆଜିର ନାରୀ କେବଳ ଇତିହାସ ରଚିନାହାନ୍ତି, ବରଂ ସେମାନେ ସାଜିଛନ୍ତି ଅନନ୍ୟ ଉଦାହରଣ। କଟକ ଜିଲାର ୬୫ ବର୍ଷୀୟା ଭିନ୍ନ ଚେତନାର ଅଧିକାରିଣୀ ହେଲେ ଶାନ୍ତା ମହାପାତ୍ର। ଉପକୂଳ ଓଡ଼ିଶାର ସଭ୍ୟ ଶିକ୍ଷିତ ପରିବାରର ପିଲାମାନଙ୍କ ସହଜ ଜୀବନଶୈଳୀ ସହ ବଣପାହାଡ଼ ଘେରା ଅନ୍ଧାରି ଇଲାକାର ଆଦିମ ଅଧିବାସୀ ପିଲାମାନଙ୍କର ଜୀବନଶୈଳୀକୁ ତୁଳନା କରି ତାଙ୍କ ବ୍ୟଥାଭରା ହୃଦୟ ଆନ୍ଦୋଳିତ ହେଲା। ସେ ନିଜର ସହଜ ଓ ସୁଖମୟ ଜୀବନଯାପନକୁ ପରିହାର କରି ସେହି ଅପାଂକ୍ତେୟ ଅଲୋଡ଼ା ଶିଶୁମାନଙ୍କର ସେବାଯତ୍ନ ଓ ଶିକ୍ଷାର ବିକାଶ କଳ୍ପେ ସମର୍ପି ଦେଲେ ଜୀବନକୁ। ଦାରିଦ୍ର୍ୟ ନିଷ୍ପେଷିତ କୋମଳମତି ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଓ ସେମାନଙ୍କ ପାଇଁ କିଛି କରିବାର ଯେଉଁ ପ୍ରୟାସ ଟିକକ ତାଙ୍କ ମନ ମଧ୍ୟରେ ଜାଗ୍ରତ ହେଲା ତାକୁ ସାକାର କରିବାର ସଙ୍କଳ୍ପ ନେଇ ସେ ଧାଇଁଗଲେ ଅପେକ୍ଷାକୃତ ଅନୁନ୍ନତ ରାୟଗଡା ଜିଲାର ନିୟମଗିରି ଇଲାକାକୁ। ନିୟମଗିରି ପାହାଡ଼ରେ ବାସକରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ପିଲାମାନଙ୍କୁ ସଭ୍ୟତାର ଅରୁଣାଲୋକରେ ଅରୁଣାୟିତ କରିବା ଥିଲା ତାଙ୍କ ଜୀବନର ସର୍ବଶେଷ ଓ ସର୍ବଶ୍ରେଷ୍ଠ ଅଭିଳାଷ। ଡଙ୍ଗରିଆ ଓ ଝରଣିଆ କନ୍ଧ ସମାଜର ମୁରବିମାନଙ୍କର ନାଲିଆଖିକୁ ଭ୍ରୂକ୍ଷେପ ନ କରି ନିଜ ହାତରେ କୋଳେଇ ନେଇଥିଲେ ଅବୋଧ ଡଙ୍ଗରିଆ ଓ ଝରଣିଆ ଶିଶୁମାନଙ୍କୁ। ପ୍ରକୃତି କୋଳରେ ଅଯତ୍ନର ଶିକାର ହୋଇଥିବା ସେହି ଶିଶୁମାନଙ୍କର ନିକଟତର ହେବା ଆଦୌ ସହଜସାଧ୍ୟ ନ ଥିଲା। ହେଲେ ଶାନ୍ତାଙ୍କର ଦୁର୍ବାର ଇଚ୍ଛାଶକ୍ତି ଯୋଗୁ ସବୁକିଛି ସମ୍ଭବ ହେଲା। କ୍ରମେ ମୁରବିମାନେ ତାଙ୍କ ମହତ୍‌ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କଲେ ଓ ତାଙ୍କୁ କନ୍ଧ ସମାଜର ହିତାକାଂକ୍ଷୀ ରୂପେ ଗ୍ରହଣ କଲେ। ଫଳରେ ସେ ପାଲଟିଗଲେ ଅବୋଧ ଶିଶୁମାନଙ୍କର ସ୍ନେହମୟୀ ମା’। ତାଙ୍କ ନିଷ୍ଠାପର ସାଧନାର ପ୍ରତିଫଳନ ସ୍ବରୂପ ନିୟମଗିରି ଅଞ୍ଚଳରେ ଗଢ଼ିଉଠିଛି ଆଜି ଏକ ଆବାସିକ ଶିକ୍ଷାକେନ୍ଦ୍ର। ସମୁଦ୍ର ପତ୍ତନର ପ୍ରାୟ ୬ ହଜାର ମିଟର ଉଚ୍ଚତାରେ ଅବସ୍ଥିତ ଏହି ନିୟମଗିରି ଇଲାକାରେ ରହିଛି ୮ ଗୋଟି ପଞ୍ଚାୟତ। ଏବେ ଆଉ ଶାନ୍ତା ଅପରିଚିତା ନୁହନ୍ତି ସେହି ବଣଜଙ୍ଗଲ ଘେରା ପାହାଡ଼ି ମୁଲକରେ। ପ୍ରାଥମିକ ଅବସ୍ଥାରେ ତାଙ୍କ ପ୍ରତି ନିକ୍ଷେପ କରାଯାଉଥିବା ସେ ସନ୍ଦେହ ଓ ବିସ୍ମୟଭରା ଦୃଷ୍ଟି ବଦଳିଯାଇଛି ଭାବୋଚ୍ଛ୍ବାସରେ। କନ୍ଧ ଶିଶୁମାନଙ୍କର ଶିକ୍ଷାର ଭାର ବହନ କରି ସେମାନଙ୍କୁ ପ୍ରଦାନ କରିଛନ୍ତି ଆଧୁନିକତାର ନବ ଉନ୍ମେଷ। ଗତ ଶତାବ୍ଦୀର ଶେଷ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ସେ ଜାରି ରଖିଛନ୍ତି ତାଙ୍କ ଐକାନ୍ତିକ ଉଦ୍ୟମ। ସରକାରୀ ସାହାଯ୍ୟ ଦୁଷ୍ପ୍ରାପ୍ୟ ସତ୍ତ୍ୱେ ଉତ୍କଟ ଅଭାବକୁ ସାମ୍‌ନା କରି ହାରିଯାଇ ନାହାନ୍ତି ଶାନ୍ତା। ଲକ୍ଷ୍ୟସ୍ଥଳରେ ଉପନୀତ ହେବାର କି ଅଦମ୍ୟ ଇଚ୍ଛାଶକ୍ତି ଓ ଅଟଳ ପ୍ରୟାସ। ପ୍ରକୃତି କୋଳରେ ଶାନ୍ତ ପରିବେଶରେ ଗଢ଼ି ଉଠିଥିବା ଶାନ୍ତାଙ୍କର ଏହି କ୍ଷୁଦ୍ର ଅନୁଷ୍ଠାନଟି ଯୁଗଯୁଗରୁ ସାଇତା ହୋଇଥିବା କନ୍ଧମାନଙ୍କର ଜଡ଼ତାକୁ ଅପସାରଣ କରି ତାଙ୍କୁ ନୂତନ ଦିଗ୍‌ଦର୍ଶନ ଦେବାର ଏହି ଅପୂର୍ବ ଉତ୍ସାହ ବାସ୍ତବିକ ଅନୁକରଣୀୟ। ଚିର ଅବହେଳିତ ଶିଶୁମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସେ କହନ୍ତି। ତାଙ୍କ ପାଇଁ ଆଉ ଅନେକ କିଛି କରିବାର ଅଛି। ନାରୀ ଚରିତ୍ରର ଏକ ଗଠନମୂଳକ ପରିଭାଷା ହେଲେ ଶାନ୍ତା।
ଗୁଜରାଟର କୁମ୍ଭକାର ପରିବାରରେ ଜନ୍ମିତ ଆଉ ଜଣେ ନାରୀ ହେଲେ ବନଓ୍ବାରୀ ଦେବୀ। ସେ ଥିଲେ ମହିଳା ବିକାଶ କାର୍ଯ୍ୟକ୍ରମର ଜଣେ ସକ୍ରିୟ ସଭ୍ୟା। ସେ ମହିଳା ସାଥୀ ହିସାବରେ ତାଙ୍କ ଅଗ୍ରଣୀ ଭୂମିକା ବେଶ୍‌ ସ୍ବଚ୍ଛନ୍ଦରେ ନିର୍ବାହ କରୁଥିଲେ। ୧୯୯୨ ମସିହାରେ ତାଙ୍କ ଅଞ୍ଚଳର ପ୍ରଭାବଶାଳୀ ଗୁଜ୍ଜର ସମ୍ପ୍ରଦାୟର ଜଣେ ୯ ବର୍ଷୀୟା କୁମାରୀର ବିବାହକୁ ସେ ବିରୋଧ କଲେ। ଫଳରେ ଉକ୍ତ ସମ୍ପ୍ରଦାୟର କିଛି ଉଦ୍‌ଭ୍ରାନ୍ତ ଯୁବକ ବନଓ୍ବାରୀଙ୍କୁ ପ୍ରକାଶ୍ୟ ଦିବାଲୋକରେ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଗଣବଳାତ୍କାର କଲେ। ଅକଥନୀୟ ଲଜ୍ଜା ଓ ଅତିଶୟ ମାନସିକ ଦୁର୍ବଳତା ସତ୍ତ୍ୱେ ସେ ପୋଲିସର ଆଶ୍ରୟ ନେଲେ ସିନା, ହେଲେ ଉପଯୁକ୍ତ ସାକ୍ଷୀ ଅଭାବରୁ ବିଚାରାଳୟରେ ଦୋଷୀମାନେ ଦୋଷମୁକ୍ତ ହେଲେ। ତା’ ପରେ ବନଓ୍ବାରୀ ଦେବୀଙ୍କ ଜୀବନରେ ଦୁର୍ଦ୍ଦିନର କଳା ବାଦଲ ଘନେଇ ଆସିଲା। ତାଙ୍କୁ ‘ମହିଳା ସାଥୀ’ ପଦରୁ ହଟାଇ ଦିଆଗଲା। ପ୍ରତି ମୁହୂର୍ତ୍ତରେ ତାଙ୍କୁ ବିପଦର ଖଣ୍ଡାଧାରରେ ବାଟ ଚାଲିବାକୁ ହେଲା। ତଥାପି ସମାଜସେବାରୁ ସେ ନିବୃତ୍ତ ହେଲେନାହିଁ। କୁମାରୀ ବିବାହ ବିରୋଧରେ ତାଙ୍କ ସ୍ବର ଅଧିକ ଶାଣିତ ହେଲା। ୧୯୯୭ରେ ସୁପ୍ରିମ୍‌କୋର୍ଟଙ୍କ ବିଶାଖା ଗାଇଡ୍‌ଲାଇନ୍‌ ପ୍ରକାଶିତ ହେଲା। କୋର୍ଟ ତାଙ୍କ ରାୟରେ ମହିଳାଙ୍କ କର୍ମକ୍ଷେତ୍ରକୁ ଯୌନ ଶୋଷଣମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ। ବନଓ୍ବାରୀଙ୍କ ମନରେ ଆଶା ସଞ୍ଚାର ହେଲା। ଦୀଘର୍ର୍ ୫ ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଲା। ବଳାତ୍କାରୀ କାରାଦଣ୍ଡ ଭୋଗିଲେ। ସମାଜର ଉଚ୍ଚବର୍ଗଙ୍କ ବିରୋଧରେ ବିରୋଧରେ ସ୍ବର ଉତ୍ତୋଳନ କରିବା କେତେ ଭୟଙ୍କର ତାହା କଳ୍ପନା କରିହେବ ନାହିଁ। ନିମ୍ନ ସମ୍ପ୍ରଦାୟର ସାଧାରଣ ଜଣେ ଗ୍ରାମୀଣ ମହିଳାଙ୍କ ଆଦର୍ଶ ପ୍ରତି ସମର୍ଥନ ମିଳିଲା। ସବୁ ସମ୍ପ୍ରଦାୟର ସଂଖ୍ୟାଧିକ ମହିଳା ତାଙ୍କ ଆଦର୍ଶକୁ ସ୍ବଚ୍ଛ ମନରେ ଗ୍ରହଣ କଲେ। କେବଳ ଗୁଜ୍ଜର ସମ୍ପ୍ରଦାୟ ନୁହେଁ, ଏ ଅଞ୍ଚଳରୁ ବାଲ୍ୟ ବିବାହ ବହୁ ପରିମାଣରେ ହ୍ରାସ ପାଇଛି। ଏହା ମୂଳରେ କେବଳ ବନଓ୍ବାରୀ ଦେବୀଙ୍କ ନିଷ୍ଠାପର ସଂଗ୍ରାମ ହିଁ ନିହିତ।
କେରଳର ୭୫ ବର୍ଷୀୟା ମହିଳା ହେଲେ ମିନାକ୍ଷୀ ଦେବୀ। ସ୍ଥାନୀୟ ଲୋକେ ତାଙ୍କୁ ଶ୍ରଦ୍ଧାରେ ମିନାକ୍ଷୀ ଆମ୍ମା ବୋଲି ସମ୍ବୋଧନ କରନ୍ତି। ନିଜେ ପ୍ରତିଷ୍ଠା କରିଥିବା ଗୁରୁକୁଳରେ ସେ କେରଳର ପ୍ରାଚୀନ ସାମରିକ କୌଶଳ ବା ମାର୍ଶାଲ ଆର୍ଟ ‘କଲାରିପାୟାଟ୍ଟୁ’ ଶିକ୍ଷା ଦେଉଛନ୍ତି। ସ୍ବାମୀ ତାଙ୍କର ଥିଲେ ଉକ୍ତ ସାମରିକ କଳାରେ ଜଣେ ନିପୁଣ ବ୍ୟକ୍ତି ଓ ସେ ମଧ୍ୟ ଥିଲେ ମିନାକ୍ଷୀଙ୍କ ଗୁରୁ। ସ୍ବାମୀଙ୍କ ଅକାଳ ବିୟୋଗରେ ମିନାକ୍ଷୀ ଭାଙ୍ଗି ନ ପଡ଼ି ଉକ୍ତ ସାମରିକ କଳାକୁ ସାର୍ବଜନୀନ କରି ଏହାର ପ୍ରସାର ନିମିତ୍ତ ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନ ତାଙ୍କ ଗୁରୁକୁଳରେ ୧୫୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଅଛନ୍ତି। ମିନାକ୍ଷୀ ଦେବୀ ଶାଢ଼ି ଉପରେ ପୋଷାକ ପରିଧାନ କରି ଶିକ୍ଷାଦାନ କରନ୍ତି। ସାମରିକ ପୋଷାକ ପରିଧାନ କରିଦେଲେ ସେ ଭୁଲିଯାନ୍ତି ତାଙ୍କ ବୟସର ଆଧିକ୍ୟକୁ। ତାଙ୍କଠାରୁ ମାର୍ଶାଲ ଆର୍ଟ ଶିକ୍ଷା କରିବା ପାଇଁ କେବଳ ଭାରତ ନୁହେଁ, ବିଦେଶରୁ ମଧ୍ୟ ପ୍ରତିବର୍ଷ ଅନେକ ଛାତ୍ରୀଛାତ୍ର ଏଠାକୁ ଆସୁଛନ୍ତି। ସେ ପିଲାମାନଙ୍କଠାରୁ କୌଣସି ଅର୍ଥ ନିଅନ୍ତି ନାହିଁ। କେବଳ ବିଦାୟ ସମୟରେ ଯାହା କିଛି ସେମାନେ ଖୁସିରେ ଗୁରୁଦକ୍ଷିଣା ଦେଇଥାନ୍ତି। ବୟସ ତାଙ୍କଠାରେ ହାର ମାନିଛି। ସମାଜର ସବୁସ୍ତରର ଲୋକଙ୍କଠାରୁ ତାଙ୍କୁ ମିଳିଛି ଢେର ସ୍ନେହ ଓ ସମ୍ମାନ। କେରଳରେ ତାଙ୍କ ଲୋକପ୍ରିୟତାର ପଟାନ୍ତର ନାହିଁ।
ମଧ୍ୟଯୁଗୀୟ ନାରୀ ଥିଲା ପୁରୁଷ ସମାଜର କ୍ରୀତଦାସୀ ସ୍ବରୂପ। କିନ୍ତୁ ଆଜିର ନାରୀ ମଧ୍ୟଯୁଗୀୟ ବର୍ବରତାର ଖୋଳପା ମଧ୍ୟରୁ ବାହାରି ଆସି ସବୁ କ୍ଷେତ୍ରରେ ସୃଷ୍ଟି କରିଛି ସଫଳତାର ଅନନ୍ୟ ଉଦାହରଣ। ନାରୀ ଜାତି ସୁସଙ୍ଗଠିତ, ଶିକ୍ଷିତ, କର୍ମଠ ଓ ନୀତିନିପୁଣା ହେଲେ ଦେଶର ପ୍ରଗତି ଅବଶ୍ୟମ୍ଭାବୀ। ସମାଜରୁ ଶୋଷଣ, ନିଷ୍ପେଷଣ ଓ ଦୁର୍ନୀତିର ବଳୟକୁ ଛିନ୍ନ କରି ନାରୀ ହିଁ ସୃଷ୍ଟି କରିପାରିବ ଏକ ଅଭିନବ ଭାରତବର୍ଷ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri