ଆଜିର ଅର୍ଥନୀତି/ଟୋକନ୍‌ର ସ୍ଥାନୀୟକରଣ କର

ଧାନ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ଜଣାଶୁଣା। ଅର୍ଥାତ୍‌ ଏଠାରେ ଯେତିକି ଧାନ ଅମଳ ହୁଏ, ତାହା ରାଜ୍ୟବାସୀ ବର୍ଷକ ଖାଇବା ପରେ ବି ଆହୁରି ବଳେ। ଯେବେଠାରୁ ଏହାକୁ ବିକେନ୍ଦ୍ରୀକୃତ ଖାଦ୍ୟଶସ୍ୟ ସଂଗ୍ରହ (ଡିଏସ୍‌ପି)ର ରାଜ୍ୟ ଭାବେ ଘୋଷଣା କରାଗଲା, ସେବେଠାରୁ ଅର୍ଥାତ୍‌ ୨୦୦୦ ଦଶକ ମଧ୍ୟଭାଗରୁ ଓଡ଼ିଶା ସିଧାସଳଖ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିଆସୁଛି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମ (ଓଏସ୍‌ସିଏସ୍‌ସି) ଧାନ ସଂଗ୍ରହର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିଆସୁଛି। ୨୦୦୪-୦୫ରେ ୫ରୁ ୬ ଲକ୍ଷ ଟନ୍‌ ସଂଗ୍ରହ ହେଉଥିବା ବେଳେ ଏବେ ସଂଗ୍ରହ ଲକ୍ଷ୍ୟ ପ୍ରାୟ ୬୫ ଲକ୍ଷ ଟନ୍‌କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ କାର୍ଯ୍ୟତଃ ପ୍ରାୟ ୪୦ ଲକ୍ଷ ଟନ୍‌ ଧାନ ସଂଗ୍ରହ ହେଉଛି। ଧାନ ଚାଷ ଓଡ଼ିଶାର ପ୍ରାୟ ତିନିଚତୁର୍ଥାଂଶ ଲୋକଙ୍କର ମୁଖ୍ୟ ଜୀବିକା ହୋଇଥିବା ବେଳେ ଅଧିକାଂଶଙ୍କର ଧାନ ବିକ୍ରି ହେଉଛି ଆୟର ମୁଖ୍ୟ ଉତ୍ସ। ତେଣୁ ରାଜ୍ୟର ସାମଗ୍ରିକ ଅର୍ଥନୀତି ଉପରେ ଧାନ ସଂଗ୍ରହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ପ୍ରତିବର୍ଷ ଧାନ ସଂଗ୍ରହରେ କିଛି ନା କିଛି ସମସ୍ୟା ଦେଖାଦେଇ ଆସୁଛି। ଏବେ କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥାକୁ ନେଇ ପଶ୍ଚିମ ଓଡ଼ିଶାର ଚାଷୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ବ୍ୟବସ୍ଥା ଅନୁସାରେ ଧାନ ସଂଗ୍ରହର ୧୫ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ୍‌ ଦିଆଯିବ। ଚାଷୀଙ୍କ ପଞ୍ଜୀକୃତ ମୋବାଇଲ ଫୋନ୍‌ ଜରିଆରେ ତାଙ୍କୁ ଧାନ ସଂଗ୍ରହର ତାରିଖ ଓ ଧାନ ବିକ୍ରିର ପରିମାଣ ବିଷୟରେ ସୂଚନା ଦିଆଯିବ। ଚାଷୀ ଯେଉଁ ଅଞ୍ଚଳର ହୋଇଥାନ୍ତୁ ନା କାହିଁକି ଭୁବନେଶ୍ୱରର କେନ୍ଦ୍ରୀକୃତ ବ୍ୟବସ୍ଥାରେ ତାଙ୍କୁ ନାମ ପଞ୍ଜୀକରଣ କରିବାକୁ ହେବ।
ଏଭଳି ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ। ଏବେ ଦେଖାଯାଉଛି ଯେଉଁ ଚାଷୀ ଧାନଭର୍ତ୍ତି ଟ୍ରାକ୍ଟର ନେଇ ମଣ୍ଡିକୁ ଯାଉଛନ୍ତି, ତାଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ କୁହାଯାଉଛି, କାରଣ ତାଙ୍କ ପାଖରେ ଟୋକନ୍‌ ନାହିଁ କିମ୍ବା ଟୋକନ୍‌ କେତେବେଳେ ମିଳିବ ଏ ବିଷୟରେ ତାଙ୍କର କିଛି ଧାରଣା ନାହିଁ। ପୁଣି ନିଜେ ଧାନ ଅମଳ କରି ନ ଥିବା ଚାଷୀଙ୍କୁ ଟୋକନ୍‌ ଦିଆଯାଇଥିବା ଦେଖାଯାଉଛି। ଧାନ ମଣ୍ଡିରେ ଦୀର୍ଘ ସମୟ ଅପେକ୍ଷା କରିବା ଦ୍ୱାରା ଚାଷୀମାନଙ୍କର ଶ୍ରମ ଦିବସ ନଷ୍ଟ ହେବା ସହ ସେମାନଙ୍କୁ ଗାଡ଼ିଭଡ଼ା ବାବଦ ଅଧିକ ବ୍ୟୟ କରିବାକୁ ପଡ଼ୁଛି। ତେଣୁ ସେମାନେ ଏ ଟୋକନ୍‌ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି। ସବୁଠୁ ଅଧିକ ଧାନ ଅମଳ କରୁଥିବା ପଶ୍ଚିମ ଓଡ଼ିଶାର ଚାଷୀମାନେ ଏ ନିୟମ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୁଧବାର ସମ୍ବଲପୁରରେ ସ୍ଥାନୀୟ ବିଧାୟକଙ୍କ ଘର ଆଗରେ ଧାନବସ୍ତା କୁଢ଼ାଇ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଗୁରୁବାର ସେମାନଙ୍କ ଆନ୍ଦୋଳନ ଅଧିକ ତେଜିଉଠିଛି। ଏହି ଟୋକନ୍‌ ବ୍ୟବସ୍ଥାରେ ଯେଉଁ ଅବ୍ୟବସ୍ଥା ଦେଖାଦେଇଛି ତାହାକୁ ନେଇ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଘେରିଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ଯେଉଁ କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି, ତା’ର ସମୀକ୍ଷା କରାଯିବା ଉଚିତ କାରଣ ତାହା ଉଦ୍ଦେଶ୍ୟ ପୂରଣରେ ବିଫଳ ହୋଇଛି। ପୂର୍ବରୁ ପ୍ରକ୍ରିୟା ବିକେନ୍ଦ୍ରୀକୃତ ଭାବେ ଚାଲିଥିଲା। ପ୍ରାଥମିକ କୃଷି ସମବାୟ ସମିତି ଓ ମଣ୍ଡିଗୁଡ଼ିକୁ ଟୋକନ୍‌ ପ୍ରଦାନର ଅଧିକାର ଦିଆଯାଇଥିଲା। ପୂର୍ବରୁ ପ୍ୟାକ୍ସଗୁଡ଼ିକ ସ୍ଥାନୀୟ ସଂସ୍ଥା ହୋଇଥିବାରୁ ଲୋକମାନେ ଯେତେବେଳେ ଚାହିଁଲେ ସୁବିଧାରେ ଟୋକନ୍‌ ସଂଗ୍ରହ କରିପାରୁଥିଲେ। ବର୍ତ୍ତମାନ ଏ ନୂତନ ବ୍ୟବସ୍ଥା ମୂଳରୁ ତ୍ରୁଟିଯୁକ୍ତ କାରଣ ଭୁବନେଶ୍ୱରରେ ବସିଥିବା ଲୋକ କେମିତି ଜାଣିବ ବରଗଡ଼ ଜିଲାର ଗୋଟିଏ ଗାଁର ଚାଷୀ କେତେବେଳେ ଧାନ ଅମଳ କରିବ ଓ କେତେବେଳେ ବିକିବାକୁ ଆସିବ। ପୁନଶ୍ଚ ଧାନ ଅମଳ ପରିମାଣ ଓ ଗୁଣବତ୍ତା ରାଜ୍ୟର ବିଭିନ୍ନ ସ୍ଥାନରେ ଅଲଗା ଅଲଗା। ତେଣୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦିଆଯିବା ଏବେ ଜରୁରୀ ହୋଇପଡ଼ିଛି। କେନ୍ଦ୍ରୀକୃତ ବ୍ୟବସ୍ଥା ସମଗ୍ର ପ୍ରକ୍ରିୟାକୁ ମନ୍ଥର କରିତୋଳୁଛି। ଟୋକନ୍‌ ପାଇଁ ଅପେକ୍ଷା କରି କରି କୃଷକଙ୍କୁ ଧାନଗାଡ଼ି ଧରି ଏ ଶୀତକାକରରେ ମଣ୍ଡିରେ ଦିନ ସାରା ଓ ରାତି ତମାମ ଅପେକ୍ଷା କରିବାକୁ ପଡ଼ୁଛି। ଯେତେଶୀଘ୍ର ସମ୍ଭବ ମଣ୍ଡିରେ ଧାନ ବିକି ଘରକୁ ଫେରିବାକୁ ଚାହୁଁଥିବା କୃଷକମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବିରକ୍ତ ହୋଇପଡ଼ିବା ସ୍ବାଭାବିକ। ଏଭଳି ବିଳମ୍ବିତ ପ୍ରକ୍ରିୟାରେ ସେମାନେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ଛତିଶଗଡ଼ରେ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ (କୁଇଣ୍ଟାଲ ପିଛା ୨୫୦୦ ଟଙ୍କା)ରେ ଧାନ ବିକ୍ରି ହେଉଥିବାରୁ ଏବଂ ସେଠାରେ ନଭେମ୍ବର ୧୫ରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବାରୁ ବେପାରୀମାନେ ପଶ୍ଚିମ ଓଡ଼ିଶାରୁ ଶସ୍ତାରେ ଧାନ କିଣି ସେଠାରେ ଅଧିକ ଦାମ୍‌ରେ ବିକ୍ରି କରି ବେଶ୍‌ ଅଧିକ ଲାଭ କରିବାକୁ ପ୍ରଲୋଭିତ ହେଉଥିବା ଦେଖାଯାଉଛି। ମଙ୍ଗଳବାର ଛତିଶଗଡ଼ ସରକାର ଓଡ଼ିଶା ସୀମାନ୍ତ ମହାସମୁନ୍ଦ ଜିଲାରୁ ୪,୧୩୩ କୁଇଣ୍ଟାଲ ଧାନ ଜବତ କରିଥିବା ଜଣାପଡ଼ିଛି। ପଡ଼ୋଶୀ ରାଜ୍ୟରେ ଅଧିକ ଏମ୍‌ଏସ୍‌ପି ମିଳୁଥିବାରୁ ତାହା ସବୁବେଳେ ବେପାରୀ ଓ ଦଲାଲମାନଙ୍କୁ ଆକୃଷ୍ଟ କରିଥାଏ ଓଡ଼ିଶାରୁ ଶସ୍ତାରେ ଧାନ କିଣି ଛତିଶଗଡ଼ରେ ବିକ୍ରି କରିବାକୁ। ଏବେ ଉକ୍ତ କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥା ବେପାରୀ ଓ ଦଲାଲମାନଙ୍କୁ ଏପରି କରିବାକୁ ଉତ୍ସାହିତ କରିବା ସହ ଓଡ଼ିଶାର ଚାଷୀମାନଙ୍କୁ ଅଭାବୀ ବିକ୍ରି ପାଇଁ ବାଧ୍ୟ କରୁଛି। ତେଣୁ ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟରେ ଚାଷୀଙ୍କ ଅଭାବୀ ବିକ୍ରି ବନ୍ଦ କରିବା ପାଇଁ ଉକ୍ତ କେନ୍ଦ୍ରୀକୃତ ଟୋକନ୍‌ ବ୍ୟବସ୍ଥା ବନ୍ଦ କରି ତାହାର ସ୍ଥାନୀୟକରଣ କରିବା ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri